ଆଶିଷ କୁମାର ରାୟ

ବର୍ଷ ୨୦୨୪ରେ ଯେଉଁ ଖେଳରେ ଭାରତକୁ ସର୍ବାଧିକ ସଫଳତା ମିଳିଛି, ତାହା ହେଉଛି ଚେସ୍। ବିଦାୟୀ ବର୍ଷରେ ଆମ ଦେଶ ଦଳଗତ ଭାବେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚେସ୍ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତିଛି। ଏତଦବ୍ୟତୀତ ବ୍ୟକ୍ତିଗତ ଭାବେ ଡି. ଗୁକେଶ କ୍ଲାସିକାଲ ଚେସରେ ବିଶ୍ୱବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି। କେବଳ ସେତିକି ନୁହେଁ ଡିସେମ୍ବର ୨୮ ତାରିଖ ଦିନ ମଧ୍ୟ ଭାରତୀୟ ଚେସର ରାଣୀ ବୋଲାଇ ଆସୁଥିବା କୋନେରୁ ହମ୍ପି ବିଶ୍ୱ ମହିଳା ରାପିଡ୍ ଚେସ୍ ଚାମ୍ପିୟନ ହୋଇ ଆମ ଦେଶର ଅଗଣିତ କ୍ରୀଡ଼ାନୁରାଗୀଙ୍କ ମନରେ ଅପାର ଆନନ୍ଦ ଭରି ଦେଇଛନ୍ତି।

୨୦୨୪ ବିଶ୍ୱ ରାପିଡ୍ ଚାମ୍ପିୟନସିପ୍

ଆମେରିକାର ନ୍ୟୁୟର୍କ ସ୍ଥିତ ୱାଲ୍ ଷ୍ଟ୍ରୀଟରେ ଆୟୋଜିତ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିୟନଶିପର ମହିଳା ବିଭାଗରେ ବାଜିମାତ୍ କରିଛନ୍ତି ୩୭ ବର୍ଷ ବୟସ୍କା ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ହମ୍ପି ସାଢ଼େ ଆଠ ପଏଣ୍ଟ ସ୍କୋର କରି ଏକକ ଅଗ୍ରଣୀ ଲାଭ କରିବା ସହିତ ଚାମ୍ପିୟନ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ଚୀନର ଜୁ ୱେନଜୁନ୍ ଏବଂ ରୁଷର କାଟେରିନା ଲାହନୋ ଆଠ ପଏଣ୍ଟ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଚୀନର ଟାଙ୍ଗ୍ ଝୋଙ୍ଗୟି ଏବଂ ଭାରତର ଦ୍ରୋଣାଭିଲି ହରିକା ମଧ୍ୟ ଆଠ ପଏଣ୍ଟ ଲେଖାଏଁ ପାଇଥିଲେ ହେଁ ଟାଇବ୍ରେକର ସ୍କୋର ଅନୁସାରେ ଏ ଦୁହେଁ ରହିଥିଲେ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ।

ଏହି ପ୍ରତିଯୋଗିତାରେ ମୋଟ ଛଅ ଜଣ ଖେଳାଳି ଆଠ ପଏଣ୍ଟ ଲେଖାଏଁ ଲାଭ କରିଥିଲେ। ସେହି ଦୃଷ୍ଟିରୁ କୋନେରୁ ହମ୍ପି ଏମାନଙ୍କଠାରୁ ଅଧ ପଏଣ୍ଟ ଅଧିକ ହାସଲ କରି ଚାମ୍ପିୟନ ହେବା ଥିଲା ବିଶେଷ ଘଟଣା। ପ୍ରକୃତରେ ଦେଖିବାକୁ ଗଲେ ଅନ୍ତିମ ରାଉଣ୍ଡରେ ଆଠ ଜଣ ଖେଳାଳିଙ୍କର ଆଠ ପଏଣ୍ଟ ସ୍କୋର କରିବା ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା। କାରଣ ଭାରତର କୋନେରୁ ହମ୍ପି ଓ ଇଣ୍ଡୋନେସିଆର ଇରେନ୍ କରିସ୍ମା ସୁକନ୍ଦରଙ୍କ ମଧ୍ୟରେ ଚାଲିଥିବା ଅନ୍ତିମ ରାଉଣ୍ଡ ଗେମ୍ ମଧ୍ୟ ଡ୍ର ଆଡ଼କୁ ଗତି କରୁଥିଲା। ତେବେ ଅନ୍ତିମ ସମୟରେ ହମ୍ପିଙ୍କ ଚମତ୍କାରିତା ଏବଂ ସୁକନ୍ଦରଙ୍କ ତ୍ରୁଟି ଯୋଗୁଁ ମ୍ୟାଚରେ ହାରଜିତର ଫଇସଲା ହେଲା ଏବଂ କୋନେରୁ ହମ୍ପି ବିଜୟୀ ହେଲେ।

ସମୟର ଚାପରେ ପଡ଼ି ନିଜର ପ୍ରଥମ ଗେମରେ ପରାଜିତ ହେବା ପରେ ହମ୍ପି ଯେଭଳି ଭାବେ ନିଜକୁ ସମ୍ଭାଳି ଚାମ୍ପିୟନ ହେଲେ ତାହା ଥିଲା ନିଶ୍ଚିତ ଭାବେ ଅବିଶ୍ୱସନୀୟ। ପ୍ରତିଯୋଗିତା ଅବସରରେ ସେ ସାତଟି ଗେମରେ ବିଜୟୀ ହେବାର କୃତିତ୍ୱ ଅର୍ଜନ କରିବା ସହିତ ବାକି ତିନିଟି ଗେମ୍ ଅମୀମାଂସିତ ରଖିଥିଲେ।

ଦ୍ୱିତୀୟ ଥର ବିଶ୍ୱବିଜୟିନୀ

ଏଥରକୁ ମିଶାଇ କୋନେରୁ ହମ୍ପି ଦ୍ୱିତୀୟଥର ସକାଶେ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି। ଏହା ପୂର୍ବରୁ ସେ ୨୦୧୯ରେ ରୁଷର ରାଜଧାନୀ ମସ୍କୋଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମଧ୍ୟ ଚାମ୍ପିୟନ ହୋଇଥିଲେ। ସେଥର ୧୨ ରାଉଣ୍ଡ ବିଶିଷ୍ଟ ଚାମ୍ପିୟନଶିପରେ ହମ୍ପି ସାତଟି ଗେମ୍ ଜିତି ଓ ଚାରିଟି ଗେମ୍ ଡ୍ର ରଖି ୯ ପଏଣ୍ଟ ସହିତ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଥିଲେ।

ଯେକୌଣସି ଫର୍ମାଟରେ ବିଶ୍ୱ ଚେସ୍ ଚାମ୍ପିଆନ ହେବା ଦିଗରେ ସେ ଥିଲେ ଭାରତର ପ୍ରଥମ ମହିଳା। ଏତଦବ୍ୟତୀତ ବିଶ୍ୱନାଥନ ଆନନ୍ଦଙ୍କ ପଛକୁ ସେ ଭାରତର ଦ୍ୱିତୀୟ ଖେଳାଳି ଭାବେ ମଧ୍ୟ ବିଶ୍ୱ ଚେସ୍ ଚାମ୍ପିୟନ ହୋଇଥିଲେ। ପୂର୍ବରୁ କେବଳ ବିଶ୍ୱନାଥନ ଆନନ୍ଦ ହିଁ ଏକମାତ୍ର ଭାରତୀୟ ଭାବେ ଚେସ୍ ଜଗତର ବିଶ୍ୱବିଜେତା ହେବାର ଗୌରବ ଲାଭ କରିଥିଲେ। ୨୦୦୦, ୨୦୦୭, ୨୦୦୮, ୨୦୧୦, ୨୦୧୨ରେ ଆନନ୍ଦ କ୍ଲାସିକାଲ ଚେସରେ ବିଶ୍ୱବିଜୟୀ ହୋଇଥିବାବେଳେ ୨୦୦୩ ଓ ୨୦୧୭ରେ ରାପିଡ୍ ଚେସରେ ବିଜେତାର ମୁକୁଟ ପରିଧାନ କରିଥିଲେ।

ସେହି ଦୃଷ୍ଟିରୁ ଦ୍ୱିତୀୟ ଭାରତୀୟ ଭାବେ ଚେସ୍ ଚାମ୍ପିୟନ ହୋଇ କୋନେରୁ ହମ୍ପି ଆମ ଦେଶର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ଆଉ ଏବେ ଦ୍ୱିତୀୟ ଥର ପାଇଁ ବିଶ୍ୱ ରାପିଡ୍ ଚାମ୍ପିୟନ ହୋଇ ସେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଭଳି କୃତିତ୍ୱ ହାସଲ କରିବା ଦିଗରେ ଚୀନର ଜୁ ୱେନଜୁନ୍‌ଙ୍କ ପଛକୁ ହମ୍ପି ହେଉଛନ୍ତି ବିଶ୍ୱର ଦ୍ୱିତୀୟ ମହିଳା।

ପୂର୍ବେ ଟାଇଟଲ୍ ହାତଛଡ଼ା କରିଥିଲେ ହମ୍ପି

କୋନେରୁ ଏହି ଦୁଇଥର ବିଶ୍ୱବିଜୟୀ ହୋଇଥିଲେ ହେଁ ଆଉ କେତୋଟି ଅବସରରେ ତାଙ୍କର ବିଶ୍ଵ ଚାମ୍ପିୟନ ହେବାର ସୁଯୋଗ ହାତଛଡ଼ା ହୋଇଯାଇଥିଲା। ପୂର୍ବରୁ ୨୦୦୧ରେ ବିଶ୍ୱ ଜୁନିଅର ମହିଳା ଚେସ୍ ଚାମ୍ପିୟନ ଏବଂ ପରବର୍ତ୍ତୀ ବର୍ଷ ଏହି ପ୍ରତିଯୋଗିତାରେ ରନର୍ସ ଅପ୍ ହୋଇଥିବା କୋନେରୁ ହମ୍ପି ସିନିୟର ବିଭାଗରେ ୨୦୦୪ରେ ପ୍ରଥମଥର ସକାଶେ ବିଶ୍ୱ ଚାମ୍ପିୟନସିପର ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ।

ରୁଷର ଏଲିଷ୍ଟା ଠାରେ ଅନୁଷ୍ଠିତ ସେହି ବିଶ୍ୱ ଚାମ୍ପିୟନସିପର ପ୍ରାରମ୍ଭିକ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ୱେ ସେମି ଫାଇନାଲରେ ସେ ବର୍ଷର ବିଜେତା ବୁଲଗେରିଆର ଆଣ୍ଟୋନେଟା ଷ୍ଟେଫାନୋଭାଙ୍କଠାରୁ ପରାଜିତ ହୋଇଯାଇଥିଲେ।

୨୦୦୮ ଓ ୨୦୧୦ର ବିଶ୍ୱ ଚାମ୍ପିୟନସିପରେ କୋନେରୁ ହମ୍ପି ବିଜୟୀ ହେବେ ବୋଲି ସମସ୍ତେ ଆଶା କରିଥିଲେ ହେଁ ଉଭୟ ଅବସରରେ ସେ ସେମି ଫାଇନାଲରୁ ଆଗକୁ ବଢ଼ିପାରିଲେ ନାହିଁ। ୨୦୧୧ରେ ମ୍ୟାଚ ପ୍ଲେ ଶୈଳୀରେ ଖେଳାଯାଇଥିବା ବିଶ୍ୱ ଚାମ୍ପିୟନଶିପର ଚୂଡ଼ାନ୍ତ ମୁକାବିଲାରେ ଚୀନର ହୋଉ ୟିଫାନ୍ ବିଜୟୀ ହୋଇଥିବା ବେଳେ କୋନେରୁ ହମ୍ପିଙ୍କୁ ଉପ ବିଜେତା ଭାବେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ରାପିଡ୍ ବା ଦ୍ରୁତ ଶୈଳୀରେ ମଧ୍ୟ ହମ୍ପି ଚମତ୍କାର ପ୍ରଦର୍ଶନ କରି ୨୦୧୨ ବିଶ୍ଵ ଚାମ୍ପିୟନସିପରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜପଦକ ପାଇଥିଲେ। ୨୦୨୩ରେ ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ବିଶ୍ୱ ରାପିଡ୍ ଚେସରେ ହମ୍ପି ରୁଷର ଆନାସ୍ତାସିଆ ବୋଦ୍‌ନାରୁକଙ୍କ ସହିତ ସମାନ ସାଢ଼େ ଆଠ ପଏଣ୍ଟରେ ରହିଥିଲେ ହେଁ ଟାଇବ୍ରେକରରେ ପରାଜିତ ହୋଇ ରୌପ୍ୟ ପଦକ ଲାଭ କରିଥିଲେ। ଏତଦବ୍ୟତୀତ ୨୦୨୨ରେ କାଜାଖସ୍ତାନର ଆଲମାଟିଠାରେ ଅତି ଦ୍ରୁତଗତିରେ ଖେଳାଯାଉଥିବା ବ୍ଲିଜ୍ ଚେସର ବିଶ୍ୱ ଚାମ୍ପିୟନସିପରେ ମଧ୍ୟ ସେ ରନର୍ସ ଅପ୍ ହୋଇ ରୌପ୍ୟପଦକ ଜିତିଥିଲେ।

ଖୁବ୍ କମ ବୟସରୁ ସଫଳତା

୩୧ ମାର୍ଚ୍ଚ ୧୯୮୭ରେ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ା ନିକଟସ୍ଥ ଗୁଡ଼ିୱାଡ଼ାରେ କୋନେରୁ ଲତା ଏବଂ କୋନେରୁ ଅଶୋକଙ୍କ ଘରେ ଜନ୍ମଗ୍ରହଣ କରିଥିଲେ କୋନେରୁ ହମ୍ପି। ସେ ହେଉଛନ୍ତି ଭାରତୀୟ ଚେସର ଏକ ଉଜ୍ଜ୍ୱଳତମ ନକ୍ଷତ୍ର। ଖୁବ୍ କମ ବୟସରୁ ତାଙ୍କୁ ମିଳିଥିଲା ଆଶାତୀତ ସଫଳତା। ୧୯୯୭ରେ ବିଶ୍ୱ ଯୁବା ଚେସ୍ ପ୍ରତିଯୋଗିତାରେ ସେ ୧୦ ବର୍ଷରୁ କମ ବାଳିକା ବିଭାଗରେ ଚାମ୍ପିୟନ ହୋଇଥିଲେ। ପରବର୍ତ୍ତୀ ବର୍ଷ ଅର୍ଥାତ୍ ୧୯୯୮ରେ ସେ ହୋଇଥିଲେ ୧୨ ବର୍ଷରୁ କମ ବାଳିକା ବିଭାଗର ବିଶ୍ୱ ଚାମ୍ପିୟନ।

ଏହାପରେ ୨୦୦୦ ମସିହାରେ ସେ ୧୪ ବର୍ଷରୁ ବାଳିକା ବିଭାଗରେ ମଧ୍ୟ ବିଶ୍ୱବିଜୟୀ ହୋଇଥିଲେ। ୨୦୦୧ରେ ଗ୍ରୀସର ରାଜଧାନୀ ଏଥେନ୍ସରେ ଖେଳାଯାଇଥିବା ବିଶ୍ୱ ଜୁନିୟର ମହିଳା ଚାମ୍ପିୟନସିପରେ କୋନେରୁ ହମ୍ପି ବିଜୟୀ ହେବା ଥିଲା ଭାରତୀୟ ଚେସର ଏକ ପ୍ରମୁଖ ଘଟଣା।

ବିଶ୍ୱ ଜୁନିୟର ମହିଳା ଚାମ୍ପିୟନ ହେବା ସମୟରେ ହମ୍ପିଙ୍କ ବୟସ ଥିଲା ମାତ୍ର ୧୪ ବର୍ଷ। ବିଶ୍ୱନାଥନ ଆନନ୍ଦ ୧୯୮୭ରେ ବିଶ୍ୱ ଜୁନିୟର ଚେସ୍ ଚାମ୍ପିୟନ ହେବାର ୧୪ ବର୍ଷ ପରେ ସେ ମହିଳା ବିଭାଗରେ ଅନୁରୂପ କୃତିତ୍ୱର ଅଧିକାରିଣୀ ହୋଇଥିଲେ।

୨୦୦୨ରେ ଆମ ଦେଶର ଗୋଆରେ ହୋଇଥିବା ପରବର୍ତ୍ତୀ ବିଶ୍ୱ ଜୁନିଅର ଚାମ୍ପିଆନଶିପରେ ମଧ୍ୟ ହମ୍ପିଙ୍କର ମହିଳା ଟାଇଟେଲ ଜିତିବାର ଉଜ୍ଜ୍ୱଳ ସମ୍ଭାବନା ଥିଲା। ତେବେ ଚୀନର ଝାଓ ସୁଏଙ୍କ ସହିତ ସମାନ ପଏଣ୍ଟରେ ରହିବା ସତ୍ତ୍ୱେ ଟାଇବ୍ରେକରରେ ପଛରେ ରହି ସେ ରନର୍ସ ଅପ୍ ହୋଇଥିଲେ। ସେହିବର୍ଷ ହମ୍ପିଙ୍କୁ ମିଳିଥିଲା ଗ୍ରାଣ୍ଡମାଷ୍ଟର ଉପାଧି ଏବଂ ଚେସ୍ ଖେଳର ଗ୍ରାଣ୍ଡମାଷ୍ଟର ହେବା ଦିଗରେ ସେ ଥିଲେ ଭାରତର ପ୍ରଥମ ମହିଳା।

ବିଭିନ୍ନ ଶୈଳୀର ଚେସରେ ବିଶ୍ୱ ଚାମ୍ପିୟନସିପରେ ଦୁଇଥର ଚାମ୍ପିୟନ ଏବଂ ତିନିଥର ରନର୍ସ ଅପ୍ ହୋଇଥିବା କୋନେରୁ ହମ୍ପି ଯେ ଭାରତୀୟ ଚେସର ରାଣୀ ଏଥିରେ କୌଣସି ସନ୍ଦେହ ନାହିଁ। ଏହାସହ ସେ ଜୁନିୟର ମହିଳା ବିଶ୍ୱ ଚାମ୍ପିୟନସିପରେ ଥରେ ଚାମ୍ପିୟନ ଏବଂ ଆଉ ଥରେ ରନର୍ସ ଅପ୍ ହୋଇ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅନ୍ୟ କୌଣସି ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଜୁଟିନାହିଁ। ୨୦୧୪ରେ ବିବାହ ଏବଂ ପରବର୍ତ୍ତୀ ସମୟରେ ମାତୃତ୍ୱ ଲାଭ ସତ୍ତ୍ୱେ ତାଙ୍କ ଖେଳ ଏଯାବତ ଜାରି ରହିଛି। ଏହା ହିଁ ଭାରତୀୟ ଚେସ୍ ଜଗତ ପାଇଁ ବହୁତ ବଡ଼ କଥା।

Tags: #KoneruHumpy #RapidChessChampion #Chess #FIDE #India

LEAVE A REPLY

Please enter your comment!
Please enter your name here