ଭାସ୍କର ପରିଚ୍ଛା

ଜାତୀୟ ରାଜନୀତିରେ ଯଦି ଓଡ଼ିଶାର ତୃତୀୟ ବ୍ୟକ୍ତି କେହି ପ୍ରତିଷ୍ଠା ଅର୍ଜନ କରିଥାନ୍ତି ସେ ହେଉଛନ୍ତି ନିତ୍ୟାନନ୍ଦ କାନୁନଗୋ।

ଡକ୍ଟର ହରେକୃଷ୍ଣ ମହତାବଙ୍କ ସମସାମୟିକ ଓ ବିଜୟାନନ୍ଦ ପଟ୍ଟନାୟକଙ୍କ ପୂର୍ବରୁ ଜାତୀୟ ରାଜନୀତିରେ ଯଦି ଓଡ଼ିଶାର ତୃତୀୟ ବ୍ୟକ୍ତି କେହି ପ୍ରତିଷ୍ଠା ଅର୍ଜନ କରିଥାନ୍ତି ସେ ହେଉଛନ୍ତି ନିତ୍ୟାନନ୍ଦ କାନୁନଗୋ। ବାଳମୁକୁନ୍ଦ କାନୁନଗୋ ଓ ହେମନ୍ତ କୁମାରୀ (ରମାଦେବୀଙ୍କ ମାଉସୀ)ଙ୍କ ପୁତ୍ର ନିତ୍ୟାନନ୍ଦ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ। ସେ ଓଡ଼ିଶାରେ ଓ କେନ୍ଦ୍ରରେ ମନ୍ତ୍ରୀ ଓ ଦୁଇଟି ରାଜ୍ୟର ରାଜ୍ୟପାଳ ଥିଲେ। ଜଗତସିଂହପୁର ଜିଲ୍ଲା ନାରିଲୋ ଗ୍ରାମର ମୂଳ ବାସିନ୍ଦା ନିତ୍ୟାନନ୍ଦଙ୍କ ପିଲାଦିନ କଟକରେ ହିଁ କଟିଥିଲା।

ରେଭେନ୍ସା ମହାବିଦ୍ୟାଳୟରୁ କଳାରେ ଡିଗ୍ରୀ, କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ, ଓକିଲାତି, କଂଗ୍ରେସରେ ଯୋଗଦାନ, ସ୍ୱାଧୀନତା ପୂର୍ବରୁ ଓଡ଼ିଶା ବିଧାନସଭାର ସଦସ୍ୟ, ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ, ପ୍ରଥମ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ସାଂସଦ, କେନ୍ଦ୍ରରେ ଉପମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ, ୧୯୫୭ ଓ ୧୯୬୨ ମସିହାରେ କେନ୍ଦ୍ରାପଡ଼ାରୁ ପୁନର୍ବାର ଲୋକସଭା ସାଂସଦ, ଭାରତୀୟ ହସ୍ତଶିଳ୍ପ ବୋର୍ଡର ସଭ୍ୟ, ସର୍ବ ଭାରତୀୟ ବୁଣାକାର ସଂଘର ସଭାପତି ଓ କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ସଦସ୍ୟ, ଆନ୍ତର୍ଜାତିକ ଧାନ କମିଶନର ସଭ୍ୟ ଭାବରେ ଜାକର୍ତ୍ତା ଗସ୍ତ ଏ ସବୁ ହେଉଛି ତାଙ୍କର ସାମଗ୍ରିକ ପରିଚୟ।

ନିତ୍ୟାନନ୍ଦ ରେଭେନ୍ସା କଲେଜିଏଟ ସ୍କୁଲରେ ପାଠପଢ଼ିବା ବେଳେ ତାଙ୍କର ସହପାଠୀ ଥିଲେ ସୁଭାଷ ବୋଷ। ଘଟଣାକ୍ରମେ ଜାନକୀନାଥ ବୋଷ ଓ ବାଳମୁକୁନ୍ଦ କାନୁନଗୋ ଥିଲେ ଦୁଇ ବନ୍ଧୁ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ନିତ୍ୟାନନ୍ଦ କାନୁନଗୋ ସାଧାରଣ ଜୀବନରେ ରହିଥିଲେ। ବିଂଶ ଶତାବ୍ଦୀର ଭାରତର ଅନେକ ଗୁରୁତ୍ଵପୂର୍ଣ୍ଣ ଘଟଣାର ସେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଓ ବିଭିନ୍ନ ଭାବରେ ସେ ଏହାର ଅଂଶ ବିଶେଷ ବି ହୋଇପଡ଼ିଥିଲେ।

୧୯୦୦ ସାଲରେ ଜନ୍ମିତ ନିତ୍ୟାନନ୍ଦ ୧୯୮୮ ମସିହାରେ ସ୍ଵର୍ଗାରୋହଣ କରିଥିଲେ। ୧୯୩୭ ମସିହାରେ ସେ  ପ୍ରଥମେ ଓଡ଼ିଶାରେ ମନ୍ତ୍ରୀ ହୋଇଥିଲେ। ନିତ୍ୟାନନ୍ଦଙ୍କ ଶେଷ ସାମ୍ବିଧାନିକ ପଦବୀ ଥିଲା ବିହାର ରାଜ୍ୟପାଳ। ଏହା ୧୯୭୧ ମସିହାର କଥା।

ଯେଉଁ ସମୟରେ ନିତ୍ୟାନନ୍ଦ କାନୁନଗୋ ରାଜନୀତି ଆରମ୍ଭ କରିଥିଲେ ସେ ସମୟଟି ଥିଲା ହରେକୃଷ୍ଣ ମହତାବଙ୍କ ସମୟ। ହୀରାକୁଦ ବନ୍ଧଠାରୁ ଆରମ୍ଭ କରି ଦେଶୀୟ ରାଜ୍ୟର ମିଶ୍ରଣ, କଟକରେ ହାଇକୋର୍ଟ ପ୍ରତିଷ୍ଠା ପଛରେ ତାଙ୍କର ଭୂମିକାଠାରୁ ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବା ପରେ ସେ ବେଶ୍ କିଛି କାର୍ଯ୍ୟ କରିଥିଲେ।

୧୯୫୬ କମ୍ପାନି ଆଇନର ସ୍ଥପତି ହେଉଛନ୍ତି ନିତ୍ୟାନନ୍ଦ କାନୁନଗୋ। ତତ୍କାଳୀନ ଓଡ଼ିଶାର ଗୋଳିଆ ରାଜନୀତିରୁ ସେ ନିଜକୁ ଦୂରେଇ ରଖିଥିଲେ।

ନିତ୍ୟାନନ୍ଦ କାନୁନଗୋ ଇଛାପତ୍ରରେ ଲେଖିଥିଲେ ଶେଷ କଥା। ସେ ଲେଖିଥିଲେ, ‘ଯେଉଁଠାରେ ମୋର ମୃତ୍ୟୁ ହେବ, ସେଇଠାରେ ମୋର ସଂସ୍କାର କରାଯିବ, ବୈଦ୍ୟୁତିକ ଚୁଲାକୁ ମୁଁ ପସନ୍ଦ କରିବି। ଏଥିପାଇଁ କୌଣସି ପ୍ରକାର ରୀତିନୀତି ସମ୍ପନ୍ନ କରାଯିବ ନାହିଁ, ଏପରିକି ଚିତାଭସ୍ମ ସଂଗ୍ରହ କରାଯିବ ନାହିଁ। ମୋର ପୁଅ ମାନେ ଯେମିତି ପ୍ରତିଦିନ ଖିଅର ହେଉଥିଲେ ସେମିତି ହେବେ। ତୃତୀୟ ଅବା ଚତୁର୍ଥ ଦିନ ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ସେମାନଙ୍କ ସୁବିଧା ଅନୁସାରେ ଏକତ୍ର ହୋଇ ସରଳ ଶାନ୍ତି ପାଠ କରିବେ। ମୋ ପାଇଁ କୌଣସି ପ୍ରକାର ଶୁଦ୍ଧିକ୍ରିୟା ଓ ଶ୍ରାଦ୍ଧାଦି କର୍ମ କରାଯିବ ନାହିଁ।’

ନିତ୍ୟାନନ୍ଦ କାନୁନଗୋ ଯେଉଁ ଇଛାପତ୍ର ବା ଉଇଲ ଲେଖିଥିଲେ ସେଥିରୁ ତାଙ୍କର ବାସ୍ତବବାଦୀ ବ୍ୟକ୍ତିତ୍ୱର ପରିଚୟ ମିଳେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #NityanandaKanungo #Politician #leader #odisha #Freedomfighter

Comment