ମିନତି ମିଶ୍ର

ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୟୁକ୍ରେନର ନିଦ ହଜି ଯାଇଛି। ଆକ୍ରମଣ ପରେ ଦେଶର ବିଜୁଳି କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପଡ଼ିଛି। ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ଅନ୍ଧକାର ଛାଇଯାଇଛି।
ଗୁରୁବାର ୟୁକ୍ରେନର ଶକ୍ତି ଏବଂ ଇନ୍ଧନ ସୁବିଧା ଥିବା କ୍ଷେତ୍ରଗୁଡ଼ିକ ଉପରେ ରୁଷ ଘନ ଘନ ମିସାଇଲ ମାଡ଼ କରିଥିଲା। ଏହି ଆକ୍ରମଣରେ ୯୧ଟି ମିସାଇଲ ଏବଂ ୯୭ଟି ଡ୍ରୋନର ବ୍ୟବହାର କରିଥିଲା ରୁଷ। ଏହାପରେ ୟୁକ୍ରେନରେ ବିଦ୍ୟୁତ ଉତ୍ପାଦନ ଠପ୍ ହୋଇଯିବାରୁ ପ୍ରାୟ ୧୦ ଲକ୍ଷ ଘରୁ ବିଜୁଳି କଟି ଯାଇଛି।
ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି, “ୟୁକ୍ରେନର ମସ୍କୋ ଉପରକୁ ଆମେରିକୀୟ ମିସାଇଲ ଆକ୍ରମଣର ଏହା ହେଉଛି ପାଲଟା ଜବାବ। ଏଭଳି ଆକ୍ରମଣ ଆହୁରି ଜୋରଦାର ହେବ। ଏପରିକି ରୁଷ ଭବିଷ୍ୟତରେ ୟୁକ୍ରେନର ଆହୁରି ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିବ।”
ରୁଷର ଏପରି ଆକ୍ରମଣକୁ ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ନିନ୍ଦା କରିଛନ୍ତି। ଏହାକୁ ରୁଷର ‘ଘୃଣିତ ବୁଦ୍ଧି’ ବୋଲି କହି ସେ ସମାଲୋଚନା କରିଛନ୍ତି। ରୁଷ କ୍ଲଷ୍ଟର ହତିଆର ସହ କ୍ରୁଜ ମିସାଇଲ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି ଜେଲେନସ୍କି।
ସାହାଯ୍ୟ ମାଗିଲେ ଜେଲେନସ୍କି
ରୁଷ ଆକ୍ରମଣ ପରେ ଭୋଲଦୋମିର ଜେଲେନସ୍କି ଏକ ଭିଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଆକ୍ରମଣ ବାବଦରେ ସେ ନାଟୋ ମହାସଚିବ ମାର୍କ ରୁଟେ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର, ଜର୍ମାନ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହିତ ପଶ୍ଚିମ ଦେଶର ନେତାମାନଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ପରିସ୍ଥିତିକୁ ଅଧିକ ଅସହନୀୟ କରିବା ଏବଂ ଯୁଦ୍ଧକୁ ଲମ୍ବା କରିବା ପାଇଁ ରୁଷର ପ୍ରୟାସକୁ କିପରି ବିରୋଧ କରାଯିବ ସେ ନେଇ ଚର୍ଚ୍ଚା ହୋଇଥିଲା।
ଅନ୍ୟପକ୍ଷେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷର ଏପରି ଆକ୍ରମଣକୁ ନିନ୍ଦା କରିବା ସହ ଏହାକୁ ‘ଘୃଣାସ୍ପଦ’ ବୋଲି କହିଛନ୍ତି। ରୁଷ ଆକ୍ରମଣରୁ ୟୁକ୍ରେନ ଲୋକଙ୍କ ସୁରକ୍ଷା କରିବା ଲାଗି ଆମେରିକା ଆହୁରି ସହଯୋଗ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଆମେରିକାର ଅନୁମତି ପାଇବା ପରେ ୟୁକ୍ରେନ ରୁଷର ବ୍ରାୟାନସ୍କ ଅଞ୍ଚଳକୁ ଆମେରିକା ନିର୍ମିତ ମିସାଇଲ ମାଡ଼ କରିଥିଲା। ଏପରିକି ରୁଷର ସେନା ଡିପୋକୁ ବି ଟାର୍ଗେଟ କରିଥିଲା ୟୁକ୍ରେନ। ଏହା ପରେ ରୁଷ କଠୋର ଆଭିମୁଖ୍ୟ ଦେଖାଇଥିଲା। ଏପରିକି ଦେଶର ପରମାଣୁ ଅସ୍ତ୍ର ବ୍ୟବହାର ଲାଗି ଥିବା ନିୟମରେ ପରିବର୍ତ୍ତନ ଆଣିଥିଲା ରୁଷ।
ରୁଷ-ୟୁକ୍ରେନର ଏପରି ମୁହାଁମୁହିଁ ସ୍ଥିତିକୁ ଦେଖିବା ପରେ ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କା ବଢ଼ିଯାଇଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏପରିକି ନାଟୋ ଦେଶଗୁଡ଼ିକ ନିଜ ନାଗରିକଙ୍କୁ ଖାଦ୍ୟ, ପାନୀୟ ପରି ଜରୁରୀ ସାମଗ୍ରୀ ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଛନ୍ତି।
Tags: #Russia-UkraineWar #VladimirPutin #NATO #USA #Europe
















