ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୨୪ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଓଡ଼ିଆ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡା। ସମାରୋହରେ ଭାରତର ମୋଟ ୨୪ ଜଣ ଯୁବ ସାହିତ୍ୟିକ ହେବେ ସମ୍ମାନିତ।
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ସମାରୋହ। ଜାନୁଆରି ୧୨ ତାରିଖରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ଓଡ଼ିଶାର ଯୁବ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡା ସମ୍ମାନିତ ହେବେ। ଏହାସହ ଦେଶର ମୋଟ ୨୪ ଜଣ ଯୁବ ସାହିତ୍ୟିକଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ।
ବର୍ଷ ୨୦୨୪ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ସଞ୍ଜୟ କୁମାର ପଣ୍ଡା। ତାଙ୍କର ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
୧୯୯୦ ମସିହାରେ ଜନ୍ମ ଗ୍ରହଣ କରିଥିବା ସଞ୍ଜୟ କୁମାର ପଣ୍ଡା ବୃତ୍ତିରେ ସେ ଜଣେ ଶିକ୍ଷକ। ‘ହୁ ବାଇଆ’ ଓ ‘ତକିଆ’ ନାମରେ ତାଙ୍କର ଦୁଇଟି ଗଳ୍ପ ବହି ପ୍ରକାଶିତ ହୋଇଛି। ତାଙ୍କ ଗଳ୍ପଗୁଡ଼ିକ ବେଶ୍ ଲୋକପ୍ରିୟ ହୋଇପାରିଛି। ତାଙ୍କର ପୁରସ୍କାର ପ୍ରାପ୍ତି ଖବରରେ ଯୁବଲେଖକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଇଂରାଜୀ କବି ଜେରି ପିଣ୍ଟୋ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାସହ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ମାଧବ କୌଶିକ, ଉପସଭାପତି କୁମୁଦ ଶର୍ମା ଏବଂ ସଚିବ କେ ଶ୍ରୀନିବାସରାଓ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଯୁବ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ୨୦୧୧ ମସିହାରୁ ଏହି ଯୁବ ପୁରସ୍କାର ଆରମ୍ଭ କରାଯାଇଥିଲା। ପ୍ରତି ବର୍ଷ ୨୪ଟି ଭାରତୀୟ ଭାଷାରେ ୩୫ ବର୍ଷ ବୟସରୁ କମ୍ ଯୁବ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରା ଯାଇଥାଏ। ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କା ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥାଏ।
Tags: #KendraSahityaAkademi #YuvaPuraskar2024 #SanjayKumarPanda #OdiaWriter #Bhubaneswar