ଓଡ଼ିଶାଲାଇଭ୍ ବ୍ୟୁରୋ
ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ୍ ଚାମ୍ପିୟନଶିପରେ ବିଜୟୀ ହୋଇଛନ୍ତି ଭାରତର ଡୋମ୍ମାରାଜୁ ଗୁକେଶ। ଗୁରୁବାର ସେ ଏହି ପ୍ରତିଯୋଗିତାର ୧୪ତମ ଗେମରେ ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ସର୍ବ କନିଷ୍ଠ ବିଶ୍ଵ ଚାମ୍ପିୟନ ବନି ଯାଇଛନ୍ତି ୧୮ ବର୍ଷୀୟ ଚେସ୍ ତାରକା ଗୁକେଶ।
ଚଳିତ ବିଶ୍ୱ ଚେସ୍ ଚାମ୍ପିୟନଶିପରେ ଡିଙ୍ଗ ଲିରେନ ପ୍ରଥମ ଗେମ୍ ଜିତିଥିବାବେଳେ ଦ୍ଵିତୀୟ ଗେମ୍ ଡ୍ର ରହିଥିଲା। ଏହାପରେ ତୃତୀୟ ଗେମରେ ବାଜି ମାରି ଡି. ଗୁକେଶ ପଏଣ୍ଟ ବରାବର କରିଥିଲେ।
ସେହିପରି ୧୪ ଗେମ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ଖେଳାଳି ଚତୁର୍ଥରୁ ଦଶମ ଗେମ୍ ଯାଏଁ ଲଗାତାର ଡ୍ର ଖେଳିଥିଲେ। ତେବେ ଏକାଦଶ ଗେମ୍ ଗୁକେଶ ଜିତିବାବେଳେ ଦ୍ଵାଦଶ ଗେମରେ ଲିରେନଙ୍କ ବିଜୟ ମିଲିଥିଲା। ଏହାର ପରବର୍ତ୍ତୀ ଗେମ୍ ଡ୍ର ରହିବା ଯୋଗୁଁ ଉଭୟଙ୍କ ପଏଣ୍ଟ ୬.୫ ରେ ବରାବର ରହିଥିଲା।
ଗୁରୁବାର ଚାମ୍ପିୟନଶିପର ଶେଷ ଗେମରେ ଏକ ଟକ୍କର ଭରା ମୁକାବିଲାରେ ଗୁକେଶ ଡିଙ୍ଗଙ୍କୁ ପରାସ୍ତ କରିଥିଲେ। ପ୍ରତିଯୋଗିତାରେ ଗୁକେଶ ୭.୫ ପଏଣ୍ଟ ପାଇଥିବାବେଳେ ଡିଙ୍ଗ ୬.୫ ପଏଣ୍ଟରେ ଅଟକି ଯାଇଥିଲେ।
ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ବିଶ୍ୱନାଥନ ଆନନ୍ଦ ୨୦୦୦, ୨୦୦୭, ୨୦୦୮, ୨୦୧୦ ଓ ୨୦୧୨ ମସିହାକୁ ମିଶାଇ ମୋଟ ୫ ଥର ବିଶ୍ୱ ଚାମ୍ପିୟନ ହୋଇଥିଲେ।
ଏହି ବିଜୟ ପରେ ଡି. ଗୁକେଶଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରତିଦ୍ୱନ୍ଦୀ ଡିଙ୍ଗ ଲିରେନ ମଧ୍ୟ ତାଙ୍କ ପ୍ରଦର୍ଶନକୁ ପ୍ରସଂଶା କରିଛନ୍ତି।
Tags: #WorldChessChampionship #DGukesh #DingLiren #Chess #FIDE #Singapore