ମିନତି ମିଶ୍ର

ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ନଭେମ୍ବର ୧୧ ତାରିଖରେ ସେ ସେ ଶପଥ ଗ୍ରହଣ କରିବେ। ନଭେମ୍ବର ୧୦ରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଅବସର ନେବା ପରେ ଜଷ୍ଟିସ ଖାନ୍ନା ଏହି ଦାୟିତ୍ୱ ସମ୍ଭାଳିବେ।  

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବା ଜଣେ ଆଇନଜୀବୀ କ୍ୟାରିୟରେ ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏକଦା ଜଷ୍ଟିସ ଖାନ୍ନାଙ୍କ ମାତା-ପିତା ଚାହୁଁଥିଲେ ତାଙ୍କ ପୁଅ ଚାର୍ଟାଡ ଆକାଉଣ୍ଟାଣ୍ଟ ହେଉ। ଆଇନଜୀବୀ କ୍ୟାରିୟରରେ ବହୁ ସଂଘର୍ଷ ଦେଇ ଯିବାକୁ ପଡୁଥିବାରୁ ସେମାନେ ଚାହୁଁନଥିଲେ ପୁଅ ସେ ଦିଗରେ ଯାଆନ୍ତୁ ବୋଲି।  

ଜଷ୍ଟିସ ଖାନ୍ନାଙ୍କ ମା’ ସରୋଜ ଖାନ୍ନା ଲେଡି ଶ୍ରୀରାମ କଲେଜରେ ଅଧ୍ୟାପିକା ଥିଲେ। ବାପା ଦେବରାଜ ଖାନ୍ନା ଜଣେ ଓକିଲ ଥିଲେ। ପରେ ସେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ହୋଇଥିଲେ। ତେବେ ଜଷ୍ଟିସ ସଞ୍ଜୀବ ଖାନ୍ନା ତାଙ୍କ ଦାଦା ଜଷ୍ଟିସ ହଂସରାଜ ଖାନ୍ନାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ, ଯିଏ କି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଥିଲେ। ଏହାପରେ ସେ ଚାର୍ଟାଡ ଆକାଉଣ୍ଟାଣ୍ଟ ନୁହେଁ ବରଂ ଆଇନଜୀବୀ ଭାବେ ନିଜ କ୍ୟାରିୟର ଗଢ଼ିବାକୁ ପସନ୍ଦ କରିଥିଲେ ।

ଜଷ୍ଟିସ ସଞ୍ଜୀବ ଖାନ୍ନା ନିଜେ ବି କହନ୍ତି, ସେ ସବୁବେଳେ ତାଙ୍କ ଦାଦାଙ୍କୁ ଆଦର୍ଶ ଭାବେ ମାନି ଆସିଛନ୍ତି। କାମରେ ମଧ୍ୟ ସେ ତାଙ୍କୁ ଅନୁସରଣ କରନ୍ତି। ଏପରିକି ଦାଦାଙ୍କ ସମସ୍ତ ରାୟ, ନୋଟ୍ସ, ରେଜିଷ୍ଟରକୁ ସେ ସାଇତି ରଖିଛନ୍ତି। ତାଙ୍କର ଅବସର ପରେ ଏ ସବୁକୁ ସେ ସୁପ୍ରିମ କୋର୍ଟ ଲାଇବ୍ରେରୀକୁ ଉପହାର ଭାବେ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଭବିଷ୍ୟତ ପିଢ଼ି ପାଇଁ ଉପାଦେୟ ହେବ ବୋଲି କହିଛନ୍ତି ଜଷ୍ଟିସ ଖନ୍ନା।

ଜଷ୍ଟିସ ଖାନ୍ନ ୨୦୧୯ରେ ସୁପ୍ରିମକୋର୍ଟରେ ବିଚାରପତି ହେବାପରେ ପ୍ରଥମ ଦିନ ଅଦାଲତର ସେହି କକ୍ଷରେ ଥିଲେ ଯେଉଁଠି ଦିନେ ତାଙ୍କ ଦାଦା ବସୁଥିଲେ।

ଜଷ୍ଟିସ ହଂସରାଜ ଖାନ୍ନା ତାଙ୍କ ସମୟରେ ଭାରତର ନ୍ୟାୟିକ ଇତିହାସରେ ଏକ ସ୍ମରଣୀୟ ରାୟ ଶୁଣାଇଥିଲେ। ୧୯୭୬ରେ ଏଡିଏମ ଜବଲପୁର ବନାମ ଶିବକାନ୍ତ ଶୁକ୍ଳା ‘ବନ୍ଦୀ ପ୍ରତ୍ୟକ୍ଷୀକରଣ ମାମଲା’ର ସର୍ବସମ୍ମତ ରାୟ ଶୁଣାଇଥିଲେ। ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ ହୋଇଥିବା ସମୟରେ ସେ ଏହି ରାୟ ପ୍ରଦାନ କରିଥିଲେ। ଜରୁରୀକାଳୀନ ସ୍ଥିତିରେ ଦେଶରେ ନାଗରିକଙ୍କ ଅଧିକାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଏପରି ଏକ ସମୟରେ ଜଷ୍ଟିସ ହଂସରାଜ ଖାନ୍ନା ତାଙ୍କ ରାୟରେ ନାଗରିକ ଅଧିକାରକୁ ରାଜ୍ୟର ଶକ୍ତିର ଉପରେ ରଖି ନିଜ ନିଷ୍ପତ୍ତି ଶୁଣାଇଥିଲେ।

ଜଷ୍ଟିସ ସଞ୍ଜୀବ ଖାନ୍ନା ୧୯୬୦ ମସିହା ମେ‘ ୧୪ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ୟୁନିଭର୍ସିଟିର କ୍ୟାମ୍ପସ ଲ’ ସେଣ୍ଟରରେ ଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ। ୧୯୮୩ରେ ସେ ଦିଲ୍ଲୀ ବାର କାଉନସିଲରେ ଆଇନଜୀବୀ ଭାବେ ନିଜ ନାଁ ପଞ୍ଜୀକୃତ କରାଇଥିଲେ। ସେହିଦିନଠାରୁ ତାଙ୍କର ଆଇନଜୀବୀ କ୍ୟାରିୟର ଆରମ୍ଭ ହେଇଥିଲା।

ପ୍ରଥମେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦିଲ୍ଲୀର ତିଶ ହଜାରୀ କୋର୍ଟରେ ଅଭ୍ୟାସ କରୁଥିଲେ। ପରେ ଦିଲ୍ଲୀ ହାଇକୋର୍ଟର ଓକିଲ ହୋଇଥିଲେ। ସେ ୨୦୦୫ ମସିହାରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ହୋଇଥିଲେ। ୨୦୦୬ ମସିହାରେ ତାଙ୍କୁ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଜଷ୍ଟିସ ଖାନ୍ନା ଦୀର୍ଘ ୧୪ ବର୍ଷ ଧରି ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ନିଜ ଦାୟିତ୍ୱ ସମ୍ପନ୍ନ କରିଥିଲେ।

୨୦୧୯ ଜାନୁଆରୀ ୧୮ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପ୍ରମୋସନ ମିଳିଥିଲା। ୨୦୨୩ ଜୁନ ୧୭ ତାରିଖରୁ ୨୦୨୩ ଡିସେମ୍ବର ୨୫ ଯାଏଁ ସେ ସୁପ୍ରିମକୋର୍ଟ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏହି ସମୟରେ ସେ ଜାତୀୟ ଆଇନ ସେବା ପ୍ରାଧିକାରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ଏବଂ ଜାତୀୟ ନ୍ୟାୟିକ ଏକାଡେମୀ, ଭୋପାଲର ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ମଧ୍ୟ ରହିଥିଲେ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଭାରତର ପ୍ରଧାନ ବିଚାରପତି ଭାବେ ୬ ମାସ ଦାୟିତ୍ୱରେ ରହିବେ। ୨୦୨୫ ମେ’ ୧୩ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ।

Tags: #JusticeSanjivKhanna #CJI #SupremeCourt #India

LEAVE A REPLY

Please enter your comment!
Please enter your name here