ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟ ଓ ହିମାଚଳ ପ୍ରଦେଶରେ ସରିଛି ବିଧାନସଭା ନିର୍ବାଚନ। ଏବେ ଡିସେମ୍ବର ୮ ଅର୍ଥାତ ଗୁରୁବାର ଦିନ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ। ଗୁଜରାଟରେ ସୋମବାର ଦିନ ଦ୍ଵିତୀୟ ପର୍ଯ୍ୟାୟ ଭୋଟଦାନ ଶେଷ ହେବାପରେ ଦୁଇ ରାଜ୍ୟ ସଂପର୍କରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ କରାଯାଇଛି। ଏକ୍‌ଜିଟ୍‌ ପୋଲ ଅନୁଯାୟୀ ଗୁଜରାଟରେ ବିଜେପି ପୁଣିଥରେ ସରକାର ଗଢୁଥିବା ବେଳେ, ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ଏକ୍‌ଜିଟ୍‌ ପୋଲରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନର ହାରାହାରି ସଂଖ୍ୟା (ପୋଲ୍‌ ଅଫ୍‌ ଦି ପୋଲ୍ସ) ଅନୁଯାୟୀ ଗୁଜରାଟରେ ମୋଟ ୧୮୨ଟି ଆସନ ମଧ୍ୟରୁ ୧୩୨ଟି ଆସନରେ ବିଜେପି ବିଜୟୀ ହେବ। ସେହିପରି କଂଗ୍ରେସ ଏବଂ ଏହାର ମେଣ୍ଟ ୩୮ଟି ଆସନରେ ଜିତିବାକୁ ଥିବାବେଳେ ଆପ୍‌ ତୃତୀୟ ସ୍ଥାନରେ ୧୦ଟି ଆସନ ଭିତରେ ସୀମିତ ରହିବ ବୋଲି ଏହି ପୋଲ୍‌ ଅଫ୍‌ ଦି ପୋଲ୍ସରୁ ଅନୁମାନ କରାଯାଇଛି। ୨୦୧୭ ବିଧାନସଭା ନିର୍ବାଚନ ତୁଳନାରେ ବିଜେପି ଗୁଜରାଟରେ ଅଧିକ ଆସନରେ ଜିତୁଥିବା ବେଳେ କଂଗ୍ରେସର ଆସନ ସଂଖ୍ୟା ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି।

ଗୁଜରାଟ ନିର୍ବାଚନରେ ଏକ୍‌ଜିଟ୍‌ ପୋଲ ବାହାର କରିଥିବା ସଂସ୍ଥା ଇଣ୍ଡିଆଟୁଡେ- ଅକ୍ସିସ ମାଇଁ ଇଣ୍ଡିଆ  ବିଜେପି ୧୨୯ରୁ ୧୫୧ ଆସନ ,କଂଗ୍ରେସ ୧୬ ରୁ ୩୦ଟି ଆସନ ଏବଂ ଆମ ଅଦମୀ ପାର୍ଟି ୯ ରୁ ୨୧ଟି ଆସନ ଜିତିବ ବୋଲି ଅନୁମାନ କରିଛି।

ସେହିପରି ସି-ଭୋଟର ଗୁଜରାଟରେ ବିଜେପିକୁ ୧୨୮ ରୁ ୧୪୦ ଆସନ, କଂଗ୍ରେସକୁ ୩୧ରୁ ୪୩ଟି ଆସନ ଏବଂ ଆମ ଅଦମୀ ପାର୍ଟିକୁ ୩ ରୁ ୧୧ଟି ଆସନ ମିଳିବ ବୋଲି ଅନୁମାନ କରିଛି। ଅନ୍ୟ ଏକ ସଂସ୍ଥା ନ୍ୟୁଜ୍ ଏକ୍ସ-ଜନ୍ କୀ ବାତ୍ ବିଜେପି ୧୧୭ ରୁ ୧୪୦ ଆସନ ,କଂଗ୍ରେସ ୩୪ ରୁ ୫୧ଟି ଆସନ ଏବଂ ଆମ ଅଦମୀ ପାର୍ଟି ୬ ରୁ ୧୩ଟି ଭିତରେ ଆସନ ଜିତିବ ବୋଲି ଅନୁମାନ କରିଛି।

ହିମାଚଳ ପ୍ରଦେଶରେ ୬୮ଟି ଆସନ ପାଇଁ ନଭେମ୍ବେର ୧୨ ତାରିଖରେ ବିଧାନସଭା ନିର୍ବାଚନ ହୋଇଥିଲା। ଏବେ ଏହି ନିର୍ବାଚନ ପାଇଁ ମଧ୍ୟ ଏକ୍‌ଜିଟ୍‌ ପୋଲ୍ ପ୍ରକାଶ ପାଇଛି। କିଛି ସଂସ୍ଥା ନିଜ ଏକ୍‌ଜିଟ୍‌ ପୋଲରେ ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଅନୁମାନ କରିଥିବାବେଳେ, ଆଉକିଛି ସଂସ୍ଥା ବିଜେପି ପୁଣିଥରେ ସରକାର କରିବ ବୋଲି ଅନୁମାନ କରିଛନ୍ତି। ତେବେ ‘ପୋଲ୍‌ ଅଫ୍‌ ଦି ପୋଲ୍ସ’ରେ ବିଜେପି ୩୫ଟି ଆସନରେ ବିଜୟୀ ହେଉଥିବା ଅନୁମାନ କରାଯାଇଛି। ୨୦୧୭ ବିଧାନସଭା ନିର୍ବାଚନ ଠାରୁ ଦଳକୁ ୮ଟି ଆସନ କମ ମିଳିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ କଂଗ୍ରେସ ମୋଟ ୩୦ଟିରେ ଆସନରେ ବିଜୟୀ ହେବ ବୋଲି ଅନୁମାନ କରାଯାଇଛି।

ହିମାଚଳ ପ୍ରଦେଶ ନିର୍ବାଚନରେ ଏକ୍‌ଜିଟ୍‌ ପୋଲ ବାହାର କରିଥିବା ସଂସ୍ଥା ଇଣ୍ଡିଆଟୁଡେ- ଅକ୍ସିସ ମାଇଁ ଇଣ୍ଡିଆ ବିଜେପିକୁ ୨୪ ରୁ ୩୪ ଆସନ ,କଂଗ୍ରେସକୁ ୩୦ରୁ ୪୦ଟି ଆସନ ମିଳିବ ବୋଲି ଅନୁମାନ କରିଛି। ସେହିପରି ଟୁଡେସ ଚାଣକ୍ୟ ସଂସ୍ଥା ବିଜେପି ୩୩ଟି, କଂଗ୍ରେସ ୩୦ଟି ଆସନ ଜିତିବ ବୋଲି ଅନୁମାନ କରିଛି। ସେହିପରି ଅନ୍ୟ ଏକ ସଂସ୍ଥା ନ୍ୟୁଜ୍ଏକ୍ସ-ଜନ୍ କୀ ବାତ୍ ବିଜେପିକୁ ୩୨ ରୁ ୪୦ ଟି ଆସନ ,କଂଗ୍ରେସକୁ ୨୭ ରୁ ୩୪ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି।

Tags: #AssemblyElection #Gujarat #HimachalPradesh #Exitpolls #Voters #Vote #EVM #8December #ECI

 

 

Comment