ପୁଷ୍ପମିତ୍ର ମହାନ୍ତି

ଭାରତରେ ରହିଛି ଏମିତି ଏକ ରାଜପ୍ରାସାଦ ଯାହା ଆକାରରେ ଲଣ୍ଡନର ‘ବକିଂହାମ୍ ପ୍ୟାଲେସ୍’ରୁ ୪ ଗୁଣ ବଡ଼। ଏହାର ରହିଛି ଗୁଜରାଟର ବରୋଦାରେ। ଏହାର ନାଁ ହେଉଛି ‘ଲକ୍ଷ୍ମୀ ବିଳାସ ପ୍ୟାଲେସ’। ବରୋଦା ରାଜ ପରିବାର ଏଠାରେ ରହନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ବିଶେଷତା।
୧୭୦ ବଖରା ବିଶିଷ୍ଟ ଲକ୍ଷ୍ମୀ ବିଳାସ ପ୍ୟାଲେସ ଏକ ଚମତ୍କାର ସ୍ଥାପତ୍ୟ। ଏହା ୭୦୦ ଏକର ପରିମିତ ଜମି ଉପରେ ନିର୍ମିତ। ୧୮୯୦ ଦଶକରେ ନିର୍ମିତ ଏହି ରାଜପ୍ରାସାଦ ବିଶ୍ୱର ସର୍ବବୃହତ ଘରୋଇ ବାସଭବନର ତାଲିକାରେ ସ୍ଥାନ ପାଇଛି। ବର୍ତ୍ତମାନ ସମୟରେ ଏହାର ମୂଲ୍ୟ ୨୫ ହଜାର କୋଟି ଟଙ୍କାରୁ ଅଧିକ ହେବ।
ଏକ ଐତିହାସିକ ସମ୍ପତ୍ତି
୧୭୨୧ ମସିହାରେ ବରୋଦାରେ ଗାଏକୱାଡ ରାଜବଂଶର ଶାସନ ଆରମ୍ଭ ହୋଇଥିଲା। ମରାଠା ସେନାପତି ପିଲାଜୀ ରାଓ ଗାଏକ୍ୱାଡ ମୋଗଲମାନଙ୍କଠାରୁ ବରୋଦାକୁ ଦଖଲ କରିଥିଲେ। ଛତ୍ରପତି ଶାହୁଜୀ ପ୍ରଥମଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ପରିବାର ମରାଠା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଥିଲା।
୧୭୬୧ରେ ତୃତୀୟ ପାନିପତ ଯୁଦ୍ଧରେ ମରାଠା ସାମ୍ରାଜ୍ୟର ପରାଜୟପରେ ଗାଏକୱାଡମାନେ ସ୍ୱାଧୀନ ଶାସକ ଭାବରେ ଉଭା ହୋଇଥିଲେ। ୧୮୦୨ ମସିହା ବେଳକୁ ସେମାନେ ବ୍ରିଟିଶ ସାର୍ବଭୌମତ୍ୱକୁ ସ୍ୱୀକାର କରି କାମ୍ବେ ଚୁକ୍ତି ସ୍ୱାକ୍ଷର କରିଥିଲେ।
ରାଜା ସାୟାଜୀରାଓ ଗାଏକୱାଡ ତୃତୀୟ ଏହି ଲକ୍ଷ୍ମୀ ବିଳାସ ପ୍ୟାଲେସର ନିର୍ମାଣ କରାଇଥଲେ। ସେତେବେଳେ ଏହି ଭବନ ପାଇଁ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ଦୁର୍ମୂଲ୍ୟ କଳାକୃତିରେ ପୂର୍ଣ୍ଣ ଏହି ପ୍ୟାଲେସ୍
ଏହି ମହଲରେ ବିଶିଷ୍ଟ ଚିତ୍ରକାର ରାଜା ରବି ବର୍ମାଙ୍କ ଚିତ୍ରକଳା ରହିଛି, ଯାହା କଳା ପ୍ରତି ପରିବାରର ପୃଷ୍ଠପୋଷକତାକୁ ଶ୍ରଦ୍ଧାଞ୍ଜଳିର ସ୍ଵାକ୍ଷର ବହନ କରୁଛି। ଏହାସହ ଏହି ପ୍ୟାଲେସ୍ ଅନ୍ୟାନ୍ୟ ଦୁର୍ମୂଲ୍ୟ କଳାକୃତି ରହିଛି।
ଏହି ରାଜ ପରିବାରର ସଂଗ୍ରହରେ ୧୯୩୪ର ରୋଲ୍ସ-ରଏସ୍, ୧୯୩୭ର ରୋଲ୍ସ-ରଏସ୍ ଫ୍ୟାଣ୍ଟମ୍ ୩, ୧୯୮୪ ବେଣ୍ଟଲେ ମାର୍କ ଷଷ୍ଠ ଏବଂ କାର୍ଲ ବେଞ୍ଜଙ୍କ ଦ୍ୱାରା ନିର୍ମିତ ପ୍ରଥମ କାର୍ ୧୮୮୬ ବେଞ୍ଜ ପେଟେଣ୍ଟ ମୋଟରଓ୍ଵାଗନ୍ ଭଳି ପୁରୁଣା କାର୍ ରହିଛି।
ପୂର୍ବତନ କ୍ରିକେଟର ମହାରାଜା ସମରଜିତ ସିଂହ ଗାଏକୱାଡ ୨୦୧୨ରେ ତାଙ୍କ ମାମୁଙ୍କ ସହ ଉତ୍ତରାଧିକାର ବିବାଦର ସମାଧାନ କରି ପରିବାରର ମୁଖ୍ୟ ହୋଇଥିଲେ। ବର୍ତ୍ତମାନ ସେ ବରୋଦାର ମୋତିବାଗ ଷ୍ଟାଡିୟମରେ ଥିବା ତାଙ୍କ ଏକାଡେମୀ ମାଧ୍ୟମରେ କ୍ରିକେଟର ପ୍ରଚାର ପ୍ରସାର କରୁଛନ୍ତି।
ତାଙ୍କ ପତ୍ନୀ ମହାରାଣୀ ରାଧିକାରାଜେ ଗାଏକୱାଡ, ଜଣେ ଐତିହାସିକ ଏବଂ ପୂର୍ବତନ ସାମ୍ବାଦିକା। ସେ ସେମାନଙ୍କ ଐତିହ୍ୟର ସଂରକ୍ଷଣକୁ ସମର୍ଥନ କରନ୍ତି। ସେମାନେ ମିଶି ରାଜକୀୟ କର୍ତ୍ତବ୍ୟ, ବ୍ୟକ୍ତିଗତ ଉତ୍ସାହ ଏବଂ ଦୁଇ ଝିଅଙ୍କ ଲାଳନପାଳନରେ ସନ୍ତୁଳନ ରଖନ୍ତି।
ବିଶ୍ୱାସର ଏକ ପରମ୍ପରା
ଗାଏକୱାଡ ପରିବାର ଗୁଜରାଟ ଏବଂ ବନାରସରେ ୧୭ଟି ଐତିହାସିକ ମନ୍ଦିରର ତଦାରଖ କରନ୍ତି। ପରମ୍ପରାକୁ ଆଧୁନିକତା ସହ ମିଶାଇ ଇତିହାସ ଓ ସଂସ୍କୃତିର ସଂରକ୍ଷଣ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଅତୁଟ ରହିଛି।
ନିଜର ଭବ୍ୟ ପ୍ରାସାଦଠାରୁ ଆରମ୍ଭ କରି ସେମାନଙ୍କର ଗୌରବମୟ ଇତିହାସ ପର୍ଯ୍ୟନ୍ତ ବରୋଦା ରାଜପରିବାର ନିଜର ଭବ୍ୟତା ଏବଂ ଆଭିଜାତ୍ୟର ମିଶ୍ରଣରେ ସମସକ୍ତଙ୍କୁ ଆକର୍ଷିତ କରି ରଖିଛି।
Tags: #LakshmiVilasPalace #BarodaRoyalFamily #GaekwadDynasty #Vadodara #Gujarat