ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ମଡର୍ଣ୍ଣ ମାଷ୍ଟର ବିରାଟ କୋହଲୀ ଆଜି ୩୭ ବର୍ଷରେ ପାଦ ଦେଇଛନ୍ତି। ବିଶ୍ୱ କ୍ରିକେଟ୍‌ ଇତିହାସରେ ତାଙ୍କୁ ରନ୍‌ ମେସିନ ବୋଲି କୁହାଯାଏ। କଠିନ ପରିଶ୍ରମ ବଳରେ ଖୁବ୍‌ କମ୍‌ ସମୟ ମଧ୍ୟରେ ବିଶାଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ସେ। ଆଜି ତାଙ୍କ ଜନ୍ମ ଦିନ ଅବସରରେ କ୍ରିକେଟ୍‌ ତଥା ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

୧୯୮୮ ମସିହା ନଭେମ୍ବର ୫ରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିରାଟ। ତାଙ୍କ ପିଲା ଦିନର ନାଁ ହେଉଛି ଚିକୁ। ତାଙ୍କ ବାପା ପ୍ରେମ୍‌ କୋହଲି ଥିଲେ ଜଣେ ଓକିଲ ଓ ମାଙ୍କ ନାଁ ହେଉଛି ସରୋଜ କୋହଲି।

ପରିବାର ଲୋକଙ୍କ କହିବା ଅନୁଯାୟୀ ବିରାଟ ପିଲା ବେଳୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ। ୧୯୯୮ ମସିହାରେ ସ୍କୁଲରେ ପାଠ ପଢୁଥିବା ବେଳେ ୱେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀରେ ବିରାଟ ଯୋଗ ଦେଇଥିଲେ।

୨୦୦୨ ମସିହାରେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଖେଳିଥିଲେ। ପରେ ୨୦୦୬ରେ ବିରାଟ ୧୯ ବର୍ଷରୁ କମ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ ବିଜେତା ହୋଇଥିଲା ଭାରତ। ପରେ ସେହି ବର୍ଷ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ।

କ୍ରିକେଟ୍‌ ପଡ଼ିଆ ସହିତ ଟିଭି ପରଦାରେ ମଧ୍ୟ ଫ୍ୟାନମାନଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ବହୁଦିନ ପ୍ରେମ ସମ୍ପର୍କରେ ରହିବା ପରେ ୨୦୧୭ ମସିହା ଡିସେମ୍ବର ୧୧ରେ ବିରାଟ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ। ଏହି ପ୍ରେମୀ ଯୁଗଳଙ୍କୁ ଫ୍ୟାନମାନେ ‘ଭିରୁଷ୍କା’ ନାଁରେ ସମ୍ବୋଧିତ କରିଥାନ୍ତି।

କ୍ରିକେଟ୍‌ ଖେଳରେ ଉଚ୍ଚକୋଟୀର ଅବଦାନ ପାଇଁ କେନ୍ଦ୍ର ସରକାର ବିରାଟ୍‌ କୋହଲୀଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି। ୨୦୧୩ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୭ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ବିରାଟ୍‌ଙ୍କୁ ପଦ୍ମଶ୍ରୀର ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୧୮ ମସିହାରେ ତାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।

Tags: #ViratKohli #Birthday #Cricketer #Cricket #India

Comment