ଓଡ଼ିଶାଲାଇଭ୍ ବ୍ୟୁରୋ

ଚେସ୍ ଦୁନିଆରେ ଓଡ଼ିଆ ତାରକା ପଦ୍ମିନୀ ରାଉତଙ୍କ ନାଁ ସହ ଯୋଡ଼ି ହୋଇଛି ଆଉ ଏକ ସଫଳତା। ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ ମହିଳା ଚେସ୍‌ ଚମ୍ପିୟନସିପରେ ବିଜୟୀ ହୋଇ ସେ ହାସଲ କରିଛନ୍ତି ପଞ୍ଚମ ଟାଇଟଲ। ଏହି ପ୍ରତିଯୋଗିତାରେ ସେ ଦେଶରେ ଅନେକ ଆଗଧାଡ଼ିର ଖେଳାଳିଙ୍କୁ ପଛରେ ପକାଇ ଟ୍ରଫି ଜିତିଛନ୍ତି। ଏଥିସହ ୫ ଥର ଜାତୀୟ ଟାଇଟଲ ହାସଲ କରିଥିବା ଅଳ୍ପ କେତେକ ଖେଳାଳିଙ୍କ ମଧ୍ୟରେ ଏବେ ସାମିଲ ହୋଇଛନ୍ତି ପଦ୍ମିନୀ।

ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ ପେଟ୍ରୋଲିୟମ୍ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ (ପିଏସପିବି)ର ପ୍ରତିନିଧିତ୍ଵ କରି ଏହି ୪୯ ତମ ଜାତୀୟ ମହିଳା ଚେସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୧୧ ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୯ ପଏଣ୍ଟ ସହ ସ୍ପଷ୍ଟ ଭାବେ ଶୀର୍ଷରେ ରହିଥିଲେ। ସବୁ ରାଉଣ୍ଡ ମଧ୍ୟରୁ ପଦ୍ମିନୀ ମାତ୍ର ଗୋଟିଏ ଗେମରେ ପରାଜୟ ବରଣ କରିଥିବାବେଳେ ୨ଟି ଗେମ୍ ଡ୍ର ରଖିଥିଲେ। ଅବଶିଷ୍ଟ ୮ ରାଉଣ୍ଡରେ ବିଜୟୀ ହୋଇ ସବୁ ପଏଣ୍ଟ ହାସଲ କରିଥିଲେ।

ନିଜ ଶେଷ ଗେମରେ ପଦ୍ମିନୀ ଡିଫେଣ୍ଡିଂ ଚମ୍ପିୟନ ଅନ୍ତର୍ଜାତୀୟ ମାଷ୍ଟର ମହାରାଷ୍ଟ୍ରର ଦିବ୍ୟା ଦେଶମୁଖଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ସେ ନବମ ରାଉଣ୍ଡରେ ତୃତୀୟ ମାନ୍ୟତାପ୍ରାପ୍ତ ଅନ୍ତର୍ଜାତୀୟ ମାଷ୍ଟର ଗୋଆର ଭକ୍ତି କୁଲକର୍ଣ୍ଣିଙ୍କ ସହ ଗେମ ଡ୍ର କରି ପଏଣ୍ଟ ଭାଗ କରିଥିଲେ।

“ମୁଁ ଏହି ଜାତୀୟ ମହିଳା ଚେସ୍‌ ଚମ୍ପିୟନସିପରେ ବିଜୟୀ ହୋଇ ବହୁତ ଖୁସି ଅନୁଭବ କରୁଛି। ଏହା ମୋର ଆତ୍ମବିଶ୍ଵାସକୁ ବଢ଼ାଇଛି। ଟୁର୍ଣ୍ଣାମେଣ୍ଟରେ ମୁଁ ଯେଉଁଭଳି ପ୍ରଦର୍ଶନ କରିଲି, ତାକୁ ଆଗକୁ ମଧ୍ୟ ବଜାୟ ରଖିବି। ଆଗକୁ ଆସୁଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ କରି ମୋର ଚେସ ରାଙ୍କିଂକୁ ଆହୁରି ବଢ଼ାଇବି। ଆଗକୁ ଚେସ ଗ୍ରାଣ୍ଡମାଷ୍ଟର ହେବି ବୋଲି ବୋଲି ବିଶ୍ଵାସ ରଖିଛି”, କହିଛନ୍ତି ପଦ୍ମିନୀ ରାଉତ।

ଚଳିତ ବର୍ଷର ଜାତୀୟ ମହିଳା ଚେସ ଚାମ୍ପିୟନସିପ ବିଜୟ ପଦ୍ମିନୀଙ୍କ ପଞ୍ଚମ ଟାଇଟଲ। ପୂର୍ବରୁ ସେ ୨୦୧୪, ୨୦୧୫, ୨୦୧୬, ୨୦୧୭ ମସିହାରେ କ୍ରମାଗତ ଭାବେ ୪ ବର୍ଷ ଧରି ଏହି ମର୍ଯ୍ୟଦାଜନକ ଟ୍ରଫି ହାସଲ ଜିତିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସଫଳତା ପରେ ଏବେ ପଦ୍ମୀନୀଙ୍କ ନିକଟକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ଅନ୍ୟପଟେ ୨୦୨୩ର ଏହି ଟୁର୍ଣ୍ଣାମେଣ୍ଟରେ ପଦ୍ମିନୀଙ୍କ ପିଏସପିବି ସାଥି ମହିଳା ଗ୍ରାଣ୍ଡମାଷ୍ଟର ମାରି ଆନ ଗୋମ୍ସ ଦ୍ଵିତୀୟ ଏବଂ ବେଙ୍ଗଲର ମହିଳା ଗ୍ରାଣ୍ଡମାଷ୍ଟର ଅର୍ପିତା ମୁଖାର୍ଜୀ ତୃତୀୟ ସ୍ଥାନରେ ରହିଥିଲେ। ଉଭୟେ ସମାନ ୮.୫ ପଏଣ୍ଟ ପାଇଥିଲେ।

ଏହି ପ୍ରତିଯୋଗିତାରେ ଅନ୍ୟ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଏଲଆଇସିର ପ୍ରତିନିଧିତ୍ଵ କରିଥିବା ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ୭.୫ ଏବଂ ୟାଶିତା ରାଉତ ୭ ପଏଣ୍ଟ ହାସଲ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।

Tags: #PadminiRout #NationalWomensChessChampionship #Chess #Sports

LEAVE A REPLY

Please enter your comment!
Please enter your name here