ଆଶିଷ କୁମାର ରାୟ

ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡରେ ଭାରତକୁ ମିଳିଛି ଅବିଶ୍ୱସନୀୟ ସଫଳତା। ଭାରତର ଚେସ୍ ତାରକାମାନେ ଉଭୟ ଓପନ୍ ବିଭାଗ ଓ ମହିଳା ବିଭାଗରେ ଚାମ୍ପିଆନ ହୋଇ ଦେଶକୁ ଗୌରବାନ୍ୱିତ କରିଛନ୍ତି। ଓପନ୍ ବର୍ଗରେ ଭାରତ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରଦର୍ଶନ କରି ଯୁକ୍ତରାଷ୍ଟ୍ର ଆମେରିକା, ଉଜବେକିସ୍ତାନ ଓ ଚୀନ ଭଳି ଦଳକୁ ପଛରେ ପକାଇ ସ୍ୱର୍ଣ୍ଣପଦକ ଜିତିନେଇଛି। ପ୍ରତିଯୋଗିତାରେ ଏକାଧିପତ୍ୟ ବିସ୍ତାର କରିବା ସହିତ ଅନ୍ତିମ ଦିବସରେ ଭାରତୀୟ ଦଳ ସ୍ଲୋଭେନିଆକୁ ହରାଇ ସମ୍ଭାବ୍ୟ ୨୨ରୁ ୨୧ ମ୍ୟାଚପଏଣ୍ଟ ଲାଭ କରି ଚାମ୍ପିଆନ ହୋଇଛି। ପ୍ରତିଯୋଗିତାରେ ଅନ୍ୟ କୌଣସି ଦଳ ୧୭ ପଏଣ୍ଟରୁ ଅଧିକ ସ୍କୋର କରିପାରି ନାହାନ୍ତି।

ଅନ୍ୟ ଦିଗରେ ମହିଳା ବିଭାଗରେ ମୁକାବିଲା ଅନେକଟା କଷ୍ଟସାଧ୍ୟ ହେବା ସତ୍ତ୍ୱେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିପାରିଛି। ଅନ୍ତିମ ଦିବସରେ ଭାରତୀୟ ମହିଳା ଦଳ ଆଜବୈଜାନକୁ ପରାସ୍ତ କରି ୧୯ ମ୍ୟାଚ ପଏଣ୍ଟ ସହିତ ହାସଲ କରିଛି ଏଭଳି ଅନନ୍ୟ ସଫଳତା। ୧୮ ପଏଣ୍ଟ ସହିତ କାଜାଖସ୍ତାନ ରୌପ୍ୟ ଜିତିଥିବା ବେଳେ ୧୭ ପଏଣ୍ଟ ପାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ବ୍ରୋଞ୍ଜପଦକ ଲାଭ କରିଛି।

ଚେସ୍ ଅଲିମ୍ପିଆଡର ଉଭୟ ବିଭାଗରେ ଆମ ଦେଶର ତାରକାମାନେ ପ୍ରଥମଥର ସକାଶେ ସେମାନଙ୍କର ଚିର ଈପ୍‌ସିତ ସ୍ୱର୍ଣ୍ଣପଦକ ଜିତିବାରେ ସମର୍ଥ ହୋଇଛନ୍ତି। ଆସନ୍ତୁ ଏବେ ଚେସ୍ ଅଲିମ୍ପିଆଡରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟଙ୍କ ପ୍ରଦର୍ଶନ ଉପରେ ଦୃଷ୍ଟି ନିକ୍ଷେପ କରିବା।

ଡୋମ୍ମାରାଜୁ ଗୁକେଶ

୨୯ ମେ, ୨୦୦୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିବା ଏହି ତାରକା ଜଣକ ଖୁବ୍ କମ୍ ବୟସରୁ ଚେସ୍ ଜଗତରେ ପ୍ରସିଦ୍ଧି ହାସଲ କରି ସାରିଲେଣି। ୨୦୧୯ରେ ଗୁକେଶ ଯେତେବେଳେ ମାତ୍ର ୧୨ ବର୍ଷ ୭ ମାସ ଓ ୧୭ ଦିନର ହୋଇଥିଲେ ତାଙ୍କୁ ମିଳିଥିଲା ଗ୍ରାଣ୍ଡମାଷ୍ଟର ଟାଇଟେଲ୍। ଏହି ଟାଇଟେଲ୍ ହାସଲ କରିବା ସମୟରେ ସେ ଥିଲେ ବିଶ୍ୱର ଦ୍ୱିତୀୟ ସର୍ବ କନିଷ୍ଠ ଖେଳାଳି।

୨୦୨୨ରେ ଚେନ୍ନାଇଠାରେ ଅନୁଷ୍ଠିତ ୪୪ତମ ଚେସ୍ ଅଲିମ୍ପିଆଡରେ ଗୁକେଶ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଗୋଟିଏ ଗେମ୍‌ରେ ପରାଜିତ ହେବା ଫଳରେ ସ୍ୱର୍ଣ୍ଣ ପଦକ ବଦଳରେ ଭାରତକୁ ବ୍ରୋଞ୍ଜପଦକ ମିଳିଥିଲା। ତେବେ ସେହି ପ୍ରତିଯୋଗିତାରେ ଗୁକେଶ ଅଧିକ ବିଜୟ ହାସଲ କରିଥିବା ଯେଗୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଟପ୍ ବୋର୍ଡର ସ୍ୱର୍ଣ୍ଣପଦକ ମିଳି ଯାଇଥିଲା।

ଏଥର ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍ ଅଲିମ୍ପିଆଡରେ ମଧ୍ୟ ତାଙ୍କୁ ଟପ୍ ବୋର୍ଡର ସ୍ୱର୍ଣ୍ଣ ମିଳିଛି। ଏଥର ସେ ଦଶଟି ମ୍ୟାଚ ଖେଳି ଆଠଟିରେ ବିଜୟୀ ହେବା ସହିତ ଦୁଇଟି ଗେମ୍ ଡ୍ର ରଖିଥିଲେ। ଉଜବେକିସ୍ତାନର ଅବ୍‌ଦୁସତ୍ତାରୋଭଙ୍କ ସହିତ ତାଙ୍କ ମ୍ୟାଚ ଡ୍ର ହେବା ସହିତ ହଙ୍ଗେରୀର ରିଚାର୍ଡ ରାପୋର୍ଟଙ୍କ ସହିତ ମଧ୍ୟ ସେ ଡ୍ର ଖେଳିଥିଲେ।

ତେବେ ଚୀନର ୱେଇ ୟି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଖେଳାଳି ଫାବିଆନୋ କାରୁଆନାଙ୍କ ବିରୁଦ୍ଧରେ ଗୁକେଶଙ୍କ ବିଜୟ ଭାରତକୁ ଦଳଗତ ସ୍ୱର୍ଣ୍ଣପଦକ ପ୍ରଦାନ କରିବାରେ ବିଶେଷ ସହାୟକ ହୋଇଛି। ୨୭୯୪ ଏଲୋ ରେଟିଂ ପ୍ରାପ୍ତ ବିଶ୍ୱର ୫ ନମ୍ବର ଖେଳଳି ଡୋମ୍ମାରାଜୁ ଗୁକେଶ ମଧ୍ୟ ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ଚେସ୍ ଚାମ୍ପିଆନସିପର ଚୂଡ଼ାନ୍ତ ମୁକାବିଲାରେ ଚୀନର ଡିଙ୍ଗ୍ ଲିରେନ୍‌ଙ୍କ ସହିତ ଖେଳିବେ।

ଗତ ଏପ୍ରିଲ ମାସରେ କାନାଡ଼ାର ଟରୋଣ୍ଟୋଠାରେ ଅନୁଷ୍ଠିତ କ୍ୟାଣ୍ଡିଡେଟ୍ସ ଚେସ୍ ପ୍ରତିଯୋଗିତାରେ ବିଜୟୀ ହୋଇ ସେ ବିଶ୍ୱ ଚାମ୍ପିଆନ ଡିଙ୍ଗ୍ ଲିରେନ୍‌ଙ୍କ ଚ୍ୟାଲେଞ୍ଜର ଭାବେ ସାମ୍ନାକୁ ଆସିଛନ୍ତି ଏବଂ ଏଥିରେ ୧୮ ବର୍ଷ ବୟସ୍କ ଗୁକେଶଙ୍କ ବିଜୟ ସମ୍ଭାବନା ବହୁତ ଅଧିକ ରହିଛି ।

ଅର୍ଜୁନ ଏରିଗେସୀ

୩ ସେପ୍ଟେମ୍ବର ୨୦୦୩ରେ ତେଲେଙ୍ଗାନାର ୱାରଙ୍ଗଲରେ ଜନ୍ମଗ୍ରହଣ କରିଥିବା ଅର୍ଜୁନ ଏରିଗେସୀ ମଧ୍ୟ ବୁଦାପେଷ୍ଟରେ ଅନୁଷ୍ଠିତ ୪୫ ତମ ଚେସ୍ ଅଲିମ୍ପିଆଡରେ ଗୁକେଶଙ୍କ ଭଳି ଡବଲ୍ ସ୍ୱର୍ଣ୍ଣପଦକ ଜିତିବାର କୃତିତ୍ୱ ଲାଭ କରିଛନ୍ତି। ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ହେବା ସହିତ ସେ ତୃତୀୟ ବୋର୍ଡରେ ବ୍ୟକ୍ତଗତ ସ୍ୱର୍ଣ୍ଣ ମଧ୍ୟ ହାସଲ କରିଛନ୍ତି। ଭାରତ ପାଇଁ ଏହି ଅଲିମ୍ପିଆଡର ସମସ୍ତ ୧୧ଟି ଯାକ ରାଉଣ୍ଡର ମୁକାବିଲାରେ ଅବତୀର୍ଣ୍ଣ ହୋଇ ସେ ୯ଟିରେ ବିଜୟୀ ହୋଇଛନ୍ତି ଏବଂ ୨ଟି ଗେମ୍ ଅମୀମାଂସିତ ରଖିଥିଲେ।

ତୃତୀୟ ବୋର୍ଡରେ ଅର୍ଜୁନଙ୍କ ପ୍ରଦର୍ଶନ ଭାରତର ସ୍ୱର୍ଣ୍ଣ ବିଜୟ ପାଇଁ ଅତ୍ୟନ୍ତ ସହାୟକ ହୋଇଛି। ପ୍ରକୃତରେ ଦେଖିବାକୁ ଗଲେ ୨୧ ବର୍ଷ ବୟସ୍କ ଅର୍ଜୁନ ଏରିଗେସୀ ହେଉଛନ୍ତି ବର୍ତ୍ତମାନ ସମୟରେ ଭାରତର ସର୍ବଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଖେଳାଳି। ଏହି ଚେସ୍ ଅଲିମ୍ପିଆଡ ପୂର୍ବରୁ ତାଙ୍କର ଏଲୋ ରେଟିଂ ୨୭୭୮ ଥିବା ବେଳେ ପତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ନିଜ ରେଟିଂକୁ ସେ ୨୭୯୭କୁ ବୃଦ୍ଧି କରିଛନ୍ତି। ସେ ଏବେ ବିଶ୍ୱର ତିନି ନମ୍ବର ଚେସ୍ ଖେଳାଳି।

ଚେନ୍ନାଇଠାରେ ଗତ ଅଲିମ୍ପିଆଡରେ ବ୍ୟକ୍ତିଗତ ଭାବେ ତୃତୀୟ ବୋର୍ଡରେ ରୌପ୍ୟପଦକ ଲାଭ କରିଥିବା ଏହି ଖେଳାଳି ଜଣକ ଏବେ ଉଭୟ ଦଳଗତ ଓ ବ୍ୟକ୍ତିଗତ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଭବିଷ୍ୟତରେ ସେ ବିଶ୍ୱ ଚାମ୍ପିଆନସିପରେ ବିଜୟୀ ହେବାର ଲକ୍ଷ୍ୟ ମଧ୍ୟ ରଖିଛନ୍ତି।

ରମେଶବାବୁ ପ୍ରଜ୍ଞାନନନ୍ଦା  

ବୁଦାପେଷ୍ଟରେ ଅନୁଷ୍ଠିତ ୨୦୨୪ର ଚେସ୍ ଅଲିମ୍ପିଆଡରେ ଏହି ଖେଳାଳି ଜଣକ ଓପନ୍ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିବାବେଳେ ତାଙ୍କ ବଡ଼ ଭଉଣୀ ରମେଶବାବୁ ବୈଶାଳୀ ଥିଲେ ଭାରତୀୟ ମହିଳା ଦଳର ପ୍ରମୁଖ ସଦସ୍ୟା। ଭାରତର ଚେସ୍ ଗ୍ରାଣ୍ଡମାଷ୍ଟର ଭାଇଭଉଣୀ ଭାବେ ମଧ୍ୟ ସେମାନେ ବେଶ୍ ପ୍ରସିଦ୍ଧ।

୧୦ ଅଗଷ୍ଟ ୨୦୦୫ରେ ଚେନ୍ନାଇ ଠାରେ ଜନ୍ମ ନେଇଥିବା ପ୍ରଜ୍ଞାନନନ୍ଦା ମାତ୍ର ୧୨ ବର୍ଷ ୧୦ ମାସର ହୋଇଥିବା ସମୟରେ ଭାରତର ସର୍ବ କନିଷ୍ଠ ଗ୍ରାଣ୍ଡମାଷ୍ଟର ବନି ଯାଇଥିଲେ। ତାଙ୍କର ଏହି ରେକର୍ଡକୁ ପରବର୍ତ୍ତୀ ସମୟରେ ଅତିକ୍ରମ କରି ଯାଇଥିଲେ ଡି. ଗୁକେଶ। ୨୦୨୦ରେ କରୋନା ମହାମାରୀ ସମୟରେ ଅନ୍‌ଲାଇନ୍‌ରେ ଆୟୋଜିତ ଚେସ୍ ଅଲିମ୍ପିଆଡରେ ଭାରତ ଓ ରୁଷ ଯୁଗ୍ମ ଚାମ୍ପିଆନ ହୋଇଥିଲେ ଏବଂ ସେହି ଭାରତୀୟ ଦଳରେ ପ୍ରଜ୍ଞାନନନ୍ଦା ଥିଲେ ପ୍ରମୁଖ ସଦସ୍ୟ।

୨୦୨୧ର ଅନ୍‌ଲାଇନ୍ ଚେସ୍ ଏବଂ ୨୦୨୨ରେ ଚେନ୍ନାଇରେ ଆୟୋଜିତ ଚେସ୍ ଅଲିମ୍ପିଆଡରେ ସେ ମଧ୍ୟ ଥିଲେ ବ୍ରୋଞ୍ଜପଦକ ବିଜୟୀ ଦଳର ସଦସ୍ୟ। ଆଉ ସେ ଏଥର ଦ୍ୱିତୀୟ ବୋର୍ଡରେ ଖେଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ ଭାରତୀୟ ଦଳର ସ୍ୱର୍ଣ୍ଣ ବିଜୟରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।

୨୭୫୦ର ଏଲୋ ରେଟିଂ ସହିତ ବିଶ୍ୱର ୧୨ ନମ୍ବର ମାନ୍ୟତା ପ୍ରାପ୍ତ ପ୍ରଜ୍ଞାନନନ୍ଦା ଏଥର ଚେସ୍ ଅଲିମ୍ପିଆଡ଼ରେ ଦଶଟି ମ୍ୟାଚ ଖେଳି ତିନିଟିରେ ବିଜୟ ହାସଲ କରିଥିବା ବେଳେ ଛଅଟି ଡ୍ର ଖେଳିଛନ୍ତି ଏବଂ ଗୋଟିକରେ ପରାଜିତ ହୋଇଛନ୍ତି।

ବିଦିତ୍ ସନ୍ତୋଷ ଗୁଜରାଟୀ

୨୦୨୦ରେ କୋଭିଡ୍ ମହାମାରୀ ସମୟରେ ଯେଉଁ ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡ଼ ଆୟୋଜିତ ହୋଇଥିଲା ସେଥିରେ ବିଦିତ୍ ସନ୍ତୋଷ ଗୁଜରାଟୀ ଥିଲେ ଭାରତୀୟ ଦଳର ଅଧିନାୟକ। ତାଙ୍କରି ନେତୃତ୍ୱରେ ଭାରତ ସେହି ପ୍ରତିଯୋଗିତାରେ ରୁଷ ସହିତ ଯୁଗ୍ମ ବିଜେତା ହୋଇଥିଲା। ୨୦୨୧ର ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡର ବ୍ରୋଞ୍ଜପଦକ ବିଜୟୀ ଦଳର ମଧ୍ୟ ସେ ସଦସ୍ୟ ଥିଲେ। ଆଉ ଏବେ ସେ ଚେସ୍ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି।

ଚଳିତ ଅଲିମ୍ପିଆଡ଼ରେ ସେ ଦଶଟି ମ୍ୟାଚରୁ ପାଞ୍ଚଟିରେ ବିଜୟୀ ହୋଇଥିବା ବେଳେ ବାକି ପାଞ୍ଚଟି ମ୍ୟାଚ ଅମୀମାଂସିତ ରଖିଛନ୍ତି। ୨୪ ଅକ୍ଟୋବର ୧୯୯୪ରେ ମହାରାଷ୍ଟ୍ରର ନାସିକ୍‌ଠାରେ ଜନ୍ମିତ ବିଦିତ୍ ୨୦୧୩ରେ ଭାରତର ୩୦ତମ ଗ୍ରାଣ୍ଡମାଷ୍ଟର ହୋଇଥିଲେ। ସେହି ଦିନଠାରୁ ସେ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ସହିତ ଧୀରେ ଧୀରେ ଚେସ୍ ଦୁନିଆରେ ବିଶେଷ ପରିଚିତି ଲାଭ କରିଛନ୍ତି।

ଏ ବର୍ଷ ଚେସ୍ ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣ ଜିତିବା ସହିତ ୨୦୨୩ରେ ଗ୍ରାଣ୍ଡ ସ୍ୱିସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହେବା ତଥା ସେହି ବର୍ଷ ବିଶ୍ୱ ରାପିଡ୍ ଚାମ୍ପିୟନସିପରେ ଦଳଗତ ଓ ବ୍ୟକ୍ତିଗତ ରୌପ୍ୟପଦକ ଲାଭ କରିବା ତାଙ୍କର ଅନ୍ୟତମ ଉପଲବ୍ଧି। ବର୍ତ୍ତମାନ ସମୟରେ ୨୭୨୬ର ରେଟିଂ ସହିତ ସେ ହେଉଛନ୍ତି ଭାରତର ପଞ୍ଚମ ତଥା ବିଶ୍ୱର ୨୨ତମ ମାନ୍ୟତାପ୍ରାପ୍ତ ଖେଳାଳି।

ପେଣ୍ଟାଲ୍ୟା ହରିକ୍ରିଷ୍ଣା

୧୦ ମେ’ ୧୯୮୬ ମସିହାରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ପେଣ୍ଟାଲ୍ୟା ହରିକ୍ରିଷ୍ଣା ୨୦୦୧ରେ ଗ୍ରାଣ୍ଡମାଷ୍ଟର ବନିବା ସହିତ ୨୦୦୪ରେ ବିଶ୍ୱ ଜୁନିୟର ଚେସ୍ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ସେହି ଦିନଠାରୁ ଆଶା କରା ଯାଉଥିଲା ଯେ ସେ ଦିନେ ସିନିଅର ବିଭାଗରେ ମଧ୍ୟ ବିଶ୍ୱ ଚାମ୍ପିୟନ ହେବେ। ସେହି ଆଶା କିନ୍ତୁ ସାକାର ରୂପ ନେଇ ପାରିଲାନାହିଁ ।

ତେବେ ଏଥର ଅଲିମ୍ପିଆଡ଼ରେ ସ୍ୱର୍ଣ୍ଣ ବିଜୟ ଫଳରେ ବ୍ୟକ୍ତିଗତ ଭାବେ ନ ହେଲେ ମଧ୍ୟ ଦଳଗତ ଚେସ୍‌ରେ ସେ ବିଶ୍ୱ ଚାମ୍ପିଆନ ହୋଇ ପାରିଛନ୍ତି। ପୂର୍ବରୁ ୨୦୨୦ର ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡରେ ମଧ୍ୟ ସେ ଚାମ୍ପିୟନ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। ଏଥର ଚେସ୍ ଅଲିମ୍ପିଆଡ଼ରେ ହରିକ୍ରିଷ୍ଣା ଥିଲେ ଭାରତର ରିଜର୍ଭ ଖେଳାଳି। ଏହି ଅଲିମ୍ପିଆଡ଼ରେ ସେ ତିନିଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହେବା ସହିତ ଗୋଟିଏ ମ୍ୟାଚ ଅମୀମାଂସିତ ରଖିଛନ୍ତି।

ଦିବ୍ୟା ଦେଶମୁଖ୍

୯ ଡିସେମ୍ବର ୨୦୦୫ରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମିତ ଦିବ୍ୟା ଦେଶମୁଖଙ୍କୁ ଏବେ ଭାରତର ନୂଆ ଚେସ୍ କୁଇନ୍ ବୋଲି କୁହାଯାଉଛି। ଡି. ଗୁକେଶଙ୍କ ଭଳି ମାତ୍ର ୧୮ ବର୍ଷ ବୟସରେ ସେ ଚେସ୍ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପଦକ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି। ବୁଦାପେଷ୍ଟରେ ଏକାସାଙ୍ଗେ ଆୟୋଜିତ ମହିଳା ଚେସ୍ ଅଲିମ୍ପିଆଡରେ ଦଳଗତ ସ୍ୱର୍ଣ୍ଣ ସହିତ ବ୍ୟକ୍ତିଗତ ସ୍ୱର୍ଣ୍ଣ ମଧ୍ୟ ସେ ଜିତି ନେଇଛନ୍ତି। ଏହି ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକଟି ତାଙ୍କୁ ମିଳିଛି ତୃତୀୟ ବୋର୍ଡରେ। ଏଥର ଚେସ୍ ଅଲିମ୍ପିଆଡ଼ରେ ଦିବ୍ୟା ଦେଶମୁଖ୍ ୧୧ଟିଯାକ ରାଉଣ୍ଡରେ ଅଂଶଗ୍ରହଣ କରି ଆଠଟି ମ୍ୟାଚରେ ବିଜୟୀ ହେବା ସହିତ ତିନିଟି ମ୍ୟାଚ ଅମୀମାଂସିତ ରଖିଥିଲେ। ତାଙ୍କର ପ୍ରଦର୍ଶନ ଭାରତକୁ ଚାମ୍ପିୟନ କରାଇବା ଦିଗରେ ବିଶେଷ ଭାବେ ସହାୟକ ହୋଇଥିଲା।

୨୦୨୦ରେ ମାତ୍ର ୧୪ ବର୍ଷରେ ଅନ୍‌ଲାଇନ୍‌ରେ ଆୟୋଜିତ ଚେସ୍ ଅଲିମ୍ପିଆଡ଼ରେ ଭାରତୀୟ ଦଳର ସଦସ୍ୟ ହୋଇ ସେଥିରେ ଚାମ୍ପିୟନ ହେବାର ଗୌରବ ଲାଭ କରିଥିବା ଦିବ୍ୟା ଏ ବର୍ଷ ଗାନ୍ଧୀନଗରରେ ଆୟୋଜିତ ବିଶ୍ୱ ଜୁନିଅର ମହିଳା ଚେସ୍‌ରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ଖୁବ୍ ଶୀଘ୍ର ସେ ଗ୍ରାଣ୍ଡମାଷ୍ଟର ଟାଇଟେଲ୍ ମଧ୍ୟ ହାସଲ କରିବାକୁ ଯାଉଛନ୍ତି।

ବନ୍ତିକା ଅଗ୍ରୱାଲ

୨୦୨୪ର ମହିଳା ଚେସ୍ ଅଲିମ୍ପିଆଡର ତୃତୀୟ ବୋର୍ଡରେ ଦିବ୍ୟା ଦେଶମୁଖ୍ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଚତୁର୍ଥ ବୋର୍ଡରେ ସ୍ୱର୍ଣ୍ଣ ଜିତିଛନ୍ତି ବନ୍ତିକା ଅଗ୍ରୱାଲ। ତେବେ ବ୍ୟକ୍ତିଗତ ସ୍ୱର୍ଣ୍ଣ ତୁଳନାରେ ଦଳଗତ ପ୍ରତିଯୋଗିତାରେ ମିଳିଥିବା ସ୍ୱର୍ଣ୍ଣ ତାଙ୍କପାଇଁ ଅଧିକ ମହତ୍ୱପୂର୍ଣ୍ଣ ନିଶ୍ଚୟ, କାରଣ ଏହା ଦ୍ୱାରା ଭାରତ ଚେସ୍ ଖେଳରେ ବିଶ୍ୱ ଚାମ୍ପିଆନ ଆଖ୍ୟା ଅର୍ଜନ କରିପାରିଛି।

ବୁଦାପେଷ୍ଟରେ ବନ୍ତିକା ନଅଟି ମ୍ୟାଚ ଖେଳି ଛଅଟି ବିଜୟ ଓ ତିନିଟି ଡ୍ର ସହିତ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୨୮ ସେପ୍ଟେମ୍ବର ୨୦୦୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବନ୍ତିକା ଏହା ପୂର୍ବରୁ ୨୦୨୦ର ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡ଼ ବିଜୟୀ ଭାରତୀୟ ଦଳର ସଦସ୍ୟା ମଧ୍ୟ ଥିଲେ।

ରମେଶବାବୁ ବୈଶାଳୀ

୨୧ ଜୁନ୍ ୨୦୦୧ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ବୈଶାଳୀ ହେଉଛନ୍ତି ଆର. ପ୍ରଜ୍ଞାନନନ୍ଦଙ୍କ ବଡ଼ ଭଉଣୀ। ସେ ମଧ୍ୟ ନିଜ ଭାଇଙ୍କ ସହିତ ୨୦୨୦ର ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡ ବିଜୟୀ ଭାରତୀୟ ଦଳରେ ସାମିଲ ଥିଲେ। ୨୦୨୨ରେ ଚେନ୍ନାଇରେ ଅନୁଷ୍ଠିତ ଗତ ଅଲିମ୍ପିଆଡରେ ସେ ବ୍ୟକ୍ତିଗତ ଓ ଦଳଗତ ଉଭୟ ବିଭାଗରେ ବ୍ରୋଞ୍ଜପଦକ ଜିତିଥିଲେ। ଆଉ ଏଥର ବୁଦାପେଷ୍ଟରେ ଆୟୋଜିତ ଅଲିମ୍ପିଆଡ଼ରେ ସେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି।

ଦ୍ୱିତୀୟ ବୋର୍ଡରେ ଖେଳୁଥିବା ବୈଶାଳୀ ଏଥର ପ୍ରତିଯୋଗିତାରେ ୧୦ଟି ମ୍ୟାଚ ଖେଳି ଚାରିଟି ବିଜୟ ହାସଲ କରିଛନ୍ତି। ବାକି ଛଅଟି ମୁକାବିଲା ମଧ୍ୟରୁ ଚାରିଟି ଅମୀମାଂସିତ ରହିଥିବାବେଳେ ଦୁଇଟିରେ ସେ ପରାଜୟ ବରଣ କରିଛନ୍ତି। ଗତବର୍ଷ ଗ୍ରାଣ୍ଡ ସ୍ୱିସ୍ ଟୁର୍ଣ୍ଣାମେଣ୍ଟର ମହିଳା ବିଭାଗରେ ଚାମ୍ପିଆନ ହୋଇ କ୍ୟାଣ୍ଡିଡେଟ୍ସ ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ହାସଲ କରିବା ଏବଂ ଏହାପରେ ଗ୍ରାଣ୍ଡମାଷ୍ଟର ଟାଇଟେଲ ହାସଲ କରିବା ହେଉଛି ବୈଶାଳୀଙ୍କର ଅନ୍ୟତମ ସଫଳତା।

ଦ୍ରୋଣାଭିଲି ହରିକା  

ଏହି ଖେଳାଳି ଜଣକ ମହିଳା ବିଶ୍ୱ ଚେସ୍ ଚାମ୍ପିଆନଶିପରେ ତିନି ତିନିଥର ବ୍ରୋଞ୍ଜପଦକ ହାସଲ କରିଛନ୍ତି। ୨୦୧୨, ୨୦୧୫ ଓ ୨୦୧୭ର ବିଶ୍ୱ ଚାମ୍ପିଆନଶିପରେ ତାଙ୍କୁ ମିଳିଛି ଏହି ସଫଳତା। ଦ୍ରୋଣାଭିଲି ହରିକା ମଧ୍ୟ ୨୦୦୮ରେ ବିଶ୍ୱ ଜୁନିଅର ମହିଳା ଚେସ୍ ଚାମ୍ପିଆନ ହେବା ସହିତ ୨୦୧୧ରେ ହାସଲ କରିଥିଲେ ଗ୍ରାଣ୍ଡମାଷ୍ଟର ଟାଇଟେଲ। ଏତଦ୍‌ବ୍ୟତୀତ ୨୦୨୦ରେ ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡ଼ ବିଜୟୀ ଭାରତୀୟ ଦଳର ସଦସ୍ୟା ହେବାର ଗୌରବ ମଧ୍ୟ ତାଙ୍କୁ ମିଳିଛି।

୨୦୨୧ର ଅନ୍‌ଲାଇନ୍ ଅଲିମ୍ପିଆଡ ଏବଂ ୨୦୨୨ରେ ଚେନ୍ନାଇରେ ଆୟୋଜିତ ଅଲିମ୍ପିଆଡରେ ବ୍ରୋଞ୍ଜପଦକ ବିଜୟୀ  ହେବା ମଧ୍ୟ ତାଙ୍କର ଆଉ ଦୁଇଟି କୃତିତ୍ୱ। ୧୨ ଜାନୁଆରୀ ୧୯୯୧ରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ହରିକା ଏଥର ଅଲିମ୍ପିଆଡର ଟପ୍ ବୋର୍ଡରେ ଭଲ ପ୍ରଦର୍ଶନ ଦେବାରେ ପ୍ରାୟତଃ ଅକ୍ଷମ ହୋଇଥିଲେ। ନଅଟି ମ୍ୟାଚରୁ ୩ଟିରେ ସେ ବିଜୟୀ ହେବା ସହିତ ୩ଟିରେ ପରାଜୟ ବରଣ କରିଥିଲେ ଏବଂ ବାକି ୩ଟି ଡ୍ର ରହିଥିଲା । ତେବେ ସେ ଠିକ୍ ସମୟରେ ଆଜରବୈଜାନ ବିପକ୍ଷରେ ଅନ୍ତିମ ମ୍ୟାଚକୁ ଜିତି ଭାରତୀୟ ଦଳର ସ୍ୱର୍ଣ୍ଣ ବିଜୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 

ତାନିଆ ସଚଦେବ

୨୦ ଅଗଷ୍ଟ ୧୯୮୬ରେ ଦିଲ୍ଲୀରେ ଜନ୍ମ ନେଇଥିବା ତାନିଆ ସଚଦେବ ଏହି ଅଲିମ୍ପିଆଡ଼ରେ ଥିଲେ ଭାରତୀୟ ମହିଳା ଦଳର ରିଜର୍ଭ ଖେଳାଳି। ଏଥିରେ ସେ ପାଞ୍ଚଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହେବା ସହିତ ତିନିଟି ମ୍ୟାଚକୁ ଡ୍ର ରଖିଛନ୍ତି। ୨୦୨୨ରେ ଚେନ୍ନାଇରେ ଅନୁଷ୍ଠିତ ଅଲିମ୍ପିଆଡ଼ରେ ସେ ଦୁଇଟି ବ୍ରୋଞ୍ଜପଦକ ଜିତିଥିଲେ। ଗୋଟିଏ ଦଳଗତ ଭାବେ ଏବଂ ଅନ୍ୟଟି ବ୍ୟକ୍ତିଗତ ଚତୁର୍ଥ ବୋର୍ଡରେ।

ଏହା ପୂର୍ବରୁ ତାନିଆ ୨୦୧୨ରେ ଇସ୍ତାନବୁଲରେ ଅନୁଷ୍ଠିତ ଚେସ୍ ଅଲିମ୍ପିଆଡ଼ରେ ବ୍ୟକ୍ତିଗତ ତୃତୀୟ ବୋର୍ଡରେ ବ୍ରୋଞ୍ଜ ଜିତିବା ସହିତ ୨୦୨୧ରେ ଅନ୍‌ଲାଇନ୍ ଚେସ୍ ଅଲିମ୍ପିଆଡ଼ରେ ବ୍ରୋଞ୍ଜ ବିଜୟୀ ଦଳର ସଦସ୍ୟା ଥିଲେ। ଏଥରର ସଫଳତା କିନ୍ତୁ ତାଙ୍କର ସମସ୍ତ ସଫଳତାକୁ ପଛରେ ପକାଇ ଦେଇଛି।

Tags: #ChessOlympiad2024 #GoldMedal #TeamIndia #Chess #Sports

LEAVE A REPLY

Please enter your comment!
Please enter your name here