ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଥ ଲୋଭ ମଣିଷକୁ ବାଟବଣା କରିଦିଏ। କିଏ ପଥଭ୍ରଷ୍ଟ ହୁଏ ତ ଆଉ କିଏ ଅପରାଧକୁ ହତିଆର କରେ।
ଗୁଜୁରାଟର ଗୋଣ୍ଡାଲ ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଅପରାଧ ଘଟଣା। ଜୀବନ ବୀମା ଟଙ୍କା ଦାବି କରିବା ପାଇଁ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ପରେ ହତ୍ୟାକାରୀ ବ୍ୟକ୍ତି ସାଙ୍ଗର ମୃତଦେହରେ ନିଆଁ ଲଗାଇ ନିଜକୁ ମୃତ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ଜୀବନ ବୀମା ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ କରାଯାଇଥିବା ତଦନ୍ତରୁ ଜାଣିବାକୁ ପାଇଛି ରାଜକୋଟ ପୋଲିସ।
ରାଜକୋଟଠାରୁ ୩୫ କିଲୋମିଟର ଦୂର ମୋଟା ମାହିକା ଗାଁରେ ଡିସେମ୍ବର ୨୫ ତାରିଖରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ହସମୁଖ ଧଞ୍ଜାଙ୍କର ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ତେବେ ମୃତଦେହ ହସମୁଖଙ୍କର ନୁହେଁ ବରଂ ତାଙ୍କ ସାଙ୍ଗ ସନ୍ଦୀପ ଗୋସ୍ୱାମୀଙ୍କର ବୋଲି ଖୋଳତାଡ଼ ବେଳେ ଜାଣିବାକୁ ପାଇଥିଲା ପୋଲିସ।
ପୋଲିସର ତଦନ୍ତ ଅନୁସାରେ ରାଜକୋଟର ହସମୁଖ ଓ ସନ୍ଦୀପ ଭଲ ସାଙ୍ଗ ଥିଲେ। ମୋଟା ମାହିକା ଗାଁରେ ହସମୁଖଙ୍କର ଗୋଟିଏ ଘରଥିଲା। ବେଳେବେଳେ ସେ ସେଠାକୁ ଯାଉଥିଲେ। ଜଣେ ନାବାଳକଙ୍କ ସହାୟତାରେ ହସମୁଖ ନିଜ ସାଙ୍ଗ ସନ୍ଦୀପଙ୍କୁ ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହରେ ନିଆଁ ଲଗାଇବା ସହ ସେଠାରେ ନିଜ ପରିଚୟପତ୍ର ସହ କିଛି ଜିନିଷପତ୍ର ପକାଇ ଦେଇଥିଲେ। ମୃତଦେହ ହସମୁଖଙ୍କର ବୋଲି ପ୍ରମାଣିତ କରିବା ପାଇଁ ନିଜେ ହସମୁଖ ଏଭଳି ନାଟକ ରଚନା କରିଥିଲେ।
ତେବେ ପୋଲିସ ମୃତଦେହ ଠାବ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ବଦଳି ଯାଇଥିଲା ନାଟକର ଦୃଶ୍ୟପଟ। ହସମୁଖଙ୍କ ଭାଇ ଆଣିଥିଲେ ହତ୍ୟା ଅଭିଯୋଗ। ହସମୁଖଙ୍କୁ କେହି ହତ୍ୟା କରି ନିଆଁ ଲଗାଇ ଦେଇଥିବା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରିବା ସମୟରେ ଜଣାପଡ଼ିଥିଲା ଅସଲ କଥା। ମୃତଦେହ ହସମୁଖଙ୍କର ନୁହେଁ ବରଂ ତାଙ୍କ ସାଙ୍ଗ ସନ୍ଦୀପଙ୍କର ବୋଲି ଜଣାପଡ଼ିଲା।
ଏହି ହତ୍ୟା ଘଟଣାର ପର୍ଦ୍ଦଫାସ କରିବାରେ ସହାୟକ ହୋଇଥିଲା ମୃତ ସନ୍ଦୀପଙ୍କ ପତ୍ନୀ ଗାୟତ୍ରୀଙ୍କ ବୟାନ। ସନ୍ଦୀପଙ୍କ ପତ୍ନୀ କହିଥିଲେ, ଡିସେମ୍ବର ୨୫ ତାରିଖରେ ତାଙ୍କ ସ୍ୱାମୀଙ୍କୁ ହସମୁଖ କଲ କରିଥିଲେ। ଦୁହେଁ ବ୍ୟବସାୟ ପାଇଁ ମୁମ୍ବାଇ ଯିବାକୁ ଯୋଜନା କରିଥିଲେ।
ହସମୁଖଙ୍କ କଲ୍ ପରେ ସନ୍ଦୀପ ସାଙ୍ଗେ ସାଙ୍ଗେ ବାହାରି ଯାଇଥିଲେ। କିନ୍ତୁ ସନ୍ଧ୍ୟା ଯାଏଁ ସେ ଗାୟତ୍ରୀଙ୍କୁ କଲ୍ କରିନଥିଲେ। ଗାୟତ୍ରୀ ସ୍ୱାମୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ସନ୍ଦୀପ ଫୋନ ଉଠାଇ ମୋଟା ମାହିକାରେ ପହଞ୍ଚିଥିବା ଜଣାଇଥିଲେ। ତାଙ୍କ ସହ ହସମୁଖ ଏବଂ ଅନ୍ୟ ଜଣେ ବନ୍ଧୁ ଅଛନ୍ତି ବୋଲି ସେ ସ୍ତ୍ରୀଙ୍କୁ କହିଥିଲେ।
ପୁଣି କିଛି ସମୟ ପରେ ଗାୟତ୍ରୀ ସନ୍ଦୀପଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା। ଗାୟତ୍ରୀ ଭାବିଥିଲେ ଯେ, ସନ୍ଦୀପ ମୁମ୍ବାଇ ଅଭିମୁଖେ ଯାଉଛନ୍ତି।
ଗାୟତ୍ରୀଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ କରି ଘଟଣା ଦିନ ହସମୁଖଙ୍କ ସହ ଥିବା ନାବାଳକଙ୍କୁ ଠାବ କରିବାରେ ସଫଳ ହୋଇଥିଲା। ପୋଲିସ ନାବାଳକକୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ଘଟଣା ବାବଦରେ ସବୁ ସତ ବଖାଣିଥିଲା। ଏଯାଏଁ ଗିରଫ ହୋଇନାହିଁ ଅଭିଯୁକ୍ତ ହସମୁଖ।
ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇ ଯାଇଥିବା ହସମୁଖଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ।
Tags: #Murder #FakeDeathDrama #Gujarat #Crime