ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଧୀନତା ସଂଗ୍ରାମୀ ତଥା ଲବଣ ସତ୍ୟାଗ୍ରହୀ ଲକ୍ଷ୍ମଣ ପଟ୍ଟନାୟକଙ୍କୁ ୨୦ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବୁଧବାର ଏହି ଅବସରରେ କଟକସ୍ଥିତ ସତୀଚଉରା ଶ୍ମଶାନରେ ଅନୁଷ୍ଠିତ ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଲକ୍ଷ୍ମଣ ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଅଧ୍ୟକ୍ଷତା କରି ଲକ୍ଷ୍ମଣ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ସେ ଲକ୍ଷ୍ମଣ ପଟ୍ଟନାୟକଙ୍କ ଜୀବନ, ତାଙ୍କ ସରଳତା ଏବଂ ସମାଜ ପ୍ରତି ଥିବା ଉଲ୍ଲେଖନୀୟ ଅବଦାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ସେହିପରି ଏଠାରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଲକ୍ଷ୍ମଣ ପଟ୍ଟନାୟକଙ୍କ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ କଟକର ଏକ ରାସ୍ତାକୁ ଲକ୍ଷ୍ମଣ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ପଦକ୍ଷେପ ନେବାଲାଗି ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା।

ଏହି ସ୍ମୃତିସଭା ପରେ ଲକ୍ଷ୍ମଣ ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ କଟକର ନରାଜସ୍ଥିତ ‘ସାଧନା’ ନାମକ ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମଏମ ଦାସ, ଜାତୀୟ ମାନବ ଅଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାଶ, ବିଶିଷ୍ଟ ଶିକ୍ଷ୍ୟବିତ ବିଦ୍ୟାଧର ପ୍ରଧାନ, ବରିଷ୍ଠ ଆଇନଜୀବୀ ଗଦାଧର ସାହୁ ଓ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଲକ୍ଷ୍ମଣ ପଟ୍ଟନାୟକ ସ୍ମୃତି ସଂସଦର ଅନେକ ସଦସ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।    

Tags: #LakshmanPatnaik #FreedomFighter #DeathAnniversary #SatiChaura #Cuttack

Comment