ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲାପାଳ ଓ ଏସ୍‌ପି ସମ୍ମିଳନୀର ଦ୍ଵିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ।

ଭୁବନେଶ୍ୱରରେ ଚାଲିଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ସେ ରାଜ୍ୟ ପୋଲିସ ବିଭାଗର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହିତ ଲୋକଙ୍କ ମଧ୍ୟରେ ‘ପୋଲିସ ଜନତାଙ୍କ ବନ୍ଧୁ’ ବୋଲି ସଚେତନତା ସୃଷ୍ଟି କରିବା ଆବଶ୍ୟକତା ଥିବା କହିଛନ୍ତି। ଏହାସହ ଜନତାଙ୍କ ପ୍ରତି ନ୍ୟାୟପୂର୍ଣ୍ଣ ଆଚରଣ କରିବାକୁ ସବୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ

  • ‘ପୋଲିସ୍ ହେଉଛି ଜନତାଙ୍କ ବନ୍ଧୁ’ – ଜନତାଙ୍କ ମଧ୍ୟରେ ଏହି ସଚେତନତା ସୃଷ୍ଟି ହେବା ଜରୁରୀ।
  • ଥାନାକୁ ନ୍ୟାୟ ପାଇଁ ଆସୁଥିବା ଲୋକଙ୍କ ପ୍ରତି ସୌଜନ୍ୟତା ଓ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ସେମାନଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବା ଏକାନ୍ତ ଆବଶ୍ୟକ।
  • ଥାନାଗୁଡ଼ିକରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ।
  • ଓଡ଼ିଶା ପୋଲିସ୍‌ର ମୂଳମନ୍ତ୍ର ‘ସେବା ଓ ସୁରକ୍ଷା’। ନ୍ୟାୟପୂର୍ଣ୍ଣ ଆଚାରଣ ସହିତ ଏହି ମନ୍ତ୍ରକୁ ପୋଲିସ ଧ୍ୟାନ ଦେବା ଆବଶ୍ୟକ।
  • ମେଡିକାଲ୍‌ରେ ଡାକ୍ତରଙ୍କ ଆଚରଣ ଓ ଉଚ୍ଚାରଣ ଉତ୍ତମ ରହିଲେ ଯେପରି ରୋଗୀଙ୍କ ଅଧା ରୋଗ ଭଲ ହୋଇ ଯାଇଥାଏ, ଠିକ୍ ସେହିଭଳି ପୋଲିସମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ମନୋଭାବ ଆସିବା ଆବଶ୍ୟକ।
  • ସାଇବର କ୍ରାଇମ୍ ରୋକିବା ପାଇଁ ଟେକ୍‌ନୋଲୋଜିକୁ ଓଡ଼ିଶା ପୋଲିସ୍ ବହୁଳ ଭାବେ ବ୍ୟବହାର କରିବା ଆବଶ୍ୟକ।
  • ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ପାଇଁ ୧୦୮୩ଟି ବିଭିନ୍ନ ବର୍ଗର ପଦବୀକୁ ନେଇ ଗୋଟିଏ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
  • ପୋଲିସ ବିଭାଗରେ ହୋମ୍‌ଗାର୍ଡମାନେ ନିଜ ଦାୟିତ୍ୱ ବ୍ୟତୀତ ଅନ୍ୟାନ୍ୟ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
  • ହୋମଗାର୍ଡମାନଙ୍କ ବନ୍ଦ ଥିବା ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।
  • ଡ୍ୟୁଟିବେଳେ ମୃତ୍ୟୁ ଘଟୁଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା ଦେବା ଓ ତାଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ପାଇଁ ବ୍ୟବସ୍ଥା କରାଯାଉଛି।
  • ପୋଲିସର ମନୋବଳ ବଢ଼ାଇବା ପାଇଁ ଥାନାମାନଙ୍କରେ ଯାନବାହନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉଛି। ପ୍ରତିଥାନାରେ ଆଇଆଇସିଙ୍କ ଗାଡ଼ିକୁ ବାଦ ଦେଲେ ଆଉ ଗୋଟିଏ ୪ ଚକିଆ ଯାନ ପ୍ରଦାନ କରାଯିବ।
  • ପ୍ରତି ପୋଲିସ ଅଫିସର୍‌ଙ୍କୁ ଗୋଟିଏ ଲେଖାଏଁ ବାଇକ୍ ଦିଆଯିବ। ରାଜ୍ୟସ୍ତରରେ ମୋଟ୍ ୯୦୦୦ଟି ବାଇକ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
  • ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଓଡ୍ରାଫ୍ ଟିମ୍‌କୁ ନିୟୋଜିତ କରାଯିବ।
  • ରାଜ୍ୟରେ ଆଗରୁ ୨୦ଟି ଓଡ୍ରାଫ୍ ଟିମ୍ ଥିବାବେଳେ ଆଉ ୧୦ ଟିମ୍‌କୁ ନିଯୁକ୍ତ କରାଯିବ।
  • ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସରେ ଆଉ ୩ଟି ନୂଆ ବାଟାଲିୟନ୍ ସଂଯୋଗ କରାଯିବ।
  • ପୋଲିସ ବ୍ୟବସ୍ଥାରେ ସଂସ୍କାର ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପାଇଁ ନୂଆ ଫାଣ୍ଡି ପ୍ରତିଷ୍ଠା କରାଯାଉଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ମଧ୍ୟ ଗୋଟିଏ ନୂଆ ଫାଣ୍ଡି ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଛି।
  • ପୋଲିସ ବଳକୁ ସଶକ୍ତ କରିବା ପାଇଁ ଆବଶ୍ୟକୀୟ ମାନବ ସମ୍ବଳ ଓ ଅନ୍ୟାନ୍ୟ ଉପକରଣ ଯୋଗାଇଦେବେ ରାଜ୍ୟ ସରକାର।
  • ୧୧୨ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।
  • ରାଜ୍ୟର ଉପକୂଳ ଅଞ୍ଚଳରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ଆହୁରି ସୁଦୃଢ଼ କରାଯିବ।
  • ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆମେ ଆହ୍ୱାନ ଦେଉଛୁ।
  • ଗୋଟିଏ ଜିଲ୍ଲାରେ ଜିଲ୍ଲାପାଳ ଓ ଏସ୍‌ପି ହେଉଛନ୍ତି ଶାସନ ପ୍ରଶାସନ ଦୁଇଟି ଖମ୍ବ।
  • ଜିଲ୍ଲାପାଳ ଓ ଏସ୍‌ପି ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବା ଜରୁରୀ।
  • ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମତାନ୍ତର ତଥା ମନାନ୍ତରକୁ ପ୍ରଶ୍ରୟ ଦିଆଯିବ ନାହିଁ।
  • ପୋଲିସ୍ ବିଭାଗ ‘ସେବା ଓ ସୁରକ୍ଷା’ ସ୍ଲୋଗାନ୍‌କୁ କାୟା, ମନ ବାକ୍ୟରେ ପାଳନ କରିବା ଆବଶ୍ୟକ।
  • ଭାରତ ବର୍ଷରେ ଓଡ଼ିଶା ପୋଲିସକୁ ଏକ ନମ୍ବର କରିବା ଆମର ଲକ୍ଷ୍ୟ।

ମୁଖ୍ୟତଃ ଆଗରୁ ବନ୍ଦ ଥିବା ଜିଲ୍ଲାପାଳ-ଏସ୍‌ପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଶନିବାର ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ୍ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #Collectors&SPConference #CMOOdisha #MohanCharanMajhi #Odisha

Comment