ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ମଜଭୁତ ସ୍ଥିତିରେ ରହିଥିବାବେଳେ ଲଢୁଆ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଶନିବାର ମ୍ୟାଚର ତୃତୀୟ ଦିନରେ ଭାରତର ନୀତିଶ ରେଡ୍ଡୀ ଓ ୱାଶିଂଟନ ସୁନ୍ଦର ଭଲ ପାର୍ଟନରସିପ୍ କରି ଦଳ ପାଇଁ ଭଲ ରନ ସଂଗ୍ରହ କରିଛନ୍ତି।
ମ୍ୟାଚରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ଇନିଂସରେ ୪୭୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶୁକ୍ରବାର ଭାରତ ନିଜ ପ୍ରଥମ ଇନିଂସରେ ୧୬୪ ରନରେ ୫ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ତେବେ ଶନିବାର ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ଆରମ୍ଭ କରିଥିଲେ।
ତେବେ ଦଳୀୟ ସ୍କୋର ୧୯୧ ହୋଇଥିବାବେଳେ ରିଷଭ ପନ୍ତଙ୍କ ୱିକେଟ ପଡ଼ିଥିଲା। ଏହାର ଅଳ୍ପ ରନ ପରେ ରବୀନ୍ଦ୍ର ଜଡେଜା ଆଉଟ ହୋଇଥିଲେ। ୨୨୧ ରନରେ ଦଳର ସପ୍ତମ ୱିକେଟର ପତନ ହୋଇଥିଲା। ଏହାପରେ ନୀତିଶ ରେଡ୍ଡୀଙ୍କ ସହ ୱାଶିଂଟନ ସୁନ୍ଦର ବ୍ୟାଟିଂ ଆରମ୍ଭ କରିଥିଲେ।
ଉଭୟ ଖେଳାଳି ଲଢୁଆ ପ୍ରଦର୍ଶନ କରି ଦଳର ସ୍କୋର ବଢ଼ାଇବାକୁ ଲାଗିଲେ। ଉଭୟଙ୍କ ମଧ୍ୟରେ ୧୨୭ ରନର ପାର୍ଟନରସିପ୍ ହୋଇଥିଲା। ଏହା ଭାରତୀୟ ଇନିଂସକୁ ସୁଦୃଢ଼ କରିଥିଲା। ଏଥିରେ ନୀତିଶ ରେଡ୍ଡୀ ଶତକୀୟ ଇନିଂସ୍ ଖେଳିଥିବାବେଳେ ୱାଶିଂଟନ ସୁନ୍ଦର ୫୦ ରନ କରିଥିଲେ।
ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୯ ୱିକେଟ ହରାଇ ୩୫୮ ରନ କରିଛି। ନୀତିଶ ରେଡ୍ଡୀ ୧୦୫ ରନ କରି ଅପରାଜିତ ଅଛନ୍ତି। ତେବେ ଟିମ୍ ଇଣ୍ଡିଆ ଏବେ ପ୍ରଥମ ଇନିଂସରେ ୧୧୬ ରନରେ ପଛୁଆ ଚାଲିଛି।
Tags: #Border-GavaskarTrophy #TestSeries #BoxingDayTest #IndiavsAustralia #Melbourne #BCCI #Sports