ଓଡ଼ିଶାଲାଇଭ୍ ବ୍ୟୁରୋ

୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୬ଟି ମହିଳା ଦଳ ଅଂଶଗ୍ରହଣ କରିବେ। ଏହା ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ୧ ଫେବ୍ରୁଆରି ୨୦୨୫ ଯାଏଁ ଚାଲିବ। ଏଥର ଏହି ଲିଗରେ ଓଡ଼ିଶାରୁ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ୨ଟି ଦଳ ଭାଗ ନେବେ।

ଚଳିତ ହକି ଇଣ୍ଡିଆ ଲିଗରେ ଓଡ଼ିଶା ପୁରୁଷ ହକି ଦଳ କଳିଙ୍ଗ ଲାନ୍ସର୍ସର ମାଲିକାନା ହାସଲ କରିଛି ବେଦାନ୍ତ ଗ୍ରୁପ। ପୂର୍ବରୁ ଏହା ଓଡ଼ିଶା ସରକାରଙ୍କ ଇଡକୋ ଏବଂ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡର (ଏମସିଏଲ୍) ସହ-ମାଲିକାନାରେ ଥିଲା। ସେହିପରି ରାଜ୍ୟ ମହିଳା ଟିମର ମାଲିକାନା ନବୋୟମ୍ ସ୍ପୋର୍ଟ୍ସ ଭେନ୍‌ଚର୍ସ ପ୍ରାଇଭେଟ୍ ଲିମିଟେଡ ପାଖରେ ରହିଛି।

ଏଥର ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ପୁରୁଷ ଦଳଗୁଡ଼ିକର ମ୍ୟାଚ ଖେଳାଯିବ। ସେହିପରି ରାଞ୍ଚିରେ ଲିଗର ମହିଳା ଦଳର ଟୁର୍ଣ୍ଣାମେଣ୍ଟ ଖେଳାଯିବ।

ଏଚଆଇଏଲ୍ ୨୦୨୪-୨୫ ପାଇଁ ଜୁନ୍ ୧୫ରୁ ୩୦ ତାରିଖ ଯାଏଁ ଖେଳାଳିଙ୍କ ପଞ୍ଜୀକରଣ ହୋଇଥିଲା। ଏଥିରେ ଭାରତ ସମେତ ୧୫ଟି ଦେଶର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ପଞ୍ଜୀକରଣ କରିବାକୁ ଆମନ୍ତ୍ରଣ କରାଯାଇଥିଲା।  

“ହକି ଇଣ୍ଡିଆ ପୁଣି ଥରେ ହକି ଇଣ୍ଡିଆ ଲିଗ୍ ଆରମ୍ଭ କରିବାକୁ ଯାଉଥିବାରୁ ଆମେ ବହୁତ ଖୁସି। ଏକ ଲିଗକୁ ସାରା ବିଶ୍ୱରେ ହକି ଖେଳାଳି ଏବଂ ପ୍ରଶଂସକମାନେ ଭଲ ପାଉଥିଲେ। ପ୍ରତିଯୋଗିତାରେ ଆମ ଖେଳାଳିମାନେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହିତ ଏବଂ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ। କ୍ରୀଡ଼ାବିତ୍‌ମାନେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ପାଇପାରିବେ’’, କହିଛନ୍ତି ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।  

୨୦୧୩ ମସିହାରେ ପ୍ରଥମ ଥର ପାଇଁ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହୋଇଥିଲା। ୨୦୧୭ ମସିହାରେ ଏହା ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ଏଚଆଇଏଲର ୫ଟି ଯାକ ସଂସ୍କରଣରେ ଅଲଗା ଅଲଗା ଦଳ ଟାଇଟଲ ଜିତିଥିଲେ। ୨୦୧୭ ମସିହାରେ ଓଡ଼ିଶାର ‘କଳିଙ୍ଗ ଲାନ୍ସର୍ସ’ ଦଳ ଏହାର ଶେଷ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା।  

ଜାଣନ୍ତୁ କେବେ କେଉଁ ଦଳ ହୋଇଥିଲା ଚାମ୍ପିୟନ

ସଂସ୍କରଣଚାମ୍ପିୟନରନର୍ସ-ଅପଫାଇନାଲ ସ୍କୋର
୨୦୧୩ରାଞ୍ଚି ରାଇନୋଜ୍ଦିଲ୍ଲୀ ୱେଭରାଇଡର୍ସ୨-୧
୨୦୧୪ଦିଲ୍ଲୀ ୱେଭରାଇଡର୍ସପଞ୍ଜାବ ୱାରିୟର୍ସ୩-୩ (୩-୧ ପେନାଲ୍ଟି)
୨୦୧୫ରାଞ୍ଚି ରେଜ୍ପଞ୍ଜାବ ୱାରିୟର୍ସ୨-୨ (୩-୨ ପେନାଲ୍ଟି)
୨୦୧୬ପଞ୍ଜାବ ୱାରିୟର୍ସକଳିଙ୍ଗ ଲାନ୍ସର୍ସ୬-୧
୨୦୧୭କଳିଙ୍ଗ ଲାନ୍ସର୍ସଦବଙ୍ଗ ମୁମ୍ବାଇ୪-୧

Tags: #HockeyIndiaLeague #HIL #Hockey #DillipTirkey #Sports #HockeyIndia

LEAVE A REPLY

Please enter your comment!
Please enter your name here