ଜଗନ୍ନାଥ ପ୍ରସାଦ ଦାସ
ଇତିହାସର ପ୍ରାକ୍କାଳରେ ଯେତେବେଳେ ଆଦି ମଣିଷର ବୁଦ୍ଧିଶକ୍ତିର ଉଦ୍ଭବ ହେଲା, ସେ ବିଭିନ୍ନ ବିଷୟରେ ଚିନ୍ତା କଲା ଏବଂ ପ୍ରଶ୍ନ କରିବାକୁ ଆରମ୍ଭ କଲା। ସେ ଜାଣିପାରିଲା କିପରି ନିଆଁ ତିଆରି ହୁଏ, ପଥର ଫିଙ୍ଗି ଜନ୍ତୁକୁ ମାରିଦିଆଯାଇ ପାରେ, ମଂଜି ପୋତିଲେ ସେଥିରୁ ଗଛ ବାହାରେ। କିନ୍ତୁ କେତେ ପ୍ରଶ୍ନ ତା’ର ବୁଦ୍ଧିର ବାହାରେ ରହିଲା, ଯଥା, ଦିନ ପରେ ରାତି ପରେ ଦିନ କାହିଁକି ହେଉଛି, ଆକାଶରୁ ବଜ୍ର ବିଜୁଳି ବର୍ଷା କିପରି ଆସୁଛି, ମଣିଷ କାହିଁକି ଜନ୍ମ ନେଉଛି, ବଢ଼ୁଛି ଓ ଶେଷରେ ମରି ଯାଉଛି, ଇତ୍ୟାଦି। ଏ ସବୁର ଉତ୍ତର ନ ପାଇ ସେ ଭାବିଲା ଯେ କିଛି ଭୂତ ପ୍ରେତ ବା ଦେବଦେବୀ ଅଦୃଶ୍ୟରେ ରହି ଏ ସବୁ ଘଟାଉଛନ୍ତି। ଏହି ବିଶ୍ୱାସରୁ କ୍ରମେ ଧର୍ମ ଜନ୍ମ ନେଲା।
ସଭ୍ୟତାର ବିକାଶ ସହିତ ବିଜ୍ଞାନ ଆସିଲା ଓ ବୈଜ୍ଞାନିକମାନେ ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଆରମ୍ଭ କଲେ। କୋପରନିକସ, ଗ୍ୟାଲିଲିଓ, ଡାର୍ୱିନ୍ ପ୍ରମୁଖ କିଛି ବୈଜ୍ଞାନିକ ମୌଳିକ ପ୍ରଶ୍ନମାନଙ୍କର ବୈଜ୍ଞାନିକ ବ୍ୟାଖ୍ୟା ଦେଲେ, ଯାହା ମଣିଷର ଚିନ୍ତାଧାରାକୁ ବଦଳାଇ ଦେଲା। ପୂର୍ବରୁ ଧର୍ମଭିତ୍ତିରେ ଯେଉଁ ସବୁ ଉତ୍ତର ଦିଆଯାଇଥିଲା, ଏହା ତା’କୁ ଭୁଲ୍ ପ୍ରମାଣିତ କଲା।
ଆମେରିକା ହେଉଛି ବିଜ୍ଞାନ କ୍ଷେତ୍ରରେ ଗୋଟିଏ ଅତି ପ୍ରଗତିଶୀଳ ଦେଶ, କିନ୍ତୁ ଏଠାର ଲୋକମାନେ ଅଦ୍ଭୁତ ଭାବେ ବିଭିନ୍ନ ଅନ୍ଧବିଶ୍ୱାସର ବଶବର୍ତ୍ତୀ। ମତଗଣନାରୁ ଜଣାଯାଇଛି ଯେ ନିମ୍ନ ପ୍ରତିଶତ ଆମେରିକୀୟ ବିଭିନ୍ନ ବିଜ୍ଞାନ ଅସମ୍ମତ କୁସଂସ୍କାରରେ ବିଶ୍ୱାସ ରଖନ୍ତି :
ସ୍ୱର୍ଗର ଅସ୍ତିତ୍ୱ ୭୫ ପ୍ରତିଶତ
ଭୂତପ୍ରେତ ୪୨
ମିରାକ୍ଲ୍ ବା ଚମତ୍କାର ୭୬
ଈଶ୍ୱର ଓ ଦେବଦେବୀ ୮୨
ପୁନର୍ଜନ୍ମ ୨୦
ଜ୍ୟୋତିଷ ଓ ଭବଷ୍ୟଦ୍ବାଣୀ ୩୦ ପ୍ରତିଶତ
୫୩ ପ୍ରତିଶତ ଆମେରିକୀୟ ବିଶ୍ୱାସ କରନ୍ତି ଯେ ବାଇବଲ୍ରେ କୁହାଯାଇଥିବା ମତେ ପୃଥିବୀ, ମଣିଷ ଓ ପ୍ରାଣୀ ଜଗତକୁ ଈଶ୍ୱର ଛ ଦିନରେ ସୃଷ୍ଟି କରିଥିଲେ। ଆମେରିକାର ଅନେକ ସ୍କୁଲରେ ୧୯୬୭ ମସିହା ପର୍ଯ୍ୟନ୍ତ ଏହି ବିବର୍ତ୍ତନବାଦ ବିରୋଧୀ ଶିକ୍ଷା ଦିଆଯାଉଥିଲା, ସେହି ବର୍ଷ ସୁପ୍ରିମକୋର୍ଟ ଏହାକୁ ଅସିଦ୍ଧ ଘୋଷଣା କରିବା ପର୍ଯ୍ୟନ୍ତ। ୪୪ ପ୍ରତିଶତ ଆମେରିକୀୟ ବିଶ୍ୱାସ କରନ୍ତି ଯେ ଆଗାମୀ ପଚାଶ ବର୍ଷ ଭିତରେ ଯୀଶୁଖ୍ରୀଷ୍ଟ ପୁଣି ପୃଥିବୀ ପୃଷ୍ଠକୁ ଆସିବେ ମଣିଷର ବିଚାର କରିବା ପାଇଁ।
ଆମ ଦେଶରେ ଏ ପ୍ରକାର ମତଗଣନା ବିଷୟରେ ଜଣା ନାହିଁ, ତେବେ ଆମେ ଏ ସବୁର ବହୁଳ ବିଶ୍ୱାସ ପ୍ରତି ମୁହୂର୍ତ୍ତରେ ଦେଖୁ। ମନ୍ଦିର, ମଠ, ମେଳା ମଉଛବ, ପୂଜା ପାର୍ବଣ ଆମ ଜୀବନର ଅଙ୍ଗ। ଖବର କାଗଜରେ ପ୍ରତିଦିନ ରାଶିଫଳ ପ୍ରକାଶ ପାଏ। ଗୁଣି ଗାରେଡ଼ି କରିଥିବା ଯୋଗୁ ଗୁଣିଆ ଓ ଡାହାଣୀଙ୍କୁ ହତ୍ୟା କରାଯିବା ନିତିଦିନିଆ କଥା। ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶିଶୁବଳି ଦିଆଯାଉଥିବାର ଖବର ପଢ଼ି ଆମକୁ ଆଶ୍ଚର୍ଯ୍ୟ ଲାଗେ ନାହିଁ। ଖବରକାଗଜ ପୃଷ୍ଠାରେ ବଶୀକରଣ କବଚ, ଦେଶୀ ଚିକିତ୍ସା ଓ ଜ୍ୟୋତିଷଙ୍କର ବିଜ୍ଞାପନ ବାହାରେ। କେବଳ ଗାଁ ଗଣ୍ଡାରେ ନୁହେଁ ସହରରେ ମଧ୍ୟ ମାଳ ମାଳ ଭଣ୍ଡ ବାବା ଦୋକାନ ଖୋଲି ବସିଛନ୍ତି।
ଅନ୍ଧ ବିଶ୍ୱାସର ତିନିଟି ମୂଳସ୍ରୋତ ଅଛି ବୋଲି କୁହାଯାଇଥାଏ। ପ୍ରଥମରେ ଏହା ଜନ୍ମ ନିଏ ପୁରୁଣା ଆଚାର ବିଚାରର ପରଂପରାରୁ। ତା’କୁ କ୍ଷମତା ପ୍ରୟୋଗ କରି ପ୍ରସାରିତ କରାହୁଏ। ଏବଂ ଶେଷରେ ଏହାକୁ ଦୈବୀ ରୂପ ଦେଇ ବିଧିସମ୍ମତ କରାଯାଏ। ହିନ୍ଦୁ ଧର୍ମକ୍ଷେତ୍ରରେ ଦେଖିଲେ ଏଗୁଡ଼ିକ ହେଲା ପୂର୍ବ ପ୍ରଚଳିତ ଧାର୍ମିକ ଆଚାର ବ୍ୟବହାରର ନିରବଚ୍ଛିନ୍ନ କ୍ରମ, ବ୍ରାହ୍ମଣ ପଣ୍ଡା ପଢ଼ିହାରୀ ପୁରୋହିତଙ୍କର ସାମାଜିକ ପ୍ରତିଷ୍ଠା ଓ ଦୈବ ସମ୍ମତ ପୁରାଣ ଓ ଧର୍ମଗ୍ରନ୍ଥ। ଅନ୍ୟ ଧର୍ମମାନଙ୍କରେ ପାଦ୍ରି, ମୁଲ୍ଲା, ବାଇବଲ କୋରାନ୍ର ପ୍ରାଦୁର୍ଭାବ ଆହୁରି କଠୋର। ସଂଖ୍ୟା ଦୃଷ୍ଟିରୁ ହିନ୍ଦୁମାନଙ୍କର ଦେବଦେବୀ ପରିବାର ଅତି ବୃହତ୍। ତେତିଶ କୋଟି ଦେବଦେବୀ ଓ ଅଗଣିତ ଗ୍ରାମଦେବତୀଙ୍କ ବାହାରେ ନୂଆ ନୂଆ ଦେବଦେବୀ ବି ସୃଷ୍ଟି ହେଉଥାନ୍ତି, ଯଥା ୧୯୭୫ରେ ଗୋଟିଏ ଅତି ବି ଗ୍ରେଡ୍ ଫିଲ୍ମରୁ ଜନ୍ମ ନେଇଥିଲେ ଦେବୀ ସନ୍ତୋଷୀ ମା।
ଦେବଦେବୀଙ୍କ ଯୋଗୁ ଆଉ କିଛି ହେଉ ନ ହେଉ, ଅଯଥା ପ୍ରଚୁର ଶ୍ରମ, ସମୟ ଓ ଅର୍ଥ ନଷ୍ଟ ହୋଇଥାଏ। ମଧ୍ୟଯୁଗୀୟ ଇଉରୋପରେ ଧର୍ମଯାଜକଙ୍କ ଆଗରେ ଗମ୍ଭୀର ପ୍ରଶ୍ନ ଥିଲା ଗୋଟିଏ ପିନ୍ର ମୁଣ୍ଡ ଉପରେ କେତେ ଜଣ ପରୀ ନାଚି ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ରୋମାନ କ୍ୟାଥୋଲିକଙ୍କ ଭିତରେ ଯୁକ୍ତିତର୍କ ଲାଗି ରହିଛି ବ୍ୟାପ୍ଟାଇଜ ହେବା ଆଗରୁ ଛୋଟ ପିଲାଟିଏ ମରିଗଲେ ତା’ର ଆତ୍ମା କୁଆଡ଼େ ଯିବ। ଓଡ଼ିଶାରେ ଏକ ବିରାଟ ସମସ୍ୟା ଯାହାର ଏ ପର୍ଯ୍ୟନ୍ତ ସର୍ବସମ୍ମତ ସମାଧାନ ହୋଇପାରୁନାହିଁ, ସେଇଟି ହେଲା ରଥ ଉପରେ କିଏ ଠାକୁରଙ୍କୁ ଛୁଇଁ ପାରିବ। ଗତ ନବକଳେବର ସମୟରେ ଓଡ଼ିଶା ଉଠୁଥିଲା ପଡୁଥିଲା। ଏ ସର୍କସରେ କେବଳ ପଣ୍ଡା ପୁରୋହିତ ନୁହନ୍ତି, ସର୍ବସାଧାରଣ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସଂଶ୍ଲିଷ୍ଟ ଥିଲେ।
ଅଗଣିତ ଦେବଦେବୀଙ୍କ ଭଳି ଭୂତପ୍ରେତଙ୍କର ମଧ୍ୟ ବିରାଟ ପରିବାର ଅଛି : ପିଶାଚ ପିଶାଚୀ, ଡାହାଣୀ ଡାକିନୀ, ବ୍ରହ୍ମରାକ୍ଷସ, ଚିରୁଗୁଣୀ, କୁଣ୍ଡାଭୂଷୁଣ୍ଡୀ ଇତ୍ୟାଦି ଇତ୍ୟାଦି। ଅନେକ ସଂପ୍ରଦାୟର ଲୋକ ପୃଥିବୀ ବାହାରେ ଏମାନଙ୍କର ଏକ ସ୍ୱତନ୍ତ୍ର ଜଗତ ଅଛି ବୋଲି ବିଶ୍ୱାସ କରନ୍ତି; ମରିଗଲା ପରେ ମଣିଷ ଯାଇ ସେଠାରେ ରହେ ବୋଲି ସେମାନଙ୍କର ଧାରଣା। ପୂଜାପାଠ, ମିଡିଅମ୍ ବା ମାଧ୍ୟମ, ସ୍ଫଟିକ ଗୋଲକ, ଉଜା ବୋର୍ଡ ଇତ୍ୟାଦିର ସହାୟତାରେ ଏହି ସଂସାର ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥାଏ। ୧୯୦୩ରେ ଉତ୍କଳ ଦୀପିକାରେ ପ୍ଲାଞ୍ଚେଟ୍ ଯନ୍ତ୍ରର ଏପରି ଏକ ବିଜ୍ଞାପନ ପ୍ରକାଶ ପାଇଥିଲା :
ଆଉ ମୃତ୍ୟୁ ନାହିଁ! ବିଚ୍ଛେଦ ନାହିଁ! ଅଦ୍ଭୁତ ମଧ୍ୟରେ ଅଦ୍ଭୁତ। ପ୍ରେତ ଉପରେ ଏହାର ଅଦ୍ଭୁତ ପ୍ରଭାବ ଦ୍ୱାରା ମୃତ ମନୁଷ୍ୟ (ଯେତେ କାଳରୁ ମରିଥିଲେ ସୁଦ୍ଧା) ପ୍ରଦର୍ଶକ ଏବଂ ଦର୍ଶକମାନଙ୍କ ସମ୍ମୁଖକୁ ଆହୃତ ହୋଇପାରିବ ଏବଂ କେହି ଇଚ୍ଛା କଲେ ତାଙ୍କ ସଙ୍ଗେ ଖୋସ ଗପ କରି କେତେକ ଘଣ୍ଟା ଅତିବାହିତ କରିପାରିବେ।
ମଜାର ବିଷୟ ଯେ ଏହି ପରାବାସ୍ତବ ପୃଥିବୀର ଜଣେ ପ୍ରମୁଖ ପ୍ରବକ୍ତା ଥିଲେ ଶେର୍ଲକ୍ ହୋମ୍ସ୍ ସ୍ରଷ୍ଟା ଆର୍ଥର କନାନ୍ ଡୟଲ୍!
ଅନେକ ସମୟରେ ଲୋକଙ୍କୁ ମରିଯାଇଥିବା ଲୋକଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଇବା ପାଇଁ ମିଡିଅମ ବା ମାଧ୍ୟମମାନେ ଯାଦୁବିଦ୍ୟାର ସହାୟତା ନେଇଥାନ୍ତି। ଅନେକ ବାବା ଯାଦୁବିଦ୍ୟାରେ ପାରଙ୍ଗମ। ବିବିସିର ଗୋଟିଏ ଡକୁମେଣ୍ଟାରିରେ ଦେଖାଇ ଦିଆଯାଇଛି କେଉଁ ଉପାୟରେ ପୁଟପର୍ତ୍ତିର ସାଇବାବା ଶୂନ୍ୟରୁ ମୁଦି, ଶାଳଗ୍ରାମ ଇତ୍ୟାଦି ବାହାର କରୁଥିଲେ। ଓଡ଼ିଶାର ଜଣେ ଠକ କୁଆଡ଼େ ନିଜକୁ ବାବା ବୋଲାଇ ପ୍ରତିଷ୍ଠିତ କରିବା ପୂର୍ବରୁ ଦୁଇବର୍ଷର ମ୍ୟାଜିକ୍ ଟ୍ରେନିଂ ନେଇଥିଲା। ବାବାଜୀ, ତାନ୍ତ୍ରିକ, ଗୁଣିଆ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ମ୍ୟାଜିକ୍କୁ ଏକ ପ୍ରଧାନ ଅସ୍ତ୍ର ଭାବରେ ବ୍ୟବହାର କରିଥାନ୍ତି। ମହାପୁରୁଷମାନଙ୍କ ବିଷୟରେ ମଧ୍ୟ ଏ ଭଳି ତଥ୍ୟମାନ ପ୍ରଚଳିତ କରାଯାଇଥାଏ, ଯଥା ଯୀଶୁଖ୍ରୀଷ୍ଟଙ୍କର ମରିବା ପରେ ଜୀଇଁବା, ମହମ୍ମଦଙ୍କର ପକ୍ଷୀରାଜ ଘୋଡ଼ାରେ ଚଢ଼ି ସ୍ୱର୍ଗକୁ ଯିବା ଇତ୍ୟାଦି।
ନିକଟ ଅତୀତରେ ଅନେକ ଲୋକ ଗାନ୍ଧୀଙ୍କ ପାଖକୁ ରୋଗୀ ନେଇ ଆସୁଥିଲେ ସେ ଛୁଇଁ ଦେଲେ ରୋଗ ଭଲ ହୋଇଯିବ ବୋଲି। ସାଇବାବାଙ୍କ ପାଖରେ ଭଲ ହୋଇଯିବା ଆଶାରେ ରୋଗୀଙ୍କ ଭିଡ଼ ଜମୁଥିଲା। ମଦର ଟେରେସା ଏକ ଅସାଧ୍ୟ ରୋଗକୁ ଭଲ କରିଥିଲେ ବୋଲି ତଥ୍ୟ ଦିଆଗଲା କାରଣ ମିରାକ୍ଲ୍ କରିଥିବା ଚର୍ଚ୍ଚ ଦ୍ୱାରା ସେଣ୍ଟ୍ ପଦବୀ ଦେବାର ଗୋଟିଏ ସର୍ତ୍ତ। ଆମର ମଧୁବାବୁଙ୍କ ବିଷୟରେ ମଧ୍ୟ ନିମ୍ନଲିଖିତ କାହାଣୀ ଅଛି :
ଜଣେ ଲୋକ ପିତଳ ପାତ୍ରଟିଏ ଧରି ତାଙ୍କ ପାଖକୁ ଆସି କହିଲା, ଏ ପାତ୍ରରେ ଆପଣ ଆଙ୍ଗୁଠିଟିକୁ ପୂରାଇ ଦିଅନ୍ତୁ। ମୋ ସ୍ତ୍ରୀ ଅତ୍ୟନ୍ତ ଗର୍ଭକଷ୍ଟ ପାଉଛି। ମଧୁବାବୁ ସେ ପାଣିରେ ଆଙ୍ଗୁଠି ବୁଡ଼ାଇଲେ ଓ ଗର୍ଭିଣୀ ତାହା ପାନ କରିବା ପରେ ଶିଶୁଟିଏ ନିରାପଦରେ ଜନ୍ମ ଗ୍ରହଣ କଲା।(ସୂର୍ଯ୍ୟନାରାୟଣ ଦାଶ, ଦେଶପ୍ରାଣ ମଧୁସୂଦନ) ସେହିପରି ଅରବିନ୍ଦଙ୍କ ବିଷୟରେ କୁହାଯାଏ ଯେ ସେ କୁଆଡ଼େ ନିଜର ଯୋଗ ସାଧନା ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସ୍ତାଲିନଗ୍ରାଡ୍ ଓ ବ୍ରିଟେନର ଯୁଦ୍ଧରେ ହସ୍ତକ୍ଷେପ କରିଥିଲେ।
ଅଲୌକିକ କଥାରେ ସାଧାରଣଙ୍କର ସବୁବେଳେ ଆଗ୍ରହ ଥାଏ ଏବଂ କୌଣସି ବାବାଙ୍କର ଏ ବିଦ୍ୟା କଥା ଅତି ଶୀଘ୍ର ପ୍ରସାରିତ ହୋଇଯାଏ। ସେପ୍ଟେମ୍ବର ୧୯୯୫ରେ ଗଣେଶ ମୂର୍ତ୍ତି ଦୁଧ ପିଉଥିବା ଖବର ଗୋଟିଏ ଦିନରେ ସାରା ପୃଥିବୀରେ ପ୍ରସାରିତ ହୋଇ ଚହଳ ପକାଇଥିଲା। ଯେତେବେଳେ ରେଡିଓ ଟେଲିଭିଜନ ଇଣ୍ଟରନେଟ୍ ଇତ୍ୟାଦି ନ ଥିଲା, ସେତେବେଳେ ମଧ୍ୟ ମୁହଁରୁ ମୁହଁ କଥା ଯାଇ ଏ ଭଳି ଖବର ଅତି ଶୀଘ୍ର ସବୁଆଡ଼େ ପହଞ୍ଚି ଯାଉଥିଲା। ୧୯୫୦ ବେଳକୁ ଅନୁଗୁଳର ମଫସଲ ଗାଁ ରନ୍ତଲାଇରେ ଗୋଟିଏ ପିଲାକୁ ନେପାଳୀ ବାବା ଆଖ୍ୟା ଦେଇ କିଛି ଭଣ୍ଡ ଲୋକ ଓଡ଼ିଶା ବାହାରୁ ମଧ୍ୟ ସେଠାକୁ ଭକ୍ତ ଆଣି ପାରିଥିଲେ।
ଯେଉଁ ଲୋକମାନଙ୍କର ଜୀବିକାରେ ଅଧିକ ଅନିଶ୍ଚୟତା ଥାଏ, ଯଥା ନେତା, ଅଭିନେତା ଓ ବ୍ୟବସାୟୀ, ସେମାନେ ସହଜରେ ଏ ଭଳି ବାବାମାନଙ୍କର ଶିକାର ହୋଇଥାନ୍ତି। ନିର୍ବାଚନ ଆଗରୁ ନେତାମାନଙ୍କ ସହିତ ଏମାନଙ୍କର ସଂପର୍କ ଆହୁରି ଘନିଷ୍ଠ ହୋଇଯାଏ। ଆମେରିକାର ରାଷ୍ଟ୍ରପତି ରେଗାନ୍ଙ୍କ ସ୍ତ୍ରୀ ନାନ୍ସି ତାଙ୍କ ପାଇଁ ଜ୍ୟୋତିଷଙ୍କର ପରାମର୍ଶ ନେଉଥିବା ସର୍ବବିଦିତ। ଆମ ଦେଶର ଅନେକ ନେତାଙ୍କର ଘରୋଇ ଗୁରୁ ଓ ଜ୍ୟୋତିଷ ଅଛନ୍ତି ଯାହାଙ୍କ ଉପଦେଶ ନେଇ ସେମାନେ ଦେଶକୁ ଚଳାନ୍ତି।
ଏହି ବାବା ବା ଗୁରୁମାନଙ୍କର ନିଜ ଶିଷ୍ୟଙ୍କ ଉପରେ ଅସମ୍ଭବ କର୍ତ୍ତୃତ୍ୱ ଥାଏ, ଯାହାଦ୍ୱାରା ଗୁରୁ ଯାହା କହନ୍ତି ଭକ୍ତମାନେ ବିନା ପ୍ରଶ୍ନରେ ମାନିନିଅନ୍ତି। ବିଭିନ୍ନ ଆଶ୍ରମରେ ଚେଲାମାନେ ଗୁରୁଙ୍କ ଆଦେଶରେ ତାଙ୍କର ଶତ୍ରୁମାନଙ୍କୁ ହତ୍ୟା କରିବାର ଅନେକ ଦୃଷ୍ଟାନ୍ତ ଅଛି। ୧୯୭୮ରେ ଗୁରୁ ଜିମ୍ ଜୋନ୍ସ୍ଙ୍କର ଆଜ୍ଞାରେ ଦକ୍ଷିଣ ଆମେରିକାରେ ତାଙ୍କର ନ’ ଶହ ଅନୁଗାମୀ ଆତ୍ମହତ୍ୟା କରିଥିଲେ। ଭଗବାନ ରଜନୀଶ ତାଙ୍କ ଫାଟକ ପାଖରେ ଠିକ ଲେଖିଥିଲେ, ଭିତରକୁ ଆସିବା ଆଗରୁ ବାହାରେ ଜୋତା ଓ ବୁଦ୍ଧିକୁ ଛାଡ଼ି ଆସ।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ଥାଏ ଏବଂ ଏହା ହିଁ ହେଉଛି ଜ୍ୟୋତିଷମାନଙ୍କର ସଫଳତା ଓ ଲୋକପ୍ରିୟତାର ମୂଳ। ଖବରକାଗଜମାନଙ୍କରେ ସେଥିପାଇଁ ପ୍ରତିଦିନ ରାଶିଫଳ ପ୍ରକାଶ ପାଏ ଏବଂ ଅନେକେ ଆଗ୍ରହର ସହିତ ଏହାକୁ ପଢ଼ନ୍ତି, ଯଦି ଓ ସମସ୍ତେ ଜାଣିନ୍ତି ପ୍ରତିଟି ରାଶିର ଫଳାଫଳ ପୃଥିବୀର ବାର ଭାଗରୁ ଏକ ଭାଗ ଲୋକଙ୍କ ପାଇଁ ପ୍ରଯୁଜ୍ୟ ହୋଇ ନପାରେ। ଏ ଭଳି ଜ୍ୟୋତିଷ ବିଦ୍ୟାକୁ ସମାଲୋଚନା କରି ବୈଜ୍ଞାନିକ ମେଘନାଦ ସାହା ଗଣକମାନଙ୍କ ବିଷୟରେ ଏପରି ମନ୍ତବ୍ୟ କରିଛନ୍ତି : ଗଣିକା ଓ ଗଣକ ଦୁହିଙ୍କର ଧର୍ମ ଏକ। ଦୁହେଁ ନିଜର ପଞ୍ଚାଙ୍ଗ ଦେଖାନ୍ତି। ଉଭୟେ ଲୋକଙ୍କ ମନକୁ ମୋହଗ୍ରସ୍ତ କରନ୍ତି। ବିଧାତା ଏହି ବିତ୍ତହରଣକାରୀଙ୍କୁ ତିଆରି କରିଛନ୍ତି।
ଭବିଷ୍ୟଦ୍ବାଣୀର ଏକ ଚୂଡ଼ାନ୍ତ ଉଦାହରଣ ହେଲା ନସ୍ଟ୍ରାଡାମସ୍(୧୬ଶ ଶତାବ୍ଦୀ)ଙ୍କର ଚାରିଧାଡ଼ିଆ ପଦ୍ୟାବଳୀ, ଯେଉଁଥିରେ ସେ ହିଟଲର, ବିଶ୍ୱଯୁଦ୍ଧ ଓ ଏପରିକି ୨୦୦୧ର ୯/୧୧ କଥା ଲେଖାଯାଇଛନ୍ତି ବୋଲି କୁହାଯାଏ। ଏ ସବୁ ଲେଖା ଅସ୍ପଷ୍ଟ ଓ ଅନିର୍ଦ୍ଦିଷ୍ଟ ଭଙ୍ଗୀରେ ଲେଖାଯାଇଥାଏ ଯେଉଁଥିରୁ ବିଭିନ୍ନ ଅର୍ଥ ବାହାର କରାଯାଇପାରେ। ଆମର ଅଚ୍ୟୁତାନନ୍ଦ ମାଳିକାରେ ମଧ୍ୟ ଭବିଷ୍ୟଦ୍ବାଦ୍ବାଣୀ କରାଯାଇଛି, ଯାହାର ଗୋଟିଏ ଉଦାହରଣ ହେଲା :
ଦେଖୁ ଦେଖୁ ସୈନ୍ୟବଳ ପଶିବେ ଧସାଇ
ଦିହୁଡ଼ି ଲାଗିବ ଦିନେ ଅଚ୍ୟୁତି କହଇ।
ଧରି ମାରୁଥିବେ ଜଣେ ଜଣେ ସୈନ୍ୟ ବଳ
ଧ୍ୱଂସିବେ ଯବନ ବଳ କରି ରଣଗୋଳ।
ଏହାକୁ ଟାଣିଓଟାରି ସେପ୍ଟେମ୍ବର ୨୯, ୨୦୧୬ ରାତିରେ କାଶ୍ମୀର ସୀମାନ୍ତରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ର ଭବିଷ୍ୟଦ୍ବାଣୀ ବୋଲି କୁହାଯାଇପାରେ।
ଏହି ବାବାଜୀମାନେ ଭବିଷ୍ୟଦ୍ବାଣୀ କହିବା ବ୍ୟତୀତ ଆହୁରି ଏକ ବିପଜ୍ଜନକ କାମ ମଧ୍ୟ କରିଥାନ୍ତି, ତା’ ହେଲା ରୋଗ ପାଇଁ ଔଷଧ ଦେବା। ସେମାନେ ଦେଉଥିବା ଜଡ଼ିବୁଟି, ଟୁଣୁଟୁଣୁକା ଉପରେ କୌଣସି ସରକାରୀ ନିୟନ୍ତ୍ରଣ ନାହିଁ ଏବଂ ଗାଁ ଗହଳରେ ଝଡ଼ାଫୁଙ୍କା ଅତି ପ୍ରଚଳିତ। ଓଡ଼ିଶାରେ ପ୍ରତିଦିନ ଖବର ମିଳେ ଛୋଟ ପିଲାଙ୍କୁ ଚେଙ୍କ ଦିଆ ଯାଉଥିବାର। ସହରମାନଙ୍କରେ ମଝିରେ ମଝିରେ ଖ୍ରୀଷ୍ଟିଆନ୍ ଫେଥ୍ ହିଲର ବା ଆସ୍ଥା ଚିକିତ୍ସକ ଦେଖା ଦିଅନ୍ତି ଯେଉଁମାନେ ମନ୍ତ୍ର ପଢ଼ି ଅସାଧ୍ୟ ରୋଗକୁ ଉପଶମ କରିବାର ଦାବୀ ରଖନ୍ତି। ଓଡ଼ିଶାରେ ପାଦୁକା, ଚରଣାମୃତ, ମନ୍ତୁରା ଜଳର ଅବାଧ ପ୍ରଚଳନ ଅଛି। ସାପ କାମୁଡ଼ିଲେ ଓ ବର୍ତ୍ତମାନ ଜାପାନିଜ୍ ଏନ୍ସେଫାଲାଇଟିସ୍ ପାଇଁ ଲୋକେ ଡାକ୍ତରଖାନା ନ ଯାଇ ଗୁଣିଆ ଓ ଦିଶାରି ପାଖକୁ ଯାଉଛନ୍ତି।
ଆଜିକାଲି ଆଲୋପାଥି ବଦଳରେ ଅଲ୍ଟର୍ନେଟ୍ ବା ବିକଳ୍ପ ଔଷଧ କଥା କୁହାଯାଉଛି ଯେଉଁଥିରେ ଆୟୁର୍ବେଦ, ୟୁନାନୀ ଓ ହୋମିଓପାଥି ଇତ୍ୟାଦି ଅନ୍ତର୍ଭୁକ୍ତ। ଏ ସବୁ ପଦ୍ଧତିର ଯଥେଷ୍ଟ ଗବେଷଣା ଓ ବିକାଶ ହୋଇନାହିଁ ଏବଂ ବ୍ୟବହାର ଓ ପରୀକ୍ଷା ଦ୍ୱାରା ଏହି ପ୍ରଣାଳୀମାନ ପ୍ରମାଣିତ ହୋଇନାହାନ୍ତି। ଆଜିର ଆୟୁର୍ବେଦ ଓ ହଜାର ବର୍ଷ ତଳର ଆୟୁର୍ବିଜ୍ଞାନ ଭିତରେ କୌଣସି ପ୍ରଭେଦ ନାହିଁ। ହୋମିଓପାଥିର ମୂଳ ତତ୍ତ୍ୱ ହେଲା ଯେ ଯେତେ ପାଣି ମିଶାଇବ ଔଷଧର ଶକ୍ତି ସେତିକି ବଢ଼ିବ। ଏ କଥା ଅବୈଜ୍ଞାନିକ ଏବଂ ଏହା ରସାୟନ ଓ ପଦାର୍ଥ ବିଜ୍ଞାନର ମୌଳିକ ତଥ୍ୟର ବିରୋଧୀ। ବର୍ତ୍ତମାନ ଆୟୁର୍ବେଦକୁ ଲୋକପ୍ରିୟ କରିବା ପାଇଁ ଉଗ୍ର ପ୍ରଚେଷ୍ଟା କରାଯାଉଛି। ନିକଟରେ ଉତ୍ତରାଖଣ୍ଡ ସରକାର ହନୁମାନ ବ୍ୟବହାର କରିଥିବା ମୃତ ସଂଜୀବନୀ ଗଛ ଖୋଜି ବାହାର କରିବା ପାଇଁ ଗୋଟିଏ କମିଟି ତିଆରି କରିଛନ୍ତି। ଯୋଗଗୁରୁ ରାମଦେବ ଏହି ଗଛର ସନ୍ଧାନ ପାଇବା ପରେ ଏହାର ପେଟେଣ୍ଟ ପାଇଁ ଦରଖାସ୍ତ କରିଛନ୍ତି।
ଆମ ଦେଶରେ ପ୍ରାଚୀନ କାଳରେ ଔଷଧ ଭଳି ଅନ୍ୟାନ୍ୟ ବିଷୟରେ ମଧ୍ୟ ଜ୍ଞାନ ଉପଲବ୍ଧ ଥିଲା। ଏ ବିଷୟରେ ବର୍ତ୍ତମାନ ଉତ୍ତେଜିତ ଆଲୋଚନା ହେଉଛି। ଭାରତୀୟ ବିଜ୍ଞାନର ଇତିହାସ ଅତି ପୁରୁଣା ଏବଂ ଏଥିରେ ସନ୍ଦେହ ନାହିଁ ଯେ ଏକ ସମୟରେ ଆମର ଜ୍ୟୋତିର୍ବିଦ୍ୟା, ଗଣିତ ଓ ଔଷଧ ଶାସ୍ତ୍ର ସାରା ପୃଥିବୀରେ ଅଗ୍ରଣୀ ଥିଲା ଏବଂ ଏ ସବୁ ପରେ ଇଉରୋପରେ ପହଞ୍ଚିଲା, ଆରବିକ ଅନୁବାଦ ମାଧ୍ୟମରେ। ଆମର ପ୍ରାଚୀନ ବିଜ୍ଞାନର କେତେକ କୃତିତ୍ୱ ହେଲା ଗଣିତ(ଭାସ୍କରାଚାର୍ଯ୍ୟଙ୍କ ସମୟରେ ତାଙ୍କ ଭଳି ଗଣିତଜ୍ଞ ସାରା ପୃଥିବୀରେ କେଉଁଠାରେ ନଥିଲେ।) ଅଥର୍ବ ବେଦର ଚରକ ସଂହିତାରେ ମଣିଷ ଦେହର ଅଙ୍ଗପ୍ରତ୍ୟଙ୍ଗର ଜ୍ଞାନ, ଛାନ୍ଦୋଗ୍ୟ ଉପନିଷଦ୍ରେ ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ, ଶଲ୍ୟ ଶାସ୍ତ୍ର, ପାଳି କରି ଶସ୍ୟ ରୋପଣ, ଇତ୍ୟାଦି। ଏ ସବୁ ବିଷୟରେ ଗର୍ବ ଅନୁଭବ କରିବା ବଦଳରେ ଆମେ ଉଦ୍ଭଟ ଦାବୀ କରୁଛୁ ଯେ ପ୍ରାଚୀନ କାଳରେ ଆମର ଉଡ଼ାଜାହାଜ, କଂପ୍ୟୁଟର୍ ଓ ଆଣବିକ ଅସ୍ତ୍ର ଥିଲା। ଏଥିପାଇଁ ପୁଷ୍ପକ ବିମାନ ଓ ମହାଭାରତ ଯୁଦ୍ଧରେ ଅଶ୍ୱତ୍ଥାମା ଭବିଷ୍ୟତ ବଂଶଧରଙ୍କୁ ନିପାତ କରିବା ପାଇ ଅସ୍ତ୍ର ପ୍ରୟୋଗ କରିବା କଥା କୁହାଯାଏ। ଯଦି ବି ଯୁକ୍ତି ଛଳରେ ଏ କଥା ମାନିନିଆଯାଏ, ଶାସ୍ତ୍ରରେ ଏ ଭଳି କୌଣସି ବୈଜ୍ଞାନିକ ବ୍ୟାଖ୍ୟା ନାହିଁ ଯାହା ଦ୍ୱାରା ଉଡ଼ାଜାହାଜ ବା କଂପ୍ୟୁଟର ତିଆରି କରାଯାଇପାରିବ। ୧୯୫୦ ଦଶକରେ ଏକ ବୈମାନିକ ଶାସ୍ତ୍ର ମିଳିଥିବାର ଦାବୀ କରାଯାଉଛି ଯେଉଁଥିରେ ଉଡ଼ାଜାହାଜ ତିଆରି କରିବା କଥା ଅଛି, ଏବଂ କର୍ଣ୍ଣାଟକ ସରକାର ଏହି ବିଷୟରେ ଗବେଷଣାକୁ ସାହାଯ୍ୟ କରୁଛନ୍ତି। ଆୟୁର୍ବେଦ ପାଇଁ ବର୍ତ୍ତମାନ କୁହାଯାଉଛି ଯେ ଏହାଦ୍ୱାରା କ୍ୟାନ୍ସର(ଏବଂ ସମଲିଙ୍ଗୀ ‘ରୋଗ’) ଭଲ କରି ଦିଆଯାଇପାରିବ।
ଅନ୍ୟ ଦିଗରେ କିଛି ହିନ୍ଦୁ ମୌଳବାଦୀ ବିରୋଧୀ ଆମର ପ୍ରାଚୀନ ସଫଳତାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଯଦିଓ ଶୂନ ଏବଂ ଦଶମିକ ପଦ୍ଧତି ଭାରତବର୍ଷରୁ ଆରମ୍ଭ ହୋଇଥିଲା ବୋଲି ସର୍ବବିଦିତ, ବର୍ତ୍ତମାନ କିଛି ଲୋକ ଚୀନ୍କୁ ଏହାର ଜନ୍ମଦାତା ବୋଲି କହୁଛନ୍ତି।
ଆମ ଦେଶରେ ବିଜ୍ଞାନର ପ୍ରଗତି ନ ହେବାର କାରଣ ହେଉଛି ଶାସ୍ତ୍ର ଓ ଗୁରୁଜନଙ୍କୁ ବିନା ପ୍ରଶ୍ନ ମାନିନେବାର ପରଂପରା। ବିଜ୍ଞାନ ସମୃଦ୍ଧ ହୁଏ ଗବେଷଣା କରି, ପରୀକ୍ଷା ନିରୀକ୍ଷା କରି ଏବଂ ବିଶେଷରେ ପ୍ରଶ୍ନ କରି। ଆମର ପୁରାତନୀ ପ୍ରଥାରେ ଗୁରୁଜନମାନଙ୍କୁ ପ୍ରଶ୍ନ କରାଯାଏ ନାହିଁ। ଗାର୍ଗୀ ବାରମ୍ବାର ପ୍ରଶ୍ନ କରିବାରୁ ଗୁରୁ ଯାଜ୍ଞବଳ୍କ୍ୟ କହିଲେ, ବେଶି ପ୍ରଶ୍ନ କଲେ ତମେ ତମର ମୁଣ୍ଡ ହରାଇବ! ପ୍ରଶ୍ନ କରୁ ନଥିବାରୁ ଆମେମାନେ ଅମୁକ ଲୋକ କାହାର ପାଦୋଦକ ପିଇ ରୋଗମୁକ୍ତ ହୋଇଗଲା ସେଇ ଉଡ଼ା ଖବରରୁ ବାବାଙ୍କ ଡାକ୍ତରୀ ଦକ୍ଷତା ବିଷୟରେ ନିଃସନ୍ଦେହ ହୋଇଯାଉ।
ଏ ଭଳି ପ୍ରଚଳନ ବିରୁଦ୍ଧରେ ବୁଦ୍ଧ କହିଥିଲେ, କୌଣସି ବିଷୟ କୁହାଯାଇଛି ବୋଲି ବା ସେଇଟି ପରଂପରାଭିତ୍ତିକ ବୋଲି ସେଥିରେ ବିଶ୍ୱାସ କରିବ ନାହିଁ; ଶିକ୍ଷକ ଯାହା କହୁଛନ୍ତି କେବଳ ତାଙ୍କୁ ସମ୍ମାନ ଦେଖାଇବା ପାଇଁ ସେଥିରେ ବିଶ୍ୱାସ କରିବ ନାହିଁ। ଗାନ୍ଧୀ ମଧ୍ୟ କହିଥିଲେ, ଯଦି ମତେ କୁହାଯାଏ ଯେ କୌଣସି ଶାସ୍ତ୍ର ଅସ୍ପୃଶ୍ୟତାକୁ ସମର୍ଥନ କରୁଛି, ମୁଁ ସେ ଶାସ୍ତ୍ରକୁ ପ୍ରତ୍ୟାଖ୍ୟାନ କରିବି। ଏ ବିଷୟରେ ନେହରୁ ସବୁବେଳେ ସାଇଣ୍ଟିଫିକ୍ ଟେମ୍ପର୍ ବା ବୈଜ୍ଞାନିକ ଦୃଷ୍ଟିକୋଣ କଥା କହୁଥିଲେ ଯାହା ବର୍ତ୍ତମାନ ଆମ ସମ୍ବିଧାନର ୫୧ କ ଅନୁଚ୍ଛେଦରେ ସ୍ଥାନ ପାଇଛି।
ମଜାର କଥା ଯେ ସେହି ନେହରୁ ୧୯୪୪ରେ ଝିଅ ଇନ୍ଦିରାଙ୍କ ପାଖକୁ ଚିଠି ଲେଖିଥିଲେ ନବଜାତ ରାଜୀବ ପାଇଁ ଗୋଟିଏ ଶୁଦ୍ଧ ଜନ୍ମପତ୍ରୀ ତିଆରି କରିବାକୁ। ଏବଂ ଶେଷ ଜୀବନରେ ତାଙ୍କ ଜାଣତରେ ତାଙ୍କର ଆୟୁଷ ବଢ଼ାଇବା ପାଇଁ ପୂଜାପାଠ କରାଯାଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଇନ୍ଦିରା ଓ ରାଜୀବ ଗାନ୍ଧୀ ବାବାମାନଙ୍କ ପାଖକୁ ଯାଉଥିଲେ। ଦୁହେଁ ୨୫୦ ବର୍ଷ ବୟସ୍କ ବୋଲି କୁହାଯାଉଥିବା ଦେଓରାହ ବାବାଙ୍କ ପାଦକୁ ନିଜ ମୁଣ୍ଡ ଉପରେ ରଖି ତାଙ୍କର ଆଶୀର୍ବାଦ ନେଇଥିବାର ଖବର ଅଛି।
ଶିକ୍ଷା ସୂଚନାର ପ୍ରଗତି ସତ୍ତ୍ୱେ କିନ୍ତୁ ଆମ ଦେଶରେ ବୈଜ୍ଞାନିକ ଦୃଷ୍ଟିକୋଣର ଯଥାଯଥ ବିକାଶ ହୋଇନାହିଁ ଏବଂ ଆମେ ପୌରାଣିକ କଥାକୁ ବିଜ୍ଞାନ ସହିତ ସମାନ ଆସନ ଦେଉ। ୨୦୧୪ରେ ଏକ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତରେ ପ୍ଲାଷ୍ଟିକ୍ ସର୍ଜରି ଥିବା ପ୍ରମାଣିତ ହୁଏ ଗଣେଶଙ୍କ ଦୃଷ୍ଟାନ୍ତରୁ। ୨୦୧୫ ଭାରତୀୟ ବିଜ୍ଞାନ କଂଗ୍ରେସରେ ଜଣେ ଦାବୀ କଲେ ଯେ ବୈଦିକ ସମୟରେ ଜଣେ ଋଷି ଉଡ଼ାଜାହାଜ ଉଦ୍ଭାବନ କରିଥିଲେ। ଏ ସବୁ ଦେଖି ନୋବେଲ ବିଜେତା ରାମକୃଷ୍ଣନ ୨୦୧୬ ବିଜ୍ଞାନ କଂଗ୍ରେସକୁ ଗୋଟିଏ ସର୍କସ ଆଖ୍ୟା ଦେଇଥିଲେ, ଯେଉଁଠାରେ ଅତି କମ ବିଜ୍ଞାନ ଆଲୋଚିତ ହୁଏ। ସେଥିପାଇଁ କେତେକ ବୈଜ୍ଞାନିକ ଏହି କଂଗ୍ରେସକୁ ଭାଙ୍ଗି ଦେବାର ପ୍ରସ୍ତାବ ଦେଇଥିଲେ।
ବୈଜ୍ଞାନିକ ଦୃଷ୍ଟିକୋଣରେ ବିଶ୍ୱାସ ରଖିଥିବା ଲୋକକୁ ଅନେକ ସମୟରେ ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଥାଏ, ଯଥା : ଆପଣ କଣ ମନ୍ଦିରକୁ ଯାନ୍ତି, ଆପଣ ଖବର କାଗଜରେ ରାଶି ଫଳ ଦେଖନ୍ତି କି, କେବେ ହୋମିଓପାଥି ଔଷଧ ଖାଇଛନ୍ତି, ଭୂତପ୍ରେତକୁ କଣ ଆପଣଙ୍କ ଭୟ ନାହିଁ, ଇତ୍ୟାଦି। ଏହାର ଉତ୍ତର ହଁ ନା କେବେ କେବେ ବା ସଙ୍ଗ ଦୋଷରୁ ହୋଇପାରେ। ଭୂତରେ ବିଶ୍ୱାସ ନଥାଇ ମଧ୍ୟ ଜଣେ ଅନ୍ଧାରରେ ତଥାକଥିତ ଭୂତକୁ ଡରିପାରେ। ଗୁରୁଜନଙ୍କ ମେଳରେ ମନ୍ଦିରକୁ ଯାଇ ଠାକୁରଙ୍କୁ ହାତ ଯୋଡ଼ିବା ଈଶ୍ୱର ବିଶ୍ୱାସର ପ୍ରମାଣ ନୁହେଁ। ହୋମିଓପାଥି ଔଷଧ ମିଠା ଲାଗେ ବୋଲି ଖିଆ ଯାଇପାରେ। ଏବଂ ମୋଟ କଥା ହେଲା ଯେ ଏଇ ଲୋକଟି କଣ କଲା ନକଲା ବୈଜ୍ଞାନିକ ସତ୍ୟର ତା’ ସହିତ କୌଣସି ସଂପର୍କ ନାହିଁ।
କୁହାଯାଏ ଯେ ପରମାଣୁ ବୋମାର ଅନ୍ୟତମ ଉଦ୍ଭାବକ ଓ ନୋବେଲ ବିଜେତା ନୀଲ୍ସ୍ ବ’ର୍ଙ୍କ କବାଟ ବନ୍ଧରେ ଗୋଟିଏ ଘୋଡ଼ା ନାଲ ଲାଗିଥିଲା ଯାହା ଶୁଭଂକରୀ ବୋଲି ଧରାଯାଇଥାଏ। ଏହି କୁସଂସ୍କାରରେ ସେ ବିଶ୍ୱାସ କରନ୍ତି କି ବୋଲି ଜଣେ ତାଙ୍କୁ ପ୍ରଶ୍ନ କରିବାରେ ସେ କୁଆଡ଼େ କହିଥିଲେ, ମୁଁ ଶୁଣିଛି ଯେ ତମେ ବିଶ୍ୱାସ କର ବା ନକର, ଏଥିରୁ ଭଲ ଫଳ ମିଳିଥାଏ।
ଏହି କାଳ୍ପନିକ ମଜା କଥାରେ ଯେଉଁ ସାରତତ୍ତ୍ୱ ଅଛି ତା’ ହେଲା, ବୈଜ୍ଞାନିକ ସତ୍ୟ କୌଣସି ବ୍ୟକ୍ତିବିଶେଷର ବିଶ୍ୱାସ ଅବିଶ୍ୱାସର ବଶବର୍ତ୍ତୀ ନୁହେଁ।
(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)