ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ସୋମବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଓଡ଼ିଶାକୁ ୨୭ଟି ପଦକ ମିଳିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
“ଓଡ଼ିଶାରେ ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜନ ହେବା ଏବଂ ପ୍ରଥମ ଦିନରେ ଓଡ଼ିଶାକୁ ୨୭ଟି ପଦକ ମିଳିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏଥିପାଇଁ ମୁଁ ସମସ୍ତ କ୍ରୀଡାବିତ୍ ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି”, କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।
ପ୍ରତିଯୋଗିତାରେ ପ୍ରଥମ ଦିନରେ ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ)ରେ ଓଡ଼ିଶାର ପ୍ରତୀକ ମହାରଣାଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିବାବେଳେ ଚିନ୍ମୟ ନାଗଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେହିପରି ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ)ରେ ଓଡ଼ିଶାର ଦୋଣ୍ଡପତି ଜୟରାମଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିବାବେଳେ ମହେନ୍ଦ୍ର ସନ୍ତାଙ୍କୁ ରୌପ୍ୟ ପଦକ ମିଳିଛି।
ସେହିପରି ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ)ରେ ରାଜ୍ୟର ପ୍ରଦୀପ ମହତାଙ୍କୁ ରୌପ୍ୟ ପଦକ ମିଳିଛି। ୧୮ ବର୍ଷରୁ କମ୍ ଲଙ୍ଗଜମ୍ପ (ବାଳିକା ବର୍ଗ)ରେ ସଞ୍ଜୁ ହନ୍ତାଳଙ୍କୁ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ୧୮ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ବ୍ରୋଞ୍ଜ ପଦକ ପ୍ରାପ୍ତ ହୋଇଛି।
ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଚାଲିବ। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁର ଭଳି ୧୦ଟି ରାଜ୍ୟର ୬୦୦ରୁ ଊର୍ଦ୍ଧ୍ୱ ଯୁବ କ୍ରୀଡ଼ାବିତ୍ମାନେ ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି।
Tags: #EastZoneJuniorAthleticsChampionship #Athletics #Sports #KalingaStadium #Odisha