ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଜେଲଗୁଡ଼ିକରେ ଜାତିଆଣ ଭେଦଭାବକୁ ନେଇ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଜେଲରେ ବନ୍ଦୀ ଥିବା କୌଣସି ବ୍ୟକ୍ତିଙ୍କୁ ଜାତିଗତ ଆଧାରରେ କାମ ଦେବା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟକୁ ୩ ମାସ ଭିତରେ ଜେଲ୍ ମାନୁଆଲରେ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଏହାସହ ଦୋଷୀ ତଥା ବିଚାରାଧୀନ କଏଦୀଙ୍କ ରେଜିଷ୍ଟରରୁ ଜାତି ସ୍ତମ୍ଭ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଭାରତର ଜେଲଗୁଡ଼ିକରେ ଅନ୍ତେବାସୀଙ୍କ ଭିତରେ ଜାତିଆଣ ଭେଦଭାବକୁ ନେଇ ଆଗତ ମାମଲାର ଶୁଣାଣି କରିଥିଲେ। ଏଥିରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିଧାର ଏବଂ ଓଡ଼ିଶା ଭଳି ୧୧ଟି ରାଜ୍ୟକୁ ପକ୍ଷଭୁକ୍ତ କରାଯାଇଥିଲା।  

“ଜେଲରେ ଜାତି ଆଧାରରେ ଭେଦଭାବ କରାଯାଇପାରିବନି। କଏଦୀଙ୍କ ସହ ସମ୍ମାନଜନକ ବ୍ୟବହାର ନକରିବା ଔପନିବେଶବାଦର ପ୍ରତିଫଳନ ଅଟେ। ଜେଲରେ ହୋଇଥିବା ଏ ସବୁ ନିୟମକୁ ତୁରନ୍ତ ସମାପ୍ତ କରାଯିବା ଜରୁରୀ। ଜେଲ୍ ଅଧିକାରୀ ଅନ୍ତେବାସୀଙ୍କ ସହ ମାନବୀୟ ବ୍ୟବହାର କରିବା ଦରକାର କାରଣ ଜେଲରେ ଜାତି ଆଧାରିତ ଭେଦଭାବରୁ ଶତୃତା ବଢ଼ିବ”, କହିଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼।

ସେ ଆହୁରି ମଧ୍ୟ କହିଛନ୍ତି, “ଜେଲରେ ଉଚ୍ଚ ଜାତିର କଏଦୀଙ୍କୁ ଖାଇବା ପ୍ରସ୍ତୁତ ଭଳି କାମ ଦିଆଯାଉଛି। ଆଉ ତଳ ଜାତିର କଏଦୀଙ୍କୁ ଜେଲରେ ସଫେଇ କାମ କରିବାକୁ ଦିଆଯାଉଛି। ଏମିତି କରିବା ହିଁ ଭୁଲ୍। ଏହା ସମ୍ୱିଧାନର ଧାରା ୧୫ର ଉଲ୍ଲଂଘନ କରୁଛି। କୌଣସି ବର୍ଗର ସାମାଜିକ-ଆର୍ଥିକ ସ୍ଥିତି ସେମାନଙ୍କ ଉତ୍ପୀଡ଼ନର ଆଧାର ହୋଇପାରିବ ନାହିଁ।”

ଭାରତୀୟ ଜେଲରେ ଜାତିଆଣ ଭେଦଭାବ ବିରୋଧରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୁକନ୍ୟା ସାନ୍ଥା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଶୁଣାଣିବେଳେ ସେ ଯୁକ୍ତି ବାଢ଼ିଥିଲେ ଯେ, କଏଦୀଙ୍କ ଭିତରେ ୩ଟି ଦିଗକୁ ନେଇ ଭେଦଭାବ ହେଉଛି। ମାନୁଆଲ ଲେବର, ଜାତିକୁ ନେଇ ବାରାକ ବଣ୍ଟନ ଓ କିଛି ନିର୍ଦ୍ଦିଷ୍ଟ ଜାତିଙ୍କୁ ଅଭ୍ୟାସଗତ ଅପରାଧୀ ଭାବେ ବିବେଚନା କରିବା ନେଇ ଜେଲ୍ ମାନୁଆଲରେ ଉଲ୍ଲେଖ ରହିଛି। ଏସବୁକୁ ହଟାଇ ଆଦର୍ଶ ମାନୁଆଲର ଆବଶ୍ୟକତା ରହିଛି।

ଅନ୍ୟପଟେ ଜେଲରେ ଜାତି ଆଧାରରେ କୌଣସି ଭେଦଭାବ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଏଦୀ କେଉଁ ଜାତିର, ସେ ଫର୍ମ ଏଣିକି ଜେଲରେ ରହିବନି। ଦୋଷୀ ତଥା ବିଚାରାଧୀନ କଏଦୀଙ୍କ ରେଜିଷ୍ଟରରୁ ଜାତି ସ୍ତମ୍ଭ ହଟାଇ ଦିଆଯିବ। କେନ୍ଦ୍ର ସରକାର ୩ ସପ୍ତାହ ଭିତରେ ଏହି ନିର୍ଦ୍ଦେଶକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପଠାଇବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Tags: #Jails #Prisoners #CasteBasedManual #SupremeCourt #India

LEAVE A REPLY

Please enter your comment!
Please enter your name here