ଓଡ଼ିଶାଲାଇଭ୍ ବ୍ୟୁରୋ

ନିଦରେ ଶୋଇ ଯାଇଥିଲା ସାରା ଇରାନ। ଇସ୍ରାଏଲ ପ୍ରସ୍ତୁତ କରୁଥିଲା ପ୍ରତିଶୋଧର ଯୋଜନା। ଶନିବାର ଭୋର ସମୟରେ ଇରାନର ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛି ଇସ୍ରାଏଲର ବାୟୁସେନା। ଶତାଧିକ ଯୁଦ୍ଧ ବିମାନ ଯୋଗେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ। ଇରାନ ସେନା ଛାଉଣି ଉପରେ ହୋଇଛି ଘନ ଘନ ବୋମା ବର୍ଷା।

ଅକ୍ଟୋବର ୧ ଆକ୍ରମଣର ଜବାବ ଦେଲା ଇସ୍ରାଏଲ

ପୂର୍ବରୁ ଇସ୍ରାଏଲ କେବଳ ହିଜବୁଲ୍ଲା ଏବଂ ହମାସ ବିରୋଧରେ ଲଢୁଥଲା। ଅକ୍ଟୋବର ୧ ତାରିଖରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରି ଯୁଦ୍ଧର ଦିଗ ବଦଳାଇଥିଲା। ଏବେ ଇରାନ ଉପରେ ପ୍ରତିଶୋଧମୂଳକ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ।

ଏହି ଆକ୍ରମଣରେ ଇରାନର ସାମରିକ ବେସ ସହ ଆଖପାଖ ସହରଗୁଡ଼ିକ ଉପରେ ଇସ୍ରାଏଲ ସେନା ଜୋରଦାର ବୋମା ବର୍ଷା କରିଛି। ଶତାଧିକ ଯୁଦ୍ଧ ବିମାନ ବ୍ୟବହାର କରି ୨୦୦୦ କିଲୋମିଟର ଦୂରରୁ ଟାର୍ଗେଟକୁ ହିଟ୍ କରିଛି ଇସ୍ରାଏଲର ବାୟୁ ସେନା। ତେହରାନ ଆଖପାଖ ଅନେକ ସ୍ଥାନରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।

ଏହି ଆକ୍ରମଣ ନେଇ ଇରାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏହି ଆକ୍ରମଣରେ କୌଣସି ଲୋକଙ୍କ ଜୀବନ ହାନି ହୋଇନଥିବା ଇରାନର ଗଣାମାଧ୍ୟମ ପକ୍ଷରୁ କୁହାଯାଇଛି। ତେବେ ଆକ୍ରମଣ ପରେ ଇରାନ ନିଜର ବାୟୁ ସୀମାକୁ ସିଲ୍ କରି ଦେଇଛି।  

ଏହାରି ମଧ୍ୟରେ ଇସ୍ରାଏଲ ସେନା ଆକ୍ରମଣରର ଏକାଧିକ ଭିଡିଓ ସେୟାର କରିଛି। ଏଥିରେ ଗୋଟିଏ ଭିଡିଓରେ କେମିତି ଇସ୍ରାଏଲ କମାଣ୍ଡ ସେଣ୍ଟରରେ ସୈନ୍ୟ ଅଧିକାରୀମାନେ ଇରାନ ଉପରେ ହେଉଥିବା ଆକ୍ରମଣର ନିର୍ଦ୍ଦେଶ ଦେଉଥିଲେ ତାହା ଦେଖିବାକୁ ମିଳିଛି।

ଇସ୍ରାଏଲର ଆଇଡିଏଫ ପ୍ରବକ୍ତା କହିଛନ୍ତି, “ଇରାନ ଏହି ଆକ୍ରମଣର ଜବାବ ଦେଲେ ଆମେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ। ଏପରି ସ୍ଥିତିରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ପୁଣି ଗୁରୁତର ହୋଇପଡ଼ିବ।” 

ଇରାନ ଜବାବ ଦେଲେ ଆମେ ଇସ୍ରାଏଲର ରକ୍ଷା କରିବୁ – ଆମେରିକା

ଇସ୍ରାଏଲର ଇରାନ ଉପରେ ଆକ୍ରମଣ ନେଇ ମୁହଁ ଖୋଲିଛି ଆମେରିକା। ଆମେରିକା ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣ ସମ୍ପର୍କରେ ଆମେ ସୂଚନା ପାଇଥିଲୁ। ଇସ୍ରାଏଲ ଆତ୍ମରକ୍ଷା ପାଇଁ ଏପରି ଆକ୍ରମଣ କରିଛି। ଏଥିରେ ଆମେରିକା ସେନାର କୌଣସି ଭୂମିକା ନାହିଁ। ଏବେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଦରକାର। ତେବେ ଇରାନ ପୁଣି ଆକ୍ରମଣ କଲେ ଆମେ ଇସ୍ରାଏଲର ରକ୍ଷା କରିବୁ।

Tags: #Israel-IranConflict #MissileAttack #War #MiddelEast #Israel

LEAVE A REPLY

Please enter your comment!
Please enter your name here