ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥରର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ। ‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।
ଓଡ଼ିଆ ବିଭାଗର ପୁରସ୍କାର ମନୋନୟନ ପାଇଁ ଦେବଦାସ ଛୋଟରାୟ, ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ପାରମିତା ଶତପଥୀଙ୍କୁ ନେଇ ଗଠନ କରାଯାଇଥିବା ତିନିଜଣିଆ ବିଚାରକ ମଣ୍ଡଳୀର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ଦିନ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୟନ ହୋଇଥିବା ୨୧ଟି ବିଭିନ୍ନ ଭାଷାର ଲେଖକଙ୍କ ନାମ ଘୋଷଣା କରାଯାଇଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବିଷୟ ଜାଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, “ପାଠକମାନଙ୍କର ଏହି ଭଲପାଇବା ମୋତେ ଅଭିଭୂତ କରିଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ମୋ ପାଇଁ ସୌଭାଗ୍ୟର କଥା।”
୧୯୩୭ ମସିହାରେ ଜନ୍ମିତ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ ନିଜର ଅଜସ୍ର ରଚନାବଳୀରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପ୍ରାୟ ୧୩୦ଟି ପୁସ୍ତକ ପ୍ରକାଶିତ ହୋଇଛି। ତାଙ୍କର ସମାଲୋଚନାତ୍ମକ ପ୍ରବନ୍ଧଗୁଡ଼ିକ ବିଭିନ୍ନ ପତ୍ର ପତ୍ରିକାମାନଙ୍କରେ ପ୍ରକାଶ ପାଇ ପାଠକୀୟ ଆଦ୍ରୁତି ପାଇଛି। ପରିଣତ ବୟସରେ ମଧ୍ୟ ସେ ବେଶ୍ ରଚନାପ୍ରବଣ ଅଛନ୍ତି।
ପ୍ରଫେସର ବୈଷ୍ଣବ ଚରଣ ସାମଲ ୧୯୬୬ ମସିହାରେ ବାଲେଶ୍ଵରର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଚାକିରୀ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଦୀର୍ଘ ୩୮ ବର୍ଷ କାଳ ଅଧ୍ୟାପନା କରିଥିଲେ। ୨୦୦୪ ମସିହାରେ ସେ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିଥିଲେ।
‘ଓଡ଼ିଆ ଗଳ୍ପ: ଗତି ଓ ପ୍ରକୃତି’, ‘ଓଡ଼ିଆ କାବ୍ୟ କବିତାର ଧରା ଓ ଧାରା’, ‘ଓଡ଼ିଆ ସାହିତ୍ୟର ଇତିହାସ’ ତାଙ୍କର ବହୁ ଚର୍ଚ୍ଚିତ ସୃଷ୍ଟିଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ ‘ଏକା ଏକା ନକ୍ଷତ୍ର’ ଓ ‘ଶେଷ ଶୃଙ୍ଗାର’ ନାମରେ ତାଙ୍କର ଦୁଇଟି ଗଳ୍ପ ସଂକଳନ ଓ କେତୋଟି କବିତା ସଂକଳନ ମଧ୍ୟ ପ୍ରକାଶିତ ହୋଇଛି।
୨୦୦୨ ମସିହାରେ ‘ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି’ ପୁସ୍ତକ ପାଇଁ ପ୍ରଫେସର ବୈଷ୍ଣବ ଚରଣ ସାମଲ ପାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର।
Tags: #ProfBaishnabCharanSamal #KendraSahityaAcademyAward #Literature #Odisha