ଜଗନ୍ନାଥ ପ୍ରସାଦ ଦାସ

ନିକଟରେ ମୁକ୍ତି ଲାଭ କରିଥିବା କବାଲି ଫିଲ୍ମରେ ସୁପରଷ୍ଟାର ରଜନୀକାନ୍ତ ସବୁ ସମୟରେ ଥ୍ରୀ-ପୀସ୍ ସୁଟ୍‌ରେ ଦେଖାଯାନ୍ତି। ଏହି ପୋଷାକ ବିଷୟରେ ସେ ଫିଲ୍ମର ଖଳନାୟକକୁ କହନ୍ତି, ଗାନ୍ଧୀ ତାଙ୍କର କୁର୍ତ୍ତା ପରିତ୍ୟାଗ କଲେ ଓ ଆମ୍ବେଦକର ସୁଟ ପରିଧାନ କଲେ, ଉଭୟର କାରଣ ହେଉଛି ରାଜନୀତି। ଏହି ଫିଲ୍ମର ଅନ୍ୟତ୍ର ସ୍କୁଲ ପିଲାମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହୁଛନ୍ତି, ଖରାଦିନେ ବି ମୁଁ ସୁଟ ପିନ୍ଧେ କାରଣ ଜଣେ ନୀଚ ବର୍ଗର ଲୋକ ଭାବରେ ମୁଁ ଏହା ଦ୍ୱାରା ମୋର ବକ୍ତବ୍ୟ ରଖିବାକୁ ଚାହେଁ।

ଏ କଥା ସେ ଠିକ କହିଛନ୍ତି କାରଣ ସର୍ବସାଧାରଣ ସ୍ଥାନରେ ଆମ୍ବେଦକରଙ୍କ ଯେଉଁ ପ୍ରତିମୂର୍ତ୍ତିମାନ ସ୍ଥାପିତ ହୋଇଛି, ସେଥିରେ ଆମ୍ବେଦକର ସାହେବୀ ପୋଷାକରେ ଠିଆ ହୋଇଛନ୍ତି ଗୋଟିଏ ହାତରେ ସଂବିଧାନ ବହି ଧରି ଓ ଆର ହାତ ଉପରକୁ ଉଠାଇ। ଏ ମୂର୍ତ୍ତିକୁ ଦେଖି ପ୍ରତ୍ୟେକ ଦଳିତ ଗର୍ବର ସହିତ କହିପାରିବ, ତମେମାନେ ମତେ ଏପରି ଦୁଃସ୍ଥ ଅବସ୍ଥାରେ ଦେଖୁଚ, କିନ୍ତୁ ଛକ ଉପରେ ମୋ ଭାଇକୁ ଦେଖ, ସେ କେମିତି ସାହେବ ଭଳି ଛିଡ଼ା ହୋଇଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ କେତେକ ଦଳିତ ନେତା ଦଳିତମାନଙ୍କର ଇଂରେଜୀ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି।

ଜନନାୟକମାନଙ୍କର ପୋଷାକ ସବୁବେଳେ ଆଲୋଚନାର ବିଷୟ ହୋଇଥାଏ। ୧୯୨୧ ମସିହାରେ ଗାନ୍ଧୀ ଓଡ଼ିଶା ଆସିଥିବା ବେଳେ ବୋଲଗଡ଼ଠାରେ ତାଙ୍କୁ ଭେଟିବାକୁ ଆସିଥିଲା ଦାନ୍ତରେ ତିରଣ ଧରି ଜଣେ ଅଚ୍ଛବ। ତା’କୁ ଦେଖି ଅନେକ ଚିନ୍ତା କରିବା ପରେ ଗାନ୍ଧୀ ନିଶ୍ଚୟ କଲେ ଯେ ସେ ନିଜେ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧିବେ। ସେହି ଦିନଠାରୁ ସେ ଏହି ପୋଷାକରେ ରହିଲେ ଏବଂ ଚର୍ଚ୍ଚିଲ ତାଙ୍କୁ ଉପହାସ କରି କହିଲେ, ‘ଲଙ୍ଗଳା ଫକୀର’। ଗାନ୍ଧୀଜୀ ତା’ର ଉପଯୁକ୍ତ ଉତ୍ତର ଦେଇ ଲଣ୍ଡନରେ ପଞ୍ଚମ ଜର୍ଜଙ୍କୁ ଭେଟିବାକୁ ଯିବା ବେଳେ  କହିଥିଲେ, ହିଜ ମ୍ୟାଜେଷ୍ଟି ଯେତେ ପୋଷାକ ପିନ୍ଧିଛନ୍ତି, ତା’ ଆମ ଦିହିଙ୍କ ପାଇଁ ଯଥେଷ୍ଟ।

ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ଗାନ୍ଧୀଜୀ ପଗଡ଼ି ଛାଡ଼ି ସାହେବୀ ଟୋପି ପିନ୍ଧିବା କଥା ଭାବିଥିଲେ, କିନ୍ତୁ ଅବଦୁଲ୍ଲା ସେଠ ତାଙ୍କୁ ବୁଝାଇଥିଲେ ଯେ ଏହା ଭାରତୀୟଙ୍କ ପାଇଁ କ୍ଷତିକାରକ ହେବ, କାରଣ ପଗଡ଼ି ସେମାନଙ୍କର ପୋଷାକର ଅଂଶ। ଗାନ୍ଧୀ ଯଦି ସାହେବୀ ଟୋପି ପିନ୍ଧନ୍ତି ତାଙ୍କୁ ଲୋକେ ହୋଟେଲର ୱେଟର ବୋଲି ଭାବିବେ। ଏ କଥା ଶୁଣିବା ପରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଥିବା ପର୍ଯ୍ୟନ୍ତ ମୁଣ୍ଡରେ ପଗଡ଼ି ପିନ୍ଧୁଥିଲେ।

ଆମ ଦେଶରେ ପଗଡ଼ି ପିନ୍ଧିବା ଏକ ଗର୍ବର ବିଷୟ। ଓଡ଼ିଶାରେ ରାଜା ମହାରାଜାଙ୍କ ବ୍ୟତୀତ ପଗଡ଼ି ପିନ୍ଧୁଥିବା ଅନ୍ୟତମ ଲୋକ ଥିଲେ ମଧୁବାବୁ। ଉତ୍କଳ ସମ୍ମିଳନୀରେ ସଭ୍ୟମାନେ ବ୍ୟବହାର କରିବା ପାଇଁ ସେ ଗୋଟିଏ ଗୋଲାପୀ ରଂଗର ସୋଲ ତିଆରି ପଗଡ଼ି ଭଳି ଦିଶୁଥିବା ଟୋପି ତିଆରି କରାଇଥିଲେ। ଏହା କିନ୍ତୁ ଆଦୃତ ବା ବ୍ୟବହୃତ ହୋଇ ନଥିଲା।

ଗାନ୍ଧୀଜୀଙ୍କ ସମୟରେ ଖୁବ୍ କମ୍ ନେତା ତାଙ୍କ ଭଳି ପୋଷାକ ପିନ୍ଧୁଥିଲେ। ବିଲାତୀ ଲୁଗାକୁ ତ୍ୟାଗ କରିବାର ନିଷ୍ପତ୍ତି ଓ ତା’କୁ ଜାଳି ଦେବାର ପର୍ବ ପରେ ୧୯୨୬ର ଗୌହାଟି ଅଧିବେଶନରେ ଖଦଡ଼ ପିନ୍ଧିବା କଂଗ୍ରେସ ସଭ୍ୟମାନଙ୍କ ପାଇଁ ବାଧ୍ୟତାମୂଳକ କରାଗଲା। ସେତେବେଳେ କଂଗ୍ରେସୀଙ୍କର ପୋଷାକ ଥିଲା ଧୋତି ବା ପାଇଜାମା ଓ ପଂଜାବୀ। ୧୯୭୧ରେ ଏଥିରେ ଏକ ପରିବର୍ତ୍ତନ ଅଣାଗଲା ଖଦି ବା ସ୍ୱଦେଶୀ। ୨୦୦୭ରେ ଏହାକୁ ଆହୁରି ଫିକା କରିବା ପାଇଁ ପ୍ରସ୍ତାବ ଆସିଲା ଖଦି ବା ସ୍ୱଦେଶୀ ବା ଭାରତରେ ତିଆରି!

ସ୍ୱାଧୀନତା ପରେ ନେହରୁଙ୍କ ପୋଷାକ ରାଜନୈତିକ ନେତାଙ୍କ ପାଇଁ ଆଦର୍ଶ  ହୋଇଗଲା। ମାଓ କୋଟ୍ ଭଳି ନେହରୁ ଜ୍ୟାକେଟ ଆନ୍ତର୍ଜାତିକ ଫେଶନ ଜଗତରେ ଜଣାଶୁଣା। ମୋର ମନେ ପଡୁଛି ଯେ ଗତ ଶତାବ୍ଦୀର ପଚାଶ ଦଶକରେ ଓଡ଼ିଶାରେ ମହତାବ ପିନ୍ଧୁଥିବା ସଫାରି ସୁଟ୍‌କୁ ସେତେବେଳେ ଲୋକେ ମହତାବୀ କୋଟ୍ ବୋଲି କହୁଥିଲେ। ନିକଟରେ ନରେନ୍ଦ୍ର ମୋଦିଙ୍କର ଦଶ ଲକ୍ଷ ଟଙ୍କାର ବନ୍ଦ ଗଳା କୋଟ୍ (ଯାହା ପରେ ୪ କୋଟି ୩୦ ଲକ୍ଷ ଟଙ୍କାରେ ନିଲାମ ହେଲା) ସମାଲୋଚନାର ଶରବ୍ୟ ହୋଇଥିଲା ଏବଂ ବିରୋଧୀ ଦଳ ସୁଟ ବୁଟ କୀ ସରକାର ନାରା ଉଠାଇଥିଲେ।

ନେତାମାନେ ସବୁବେଳେ ନିଜର ଏକ ଟ୍ରେଡ୍‌ମାର୍କ ପୋଷାକ ପିନ୍ଧନ୍ତି ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଦେବ, ଯଥା ଆନ୍ନା ହଜାରେଙ୍କ ଗାନ୍ଧୀ ଟୋପି, ମମତା ବାନାର୍ଜୀଙ୍କର ହଓ୍ୱାଇ ଚପଲ, ମାୟାବତୀଙ୍କ ପର୍ସ, ରାଜନାରାୟଣଙ୍କ ମୁଣ୍ଡରେ ବନ୍ଧା ସବୁଜ ରୁମାଲ ଇତ୍ୟାଦି। ନେତାମାନେ  ଯେଉଁ ଜାଗାକୁ ଯାନ୍ତି ସେଠାକାର ପୋଷାକ ପିନ୍ଧି ସ୍ଥାନୀୟ ଲୋକଙ୍କର ମନ ଜିଣିବାକୁ ଚେଷ୍ଟା କରିଥାନ୍ତି। ନେହରୁ ଏ ବିଷୟରେ ଧୂରନ୍ଧର ଥିଲେ; ଫଟୋରେ ତାଙ୍କୁ ଭାରତର ବିଭିନ୍ନ ଅଂଚଳର ପୋଷାକରେ ଦେଖିବାକୁ ମିଳିବ। ଏହାର ଗୋଟିଏ ବ୍ୟତିକ୍ରମ ଉଦାହରଣ ଅଛି: ନରେନ୍ଦ୍ର ମୋଦି ଥରେ ମୁଣ୍ଡରେ ମୁସଲମାନୀ ଟୋପି ଲଗାଇବାକୁ ମନା କରି ଦେଇଥିଲେ।

ପୃଥିବୀର ଅନ୍ୟ ଦେଶମାନଙ୍କରେ ନେତାମାନେ ସାଧାରଣ ଲୋକଙ୍କ ଭଳି ପୋଷାକ ପିନ୍ଧିଥାନ୍ତି, କିନ୍ତୁ ଆମ ଦେଶରେ ପୋଷାକରୁ ଲୋକଟି ଜଣେ ନେତା ବୋଲି ଜାଣି ହୁଏ। ସ୍ୱାଧୀନତା ପୂର୍ବରୁ ଏ ପୋଷାକ ଥିଲା ପଡ଼ାର ଦର୍ଜି ସିଲାଇ କରିଥିବା ମୋଟା ଖଦଡ଼ର ବେଢ଼ଙ୍ଗ ପଂଜାବୀ, ପାଇଜାମା ବା ଧୋତି ଓ ଗାଁ ମୋଚି ତିଆରି କରିଥିବା ଚଟି। ବର୍ତ୍ତମାନ ପୋଷାକ ହେଉଛି ଦାମୀ କପଡ଼ାର ଡିଜାଇନର୍ କୁର୍ତ୍ତା ପାଜାମା ଏବଂ ରାଜୀବ ଗାନ୍ଧୀଙ୍କଠାରୁ ଆରମ୍ଭ କରି ପାଦରେ ବିଦେଶୀ ବ୍ରାଣ୍ଡର ସ୍ନୀକର। ତା’ ସହିତ ଋତୁ ଓ ପାଗ ନିର୍ବିଶେଷ ରଂଗ ବେରଂଗ ନେହରୁ ଜ୍ୟାକେଟ୍। ବୈଦେଶିକ ସେବା ଅଫିସର ନଟବର ସିଂହ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ସେ କିପରି କଂଗ୍ରେସରେ ଯୋଗ ଦେବା ପୂର୍ବରୁ କୁର୍ତ୍ତା ପାଜାମା ଓ ଜଓ୍ୱାହର ଜ୍ୟାକେଟ ତିଆରି କରିଥିଲେ। ଓଡ଼ିଆରେ କଥା ଅଛି, ଭେକ ନଥିଲେ ଭିକ ମିଳେ ନାହିଁ। ତା’କୁ ସାମାନ୍ୟ ବଦଳାଇ କୁହାଯାଇପାରିବ,ଭେକ ନଥିଲେ ଭୋଟ ମିଳେ ନାହିଁ।

ପୋଷାକ ଭଳି ବାଳ ମଧ୍ୟ ନେତାଙ୍କର ଏକ ପ୍ରୟୋଜନୀୟ ଉପକରଣ। ଗତ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ମୁଣ୍ଡରେ ନକଲି ବାଳ ରୋପଣ କରିଥିବା ସମ୍ବାଦ ଇଣ୍ଟରନେଟ୍‌ରେ ଉପଲବ୍ଧ। ନିକଟରେ ହିଲାରୀ କ୍ଲିଣ୍ଟନ କହିଥିଲେ, ମୁଁ ଯଦି ମୋର ହେୟାର ଷ୍ଟାଇଲ୍ ବଦଳାଇ ଦିଏ, ଅତି ସହଜରେ ଖବରକାଗଜର ପ୍ରଥମ ପୃଷ୍ଠାକୁ ଆସିଯାଇପାରିବି। ଚନ୍ଦା ହୋଇ ଆସୁଥିବା ଫ୍ରାନ୍ସର ପ୍ରେସିଡେଣ୍ଟ ଓଲାନ୍ଦେ ନିଜର ହେୟାର ଡ୍ରେସରକୁ ସରକାରୀ ତହବିଲରୁ ମାସକୁ ୧୦,୦୦୦ ୟୁରୋ ଦେଉଥିବାରୁ ସମାଲୋଚିତ ହୋଇଥିଲେ। ବର୍ତ୍ତମାନ ଆମେରିକା ପ୍ରେସିଡେଣ୍ଟ ନିର୍ବାଚନର ପ୍ରାର୍ଥୀ ଟ୍ରମ୍ପ୍‌ଙ୍କ ବାଳ ବିଷୟରେ ଆଲୋଚନା ହେଉଛି ଯେ ଚନ୍ଦାମୁଣ୍ଡକୁ ଢାଙ୍କିବା ପାଇଁ ଓ ଅସଂଯତ ବାଳକୁ ସମ୍ଭାଳିବା ପାଇଁ ସେ କ୍ଲିପ୍ ବ୍ୟବହାର କରୁଛନ୍ତି।

ବାଳ ଭଳି ନିଶଦାଢ଼ି ମଧ୍ୟ ବେଶର ଏକ ବିଶେଷ ଉପାଦାନ। ଆଗକାଳର ଅନେକ କଂଗ୍ରେସ ନେତା ଦାଢ଼ି ରଖୁଥିଲେ, କଂଗ୍ରେସର ପ୍ରଥମ ସଭାପତି ଉମେଶ ଚନ୍ଦ୍ର ବାନାର୍ଜୀଙ୍କଠାରୁ ଆରମ୍ଭ କରି ଦାଦାଭାଇ ନାରୋଜି, ସୁରେନ୍ଦ୍ର ନାଥ ବାନାର୍ଜୀ, ବିନୋବା ଭାବେ ଇତ୍ୟାଦି। ଓଡ଼ିଶାରେ କଂଗ୍ରେସବାଲା ଦାଢ଼ି ରଖିବା ଅତି ସାଧାରଣ ଥିଲା, ଯଥା ଗୋପବନ୍ଧୁ, ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ ଇତ୍ୟାଦି। ଅନେକ ନେତା ନିଶ ମଧ୍ୟ ରଖୁଥିଲେ। ବ୍ରାହ୍ମଣ ସମାଜରେ ନିଶ ରଖିବା ପ୍ରଥା ନଥିବାରୁ ପଣ୍ଡିତ ନୀଳକଣ୍ଠ ଏଥିପାଇଁ ସମାଲୋଚିତ ହୋଇଥିଲେ ଏବଂ ମୋ ନିଶ ବୋଲି ଗୋଟିଏ ଲେଖା ଲେଖିଥିଲେ। ଦାଢ଼ି ଭଳି ଗହଳ ନିଶ ମଧ୍ୟ କିଛି ବିଶିଷ୍ଟ ଲୋକଙ୍କର ପ୍ରିୟ ଥିଲା। ଯଥା ଲାଲ୍ ଲଜପତ୍ ରାୟ, ବାଳ ଗଙ୍ଗାଧର ତିଳକ, ଗୋବିନ୍ଦ ବଲ୍ଲଭ ପନ୍ଥ ଓ ଆମର ଗୌରୀଶଙ୍କର ରାୟ, ରାଧାନାଥ ରାୟ ଓ ଗଙ୍ଗାଧର ମେହେର। ମଜାର କଥା ଯେ ନିଶ ଦାଢ଼ି ଆମେରିକାର ନେତାମାନଙ୍କର ପ୍ରିୟ ନୁହେଁ। ଗତ ଶହେ ବର୍ଷ ଭିତରେ ଯେତେ ଜଣ ଆମେରିକା ରାଷ୍ଟ୍ରପତି ହୋଇଛନ୍ତି ସମସ୍ତେ ମାଖୁନା ମୁହାଁ।

ଫିଲ୍ମଷ୍ଟାରଙ୍କ ପୋଷାକ ସବୁବେଳେ ସାଧାରଣ ଲୋକଙ୍କ ରୁଚିକୁ ପ୍ରଭାବିତ କରିଥାଏ। କୁହାଯାଇଛି ଯେ ଇଟ୍ ହାପ୍‌ନଡ୍‌ ଓ୍ୱନ ନାଇଟ୍ ଫିଲ୍ମରେ କ୍ଲାର୍କ ଗେବ୍‌ଲ୍‌ ଜାମା ତଳେ ଗେଂଜି ପିନ୍ଧି ନ ଥିବା ଦେଖି ଅନେକ ଲୋକ ତାଙ୍କୁ ଅନୁକରଣ କଲେ ଏବଂ ଆମେରିକାରେ ଗେଂଜି ବିକ୍ରି କମିଗଲା। ଆମର ଏଠାରେ ଜୁଏଲ୍ ଥିଫ୍ ଫିଲ୍ମ ପରେ ଦେବାନନ୍ଦ ପିନ୍ଧିଥିବା ଟୋପିର ଚାହିଦା ବଢ଼ିଗଲା। ଆଓ୍ୱାରା ପରେ କିଛି ଦିନ ପ୍ୟାଣ୍ଟକୁ ତଳୁ ଭାଙ୍ଗି ପିନ୍ଧିବା ଏକ ଷ୍ଟାଇଲ୍ ହୋଇଯାଇଥିଲା।

ଫିଲ୍ମଷ୍ଟାର ଓ ପପ୍ ଗାୟକମାନେ ସବୁବେଳେ ନିଜର ଚେହେରା ବିଷୟରେ ସଚେତନ ରହିବା ନିତାନ୍ତ ସ୍ୱାଭାବିକ। ସେଥିପାଇଁ ସେମାନେ ନିଜକୁ ଶଲ୍ୟ ଚିକିତ୍ସକଙ୍କ ଛୁରୀ ପାଖରେ ସମର୍ପଣ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ। ଏହାର ଏକ କରୁଣ ଉଦାହରଣ ହେଲା ଗାୟକ ମାଇକେଲ ଜ୍ୟାକ୍‌ସନ୍ ଚାଳିଶ ଥର ନିଜର ନାକର ସର୍ଜରି କରାଇଥିବା। ସେହିପରି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଉଥିବା ଝିଅମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜର ଅଙ୍ଗ ପ୍ରତ୍ୟଙ୍ଗକୁ ନିଖୁଣ କରିବାକୁ ଚେଷ୍ଟା କରିଥାନ୍ତି।

ବିଖ୍ୟାତ ଲୋକଙ୍କର ପୋଷାକ ସେମାନଙ୍କର ଟ୍ରେଡମାର୍କ ହୋଇଯାଏ ଏବଂ ଏଇ ପୋଷାକ ବିନା ସେମାନଙ୍କୁ କଳ୍ପନା କରାଯାଇ ପାରେ ନା, ଯଥା, ଦାର୍ଶନିକ ରୁସୋଙ୍କର କାଫ୍‌ତାନ, ରବୀନ୍ଦ୍ରନାଥଙ୍କର ଆଲଖାଲ୍ଲା, ଲେନିନଙ୍କ ଚମଡ଼ା ଜର୍କିନ ଓ ବିବେକାନନ୍ଦଙ୍କର ସିଲ୍‌କ୍‌ ଗେରୁଆ ପୋଷାକ ଓ କଳା କମରପଟି। ରବୀନ୍ଦ୍ର ନାଥ ଓ ବିବେକାନନ୍ଦଙ୍କର ପୋଷାକ ଯେ ପାଶ୍ଚାତ୍ୟ ଦେଶର ଲୋକମାନଙ୍କ ପାଖରେ ଆକର୍ଷଣର ଏକ କାରଣ ଥିଲା ସେ କଥା ଅସ୍ୱୀକାର କରାଯାଇପାରିବ ନାହିଁ। ବିଖ୍ୟାତ ଲୋକମାନେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ପୋଷାକ ପିନ୍ଧନ୍ତି, କିନ୍ତୁ ଲୋକମାନେ ସେମାନଙ୍କୁ ଗୋଟିଏ ବିଶେଷ ପୋଷାକ ପିନ୍ଧିଥିବା ରୂପରେ ମନେ ରଖନ୍ତି। ଗାନ୍ଧୀଜୀଙ୍କର ଅଗଣିତ ଫଟୋ ଥିବାବେଳେ ସରକାରୀ ବିଜ୍ଞାପନରେ ତାଙ୍କର ମାତ୍ର ଗୋଟିଏ ଦୁଇଟି ଫଟୋ ବ୍ୟବହାର କରାଯାଇଥାଏ। ସୁଭାଷ ବୋଷଙ୍କୁ ସମସ୍ତେ ବର୍ତ୍ତମାନ ଚିହ୍ନନ୍ତି ତାଙ୍କ ବଙ୍ଗାଳୀ ଭଦ୍ରଲୋକ ଧୋତି ପଂଜାବୀରେ ନୁହେଁ, ମିଲିଟାରୀ ପୋଷାକରେ।

ଆଗ ସମୟରେ ଓଡ଼ିଶାରେ ଫଟୋଗ୍ରାଫ୍‌ର ବିଶେଷ ପ୍ରଚଳନ ଥିବାରୁ ସେତେବେଳର ବିଶିଷ୍ଟ ଲୋକଙ୍କର ଅତି କମ୍ ଫଟୋଗ୍ରାଫ୍ ଦେଖିବାକୁ ମିଳେ। ସାଧୁସୁନ୍ଦର ଦାସଙ୍କ ଫଟୋ ବୋଲି କୁହାଯାଉଥିବା ଚିତ୍ରଟି କାହାରି ହାତର ରଚନା କାରଣ ସେ ସମୟକୁ ଫଟୋଗ୍ରାଫି ଆସି ନ ଥିଲା। ପଠାଣି ସାମନ୍ତଙ୍କର ଭାଗିରଥି ଷାଠିଆ ଉଠାଇଥିବା ଏକମାତ୍ର ଫଟୋଚିତ୍ର ଉପଲବ୍ଧ। ଓଡ଼ିଆ ତାଳପତ୍ର ପୋଥିମାନଙ୍କରେ ଜଗନ୍ନାଥ ଦାସ, ଉପେନ୍ଦ୍ର ଭଂଜ, ବଳଦେବ ରଥ ଇତ୍ୟାଦିଙ୍କର ଚିତ୍ର ଦେଖିବାକୁ ମିଳେ, କିନ୍ତୁ ସେମାନଙ୍କର ଚେହେରା ପ୍ରତି ପୋଥିରେ ଲେଖନକାରର କଳ୍ପନା ଅନୁଯାୟୀ ଭିନ୍ନ ଭିନ୍ନ। ଆଧୁନିକ ସମୟର ଚିତ୍ରକରମାନେ ଜଗନ୍ନାଥ ଦାସ, ଉପେନ୍ଦ୍ର, ଭୀମ ଭୋଇ ଇତ୍ୟାଦିଙ୍କର ଯେଉଁ କାଳ୍ପନିକ ଚିତ୍ର ଆଙ୍କିଛନ୍ତି ସେଥିରୁ କେତେକ ବର୍ତ୍ତମାନ ପ୍ରାମାଣିକ ଭାବରେ ବ୍ୟବହୃତ। ଅଭିମନ୍ୟୁ ସାମନ୍ତସିଂହାରଙ୍କର ଯେଉଁ ଚିତ୍ର ପ୍ରଚଳିତ ତା’ର ମୂଳ ସ୍ରୋତ ସନ୍ଦେହମୁକ୍ତ ନୁହେଁ।

ଲୋକମାନେ ଜୀବିତାବସ୍ଥାରେ ନିଜର ଚେହେରା ଓ ବେଶ ପୋଷାକ ବିଷୟରେ ସଚେତନ ଥାନ୍ତି ଏବଂ ତା’ର ଯତ୍ନ ନେଇଥାନ୍ତି। ଲେଖକମାନେ ବହିର ପ୍ରଚ୍ଛଦରେ (ଏବଂ ବର୍ତ୍ତମାନ ଫେସବୁକ ପୃଷ୍ଠାରେ) ନିଜର ସବୁଠାରୁ ମନୋହାରୀ ଫଟୋଟି ଦେଇଥାନ୍ତି, ଯାହା ଅନେକ ସମୟରେ ତାଙ୍କ ଯୁବାବସ୍ଥାର। ଆଜିକାଲି ଫଟୋଚିତ୍ରକୁ ଫଟୋ ଶପ୍ ଦ୍ୱାରା କାଟଛାଟ କରି ଚେହେରାକୁ ଅଧିକ ସୁନ୍ଦର କରି ଦିଆ ଯାଇପାରୁଛି। ମର୍ଫିଙ୍ଗ୍ କରି କୃତ୍ରିମ ଫଟୋ ମଧ୍ୟ ତିଆରି କରାଯାଇପାରୁଛି, ଯାହାର ଗୋଟିଏ ଉଦାହରଣ ନଜମା ହେପ୍‌ତୁଲ୍ଲା ନିଜକୁ ମୌଲାନା ଆବୁଲ କଲାମ ଆଜାଦଙ୍କ ପାଖରେ ବସାଇଥିବାର ଜାଲ ଫଟୋ। ଷ୍ଟାଲିନ୍‌ଙ୍କ ସମୟରେ କୌଣସି ନେତା ତାଙ୍କର ସମର୍ଥନ ହରାଇଲେ ଗ୍ରୁପ୍ ଫଟୋରୁ ସେ ଲୋକଟିକୁ ଏୟାର ବ୍ରଶ୍ କରି ଉଡ଼ାଇ ଦିଆଯାଉଥିଲା – ହୁଏତ ଗୁଳି କରି ସେଇ ଜୀବନ୍ତ ଲୋକଟିକୁ ମଧ୍ୟ।

ମୃତ୍ୟୁ ପରେ ନିଜର ଚେହେରାକୁ ପରବର୍ତ୍ତୀ ପୀଢ଼ୀର ଲୋକେ କି ଭଳି ଦେଖିବେ ତା’ ଉପରେ ଦିବଙ୍ଗତର କୌଣସି କର୍ତ୍ତୃତ୍ୱ ନଥାଏ। ବାଜି ରାଉତ ସମୟରେ ସଚ୍ଚି ରାଉତରାୟ କୋଟ୍ ଟାଇ ପିନ୍ଧା ଫଟୋ ବ୍ୟବହାର କରୁଥିଲେ; ନିକଟରେ ତାଙ୍କ ଉପରେ ପ୍ରକାଶିତ ସାହିତ୍ୟ ଏକାଡେମି ବହିର ମଲାଟରେ ତାଙ୍କର ଯେଉଁ ଫଟୋ ଦିଆଯାଇଛି ସେଇଟି ଦୟନୀୟ।

ଆମ୍ବେଦକରଙ୍କ ମୃତ୍ୟୁ ପରେ ତାଙ୍କର ଏକ ନିର୍ଦ୍ଦିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବ୍ୟବହାର ହେଉଥିବା କଥା ଆଗରୁ କୁହାଯାଇଛି। ଫକୀରମୋହନ ଶେଷ ଜୀବନରେ ନିଜର ଗୋଟିଏ ପ୍ରତିମୂର୍ତ୍ତି କରାଇ ତା’କୁ ନିଜ ବଗିଚାରେ ସ୍ଥାପିତ କରିଥିଲେ, କିନ୍ତୁ ତାଙ୍କର ମୃତ୍ୟୁ ପରେ କେହି ଏହାର ପ୍ରତିଚ୍ଛବି ବ୍ୟବହାର କଲେ ନାହିଁ। ତାଙ୍କର ଗୋଟିଏ ମାତ୍ର ଚିତ୍ର ସବୁବେଳେ ବ୍ୟବହାର କରାଯାଏ ଏବଂ ଏହା ବ୍ୟତୀତ ତାଙ୍କର ଆଉ ଗୋଟିଏ ଫଟୋ ମଧ୍ୟ ଅଛି। ସେହିଭଳି ରାଧାନାଥ ରାୟଙ୍କର ଗୋଟିଏ ଷ୍ଟାଣ୍ଡାର୍ଡ ବା ମାନକ ଫଟୋ ଅଛି। ଏ ଫଟୋମାନ ସେମାନଙ୍କର ପ୍ରକୃତ ଭାବଚିତ୍ର ନୁହେଁ ବୋଲି ସୁରେନ୍ଦ୍ର ମହାନ୍ତି ନିମ୍ନ ଭାବରେ ମନ୍ତବ୍ୟ ଦେଇଛନ୍ତି :

‘‘ମୁଣ୍ଡରେ ଚିତା, ବେକରେ ଚାଦର ପଟୁକା, ହାତ ଦୁଇଟି ପ୍ରାର୍ଥନାର ଭଙ୍ଗୀରେ ମୁଦ୍ରିତ- ତାହା କଣ ଯଥାର୍ଥରେ ଫକୀରମୋହନଙ୍କର ଭାବମୂର୍ତ୍ତି ? ରାଧାନାଥ ନିଶ ହଳଟିକୁ ଅଧୋମୁଖ କରି ଖଣ୍ଡେ ବାଘ ଚମଡ଼ା ଉପରେ ପ୍ରାର୍ଥନା କରିବା ଭଙ୍ଗୀରେ ଆଣ୍ଠୁ ମାଡ଼ି ବସିଛନ୍ତି କେଉଁ ଦୁଃଖରେ ! ସେପରି ଏକ ଅବାସ୍ତବ ଭାବଚିତ୍ର ଜନଚେତନାରେ ପ୍ରସାରିତ କରାଯାଉଛି କାହିଁକି?’’

ବିଚରା ଫକୀରମୋହନ, ରାଧାନାଥ ! ଏଇ ଫଟୋମାନଙ୍କ ସୌଜନ୍ୟରୁ ଆମେ ସେମାନଙ୍କୁ ସେହି ଶୁଦ୍ଧ ପୂତ ଧାର୍ମିକ ଭଙ୍ଗୀରେ ଦେଖୁ। ସେମାନେ ନିଜର ଫଟୋଗ୍ରାଫ୍‌ରେ ସୀମିତ। ବର୍ତ୍ତମାନ ଗାନ୍ଧୀ ଆମ ପାଇଁ ସୁସ୍ଥ ସବଳ ବେନ୍ କିଂଗ୍‌ସ୍ଲେ। ଆକବର ହେଉଛନ୍ତି ପୃଥ୍ୱିରାଜ କପୁର। ପାରିସରେ ଥିବା ଜେନ ଅଫ୍ ଆର୍କଙ୍କର ମୂର୍ତ୍ତିକୁ ଲୋକେ ଭାବନ୍ତି ଅଭିନେତ୍ରୀ ଇନ୍‌ଗ୍ରିଡ୍ ବର୍ଗମାନଙ୍କର ବୋଲି।

୧୯୦୫-୦୬ ମସିହାରେ ଚିତ୍ରକାର ପିକାସୋ ଲେଖିକା ଜର୍‌ଟ୍ରୁଡ୍‌ ଷ୍ଟାଇନ୍‌ଙ୍କର ଚିତ୍ର ଆଙ୍କିବା ପାଇଁ ନବେ ଥର ତାଙ୍କୁ ନିଜ ଆଗରେ ବସାଇଥିଲେ, କିନ୍ତୁ ପ୍ରତିକୃତିଟି ହୋଇ ପାରି ନ ଥିଲା। ଶେଷରେ ସେ ନିଜ ମନରୁ ଗୋଟିଏ ତୈଳ ଚିତ୍ର ଆଙ୍କିଲେ ଯାହା ଆଦୌ ଷ୍ଟାଇନ୍‌ଙ୍କ ଭଳି ଦେଖା ଯାଇ ନଥିଲା। ଏ ବିଷୟରେ ପଚରା ଯିବାରୁ ପିକାସୋ ଉତ୍ତର ଦେଲେ, ଷ୍ଟାଇନ୍ ଏଇ ଭଳି ଦେଖାଯିବେ। ତାଙ୍କ କଥା ଠିକ୍ ହେଲା। ତିରିଶ ବର୍ଷ ପରେ ଷ୍ଟାଇନ୍ କହିଲେ, ମୁଁ ଏହି ଚିତ୍ରରେ ସନ୍ତୁଷ୍ଟ; ମୋ ପାଇଁ ସେଇଟି ହେଉଛି ମୁଁ।

ଏହା ହିଁ ହେଲା ପ୍ରତିକୃତି ଓ ବେଶ ପୋଷାକର ଚିରନ୍ତନ ସତ୍ୟ।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ଆମ ଭାଷାଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ଓଡ଼ିଶାଲାଇଭ୍କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment