ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟର ରାଜକୋଟରେ ଥିବା ଏକ ମଲର ଗେମିଂ ଜୋନରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଏବେ ବି କିଛି ଲୋକ ନିଖୋଜ ଥିବା କୁହାଯାଉଛି। ଘଟଣାରେ ଉକ୍ତ ଗେମିଂ ଜୋନ ମାଲିକଙ୍କ ସମେତ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ରାଜକୋଟର ଟିଆରପି ଗେମିଂ ଜୋନରେ ଶନିବାର ସନ୍ଧ୍ୟାରେ ଅଚାନକ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ୫ କିଲୋମିଟର ଦୂର ଯାଏଁ କଳା ଧୂଆଁ ଦେଖାଯାଉଥିଲା। ଅନେକ ଲୋକ ଗେମିଂ ଜୋନରୁ ବାହାରି ଆସିଥିଲେ ମଧ୍ୟ ଏକାଧିକ ଲୋକ ଫସି ଯାଇଥିଲେ।

ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ଅନେକ ଲୋକ ପ୍ରାଣ ହରାଇ ସାରିଥିଲେ।

ତେବେ ଏହି ମାମଲାର ତଦନ୍ତ ପାଇଁ ଗୁଜରାଟ ସରକାର ଏସଆଇଟି ଗଠନ କରିଛନ୍ତି। ଗେମିଂ ଜୋନର ମାଲିକଙ୍କ ସମେତ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଏହାସହ ଗୁଜରାଟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।

Tags: #Rajkot #FireIncident #Death #GamingZone #Gujarat

LEAVE A REPLY

Please enter your comment!
Please enter your name here