ମିନତି ମିଶ୍ର
ଆଜିର ଦିନରେ ମୋବାଇଲ, ଇଣ୍ଟରନେଟ ତଥା ୱାଇଫାଇ ବିନା ଜୀବନ ହୁଏତ କଳ୍ପନା କରାଯାଇ ନପାରେ। ହେଲେ ବିଶ୍ୱରେ ଏମିତି ଏକ ସହର ରହିଛି ଯେଉଁଠି ଏସବୁ ମଧ୍ୟରୁ ଗୋଟିଏ ହେଲେ ବି ସୁବିଧା ଉପଲବ୍ଧ ନାହିଁ। ଜାଣି ଆଶ୍ଚର୍ଯ୍ୟ ହେବେ ଏପରି ସହର ଆଉ କେଉଁଠି ନୁହେଁ ବରଂ ବିଶ୍ଵର ସବୁଠାରୁ ବିକଶିତ ଦେଶ ଆମେରିକାରେ ରହିଛି।
ୱେଷ୍ଟ ଭର୍ଜିନିଆର ଗ୍ରୀନ ବ୍ୟାଙ୍କକୁ ଆମେରିକାର ସବୁଠାରୁ ଶାନ୍ତ ସହର ବୋଲି କୁହାଯାଏ। ଗ୍ରୀନ ବ୍ୟାଙ୍କକୁ ଆସୁଥିବା ଲୋକଙ୍କୁ କୌଣସି ସ୍ଥାନରେ ପହଞ୍ଚିବାକୁ ହେଲେ ପୁରୁଣା ଉପାୟ ଆପଣାଇବାକୁ ପଡ଼ିବ। ରାସ୍ତା କଡ଼ରେ ଲେଖାଯଇଥିବା ସଙ୍କେତକୁ ଦେଖି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପଡ଼ିବ। ଏହି ସହର ପାଖରେ ପହଞ୍ଚିବା କ୍ଷଣି ଜିପିଏସ କାମ କରିବା ବନ୍ଦ କରିଦେବ।
ୱାଶିଂଟନ ଡିସିଠାରୁ ୪ ଘଣ୍ଟାର ରାସ୍ତା
ଗ୍ରୀନ ବ୍ୟାଙ୍କର ଲୋକସଂଖ୍ୟା ମାତ୍ର ୧୪୦। ଏଠାରେ କୌଣସି ଅତ୍ୟାଧୁନିକ ସେବା ଉପଲବ୍ଧ ନାହିଁ। ଏହି ଛୋଟ ସହରରେ କେବଳ ଅଛି ଦୁଇଟି ଚର୍ଚ୍ଚ, ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ଲାଇବ୍ରେରୀ ଏବଂ ବିଶ୍ୱର ସବୁଠାରୁ ବଡ଼ ରେଡିଓ ଟେଲିସ୍କୋପ। ରାଜଧାନୀ ୱାଶିଂଟନ ଡିସିଠାରୁ ମାତ୍ର ୪ ଘଣ୍ଟାର ରାସ୍ତା, ହେଲେ ଏଠାରେ ନାହିଁ ୱାଇଫାଇ ଓ ଇଣ୍ଟରନେଟ ସେବା।
୧୯୫୮ରେ ସ୍ଥାପିତ ହୋଇଥିଲା ଗ୍ରୀନ ବ୍ୟାଙ୍କ ସହର। ୩୩ ହଜାର ବର୍ଗ କିମି ବିସ୍ତୃତ ଏହି ସହର ନାସନାଲ ରେଡିଓ କ୍ୱାଇଟ ଜୋନ (ଏନାଆରକ୍ୟୁଜେଡ୍) ଭିତରେ ରହିଛି। ନାସନାଲ ରେଡିଓ କ୍ୱାଇଟ ଜୋନର ଉଦ୍ଦେଶ୍ୟ ହେଉଛି ରେଡିଓ ଫ୍ରିକ୍ୱେନ୍ସି ହସ୍ତକ୍ଷେପକୁ କମ୍ କରିବା।
ଏହି ସହରରେ ରହିଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟେରେବଲ୍ ରେଡିଓ ଟେଲିସ୍କୋପ। ସେଥିପାଇଁ ୱାଇ-ଫାଇ ଇଣ୍ଟରନେଟ ସଂଯୋଗ ଏବଂ ମାଇକ୍ରୋୱେଭ ଓଭାନ ପରି ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସୃଷ୍ଟି କରୁଥିବା ପ୍ରତ୍ୟେକ ଜିନିଷ ଉପରେ ଏଠାରେ କଟକଣା ଜାରି କରାଯାଇଛି।
କାହିଁକି ଅଛି ରେଡିଓ ଟେଲିସ୍କୋପ?
ଗ୍ରୀନ ବ୍ୟାଙ୍କର ଏହି ଟେଲିସ୍କୋପ ମହାକାଶରୁ ଆସୁଥିବା ଅତି ଦୁର୍ବଳ ରେଡିଓ ତରଙ୍ଗକୁ ଠାବ କରିଥାଏ। ୱାଇଫାଇ, ମୋବାଇଲ ଫୋନ ଏବଂ ଅନ୍ୟ ଇଲେକ୍ଟ୍ରୋନିକ ଉପକରଣରୁ ଆସୁଥିବା ସିଗନାଲ ଟେଲିସ୍କୋପର ଡାଟା ସଂଗ୍ରହ କରୁଥିବା କ୍ଷମତାରେ ବାଧା ସୃଷ୍ଟି କରିଥାଏ।
ରେଡିଓ ତରଙ୍ଗ ସୃଷ୍ଟି କରୁଥିବା ଉପକରଣ ତଥା ଏପରିକି କେତେକ ଯାନବାହନକୁ ବି ଟେଲିସ୍କୋପର ନିକଟବର୍ତ୍ତୀ ଅଞ୍ଚଳକୁ ଯିବାରେ କଟକଣା ରହିଛି। ଏହି ନିୟମକୁ ତଦାରଖ କରିବା ପାଇଁ ଜଣେ ସ୍ଥାନୀୟ ରେଡିଓ ଇଣ୍ଟରଫେରେନ୍ସ ଅଫିସର ନଜର ରଖିଥାନ୍ତି। ଯଦି ସେପରି କୌଣସି ଜିନିଷ ଏହି ଅଞ୍ଚଳକୁ ପଶି ଆସେ ତେବେ ତାହାକୁ ତୁରନ୍ତ ଜବତ କରାଯାଏ।
୫୦ ଦଶକରେ ଅଟକିଯାଇଛି ସମୟ
ଏହି ସହରକୁ ପଶିଗଲେ ଲାଗିବ ଯେମିତି ସମୟ ୧୯୫୦ ଦଶକ ପାଖରେ ହିଁ ଅଟକି ଯାଇଛି। କାରଣ ଟେଲିସ୍କୋପ ଯୋଗୁଁ ୩୩ ହଜାର ବର୍ଗ କିଲୋମିଟରର ଏହି ଅଞ୍ଚଳରେ ଏକଦମ ଶାନ୍ତ ପରବେଶ ସୃଷ୍ଟି ହୋଇଥାଏ। ଏଠାରେ ଟେଲିଫୋନ ଟାୱର ଲଗାଇବା ପାଇଁ ଅନୁମତି ନାହିଁ। ଏଠିକା ଲୋକଙ୍କ ପାଇଁ ଯୋଗାଯୋଗର ମାଧ୍ୟମ ହେଉଛି ଲ୍ୟାଣ୍ଡ ଫୋନ। ଟେଲିସ୍କୋର ଯେତେ ନିକଟବର୍ତ୍ତୀ ଅଞ୍ଚଳ, ପ୍ରତିବନ୍ଧକ ସେତେ ବେଶି।
ରେଡିଓ ଫ୍ରିକ୍ୱେନ୍ସି ଟେକ୍ନିସିଆନ ଏହି ଅଞ୍ଚଳରେ ଟେକନିକ୍ ପୋଲିସ କର୍ମୀ ଭାବେ କାମ କରନ୍ତି। ଅଞ୍ଚଳରେ କୌଣସି ଅନଧିକୃତ ସିଗନାଲ କାମ କରୁଥିବା ସେମାନଙ୍କୁ ସନ୍ଦେହ ହେଲେ ସେମାନେ ଘର ଘର ଯାଇ ଯାଞ୍ଚ କରିଥାନ୍ତି।
ବନ୍ଦ ଘରେ ବୈଜ୍ଞାନିକ
ଟେଲିସ୍କୋପ ନିକଟରେ ଏକ ସ୍ୱତନ୍ତ୍ର ଧରଣର ବନ୍ଦ ଘରେ ବୈଜ୍ଞାନିକମାନେ କାମ କରନ୍ତି। ଯେମିତି ବୁଡ଼ାଜାହାଜ ଭିତରକୁ ବିନ୍ଦୁଏ ପାଣି ପଶି ପାରେ ନାହିଁ, ସେହିପରି ଏହି ଘର ଭିତରକୁ ଅନ୍ୟ କୌଣସି ସିଗନାଲ୍ ଆସିନଥାଏ। ସପ୍ତାହକୁ କେବଳ ଥରେ ନିହାତି ଦରକାର ପଡୁଥିବା ରକ୍ଷଣାବେକ୍ଷଣ ତଥା ମରାମତି କାମ ପାଇଁ ଟେଲିସ୍କୋପ ନିକଟକୁ ଯନ୍ତ୍ରପାତି ଆଣିବାକୁ ଅନୁମତି ଦିଆଯାଇଥାଏ।
ସ୍ଥାନୀୟ ଲୋକେ ବୈଜ୍ଞାନିକଙ୍କ ଏପରି ସବୁ କାମକୁ ଖୁବ ସମ୍ମାନ ଦେଇଥାନ୍ତି। ତେଣୁ ସେମାନେ ଇଣ୍ଟରନେଟ କି ଫୋନ ବିନା ଜୀବନକୁ ନେଇ ଖୁବ୍ ଖୁସି। ଏକ ଲ୍ୟାଣ୍ଡ ଫୋନରେ ଏଠିକା ଲୋକଙ୍କର ଦୁନିଆ ଆଗକୁ ଚାଲେ। ଏହି ଫୋନ ସାହାଯ୍ୟରେ ସେମାନେ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରନ୍ତି। ଏଠିକା ଲୋକେ ମାଛ ଧରନ୍ତି, ପାହାଡ଼ ଉପରକୁ ଯାଆନ୍ତି। ତାଜା ଖବର ପାଇଁ ସ୍ଥାନୀୟ ଖବରକାଗଜ ପଢ଼ନ୍ତି। ଏହି ସହରରେ ସମସ୍ତେ ସମସ୍ତଙ୍କୁ ଜାଣନ୍ତି।
Tags: #GreenBank #SilentCity #Telescope #RadioSilence #USA