ମିନତି ମିଶ୍ର

ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ପାଇଁ ସ୍ୱର ଉଠାଉଥିବା ସାଧୁ ତଥା ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି। ସୋମବାର ଦିନ ଢାକା ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଛି ବାଂଲାଦେଶ ପୋଲିସ। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଏହାକୁ ବାଂଲାଦେଶର ହିନ୍ଦୁ ସଂଗଠନମାନେ ତୀବ୍ର ବିରୋଧ କରିଛନ୍ତି। ଭାରତ ସରକାର ମଧ୍ୟ ଏହି ଘଟଣାକୁ ନେଇ ବାଂଲାଦେଶ ସରକାରଙ୍କ ସମାଲୋଚନା କରିଛନ୍ତି।  

ଚିନ୍ମୟ କୃଷ୍ଣ ଦାସ ନଭେମ୍ବର ୨୨ ତାରିଖରେ ବାଂଲାଦେଶର ଚଟୋଗ୍ରାମରେ ହିନ୍ଦୁଙ୍କ ସମର୍ଥନରେ ଏକ ଶୋଭାଯାତ୍ରା ବାହାର କରିଥିଲେ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପାଇଁ ଆଇନ ସୁରକ୍ଷା ଏବଂ ସଂଖ୍ୟାଲଘୁ ମାମଲା ପାଇଁ ଏକ ମନ୍ତ୍ରାଳୟ ଖୋଲିବା ପାଇଁ ଏହି ରାଲି ବାହାରିଥିଲା। ସେହି ରାଲିରେ ସେ ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗ ହୋଇଥିଲା।

ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କର ପୂର୍ବ ନାମ ଥିଲା ଚନ୍ଦନ କୁମାର ଘର। ବଂଲାଦେଶ ସନାତନ ଜାଗରଣ ମଞ୍ଚର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ସେଠାରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ସ୍ୱର ଉଠାଉଥିଲେ। ହିନ୍ଦୁଙ୍କ ସୁରକ୍ଷା, ଅଳ୍ପସଂଖ୍ୟକଙ୍କ ପାଇଁ ଆଇନ, ମନ୍ତ୍ରାଳୟ ଖୋଲିବା ତଥା ମନ୍ଦିର, ମଠ ସମ୍ପତ୍ତିର ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବା ଦାବି ୮ଟି ପ୍ରସଙ୍ଗକୁ ନେଇ ସେ ଚଟୋଗ୍ରାମରେ ଶୋଭାଯାତ୍ରା ବାହାର କରିଥିଲେ ।

ଚଟୋଗ୍ରାମରେ ରାଲି ପରେ ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲାଗିଥିଲା। ସେ ବାଂଲାଦେଶ ଜାତୀୟ ପତାକା ଉପରେ ଗେରୁଆ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଥିଲା। ଗିରଫ ପରେ ତାଙ୍କର ଜାମିନ ମଧ୍ୟ କୋର୍ଟରେ ନାମଞ୍ଜୁର ହୋଇଯାଇଥିଲା

ଅନ୍ୟପକ୍ଷେ ଚିନ୍ମୟ କୃଷ୍ଣ ଦାସ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଯେଉଁଠାରେ ଏହି ଘଟଣା ଘଟିଲା ସେଠାରେ ସେ ଉପସ୍ଥିତ ନ ଥିଲେ। ରାଲି ଚାଲିଥିବା ସ୍ଥାନଠାରୁ ୨ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା।”

ଇସ୍କନ ସାଧୁଙ୍କ ଗିରଫକୁ ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ପ୍ରସଙ୍ଗରେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ବାଂଲାଦେଶ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରାଯିବା ସହ ଚିନ୍ମୟ କୃଷ୍ଣ ଦାସଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଦାବି କରାଯାଇଛି।

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ଏବଂ ଜାମିନ ନମିଳିବାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଘର ଏବଂ ବ୍ୟାବସାୟିକ ପ୍ରତିଷ୍ଠାନରୁ ଚୋରି, ଲୁଟପାଟ କରାଯାଉଛି। ଭଙ୍ଗାରୁଜା ବି କରାଯାଉଛି। ହିନ୍ଦୁ ଦେବଦେବୀ ଏବଂ ମନ୍ଦିରକୁ ଅପବିତ୍ର କରିବା ପରି ଅନେକ ମାମଲା ଦେଖିବାକୁ ମିଳୁଛି। ଏହି ଘଟଣା ପରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହଁ। ହେଲେ ହିନ୍ଦୁ ସଂଗଠନର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା।”

ଅନ୍ୟପକ୍ଷେ ମଙ୍ଗଳବାର ଚିନ୍ମୟ କୃଷ୍ଣ ଦାସଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ୧୦ ଦିନ ପାଇଁ ଜେଲକୁ ପଠାଇ ଦେଇଥିଲେ। ଇସ୍କନ ପକ୍ଷରୁ ଭାରତ ସରକାରଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ  ବାଂଲାଦେଶ ସରକାର ସହ ଆଲୋଚନା କରିବା ପାଇଁ ନିବେଦନ କରାଯାଇଛି।

ତେବେ କୋର୍ଟରେ ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ ହେବାକ୍ଷଣି ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ଓ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା। ସେହିପରି ଚିନ୍ମୟ କୃଷ୍ଣ ଦାସଙ୍କ ପାଇଁ ମାମଲା ଲଢୁଥିବା ଓକିଲ ସୈଫୁଲ ଇସଲାମଙ୍କୁ ହତ୍ୟା କରାଯାଇଛି। କିଛି ଚରମପନ୍ଥୀ ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହେଉଛି।

ସେପଟେ ଚିନ୍ମୟ କୃଷ୍ଣଦାସ ପୋଲିସ ଭ୍ୟାନରେ ଯିବା ସମୟରେ ମାଇକ୍ ସାହାଯ୍ୟରେ ଭିଡକୁ ସମ୍ବୋଧିତ କରି ସମସ୍ତକୁ ଶାନ୍ତ ରହିବାକୁ ନିବେଦନ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା ଏବଂ ଲାଠି ଚାର୍ଜ ମଧ୍ୟ କରିଥିଲା।

Tags: #ChinmayKrishnaDas #Arrest #HinduCommunity #Protest #Bangladesh

LEAVE A REPLY

Please enter your comment!
Please enter your name here