ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଦ୍ଵିତୀୟ ଦିନରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି। ସେଥିମଧ୍ୟରୁ ୧୦ଟି ସ୍ଵର୍ଣ୍ଣ, ୬ଟି ରୌପ୍ୟ ଏବଂ ୮ଟି ବ୍ରୋଞ୍ଜ ପଦକ ସାମିଲ ରହିଛି। ମଙ୍ଗଳବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ସଫଳ କ୍ରୀଡ଼ାବିତମାନଙ୍କୁ ପଦକ ପ୍ରଦାନ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ)ରେ ଓଡ଼ିଶାର ପ୍ରତୀକ ମହାରଣାଙ୍କୁ ସ୍ଵର୍ଣ୍ଣ ପଦକ ମିଳିଛି। ୨୦ ବର୍ଷରୁ କମ୍ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳକ ବର୍ଗ)ରେ ରାଜ୍ୟର ଦୋଣ୍ଡାପତି ଜୟରାମଙ୍କୁ ସ୍ଵର୍ଣ୍ଣ ଏବଂ ଆସ୍ତିକ ପ୍ରଧାନଙ୍କୁ ରୌପ୍ୟ ପଦକ ମିଳିଛି।
ସେହିପରି ୨୦ ବର୍ଷରୁ କମ୍ ୪ ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ଆସ୍ତିକ ପ୍ରଧାନ, ପଙ୍କଜ ମଣ୍ଡଳ, ଜସ୍ମନ କୁଜୁର ଏବଂ ବାପି ହାଁସଦାଙ୍କ ଟିମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହାସହ ୨୦ ବର୍ଷରୁ କମ୍ ଜାଭେଲିନ୍ ଥ୍ରୋ (ବାଳିକା ବର୍ଗ)ରେ ପି. ଅର୍ପିତା ଅର୍ଚ୍ଚନାଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିବାବେଳେ ୧୮ ବର୍ଷରୁ କମ୍ ୧୦୦୦ ମିଟର ଦୌଡ଼ ପ୍ରତିଯୋଗିତା (ବାଳିକା ବର୍ଗ)ରେ ସୁନିତା ସନ୍ତଙ୍କୁ ସ୍ଵର୍ଣ୍ଣ ପଦକ ମିଳିଛି।
ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଚାଲିବ। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମେଘାଳୟ, ନାଗାଲାଣ୍ଡ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମଣିପୁର ଭଳି ୧୦ଟି ରାଜ୍ୟର ୬୦୦ରୁ ଊର୍ଦ୍ଧ୍ୱ ଯୁବ କ୍ରୀଡ଼ାବିତ୍ମାନେ ବିଭିନ୍ନ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିଛନ୍ତି।
Tags: #EastZoneJuniorAthleticsChampionship #Athletics #Sports #KalingaStadium #Odisha