ମିନତି ମିଶ୍ର

ଭାରତରେ ନକଲି ଖାଦ୍ୟ, ନକଲି ତେଲ, ଘିଅ ପରେ ଏବେ ନକଲି ଔଷଧ ଆତଙ୍କ। ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ନକଲି ଏବଂ ନିମ୍ନମାନର ଔଷଧ ବଜାରରେ ଖୁଲମଖୁଲା ବିକ୍ରି ହେଉଥିବା ଖବର ଆସିବା ପରେ ସାରା ଦେଶରେ ଏବେ ଖେଳି ଯାଇଛି ଚାଞ୍ଚଲ୍ୟ। ଡ୍ରଗ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆଙ୍କ ଯାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ତଦନ୍ତ ପରେ ସାରା ଦେଶରେ ବିକ୍ରି ହେଉଛି ପ୍ରାୟ ୫୩ ପ୍ରକାରର ନିମ୍ନମାନର ଔଷଧ ଠାବ କରାଯାଇଛି। ଏମିତି ଔଷଧ ଯାହା ଲୋକେ ବିନା ଡାକ୍ତରୀ ପରାମର୍ଶରେ ନିର୍ଭୟରେ ଖାଇଥାନ୍ତି। ଏହି ଔଷଧ ମଧ୍ୟରେ ରହିଛି ପାରାସିଟାମଲ, ବ୍ଲଡପ୍ରେସର, କାଶ, ମଲ୍ଟି ଭିଟାମିନ, କ୍ୟାଲସିୟମ ପରି ନିୟମିତ ବ୍ୟବହୃତ ଔଷଧ।

କେଉଁ ଔଷଧ ନିମ୍ନମାନର?

ପାରାସିଟାମଲ ଆଇପି ୫୦୦ଏମଜି ସମେତ ଭିଟାମିନ ସି ଏବଂ ଡି୩ ଟାବଲେଟ ସେଲକାଲ୍, ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଭିଟାମିନ ସି ସଫ୍ଟଜେଲ, ଆଣ୍ଟାସିଡ ପାନ୍-ଡି, ଆଣ୍ଟି ଡାଇବେଟିସ ଔଷଧ ଗ୍ଲାଇମିପିରାଇଡ, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ ଆଦି ଏହି ନିମ୍ନମାନ ଔଷଧ ତାଲିକାରେ ରହିଛି।

ଏହି ଔଷଧଗୁଡିକ ସାଧାରଣତଃ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରଟୋରୀ, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ, ପିଓର କେୟାର ହେଲ୍ଥକେୟାର ଭଳି କମ୍ପାନିର ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି। ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ ଲିମିଟେଡ୍ ଦ୍ୱାରା ଉତ୍ପାଦିତ ଷ୍ଟୋମାକ୍‌ ସଂକ୍ରମଣର ଚିକିତ୍ସା ପାଇଁ ଏକ ବହୁଳ ବ୍ୟବହୃତ ଔଷଧ ମେଟ୍ରୋନିଡାଜୋଲ୍ ମଧ୍ୟ ଗୁଣାତ୍ମକ ପରୀକ୍ଷଣ ବିଫଳ ହୋଇଛି।

ନକଲି ଔଷଧ ବିରୋଧରେ କ’ଣ ରହିଛି ଆଇନ?

ଆମେରିକା ଏବଂ ଚୀନ ପରେ ଭାରତ ହେଉଛି ତୃତୀୟ ରାଷ୍ଟ୍ର ଯେଉଁଠି ସବୁଠୁ ବଡ଼ ଫାର୍ମା ଇଣ୍ଡଷ୍ଟ୍ରି ରହିଛି। ଯାହାର ମୂଲ୍ୟ ପାଖାପାଖି ୬ ଲକ୍ଷ କୋଟି ଟଙ୍କା। ଭାରତ ବିଶ୍ୱର ୨୦୦ ଦେଶକୁ ଔଷଧ ରପ୍ତାନି କରିଥାଏ। ହେଲେ ଆଜି ଭାରତର ଏହି ଫାର୍ମା ଇଣ୍ଡଷ୍ଟ୍ରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସାରା ବିଶ୍ୱରେ ଜେନେରିକ ଔଷଧ ଉତ୍ପାଦନରେ ଭାରତ ପ୍ରମୁଖ ସ୍ଥାନରେ ରହିଛି। ଏହି ଔଷଧ ମଧ୍ୟରୁ ୧୨ରୁ ୨୫ ପ୍ରତିଶତ ଔଷଧ ନିମ୍ନମାନର ଥିବା କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ଗୁଣବତ୍ତା ପରୀକ୍ଷାରେ ଜଣାପଡ଼ିଛି।

ନିମ୍ନମାନର ଔଷଧର ବର୍ଗୀକରଣ

ଭାରତରେ ଡ୍ରଗ ଆଣ୍ଡ କସ୍ମେଟିକ ଆକ୍ଟ ୧୯୪୦ ଅନୁଯାୟୀ ନିମ୍ନମାନର ଔଷଧର ବର୍ଗୀକରଣ ତିନି ପ୍ରକାର ରଖାଯାଇଛି।  

  • ପ୍ରଥମରେ ନକଲି ଏବଂ ଅପମିଶ୍ରିତ ଔଷଧ
  • ଦ୍ଵିତୀୟରେ କମ୍ପାଉଣ୍ଡ ଟେଷ୍ଟରେ ବିଫଳ ହୋଇଥିବା ଔଷଧ ତଥା ୭୦ ପ୍ରତିଶତରୁ କମ ସକ୍ରିୟ ସାମଗ୍ରୀ ଥିବା ଅତ୍ୟଧିକ ନିମ୍ନମାନର ଔଷଧ
  • ତୃତୀୟରେ ଲେବଲିଂ ବା ଫର୍ମୁଲେଶନରେ ସାଧାରଣ ପରିବର୍ତ୍ତନ ଉତ୍ପାଦିତ ହେଉଥିବା ଔଷଧ

ବିଶ୍ଵର ବିଭିନ୍ନ ଦେଶରେ ମଧ୍ୟ ଏହି ଆଧାରରେ ନିମ୍ନମାନର ଔଷଧର ବର୍ଗୀକରଣ କରାଯାଇଥାଏ।

କ’ଣ କହେ କ୍ୱାଲିଟି କଣ୍ଟ୍ରୋଲ ରିପୋର୍ଟ

କ୍ୱାଲିଟି କଣ୍ଟ୍ରୋଲର ରିପୋର୍ଟର ତଥ୍ୟ ଅନୁସାରେ, ଭାରତରେ ଆଞ୍ଚଳିକ ସ୍ତରରେ ଛୋଟ ଛୋଟ ଫାର୍ମା କମ୍ପାନି ଦ୍ୱାରା ଉତ୍ପାଦିତ ୧୫ ପ୍ରତିଶତରୁ ଅଧିକ ଔଷଧ ଗୁଣବତ୍ତା ପୂରା କରିବାରେ ବିଫଳ ହେଉଛନ୍ତି। ଜାତୀୟ ସ୍ତରରେ ଏହାର ହାର ମାତ୍ର ୨ ପ୍ରତିଶତ। ହେଲେ ଏହି ନିମ୍ନମାନର ଔଷଧର ଏକ ବଡ଼ ବଜାର ରହିଛି। ଗ୍ରାମାଞ୍ଚଳରେ ଏହାର ଅଧିକ ବ୍ୟବସାୟ ହୋଇଥାଏ।

କେଉଁଠି ସବୁଠାରୁ ଅଧିକ ବିକ୍ରି ହୁଏ ଏହି ନିମ୍ନମାନର ଔଷଧ

ଭାରତରେ ହୋଇଥିବା ଏକ ଅଧ୍ୟୟନରୁ ଜଣଯାଇଛି ଯେ, ଦିଲ୍ଲୀରୁ ପରୀକ୍ଷଣ କରାଯାଇଥିବା ୧୨ ପ୍ରତିଶତ ଔଷଧ ନମୁନା ନିମ୍ନମାନର। ସେହିପରି ଚେନ୍ନାଇରେ ଏହା ୫ ପ୍ରତିଶତ। ତେବେ ମହାରାଷ୍ଟ୍ରରେ ନିମ୍ନମାନର ଔଷଧର ମାତ୍ରା ଅଧିକ ରହିଛି।

ଅନ୍ୟପକ୍ଷେ କେରଳରେ ବି ନିମ୍ନମାନର ଔଷଧର ବହୁଳ ପ୍ରଚଳନ ହେଉଛି। ଏପରି ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବା ବଡ଼ ବଡ଼ କମ୍ପାନିଗୁଡ଼ିକ ଏଠାରେ ଅଛନ୍ତି। ଏହାଛଡ଼ା ବିହାର, ଉତ୍ତରପ୍ରଦେଶ, ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। 

କ’ଣ ରହିଛି ଦଣ୍ଡବିଧାନ

ଡ୍ରଗ୍ସ ଆଣ୍ଡ କସମେଟିକ ଆକ୍ଟ ୧୯୪୦ ଅନୁସାରେ ଭାରତରେ ନିମ୍ନମାନର ଔଷଧ ସମ୍ବନ୍ଧିତ ଅପରାଧ ପାଇଁ କି ଦଣ୍ଡ ମିଳିବ ତାହା ସ୍ଥିର କରାଯାଇଛି। ଏହି ନିୟମ ଅନୁସାରେ ନକଲି କିମ୍ବା ନିମ୍ନମାନର ଔଷଧ ତିଆରି ପାଇଁ ଦୋଷୀଙ୍କୁ ଅତିକମରେ ୧୦ ବର୍ଷ ଜେଲ ଦଣ୍ଡ ରହିଛି। ଏହାକୁ ଆଜୀବନ କାରାଦଣ୍ଡକୁ ମଧ୍ୟ ବୃଦ୍ଧି କରାଯାଇପାରେ। ସେହିପରି ସାଧାରଣ ନିମ୍ନମାନର ଔଷଧ ତିଆରି ତଥା ବିକ୍ରି ପାଇଁ ଏକ ବର୍ଷ ଜେଲ ଦଣ୍ଡ ମିଳିପାରେ। ଏହାକୁ ୨ ବର୍ଷ ଯାଏଁ ବୃଦ୍ଧି କରାଯାଇପାରିବ।

Tags: #LowQualityMedicines #PharmaIndustry #DCGA #India

LEAVE A REPLY

Please enter your comment!
Please enter your name here