ଜଗନ୍ନାଥ ପ୍ରସାଦ ଦାସ
‘ଓଡ଼ିଆ ଲିଖିତ ସାହିତ୍ୟରେ ସମାଲୋଚନାମୂଳକ ଲେଖା ପ୍ରାୟ ନାହିଁ କହିଲେ ହୁଏ। ଯାହା ବା କିଛି ସେଥିରେ ରନ୍ଧ୍ରେ ରନ୍ଧ୍ରେ ଭକ୍ତିର ପ୍ରଭାବ ଓ ଭକ୍ତି ସାହିତ୍ୟର ମୋହ, ପୂଣ। ଭକ୍ତିରେ ସ୍ୱାଧୀନ ଚିନ୍ତା ଓ ନିର୍ବିକଳ୍ପ ଆଲୋଚନା ଫୁଟିବାର ନୁହେଁ। ସେଥିରେ ପୁଣି ଭକ୍ତକୁ ଭକ୍ତି କରି ତାଙ୍କ ଲେଖା ବା କଥାକୁ ପ୍ରାମାଣ୍ୟ ବୋଲି ଧରି ସାହିତ୍ୟ ଲେଖି ବସିଲେ ଯେ କୌଣସି ଜାତୀୟ ସାହିତ୍ୟର ଧାରା ଏଇ ମରୁଭୂମିରେ ଭ୍ରଷ୍ଟ ହୋଇ ଲୋପ ପାଇବାର କଥା।’’
ପଣ୍ଡିତ ନୀଳକଣ୍ଠ ଦାସ, ଓଡ଼ିଆ ସାହିତ୍ୟର କ୍ରମ ପରିଣାମ(୧୯୫୩)
ଧର୍ମ ସହିତ ସାହିତ୍ୟର ସଂପର୍କ ଅତି ପ୍ରାଚୀନ। ବେଦର ସଂହିତାମାନ ପୂଜାର୍ଚ୍ଚନା କରିବାର ଗୀତ ଥିଲା। ଇଉରୋପରେ କବିତା ଆରମ୍ଭ ହୋଇଥିଲା ଦେବଦେବୀଙ୍କ ଉଦ୍ଦେଶ୍ୟରେ ଲେଖା ସ୍ତୋତ୍ରରୁ। ଆମର ପ୍ରାଚୀନତମ ଓଡ଼ିଆ କୁହାଯାଉଥିବା ବୌଦ୍ଧ ଗାନ ଓ ଦୋହାର ମୂଳ ଥିଲା ସହଜିଆ ବୌଦ୍ଧଧର୍ମର ନୀତି ଓ ସିଦ୍ଧାନ୍ତ। ଷଷ୍ଠ ଓ ସପ୍ତଦଶ ଶତାବ୍ଦୀ ମଧ୍ୟରେ ସାରା ଭାରତରେ ଭକ୍ତି ରସାଶ୍ରିତ କବିତାର ପ୍ରାଧାନ୍ୟ ଥିଲା।
ଯୋଗର ଯେଉଁ ଚାରିଟି ମାର୍ଗ ଅଛି- କର୍ମ, ଭକ୍ତି, ରାଜ ଓ ଜ୍ଞାନ- ସେଥିରୁ ବୋଧହୁଏ ଭକ୍ତି ହିଁ ସବୁଠାରୁ ସହଜସାଧ୍ୟ(ବା ଅନ୍ୟ ମତରେ କଷ୍ଟସାଧ୍ୟ), କାରଣ ଏଥିରେ ଈଶ୍ୱରଙ୍କୁ ସଂପୂର୍ଣ୍ଣ ରୂପେ ଭଲ ପାଇବା ହିଁ ସବୁକିଛି। ଓଡ଼ିଆ ସାହିତ୍ୟର ସବୁଠାରୁ ପ୍ରାଚୀନ ଲେଖାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଏହି ଈଶ୍ୱରଙ୍କ ଏକାତ୍ମ ଭକ୍ତିମୂଳକ ଲେଖାର ପ୍ରାଦୁର୍ଭାବ ରହିଆସିଛି। ସାରଳା ଦାସ ଭକ୍ତିକଥାକୁ ପ୍ରାଧାନ୍ୟ ଦେଇ ଘୋଷଣା କରିଥିଲେ ;
ପ୍ରଥମ ଜନ୍ମରେ ମୁହିଁ ହେଲି କାଳିଦାସ
ଦ୍ୱିତୀୟ ଜନ୍ମରେ ମୁହିଁ ମହାକାଳ ଧ୍ୱଂସ।
ତୃତୀୟ ଜନ୍ମରେ ମୁଁ ସାରଳା ଦାସ କବି
ଆର ଜନ୍ମେ ମୁହିଁ ମାର୍ତ୍ତ ମଣ୍ଡଳେ ଜନ୍ମିବି।
ପ୍ରତି ଜନ୍ମେ ପନ୍ଦର ଲକ୍ଷ କଥା ମୁଁ ଭାବିବି
ଚାରି ଜନ୍ମେ ଷାଠିଏ ଲକ୍ଷ କଥା ମୁଁ କହିବି।
ଭକ୍ତିକଥା କହିସାରି ଏ ମର୍ତ ମଣ୍ଡଳ
ତେବେ ଯାଇ ହୋଇବି ମୁଁ ଶିବ ଦ୍ୱାରପାଳ।(ଆଦି ପର୍ବ)
ଆମ ସାହିତ୍ୟର ଆରମ୍ଭ ସମୟରୁ ଭକ୍ତିର କଥା କହିବା ହିଁ ଆମର କବିମାନଙ୍କର ଏକମାତ୍ର ଲକ୍ଷ୍ୟ ଓ ବିଷୟବସ୍ତୁ ଥିଲା। ଆମର ସମାଜ ମଧ୍ୟ ସେତେବେଳେ ଭକ୍ତି ଭାବରେ ଆପ୍ଲୁତ ଥିଲା ଓ ଓଡ଼ିଶା ଥିଲା ପୂଜାର୍ଚ୍ଚନାର ଏକ ମନ୍ଦିରମାଳିନୀ ଦେଶ। ବିଶେଷରେ ଚୈତନ୍ୟଙ୍କ ଓଡ଼ିଶା ଆଗମନ ଓ ପ୍ରତାପରୁଦ୍ର ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ପରେ ଓଡ଼ିଆମାନେ ଭକ୍ତି ଭାବରେ ବା ଭକ୍ତି ରସରେ ସିକ୍ତ ଓ ସଂକ୍ରମିତ ହୋଇଗଲେ। କେତେକ ଐତିହାସିକଙ୍କ ମତରେ ଏହା ଫଳରେ ଓଡ଼ିଶାର ସାମରିକ ଶକ୍ତି ମଧ୍ୟ ହ୍ରାସ ପାଇଲା। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ବୈଷ୍ଣବମାନେ ଓଡ଼ିଶା ଓ ବଙ୍ଗଳାକୁ ମାଇଚିଆ କରିଦେଲେ ଏବଂ ଓଡ଼ିଶା କାପୁରୁଷଙ୍କ ଦେଶ ହୋଇଗଲା ଓ ବଙ୍ଗଳା ସମସ୍ତ ପୌରୁଷ ହରାଇଲା।
ଆମର ମଧ୍ୟଯୁଗୀୟ କିଛି କବି ଭକ୍ତିରୁ ବାହାରି କାଳ୍ପନିକ ରୋମାନୀ କାବ୍ୟ ଲେଖିଲେ ଯାହା ଆମ ସାହିତ୍ୟରେ ଏକ ବୈପ୍ଳବିକ ନୂଆ ପ୍ରୟୋଗ ଥିଲା। କବି ସମ୍ରାଟ ଉପେନ୍ଦ୍ର ଭଂଜ ଏହାର ଶ୍ରେଷ୍ଠ ଉଦାହରଣ। ତା’ ପରେ ଆସିଲା ବଙ୍ଗଳା ଓ ଇଂରେଜୀ ପ୍ରଭାବିତ ଆଧୁନିକ ଯୁଗ ଓ ସମୟ କ୍ରମେ ରବୀନ୍ଦ୍ରନାଥ, ମାର୍କସ୍ ଓ ଇଲିଅଟ୍ଙ୍କ ଦ୍ୱାରା ପ୍ରେରିତ ସାହିତ୍ୟ। ଗତ ଶତାବ୍ଦୀର ଷଷ୍ଠ ଦଶକ ବେଳକୁ ହଠାତ୍ ଓଡ଼ିଆ ସାହିତ୍ୟରେ ଆକସ୍ମିକ ଭାବେ ଭକ୍ତିର ପୁନରାବିର୍ଭାବ ହେଲା। ଏ ବିଷୟରେ ଅନେକ ଦିନ ତଳେ ଜୟନ୍ତ ମହାପାତ୍ର ଦେଇଥିବା ମ‘ବ୍ୟ ପ୍ରାସଙ୍ଗିକ:
‘‘ଗତ ପଚାଶ ବର୍ଷ ଧରି ସାଂପ୍ରତିକ ଓଡ଼ିଆ କବିତା ଏ ଭଳି ଲେଖକଙ୍କ ଦ୍ୱାରା କବଳିତ ହୋଇଛି ଯେଉଁମାନେ ସେମାନଙ୍କର ନିଜର ବଞ୍ଚିଥିବା ପୃଥିବୀକୁ କବିତାର ଅଂଶ କରିବାକୁ ଆବଶ୍ୟକ ମନେ କରିନାହାନ୍ତି। ଏହି ଅତି ପ୍ରଶଂସିତ ତଥାକଥିତ ସଫଳ କବିତା ସାଧାରଣ ଲୋକଙ୍କ ପାଇଁ ଜରୁରୀ ସାମାଜିକ ଓ ରାଜନୈତିକ ପ୍ରସଙ୍ଗକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରିଦେଇଛି। ସେ କବିତା ପଳାୟନର କବିତା ଯାହା ଶହେ ବର୍ଷ ତଳେ କବିମାନେ ଯେଉଁ ପୁରୁଣା ମିଥ୍କୁ ନେଇ ଲେଖୁଥିଲେ ସେହି ବିଷୟକୁ ନେଇ।’’( ଦ ବୁକ୍ ରିଭିଉ, ଡିସେମ୍ବର ୨୦୦୦)
ଏହି ସମୟରେ ଆମ ସାହିତ୍ୟରେ ଧାର୍ମିକ ଓ ପୌରାଣିକ ଚରିତ୍ରମାନେ ଆବିର୍ଭୂତ ହେଲେ, ଯଥା, ରାଧା କୃଷ୍ଣ ଦ୍ରୌପଦୀ ଶବରୀ ଅକ୍ରୂର ପିଙ୍ଗଳା କୁବୁଜା ଜାରା ଯଯାତି କର୍ଣ୍ଣ ଶର୍ମିଷ୍ଠା ଇତ୍ୟାଦି ଇତ୍ୟାଦି। ଏହି ଚରିତ୍ରକୁ ନେଇ ଲେଖା ବହିମାନ ଅତ୍ୟନ୍ତ ଲୋକପ୍ରିୟ, ଯାହାର ପ୍ରମାଣ ଯାଜ୍ଞସେନୀ(୧୯୮୪)ର ଏ ପର୍ଯ୍ୟନ୍ତ ୮୫ଥର ପୁନର୍ମୁଦ୍ରଣ। ସେହିପରି ରମାକାନ୍ତ ରଥଙ୍କ ଶ୍ରୀରାଧା(୧୯୮୫) ବହିର ଆଠଟି ସଂସ୍କରଣ ହୋଇଛି ଯାହା ବୋଧହୁଏ ତାଙ୍କର ଅନ୍ୟ କୌଣସି କବିତା ସଂକଳନର ହୋଇନାହିଁ। ଏ ଦୁଇଟି ବହିର ଅନେକ ଭାଷାରେ ଅନୁବାଦ ମଧ୍ୟ ଏମାନଙ୍କର ଲୋକପ୍ରିୟତା ସୂଚାଏ।
କେ. ସଚ୍ଚିଦାନନ୍ଦନ ତାଙ୍କର Readings : Indian Literature and Beyond (୨୦୦୯) ବହିରେ ଲେଖିଛନ୍ତି, ଓଡ଼ିଆ କବିତାରେ ଏବେ ମଧ୍ୟ ରାଧାକୃଷ୍ଣ କବି ରାଜୁତି କରୁଛନ୍ତି। ସଂଯୋଗବଶତଃ ଏହି ବହିରେ ସେ ଯେଉଁ ଦୁଇଟି ଓଡ଼ିଆ ବହିର ଇଂରେଜୀ ଅନୁବାଦର ସମୀକ୍ଷା କରିଛନ୍ତି ତାହା ହେଲା ସୀତାକାନ୍ତ ମହାପାତ୍ରଙ୍କର Death of Krishna ଏବଂ ରମାକାନ୍ତ ରଥଙ୍କ Sri Radha !
ଏହା ଏକ ବିଡ଼ମ୍ବନାର ବିଷୟ ଯେ ସାହିତ୍ୟ ସମାଜମନସ୍କ ହେବା ଉଚିତ ବୋଲି ଚିତ୍କାର କରି କୁହାଯାଉଥିବା ବେଳେ ପାଠକମାନେ ଭକ୍ତିମୂଳକ ଲେଖାକୁ ଆଦରି ନେଉଛନ୍ତି। ଯୁକ୍ତି କରାଯାଇପାରେ ଯେ ଭକ୍ତି ସାହିତ୍ୟରେ ମଧ୍ୟ ଆଜି ଦିନ ପାଇଁ ପ୍ରାସଙ୍ଗିକତା ଅଛି, କିନ୍ତୁ ପାଠକମାନେ ଯେ କେବଳ ଭକ୍ତି ଭାବରେ ଉତ୍ପ୍ଲାବିତ ହୋଇ ଏ ବହିମାନଙ୍କୁ ନିଜର କରିଛନ୍ତି ଏଥିରେ ସନ୍ଦେହ ନାହିଁ। ଏହାର ପ୍ରମାଣ ନିକଟ ଅତୀତରେ ପ୍ରକାଶ ପାଇଥିବା ଜଗନ୍ନାଥଙ୍କ ସଂପର୍କରେ ଲିଖିତ ବହୁସଂଖ୍ୟକ ପୁସ୍ତକ ଓ ବର୍ଷସାରା ନିୟମିତ ବିକ୍ରି ହେଉଥିବା ଧର୍ମ ପୁସ୍ତକ।
ସାହିତ୍ୟରେ ଭକ୍ତି କଥା କହିବା ବେଳେ ଦୁଇଟି କଥା ମନକୁ ଆସେ, ଭକ୍ତିମୂଳକ ଲେଖା ଓ ଲେଖକଙ୍କୁ ଭକ୍ତି। ଅନେକ ସମୟରେ ଭକ୍ତିମୂଳକ ଲେଖାର ଲେଖକ ନିଜେ ଭକ୍ତିର ଭାଜନ ହୋଇଯାଏ, ଯଥା, ଭାଗବତକାର ଜଗନ୍ନାଥ ଦାସ। ହୁଏତ ଖୋଜିଲେ ଏହାର ସାଂପ୍ରତିକ ଉଦାହରଣ ମଧ୍ୟ ମିଳିପାରିବ। ବୟସ ବଢ଼ିବା ସହିତ ଲେଖକ ପ୍ରଥମେ ବୟସ୍କ କୁହାଯାଉଥିବା ବେଳେ କ୍ରମେ ବରିଷ୍ଠ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଯାଏ ଓ ଭକ୍ତି ଦାବି କରେ। ପରିତାପର ବିଷୟ ଯେ କନିଷ୍ଠ ଲେଖକମାନେ ମଧ୍ୟ ଏହି ଦାବିକୁ ମାନି ନିଅନ୍ତି ଓ ତଥାକଥିତ ପୂଜ୍ୟପୂଜାରେ ଲାଗିଯାନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଏହି ପ୍ରବୀଣ ବର୍ଷୀୟାନ(ଅନ୍ୟ ଭାବରେ ସ୍ଥବିର, ଜରଦ୍ଗବ) ଲେଖକଙ୍କ ପାଖରୁ ସ୍ୱୀକୃତି, ମୁଖବନ୍ଧ, ସାର୍ଟିଫିକେଟ ଓ ପ୍ରଶଂସାପତ୍ର ଲୋଡ଼ନ୍ତି। ଏହାର ଅନ୍ୟ ଏକ ବସ୍ତୁବାଦୀ କାରଣ ଥାଇପାରେ ଯେ ଏହି ବୟସ୍କମାନଙ୍କ ହାତରେ ପୁରସ୍କାର ଓ ସମ୍ମାନ ଦେବାର କ୍ଷମତା ଥାଏ ଓ ସେମାନେ ନୂଆ ଲେଖକଙ୍କୁ ଭାଙ୍ଗି ଗଢ଼ି ପାରନ୍ତି।
ସାହିତ୍ୟରେ ଏ ଭଳି ଭକ୍ତିକୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଭାକ୍ତିକ ମିଥ୍ୟାର ଆଖ୍ୟା ଦେଇଛନ୍ତି। ଏହି ମିଥ୍ୟା ଦ୍ୱାରା କବିଙ୍କର କୃତିକୁ ଦୈବଶକ୍ତି ପ୍ରଣୋଦିତ ବୋଲି କୁହାଯାଇଥାଏ, ଯଥା, ସାରଳା ଦାସ ମୂର୍ଖ ଥିଲେ ଏବଂ ଦେବୀ ତାଙ୍କୁ କବିତା ଡାକି ଦେଉଥିଲେ। ଏହା ନିଶ୍ଚୟ ସାରଳା ଦାସଙ୍କ ପ୍ରତିଭାର ଅସମ୍ମାନ। ସେହିପରି କବିମାନଙ୍କର ମିଛି ଜୀବନୀ ତିଆରି କରି କୁହାଯାଏ ଯେ ସେମାନେ ଦେବଦେବୀଙ୍କର ବର ପାଇ ହିଁ ଲେଖି ପାରୁଥିଲେ। ଏହା ଦ୍ୱାରା କବିମାନଙ୍କୁ ସାଧୁ ସନ୍ଥ ମହାପୁରୁଷ ଆସନରେ ରଖି ସେମାନଙ୍କ ଲେଖାର ସମ୍ୟକ ଆଲୋଚନା କରା ହୁଏ ନାହିଁ। ପାଣିଗ୍ରାହୀଙ୍କ ଭାଷାରେ, ‘‘କବିମାନଙ୍କୁ ଦେବତା କରିଦେଲେ ସେମାନଙ୍କ ସାହିତ୍ୟ ଚର୍ଚ୍ଚାର ରାସ୍ତା ବନ୍ଦ ହୋଇଯାଏ।’’
ଆମ ସାହିତ୍ୟରେ ବର୍ତ୍ତମାନ ମଧ୍ୟ କିଛି ସାହିତ୍ୟିକଙ୍କୁ ଦେବତୁଲ୍ୟ ଆସନରେ ରଖି ସେମାନଙ୍କୁ କେବଳ ପ୍ରଶଂସା କରାଯାଏ; ସେମାନଙ୍କର ଦୋଷ ଦୁର୍ବଳତା ଦେଖାଇବାକୁ କାହାରି ସାହସ ହୁଏ ନାହିଁ। ଏହି ପୂଜାର୍ଚ୍ଚନା ଫଳରେ ଲେଖକ ବି ଭାବି ନିଅନ୍ତି ଯେ ସେମାନେ ଈଶ୍ୱର ହୋଇଯାଇଛନ୍ତି ଏବଂ କେବଳ ନାମକୀର୍ତ୍ତନ ଓ ଷୋଡ଼ଶୋପଚାର ହିଁ ତାଙ୍କର ପ୍ରାପ୍ୟ। ସେମାନେ ନିଜର ରତ୍ନବେଦୀରୁ ଓହ୍ଲାଇବାକୁ ଚାହାନ୍ତି ନାହିଁ ଏବଂ ସାମାନ୍ୟ ସମାଲୋଚନା ତାଙ୍କ ପାଇଁ ଅସହ୍ୟ ହୁଏ। କାଳେ ତାଙ୍କର ଭକ୍ତଗଣ ତାଙ୍କୁ ଭୁଲିଯିବେ ଏବଂ ସେ ଦେବତ୍ୱରୁ ବିଚ୍ୟୁତ ହେବେ ସେଥିପାଇଁ ସେମାନେ ଦନ୍ଥରା ହୋଇଯାଇଥିବା କଲମକୁ ବନ୍ଦ କରନ୍ତି ନାହିଁ ଏବଂ କୌଣସି ନା କୌଣସି ଭାବରେ ଖବରକାଗଜରେ ପୃଷ୍ଠା ମାଡ଼ି ବସନ୍ତି। ଏହି ଭଳି ପୂଜା ପାଇବା ସେହି ଲେଖକମାନଙ୍କ ପାଇଁ ମଧ୍ୟ ଅନେକ ସମୟରେ କ୍ଷତିକାରକ ହୁଏ।
ନିକଟ ଅତୀତରେ ଆମ ସମୟର ପ୍ରଖ୍ୟାତ ଲେଖକ ମନୋଜ ଦାସଙ୍କ ବିଷୟରେ ତାଙ୍କର ବ୍ୟଙ୍ଗଚିତ୍ର ତଳେ ଏ ଭଳି ଲେଖା ଥିଲା :
ମନୋଜଙ୍କ ବାଣୀ ଶୁଣେ ଯେଉଁ ପ୍ରାଣୀ ମାନସକୁ ଏକ କରି
ଜ୍ଞାନ ବାରିଧିରେ ମନଟି ତାହାର ଖେଳୁଥାଏ ମୀନ ପରି
ଅଜ୍ଞାନ ଅନ୍ଧାର ଚିରି
ମାନବିକତାର ନିର୍ଝର ଝରଇ ହୃଦେ ବିହରନ୍ତି ହରି।
(ସମ୍ବାଦ, ଏପ୍ରିଲ ୩୦,୨୦୧୩)
ଏଠାରେ ଲକ୍ଷଣୀୟ ଯେ ବହୁ ବିଭିନ୍ନ ବିଭାଗ ଓ ବିଷୟରେ ଲେଖିଥିବା ସତ୍ତ୍ୱେ ଏଥିରେ ତାଙ୍କୁ ଗୋଟିଏ ଧାର୍ମିକ ଖୋପରେ ଆବଦ୍ଧ କରିବାର ଚେଷ୍ଟା କରାଯାଇଛି, ଯେପରିକି ତାଙ୍କର ଲେଖା କେବଳ ପ୍ରବଚନ ଓ ନୀତିଶିକ୍ଷାର ଅମୃତ ବାଣୀ। ଏହା ତାଙ୍କର ବହୁମୁଖୀ ପ୍ରତିଭା ପ୍ରତି ଅପମାନ। ଠିକ୍ ସେହିଭଳି ପ୍ରତିଭା ରାୟଙ୍କୁ ଯାଜ୍ଞସେନୀର ଲେଖିକା ବା ରମାକାନ୍ତ ରଥଙ୍କୁ ଶ୍ରୀରାଧାର କବି ଭାବରେ ପରିଚିତ କରାଇବା ସେମାନଙ୍କୁ ଗୋଟିଏ ସୀମା ଭିତରେ ରୁଦ୍ଧ କରିଦେବା।
କବି ଯେତେବେଳେ ତା’ର ପ୍ରଥମ ବହିଟି ଲେଖେ, ତା’ ଉପରେ କୌଣସି ଚାପ ନଥାଏ। କିନ୍ତୁ ବହିଟି ଆଲୋଚନା କଲାବେଳେ ସମାଲୋଚକ ଓ ସମୀକ୍ଷକ ତା’ର କବିତାରେ ମିଥ୍ର ପ୍ରୟୋଗ ବା ମୃତ୍ୟୁ ଚେତନା ବା ସମାଜମନସ୍କତାର ମୋହର ଲଗାଇ ତାଙ୍କୁ ଗୋଟିଏ ପାରା ଘରେ ରଖିଦିଅନ୍ତି। ତା’ ପରେ କବି ସେହି ପ୍ରଶଂସା ଓ ଆଭୂଷଣରେ ପ୍ରେରିତ ହୋଇ ସେଇଭଳି ଲେଖିବାରେ ଲାଗିଯାଏ ଓ ନିଜର ସରଳ ମୌଳିକତା ଓ ବୃହତ୍ତର ପରିଧିକୁ ହରାଏ। ସେ ଭୁଲିଯାଏ ଯେ ଆକାଶ ତଳେ କବିତାରେ ଲେଖିବା ପାଇଁ ଅଗଣିତ ବିଷୟ ଅଛି ଏବଂ ସେ ସମୀକ୍ଷକମାନେ ଖଞ୍ଜି ଦେଇଥିବା ସଂକୀର୍ଣ୍ଣ ବଳୟ ଭିତରୁ ନିଜର ଉପାଦାନ ଖୋଜେ। ସେ ଆଉ ସେଇ କୁଟିଳ ବୃତ୍ତ ଭିତରୁ ବାହାରି ପାରେ ନାହିଁ ଓ ଜୀବନ ସାରା ଗୋଟିଏ କବିତା ଲେଖୁଥାଏ ଭିନ୍ନ ଭିନ୍ନ ଭାବରେ ଜଣାଣର ଗୀତିକାର ଭଳି।
ଔଷଧ ଭଳି କର୍ମଠ ମଣିଷର ମଧ୍ୟ ଉପଯୋଗିତାର ଶେଷ ତାରିଖ ଅଛି ଯାହା ପରେ ତା’ର ଆଉ କାର୍ଯ୍ୟକାରୀ ଗୁଣ ରହେ ନାହିଁ। ଔଷଧ ବୋତଲରେ ଥିବା ଏ ଭଳି ଚେତାବନୀକୁ ସାମାଜିକ ସ୍ତରରେ ଉପେକ୍ଷା କରାଯାଏ। ରାଜନୀତିରେ ଏଭଳି ପ୍ରଥା ହେଲାଣି ଯେ ଜଣେ ନେତା ଅକର୍ମଣ୍ୟ ହୋଇଗଲେ ବା ନିର୍ବାଚନରେ ହାରିଗଲେ ତା’କୁ ଗୋଟିଏ ସହଜ, କର୍ମବିହୀନ କିନ୍ତୁ ସମ୍ମାନଜନକ(ଏବଂ ଅର୍ଥ ଉପାର୍ଜନକାରୀ) ଜାଗାକୁ ପଠାଇ ଦିଆଯାଏ, ଯଥା, ସରକାରୀ କମିଟିର ସଭାପତି, ରାଜ୍ୟପାଳ, କର୍ପୋରେସନ, ଚେୟାରମ୍ୟାନ ଇତ୍ୟାଦି। ସାହିତ୍ୟରେ ମଧ୍ୟ ବିଗତ ପ୍ରତିଭ ଲେଖକଙ୍କ ପାଇଁ ସେହିଭଳି କିଛି ସାହିତ୍ୟିକ ଅନୁଷ୍ଠାନ, ସମିତି, ସଂସଦ, ଚୟନ ପରିଷଦ ଇତ୍ୟାଦିର ସଭ୍ୟ ଓ ସଭାପତି ପଦ। ଏହି କୃତ୍ରିମ ଠେକର ସହାୟତାରେ ସେମାନେ ଜୀବନକୁ ଆଉ କିଛି ଦିନ ଘୋଷାରି ନିଅନ୍ତି।
ସାହିତ୍ୟ କାହାରି ପୈତୃକ ସଂପତ୍ତି ନୁହେଁ ଏବଂ ଏଥିରେ ସମସ୍ତଙ୍କର ସମାନ ଅଧିକାର ଅଛି। ଏଠାରେ କେହି ଶାସକ-ଶାସିତ ବା ପୂଜ୍ୟ-ପୂଜକ ନୁହନ୍ତି। ଏଠାରେ ପ୍ରଶଂସା ଓ ସମାଲୋଚନା ସମାନ ମାତ୍ରାରେ ଅଛି ଯାହା ପାଇବା ସବୁ ଲେଖକଙ୍କର ଜନ୍ମଗତ ଦାବି ଓ ଦାୟିତ୍ୱ। ବରିଷ୍ଠ ଲେଖକ ଯେତେ ଶକ୍ତିଶାଳୀ ହୋଇଥାଉ ପଛେ ସେ କେବଳ ସମ୍ମାନର ଅଧିକାରୀ ହୋଇପାରେ ଭକ୍ତିର ନୁହେଁ। ସାହିତ୍ୟର ଦେଶ ଏକ ଗଣତନ୍ତ୍ର ଏବଂ ଏହାର ସଭାଗୃହରେ କନିଷ୍ଠ ବରିଷ୍ଠ ସମସ୍ତଙ୍କର ଆସନ ଏକା ମାପର ଓ ଗୋଟିଏ ସ୍ତରରେ।
ସୁଖର ବିଷୟ ଯେ ବର୍ତ୍ତମାନ ପୀଢ଼ୀର ଲେଖକ ମନ୍ଦିର ବେଢ଼ାର ଚକ୍ରବ୍ୟୂହରୁ ବାହାରି ଆସୁଛନ୍ତି। ଅପେକ୍ଷା ରହିଲା କେତେବେଳେ ସେମାନେ ପୂଜା ବନ୍ଦ କରି ମୂର୍ତ୍ତି ଭାଙ୍ଗିବା ଆରମ୍ଭ କରିବେ। ସେତିକି ବେଳେ ହିଁ ଭକ୍ତିଯୁଗ ଶେଷ ହୋଇ ସାହିତ୍ୟର ମରୁଭୂମିରେ ସଂପୂର୍ଣ୍ଣ ନୂଆ ଧାରା ପ୍ରବାହିତ ହେବ।
(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)