ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରାଏଲ ଓ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲହା ମଧ୍ୟରେ ଏବେ ଯୁଦ୍ଧବିରତି ଘୋଷଣା ହୋଇଛି। ଉଭୟ ପକ୍ଷର ସହମତି ପରେ ବୁଧବାର ସକାଳ ୬ଟାରୁ ଯୁଦ୍ଧବିରତି ଲାଗୁ ହୋଇଛି। ଏହାପରେ ଦୁଇ ପକ୍ଷଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଛି। ଏହି ଯୁଦ୍ଧ ବିରତିର ଅବଧି ୬୦ ଦିନ ରହିଛି।

ଆମେରିକା ମଧ୍ୟସ୍ଥତାରେ ଏହି ଯୁଦ୍ଧବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସିକ୍ୟୁରିଟି କ୍ୟାବିନେଟ ହିଜବୁଲହା ସହ ଯୁଦ୍ଧବିରତିକୁ ମଞ୍ଜୁରୀ ଦେଇଛି। ଏହି ଯୁଦ୍ଧବରତିକୁ ନେତନ୍ୟାହୁଙ୍କ କ୍ୟାବିନେଟରେ ୧୦:୧ ଭୋଟରେ ସହମତି ଦିଆଯାଇଥିଲା। ଯୁଦ୍ଧବରତି ପୂର୍ବରୁ ନେତନ୍ୟାହୁ ନିଜ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

ନେତନ୍ୟାହୁ କହିଛନ୍ତି, “ହିଜବୁଲହା ସହ ଇସ୍ରାଏଲର ଯୁଦ୍ଧବିରତିର ଆବଶ୍ୟକତା ରହିଥିଲା। ଏହି ସମୟରେ ଆମେ ଆହୁରି ପ୍ରସ୍ତୁତ ହେବୁ। ହମାସ ସହା ଆମର ଯୁଦ୍ଧ ଜାରି ରହିବ। ଏହାସହିତ ଇରାନ ଉପରେ ଆମେ ନଜର ରଖିବୁ। ହିଜବୁଲହା ସହ ଏହି ଯୁଦ୍ଧବିରତି ୬୦ ଦିନର। ଆଗକୁ ଏହା ବଢ଼ିବ କି ନାହିଁ ସେ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ବର୍ତ୍ତମାନର ଏହି ଯୁଦ୍ଧବିରତି ଅସ୍ଥାୟୀ।”

ସେ ଆହୁରି ମଧ୍ୟ କହିଛନ୍ତି, “ଇସ୍ରାଏଲ ଏବେ ଇରାନକୁ କିପରି ମୁକାବିଲା କରିବେ ସେ ନେଇ ଅଧିକ ଫୋକସ କରୁଛନ୍ତି। ସେନା ପାଇଁ ଅସ୍ତ୍ରଶସ୍ତ୍ର ସଜାଡିବା ତଥା ଗଚ୍ଛିତ ରଖିବା ପାଇଁ ମଧ୍ୟ ସମୟ ଦରକାର। ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଆସିବାରେ ଯଥେଷ୍ଟ ବିଳମ୍ବ ହେଉଛି। ଆମକୁ ଏବେ ଆହୁରି ଉନ୍ନତ ମାନର ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି। ଯାହାଦ୍ୱାରା ଆମ ସେନା ସୁରକ୍ଷିତ ରହିପାରିବେ ଏବଂ ସେନାର ଶକ୍ତି ଦୁଇଗୁଣା ବୃଦ୍ଧିପାଇବ।”

ତୃତୀୟ କାରଣ ଭାବେ ନେତନ୍ୟାହୁ କହିଛନ୍ତି, “ହିଜବୁଲହା ସହ ଯୁଦ୍ଧବିରତି ଘୋଷଣାର ଅନ୍ୟତମ କାରଣ ହେଲା ହମାସକୁ ଅଲଗା କରିବା। ହମାସ ଆରମ୍ଭରୁ ହିଜବୁଲହା ଉପରେ ନିର୍ଭର କରୁଥିଲା। ଯୁଦ୍ଧବେଳେ ହିଜବୁଲହାର ସାହାଯ୍ୟ ନେଉଥିଲା ହମାସ। ଏବେ ଯୁଦ୍ଧବିରତି ପରେ ଉଭୟେ ଅଲଗା ହୋଇଯିବେ। ଯଦି ହିଜବୁଲହା ଯୁଦ୍ଧବିରତି ନିୟମ ଉଲ୍ଲଘଂନ କରି ହମାସକୁ ସହାୟତା କରେ ତେବେ ଇସ୍ରାଏଲ ତାର ପାଲଟା ଜବାବ ଦେବ।”

କ’ଣ ରହିଛି ସର୍ତ୍ତ?

ଯୁଦ୍ଧବିରତି ଚୁକ୍ତି ଅନୁସାରେ ଇସ୍ରାଏଲୀ ସେନା ଓ ହିଜବୁଲହା ଦକ୍ଷିଣ ଲେବାନନରୁ ହଟିବେ। ଏହି ଅଞ୍ଚଳରେ ଲେବାନନ ସେନା ମୁତୟନ ହେବେ। ଲିଟାନୀ ନଦୀର ଦକ୍ଷିଣ ସୀମାରେ ଥିବା ହିଜବୁଲହାର ସଶସ୍ତ୍ର ଆଡ୍ଡାକୁ ହଟାଇବାକୁ ପଡ଼ିବ। ଇସ୍ରାଏଲ ସେନା ଫେରିଯିବା ପରେ ଦକ୍ଷିଣ ଲେବାନନରେ ଅତିକମରେ ୫ ହଜାର ଲେବାନନ ସୈନିକ ମୁତୟନ କରାଯିବ।

ହିଜବୁଲହା ଯୁଦ୍ଧବିରତି ଚୁକ୍ତିର ଉଲ୍ଲଘଂନ କରେ ଏବଂ ପୁଣି ଅସ୍ତ୍ରଶସ୍ତ୍ର କାରବାର କରେ ତେବେ ଇସ୍ରାଏଲ ପୁଣି ଆକ୍ରମଣ କରିବ। ଏହାବ୍ୟତୀତ ହିଜବୁଲହା ଯଦି ସୀମାରେ ଆତଙ୍କବାଦୀ କାରବାର ଆରମ୍ଭ କରିବାକୁ ପୁଣି ଚେଷ୍ଟା କରେ, ଇସ୍ରାଏଲ ଉପରକୁ ରକେଟ ଲଞ୍ଚ କରେ, ସୁଡ଼ଙ୍ଗ ଖୋଳିବାକୁ ଚେଷ୍ଟାକରେ କିମ୍ବା ରକେଟ୍ ନେଉଥିବା ଟ୍ରକ ଆଣେ ତେବ ଇସ୍ରାଏଲ ପୁଣି ଆକ୍ରମଣ କରିବ। 

ଇସ୍ରାଏଲ ଓ ହିଜବୁଲହା ମଧ୍ୟରେ ଏହି ଯୁଦ୍ଧରେ ଲେବାନନର ପ୍ରାୟ ୪ ହଜାର ଲୋକଙ୍କ ଜୀବନ ଯାଇଛି। ତେବେ ଲେବାନନର ପରବର୍ତ୍ତୀ ସ୍ଥିତି କିପରି ରହୁଛି ତାହା ଉପରେ ହିଁ ଯୁଦ୍ଧବିରତି ନିର୍ଭର କରୁଛି।

Tags: #Israel-HezbollahWar #Ceasefire #Lebanon #Israel

LEAVE A REPLY

Please enter your comment!
Please enter your name here