ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ସ୍ଥାପନ କରାଯାଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଖ୍ୟାତନାମା ସମାଜସେବୀ ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏବେ ବିବାଦ ଦେଖାଦେଇଛି। ଏହି ପ୍ରତିମୂର୍ତ୍ତିରେ ଥିବା ତ୍ରୁଟି ବିଚ୍ୟୁତିକୁ ତୁରନ୍ତ ସୁଧାରି ଦେଇ ନୂଆ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ହେଉଛି। ମା’ ରମାଦେବୀଙ୍କ ନିକଟ ବଳୟରେ ଦୀର୍ଘବର୍ଷ ଧରି କାମ କରିଥିବା ଏବଂ ତାଙ୍କୁ ଖୁବ୍ ନିକଟରୁ ଦେଖୁଥଥିବା ବ୍ୟକ୍ତିତ୍ଵମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି।
ବିଧାନସଭା ନିକଟରେ କିଛିଦିନ ତଳେ ରାଜ୍ୟର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏମାନଙ୍କ ମଧ୍ୟରୁ ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତି ଥିବାବେଳେ ସେଥୁରେ ଯେଉଁ ପରିପାଟି ରହିଛି ତାହା ରମାଦେବୀଙ୍କର ହୋଇନଥିବା ଅଭିଯୋଗ ହୋଇଛି। ଏହି ପ୍ରତିମୂର୍ତିରେ ମା’ ରମାଦେବୀ ଯେଭଳି ଶାଢ଼ୀ ପିନ୍ଧିଛନ୍ତି ସେପରି ପରିଧାନ ସେ କେବେ ବି ପିନ୍ଧୁ ନଥିଲେ।
୧୯୨୧ରୁ ତାଙ୍କ ୧୯୮୫ ପର୍ଯ୍ୟନ୍ତ ଜୀବନ ସାରା ରମାଦେବୀ ଖଦୀ ବସ୍ତ୍ର ପରିଧାନ କରୁଥିଲେ ଏବଂ କେବେ କୁଞ୍ଚ କରି ଶାଢ଼ି ପିନ୍ଧୁନଥିଲେ। ୧୯୨୨ରୁ ଲଗାତାର ଭାବେ ସେ ବହୁ ସର୍ବଭାରତୀୟ କଂଗ୍ରେସ ଅଧିବେଶନ, ସେବାଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଆଶ୍ରମ, ପୌନାରରେ ବିନୋବା ଭାବେଙ୍କ ଆଶ୍ରମରେ ବିଭିନ୍ନ ବୈଠକ, ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ସମେତ ସ୍ଵାଧୀନତା ଆନ୍ଦୋଳନରେ ବିଭିନ୍ନ କାର୍ଯ୍ୟକ୍ରମରେ ମା’ ରମାଦେବୀ କୁଞ୍ଚ କରି ଶାଢ଼ୀ ପିନ୍ଧିଥିବା କେହି ଦେଖିନାହାନ୍ତି। ଏପରିସ୍ଥଳେ ବିଧାନସଭା ପରିସର ନିକଟରେ ମା’ ରମାଦେବୀଙ୍କ ମୂର୍ତ୍ତିରେ କୁଞ୍ଚ କରା ଶାଢ଼ୀ ପିନ୍ଧିଲେ କିପରି ବୋଲି କେତେକ ଅନେକ ଲୋକ ପ୍ରଶ୍ନ କରୁଛନ୍ତି।
ସେହିପରି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପରିସରରେ ପୂର୍ବରୁ ଥିବା ତାଙ୍କ ଆବକ୍ଷ ପ୍ରତିମୂର୍ତ୍ତି ତାଙ୍କ ପରି ହୋଇଥିବାବେଳେ ପରିବର୍ତ୍ତୀ ସମୟରେ ଏହି ବିଶ୍ଵବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ତାଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତିରେ ମଧ୍ୟ ସମ୍ଭ୍ରାନ୍ତ ଧନୀକ ପରିବାରର ମହିଳାଙ୍କ ଭଳି ଲମ୍ବା କୁଞ୍ଚ ଶାଢ଼ୀ ପିନ୍ଧାଇ ଦିଆଯାଇଛି।
ସରଳ ସ୍ଵଭାବ ଓ ଉଚ୍ଚ ଚିନ୍ତନକୁ ଜୀବନର ବ୍ରତ ଭାବେ ବରଣ କରିନେଇ ରମାଦେବୀ ସପରିବାର ସ୍ୱାଧୀନତା ଆନ୍ଦୋଳନରେ କେବଳ ସାମିଲ ହୋଇନଥିଲେ ବରଂ ଅଗ୍ରଭାଗରେ ରହି ମହିଳା, ଛାତ୍ର ଓ ଯୁବ ସମାଜକୁ ଏଥିପ୍ରତି ଆକର୍ଷିତ କରୁଥିଲେ। ଭୂଦାନ ଆନ୍ଦୋଳନ ଓ ସଂପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନକୁ ସେ ଆଗେଇ ନେଇଥିଲେ। ତାଙ୍କ ସେବା, ସଂଗ୍ରାମ, ସାଧନା ଓ ତ୍ୟାଗକୁ ସମ୍ମାନ ଜଣାଇ ସ୍ଵତଃସ୍ତୂର ଭାବେ ଲୋକେ ତାଙ୍କୁ ଡାକୁଥିଲେ ମା’ ରମାଦେବୀ।
ଜମିଦାରୀର ବିଳାସ ବ୍ୟାସନ ଛାଡ଼ି ମା’ ରମାଦେବୀ ସ୍ୱେଚ୍ଛାକୃତ ଦାରିଦ୍ର୍ୟ ବରଣ କରିବା ସହ ସାଧାରଣ ମୂଲିଆଙ୍କ ଭଳି ବିଲରେ କାମ କରୁଥିଲେ। ତେବେ ତାଙ୍କୁ କୁଞ୍ଚକରା ଶାଢ଼ୀ ପିନ୍ଧାଇ ଯେଉଁ ପ୍ରତିମୂର୍ତ୍ତିମାନ ସ୍ଥାପନ କରାଯାଇଛି, ତାହା ତାଙ୍କ ସ୍ମୃତି ପ୍ରତି ସମ୍ମାନ ପରିବର୍ତ୍ତେ ଅପମାନ ବୋଲି ଅଭିଯୋଗ ହେଉଛି।
ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ଏକ ଗ୍ୟାଲେରୀରେ ମା’ ରମାଦେବୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏକ ବିଶେଷଜ୍ଞ କମିଟି ତାହାର ଯାଞ୍ଚ କରି ଯେଉଁ ସୁପାରିସ କଲେ ସେହି ଆଧାରରେ ମା’ ରମାଦେବୀଙ୍କ ସହିତ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ହରେକୃଷ୍ଣ ମହତାବ ଆଦିଙ୍କ ମୂର୍ତ୍ତିର ପୁନଃସ୍ଥାପନ କରାଯାଇଥିଲା।
ସେହିପରି ଅନୁଗୋଳରେ ନବକୃଷ୍ଣ ଚୌଧୁରୀଙ୍କ ସମେତ ୧୧ ଜଣ ସ୍ଵାଧୀନତା ସଂଗ୍ରାମୀଙ୍କ ବିକୃତ ପ୍ରତିମୂର୍ତ୍ତି ଘେନି ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏଗୁଡ଼ିକର ମଧ୍ୟ ପରିବର୍ତ୍ତନ କରାଯାଇଛି। ଏ ପରିପ୍ରେକ୍ଷୀରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଏବଂ ଓଡ଼ିଶା ବିଧାନସଭା ନିକଟରେ ବସାଯାଇଥିବା ମା’ ରମାଦେବୀଙ୍କ ପ୍ରତିମୂର୍ତ୍ତିକୁ ବଦଳାଇବା ପାଇଁ ଦାବି ଜୋର ଧରିଛି।
ମା’ ରମାଦେବୀଙ୍କ ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ଅପସାରଣ କରି ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ରମାଦେବୀଙ୍କ ଜଣେ ସହକର୍ମୀ ତଥା ଗାନ୍ଧୀ ବିଚାର ଚିନ୍ତକ ପ୍ରହ୍ଲାଦ ସିଂହ ନିବେଦନ କରିଛନ୍ତି। ଏହାସହ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀକୁ ନାରୀ ଜାଗରଣ ବର୍ଷ ଭାବେ ପାଳନ କରାଯିବା ଦିଗରେ ପଦକ୍ଷେପ ନେବାକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି।
Tags: #MaaRamadevi #FreedomFighter #Statue #Bhubaneswar