ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ କବି ଡକ୍ଟର ବ୍ରଜନାଥ ରଥଙ୍କ ଏକାଦଶ ତମ ପୁଣ୍ୟତିଥି ଶାନ୍ତିକାନନ ପରିସରସ୍ଥ ସଭାଗୃହରେ ପାଳିତ ହୋଇଯାଇଛି।

ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାରସ୍ଵତ ସାଧକ ତଥା ଶିକ୍ଷାବିତ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ଭାଷା ସାହିତ୍ୟ ଗବେଷକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି କାଳିକିଙ୍କର ଦାସ ଯୋଗ ଦେଇଥିଲେ।

ଅତିଥିମାନେ ଦିବଂଗତ କବି ବ୍ରଜନାଥ ରଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ କବି ତାଙ୍କ ଜୀବନାଦର୍ଶ ଓ କଳାକୃତି ଉପରେ ଆଲୋକପାତ କରିଥିଲେ। ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ନିଜ ଅଭିଭାଷଣରେ କବି ସ୍ଵର୍ଗତ ବ୍ରଜନାଥ ରଥଙ୍କ କବତାର ଛନ୍ଦ, ରସ ଓ ମାନବିକ ଆବେଦନ ଖୁବ ଉଚ୍ଚକୋଟୀର ଥିଲା ବୋଲି କହିଥିଲେ।

ପରିଷଦର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ଅତିଥି ପରିଚୟ ପ୍ରଦାନ କରିବା ସହ ଓଡ଼ିଆ ସାହିତ୍ୟ ପ୍ରତି କବି ବ୍ରଜନାଥ ରଥଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନେ ସ୍ଵର୍ଗତ ବ୍ରଜନାଥ ରଥଙ୍କ ରଚିତ କବିତା ପାଠ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହ କବିଙ୍କର ଅନେକ କବିତା ଓ ଅନୁଦିତ କବିତାକୁ ସେମାନେ ଆବୃତ୍ତି କରିଥିଲେ।

ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କବି ସ୍ଵର୍ଗତ ବ୍ରଜନାଥ ରଥଙ୍କ ପୁଅ ବ୍ୟୋମନାଥ ରଥ, ବୋହୂ ଅନିତା ରଥ, ଝିଅ ଓଜସ୍ୱିନୀ ମିଶ୍ର, ଜ୍ୱାଇଁ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ବହୁ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କବିଙ୍କର ବଡ଼ ଝିଅ କବି ମନସ୍ୱିନୀ ଦେବୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #DrBrajanathRath #DeathAnniversary #EminentOdiaPoet #Balasore #odisha

Comment