ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ବୈଷ୍ଣବ ଚରଣ ସାମଲଙ୍କୁ ଏହି ପୁରସ୍କାର ମିଳିବ।ଏ ନେଇ ଓଡ଼ିଆ ପରାମର୍ଶଦାତା କମିଟିର ଆବାହକ ଡକ୍ଟର ଗୌରହରି ଦାସ ସୂଚନା ଦେଇଛନ୍ତି।

ପ୍ରଫେସର ବୈଷ୍ଣବ ଚରଣ ସାମଲ ୧୯୩୯ ମସିହା ଫେବ୍ରୁଆରି ୨୭ ତାରିଖରେ କେନ୍ଦ୍ରପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ କ୍ଷେତ୍ରରେ ତାଙ୍କର ବେଶ ସୁନାମ ରହିଛି। ଓଡ଼ିଶା ସାହିତ୍ୟର ଇତିହାସ, ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିବୃତ୍ତ, ଓଡ଼ିଆ ଗଳ୍ପ: ଉନ୍ମେଷ ଓ ଉଚ୍ଚାରଣ, ଗଣକବି ସାହିତ୍ୟ ସମୀକ୍ଷା, ସମୀକ୍ଷାଲୋକ, ସମାଲୋଚନା: ସ୍ଵର ଓ ସ୍ଵାକ୍ଷର ପାଠକୀୟ ଆଦ୍ରୁତି ଲାଭ କରିଛି।

ଓଡ଼ିଆ ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଏହା ପରେ ୨୦୧୭ ମସିହାରେ ବିଷୁବ ପୁରସ୍କାର, ୨୦୧୪ରେ ସାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ ଏବଂ କ୍ଷେତ୍ରବାଦୀ ସାହିତ୍ୟ ବିଦ୍ୟା ପୁରସ୍କାର ମଧ୍ୟ ମିଳିଛି।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହେବା ପରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Tags: #ProfBaishnabCharanSamal #KendraSahityaAcademyAward #Literature #Odisha

LEAVE A REPLY

Please enter your comment!
Please enter your name here