ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ୩ଟି ବଡ଼ଧରଣର ଆକ୍ରମଣର ଶିକାର ହୋଇଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା। ବୁଧବାର ନିଉ ଓର୍ଲିନ୍ସ, ନ୍ୟୁୟର୍କ ଓ ଲାସ ଭେଗସରେ ହୋଇଥିବା ଆକ୍ରମଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏଥିରୁ କେବଳ ନିଉ ଓର୍ଲିନ୍ସ ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସବୁ ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ‘ଆଇଏସ୍ଆଇଏସ୍’ର ହାତ ଥିବା ସନ୍ଦେହ କରାଯାଉଛି।
ନ୍ୟୁ ଓର୍ଲିନ୍ସରେ ଦୁଃଖଦ ଘଟଣା
ନ୍ୟୁ ଓର୍ଲିନ୍ସରଫ୍ରାନ୍ସ କ୍ୱାର୍ଟରରେ ବୁଧବାର ନୂଆବର୍ଷ ପାଳନ ପାଇଁ ଅନେକ ଲୋକଙ୍କ ସମାଗମ ହୋଇଥିଲା। ଏହି ସମୟରେ ଜଣେ ବ୍ୟକ୍ତି ନିଜ ଦୃତଗାମୀ କାରକୁ ଭିଡ଼ ଉପରେ ଚଢ଼ାଇ ଦେଇଥିଲେ। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।
ଏହାପରେ ପୋଲିସ ସହ ଗୁଳି ବିନିମୟରେ ୪୨ ବର୍ଷୀୟ ସନ୍ଦିଗ୍ଧ ଶମସୁଦ୍ଦିନ ଜବ୍ବରଙ୍କ ମୃତ୍ୟୁ ଘଟିଛି। ସେ ପୋଲିସ ସହ ଗୁଳି ବିନିମୟ କରିବା ପୂର୍ବରୁ ଭିଡ଼ ଭିତରକୁ ଏସୟୁଭି କାର୍ ମଡେଇ ଦେଇଥିବା ଦେଖିବାକୁ ମିଳିଥିଲା।
ଏହି ଗାଡ଼ିରୁ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଏକ ବ୍ୟାନର ଜବତ କରାଯାଇଛି ବୋଲି ଏଫବିଆଇ ପକ୍ଷରୁ କୁହାଯାଇଛି। ମୃତ ଶମସୁଦ୍ଦିନ ଜବ୍ବର ଏହି ସଂଗଠନ ସହ ଜଡ଼ିତ ଥିବା ନେଇ ସନ୍ଦେହ କରାଯାଉଛି।
ଅନ୍ୟପଟେ ଏହାର କିଛି ଘଣ୍ଟା ମଧ୍ୟରେ ଲସ୍ ଭେଗସର ଟ୍ରମ୍ପ୍ ଇଣ୍ଟରନାସନାଲ୍ ହୋଟେଲ୍ ବାହାରେ ଏକ କାରରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ନ୍ୟୁୟର୍କ ନାଇଟ୍ କ୍ଲବରେ ଆକ୍ରମଣ
ନ୍ୟୁ ଓର୍ଲିନ୍ସ ଓ ଲସ୍ ଭେଗସ ଘଟଣା ପରେ ନ୍ୟୁୟର୍କର ଏକ ନାଇଟ୍ କ୍ଲବରେ ବୁଧବାର ବିଳମ୍ବିତ ରାତିରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଥିଲା। ଏଥିରେ ୧୨ ଜଣ ଆହତ ହୋଇଥିଲେ। ଏହି ନାଇଟ୍ କ୍ଲବରେ ନୂଆବର୍ଷ ପାଇଁ ଅନେକ ଲୋକ ଏକତ୍ରିତ ହୋଇଥିଲେ। ଏଠାରେ ଏକ ଲାଇଭ୍ ଇଭେଣ୍ଟ ଆୟୋଜନ କରାଯାଉଥିଲା।
ଏହି ଘଟଣା ପରେ ନାଇଟ୍ କ୍ଲବ୍ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନ୍ୟୁୟର୍କ ପୋଲିସ ଗୁଳିକାଣ୍ଡ ପଛରେ ଅଭିଯୁକ୍ତଙ୍କ ବିଷୟରେ କୌଣସି ବିବରଣୀ ପ୍ରକାଶ କରିନାହିଁ। ତଦନ୍ତ ଜାରି ରହିଛି। ତେବେ ଏହି ଗୁଳିକାଣ୍ଡ ପଛରେ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସର ହାତ ରହିଥିବା ସନ୍ଦେହ କରାଯାଉଛି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ହୋଇଥିବା ଏହି ଆକ୍ରମଣରେ ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ଏହି ଆକ୍ରମଣ ପଛରେ ଥିବା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଘୋଷଣା କରିଛନ୍ତି।
ଇସ୍ଲାମିକ୍ ଷ୍ଟେଟର କାର୍ଯ୍ୟକଳାପ
ଆଇଏସଆଇଏସ୍ ନାମରେ ପରିଚିତ ଇସ୍ଲାମିକ୍ ଷ୍ଟେଟ୍ ଅଲ୍ କାଏଦାର ଏକ ବିଚ୍ଛିନ୍ନବାଦୀ ଗୋଷ୍ଠୀ ଭାବେ ଉଭା ହୋଇଛି। ୨୦୧୪ରେ ଏହି ଆତଙ୍କବାଦୀ ସଙ୍ଗଠନ ଚରମ ସୀମାରେ ଥିବାବେଳେ ଅବୁ ବକର ଅଲ-ବାଗଦାଦିଙ୍କ ନେତୃତ୍ୱରେ ଇରାକ ଓ ସିରିଆର ବିଶାଳ ଅଞ୍ଚଳକୁ ଏହି ସଙ୍ଗଠନ ନିୟନ୍ତ୍ରଣ କରିଥିଲା।
ଆମେରିକା ନେତୃତ୍ଵାଧୀନ ସାମରିକ ମେଣ୍ଟ ଦ୍ୱାରା ଆଇଏସଆଇଏସ୍ ପରାସ୍ତ ହେବା ପରେ ଏହାର କ୍ଷମତା କମ ହୋଇଥିଲା। ଏବେ ଏହି ସଂଗଠନ ନିଜର ଶକ୍ତି ଫେରାଇ ଆଣିବାକୁ ଚେଷ୍ଟା କରୁଛି। ଆଇଏସ୍ ସମର୍ଥକଙ୍କ ସହ ଜଡ଼ିତ ଅନ୍ଲାଇନ୍ ଫୋରମଗୁଡ଼ିକ ନ୍ୟୁ ଅର୍ଲିନ୍ସ ଆକ୍ରମଣକୁ ଘଟାଇଛନ୍ତି ବୋଲି ଆମେରିକାର ଏସ୍ଆଇଟିଇ ଇଣ୍ଟେଲିଜେନ୍ସ ଗ୍ରୁପ୍ ପକ୍ଷରୁ କୁହାଯାଇଛି।
Tags: #USAttacks #NewOrleans #NewYork #TerrorLink #ISIS #USA