ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ। ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ସିରିଜରେ ଦୁଇଟି ଟେଷ୍ଟରେ ପରାଜୟ ପରେ ପଛେଇ ଭାରତୀୟ ଦଳ। ମ୍ୟାଚ ଜିତି ସିରିଜ୍ ବରାବର କରିବା ପାଇଁ ଟିମ୍ ଇଣ୍ଡିଆ କଠିନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

ଏହି ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚରେ ଜିତିବା ପରେ ଅନ୍ୟ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିବା ଭାରତ ପାଇଁ ବହୁତ କଠିନ ହୋଇଯାଇଛି। ଏହା ଟିମ୍ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସିଡନୀ ଟେଷ୍ଟରେ ଭାରତୀୟ ଦଳରେ କିଛି ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିପାରେ। ଏହାସହ ଦୁଇଜଣ ସ୍ପିନରଙ୍କୁ ନେଇ ଦଳ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି। ସେହିପରି ପେସ ବୋଲରମାନେ ମେଲବର୍ଣ୍ଣ ପିଚ୍ ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ସର୍ଟ ପିଚ୍ ଓ ବାଉନ୍ସର୍ ବଲକୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ଅସ୍ତ୍ର କରିବାର ସମ୍ଭାବନା ରହିଛି।

ଅନ୍ୟପଟେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ସେମାନେ ଏହି ଟେଷ୍ଟରେ କିଭଳି ଖେଳିବେ ତାହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ସେହିପରି ଯଶସ୍ଵୀ ଜୟସ୍ଵାଲ୍, ରିଷବ ପନ୍ତ ଓ କେ ଏଲ୍ ରାହୁଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।           

ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ହୋଇଛି। ତେବେ ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ସିରିଜ୍ ବରାବର କରିବା ବୋଲି ଭାରତୀୟ ପ୍ରଶଂସକଙ୍କ ଆଶା ଉଜ୍ଜୀବିତ ରହିଛି।

Tags: #Border-GavaskarTrophy #TestSeries #IndiavsAustralia #Sydney #BCCI #Sports

Comment