ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ। ଏହା ପରେ ୮ଟା ୩୦ରୁ ଇଭିଏମ ଗଣତି ଆରମ୍ଭ ହେବ। ଗୁଜରାଟରେ ଡିସେମ୍ବର ୧ ଓ ୫ ତାରିଖରେ ୧୮୨ ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା।   ସେହିଭଳି ହିମାଚଳ ପ୍ରଦେଶରେ ୬୮ଟି ଆସନ ପାଇଁ ନଭେମ୍ବେର ୧୨ ତାରିଖରେ ବିଧାନସଭା ନିର୍ବାଚନ ହୋଇଥିଲା।

ଗୁଜରାଟରେ ପ୍ରଥମ ଚରଣରେ ୮୯ଟି ଆସନରେ ଡିସେମ୍ବର ୧ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ଦକ୍ଷିଣ ଗୁଜରାଟ ଓ କଚ୍ଛ ଅଞ୍ଚଳର ୧୯ଟି ଜିଲ୍ଲାର ଆସନଗୁଡ଼ିକ ସାମିଲ ଥିଲା। ମୋଟ ୭୮୮ ଜଣ ପାର୍ଥୀ ଏଠାରେ ପ୍ରତିଦ୍ଵନ୍ଦିତା କରିଥିଲେ। ଏହି ପ୍ରଥମ ଚରଣରେ ମୋଟ ୨ କୋଟି ୪୦ ଲକ୍ଷ ଭୋଟର ଥିବାବେଳେ, ୬୩.୩୧ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ଦ୍ଵିତୀୟ ପର୍ଯ୍ୟାୟରେ ଉତ୍ତର ଓ ମଧ୍ୟ ଗୁଜରାଟରେ ୧୪ ଜିଲ୍ଲାର ୯୩ ଆସନରେ ଡିସେମ୍ବର ୫ ତାରିଖରେ ନିର୍ବାଚନ ହୋଇଥିଲା।   ୮୩୩ ପାର୍ଥୀ ଏଥିରେ ପ୍ରତିଦ୍ଵନ୍ଦିତା କରିଥିଲେ। ଦ୍ଵିତୀୟ ଚରଣରେ  ମୋଟ ୨ କୋଟି ୫୧ ଲକ୍ଷ ଭୋଟର ଥିବାବେଳେ, ୬୪.୩୯ ପ୍ରତିଶତ ମତଦାନ ହୋଇଥିଲା ଗୁଜରାଟରେ ସରକାର ଗଠନ ପାଇଁ ବହୁମତ ସଂଖ୍ୟା ହେଉଛି ୯୨।

ଗୁଜରାଟରେ ୧୯୯୫ ମସିହାରୁ ବିଜେପିର ସରକାର ରହିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୧ରେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ସେ ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରେ ଏଠାରେ ବିଜେପିର ୩ ଜଣ ମୁଖ୍ୟମନ୍ତ୍ରୀ ରହିସାରିଲେଣି। ବିଜେପି ପକ୍ଷରୁ ଅନନ୍ଦିବେନ ପଟେଲ, ବିଜୟ ରୁପାଣିଙ୍କ ପରେ ଏବେ ଭୂପେନ୍ଦ୍ର ଭାଇ ପଟେଲ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ବିଜେପି ପୁଣିଥରେ ଭୂପେନ୍ଦ୍ର ଭାଇ ପଟେଲଙ୍କ ନେତୃତ୍ବରେ ସରକାର କରିବାକୁ ଏହି ନିର୍ବାଚନ ଲଢିଥିଲା।

ନଭେମ୍ବର ୧୨ତାରିଖରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୬୬ ପ୍ରତିଶତ ମତଦାନ ହୋଇଥିଲା। ହିମାଚଳରେ ସରକାର ଗଠନ ପାଇଁ ବହୁମତ ସଂଖ୍ୟା ହେଉଛି ୩୫। ଏହି ନିର୍ବାଚନରେ ଭାଜପା ପୁନର୍ବାର ସରକାର ଗଢ଼ିବାକୁ ସବୁ ପ୍ରକାର ଉଦ୍ୟମ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ହାତରୁ କ୍ଷମତା ଛଡ଼ାଇନେବାକୁ ବିରୋଧୀ କଂଗ୍ରେସ ଅଣ୍ଟା ଭିଡ଼ିଥିଲା।

ଡିସେମ୍ବର ୫ ତାରିଖରେ ଓଡ଼ିଶାର ପଦ୍ମପୁର ସମେତ ରାଜସ୍ଥାନର ସର୍ଦ୍ଦାରସହର, ବିହାରର କରହାନି, ଉତ୍ତର ପ୍ରଦେଶର ରାମପୁର ଓ ଖଟୌଲି ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବଙ୍କ ପରଲୋକ ପରେ ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ମଧ୍ୟ ଏହିଦିନ ମତଦାନ ହୋଇଥିଲା। ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସହିତ ଏହି ଉପନିର୍ବାଚନଗୁଡ଼ିକର ଫଳାଫଳ ଗୁରୁବାର ଭୋଟ ଗଣତି ପରେ ପ୍ରକାଶ ପାଇବ।

Tags: #AssemblyElection #Gujarat #HimachalPradesh #Result #8December #Voters #Vote #EVM #ECI

Comment