ଜଗନ୍ନାଥ ପ୍ରସାଦ ଦାସ
‘‘ଆଜିକାଲି ହସିବା ବିରଳ ହୋଇ ଯାଇଛି। ଖୁବ୍ କମ ଲୋକଙ୍କୁ ହସିବାର ଦେଖିବାକୁ ମିଳୁଛି। ଓଡ଼ିଶାରେ ରାଜନେତାଙ୍କଠାରୁ ଆରମ୍ଭ କରି ସାହିତ୍ୟିକ ଓ ବୁଦ୍ଧିଜୀବୀ ଗୋଷ୍ଠୀ ସାମାନ୍ୟ ବ୍ୟଙ୍ଗ ସହିବା ଅବସ୍ଥାରେ ନାହାନ୍ତି। ଅତି ସାମାନ୍ୟ ବିଦ୍ରୂପ ପ୍ରକାଶ ପାଇଲେ ସେମାନେ ଯୁଦ୍ଧ କରିବା ପରିସ୍ଥିତି ସୃଷ୍ଟି କରି ଦିଅନ୍ତି।’’
ଫତୁରାନନ୍ଦ ଶତବାର୍ଷିକୀ ଉତ୍ସବରେ ପ୍ରଧାନ ଅତିଥି ସୌମ୍ୟରଂଜନ ପଟ୍ଟନାୟକ
(ସମ୍ବାଦ ୩ ମାର୍ଚ୍ଚ, ୨୦୧୫)
ଅନେକ ଦିନ ତଳେ ଏ ସମ୍ବାଦଟି ପଢିବା ପରେ ମୋର ମନେ ହୋଇଥିଲା ଯେ ଆମ ସାହିତ୍ୟର ଅବସ୍ଥା ମଧ୍ୟ ଏକା ଭଳି। ଏଥିରେ ମଧ୍ୟ ହସ ବିରଳ। ସାହିତ୍ୟରେ ଆମେମାନେ ସବୁବେଳେ ଗମ୍ଭୀର ବିଷୟକୁ ସମ୍ମାନ ଦେଉ ଓ କାନ୍ଦ ସହିତ ଆମର ଆତ୍ମୀୟତା ଅଛି। ଓଡ଼ିଆରେ ‘ଜେମା ଦେଇ କାନ୍ଦ’ ଭଳି ବହି ଅଛି, ‘ଜେମାଦେଇ ହସ’ ବହି ନାହିଁ। କାନ୍ଦଣା ଗୋଟିଏ ସାହିତ୍ୟିକ ବିଭାଗ ଯେଉଁଥିରେ ଆମେମାନେ ପାରଙ୍ଗମ।
ଉତ୍କଳ ଜନନୀଙ୍କ କ୍ରନ୍ଦନ, କଳିଙ୍ଗ ଭାରତୀଙ୍କ ରୋଦନ, ପୁତ୍ର ବିୟୋଗରେ ମାତାଙ୍କ ବିଳାପ ଆମ ସାହିତ୍ୟର ଏକ ବଳିଷ୍ଠ ପରମ୍ପରା। ଏ ସବୁ ପଢ଼ିଲେ ମନେ ହେବ ଯେପରିକି ଆମର ସବୁ ସମୟ ଯାଉଥିଲା ଛାତି ପିଟିବାରେ, ଝୁରିବାରେ, ସକେଇବାରେ, ବାହୁନିବାରେ ଏବଂ କାନ୍ଦ ବୋବାଳିରେ। ମୋର ଭୟ ହେଉଛି ହୁଏତ କେତେବେଳେ ଏୟାରପୋର୍ଟ ଓ ଷ୍ଟେସନରୁ ବାହାରିବା ବେଳେ ଆଖିରେ ସାଇନବୋର୍ଡ ପଡ଼ିବ : ‘‘ଆପଣ ବର୍ତ୍ତମାନ ଓଡ଼ିଶାରେ: ଏଠାରେ ହସିବା ମନା।’’
ମୁଁ ଯେତେବେଳେ ମୋର ନନ୍ସେନ୍ସ୍ କବିତା ବହି ଆଳୁକୁଚି ମାଳୁକୁଚି ଛପାଇବା ପାଇଁ ପଠାଇଲି, ଜଣେ ଲେଖିକା ମତେ କହିଥିଲେ, ଏ ବହି ବାହାରିବା ପରେ କେହି ଆପଣଙ୍କ ଲେଖାକୁ ଗମ୍ଭୀରତାର ସହିତ ନେବେ ନାହିଁ। (ଅବଶ୍ୟ ଆଗରୁ ଯେ ମତେ ପାଠକମାନେ ଗମ୍ଭୀରତାର ସହିତ ନେଉଥିଲେ, ତା ମଧ୍ୟ ମତେ ଜଣା ନ ଥିଲା।) ତାଙ୍କ କଥାର ମର୍ମ ଥିଲା ଯେ ଓଡ଼ିଶାରେ ହାଲୁକା ହାସ୍ୟରସାତ୍ମକ ଲେଖାର ଆଦର ନାହିଁ ଏବଂ ହାସ୍ୟରସର ଲେଖକ ସମ୍ମାନର ଯୋଗ୍ୟ ନୁହେଁ। ମୋର ବହିଟି ପ୍ରକାଶିତ ହେବା ପରେ ତା’ର କୌଣସି ଆଲୋଚନା ହୋଇ ନ ଥିଲା, ତେବେ ଗୋଟିଏ ଲିଟ୍ଲ୍ ମ୍ୟାଗାଜିନ (ଶ୍ରୀ ହରିବୋଲ ନଭେମ୍ବର-ଡିସେମ୍ବର ୨୦୦୫) ଏହି ବହିର ଉଲ୍ଲେଖ କରି ଏ ଭଳି ମନ୍ତବ୍ୟ କରିଥିଲେ : ଓଡ଼ିଶାର ମହାନ ଲେଖକମାନଙ୍କ ବିନୋଦ ବୃତ୍ତି ଉପରେ ପାଠକଙ୍କର ଘୋର ସନ୍ଦେହ। ହସିଦେଲେ କାଳେ ପାଠକ ଖୁସି ହୋଇଯିବେ, ଫଳରେ ତାଙ୍କର ପ୍ରେଷ୍ଟିଜ ଚାଲିଯିବ, ହୁଏତ ଏ ଭଳି ଭୟ ତାଙ୍କୁ ହାସ୍ୟ ରଚନାରୁ ନିବୃତ୍ତ କରି ରଖିଛି।… ଏଇ ଲେଖକମାନଙ୍କ ପାରିବାରିକ ଜୀବନ ସୁଖମୟ ହେଉ, ଚାକିରିରେ ପ୍ରମୋଶନ ମିଳୁଥାଉ ଓ ସେମାନେ ଅନ୍ୟୂନ ଖଣ୍ଡିଏ ହସ ହସ ପୁସ୍ତକ ଜରିଆରେ ପାଠକଙ୍କ ଗହଣକୁ ଆସନ୍ତୁ ବୋଲି ସମସ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି।
ଏହି ମନ୍ତବ୍ୟ ତଥା ପ୍ରଥମରେ ଦିଆଯାଇଥିବା ଅଗ୍ରଲେଖରୁ ସ୍ପଷ୍ଟ ହେବ ଯେ ଗୋଟିଏ ଜାତି ଭାବରେ ଆମେ ହାସ୍ୟରସ ପ୍ରତି ବିମୁଖ। ଆମର ସାହିତ୍ୟ ମଧ୍ୟ ହସରୁ ନିଜକୁ ଦୂରେଇ ରଖିଆସିଛି।
ମଣିଷର ଭାବାନୁଭୂତିମାନଙ୍କୁ ଭରତ ମୁନି ତାଙ୍କର ନାଟ୍ୟଶାସ୍ତ୍ରରେ ଯେଉଁ ଆଠ ଶ୍ରେଣୀରେ ବିଭକ୍ତ କରିଛନ୍ତି, ହାସ୍ୟରସ ତା ମଧ୍ୟରୁ ଅନ୍ୟତମ। (ନବରସ ଅନ୍ତର୍ଭୁକ୍ତ ଶାନ୍ତ ରସ ଭରତଙ୍କ ତାଲିକାରେ ନଥିଲା।) ଏହି ଆଠଟି ରସ ଭିତରୁ ପୁଣି ସେ ହାସ୍ୟରସକୁ ଶୃଙ୍ଗାର ରସ ସହିତ ଏକାଠି କରି କହିଥିଲେ, ଶୃଙ୍ଗାରାତ୍ ଜାୟତେ ହାସ୍ୟଃ। ଆମର ପ୍ରାଚୀନ ଓଡ଼ିଆ ଲେଖକମାନେ କିନ୍ତୁ ନିଜ ଲେଖାରେ ଶୃଙ୍ଗାରକୁ ଅତିମାତ୍ରାରେ ପ୍ରାଧାନ୍ୟ ଦେଇଥିବା ବେଳେ ହାସ୍ୟକୁ କ୍ୱଚିତ ବ୍ୟବହାର କରିଛନ୍ତି।
ଏହାର କାରଣ ବୋଧହୁଏ ଯେ ହସିବାକୁ ଆମର ଶାସ୍ତ୍ରକାରମାନେ ଏକ ଉଚ୍ଚ ଆଚରଣ ବୋଲି ଗ୍ରହଣ କରୁ ନଥିଲେ। ସେହି ଭରତ ମୁନିଙ୍କ ମତରେ ହାସ୍ୟ ବିନୋଦ ହେଉଛି ସ୍ତ୍ରୀ ଓ ନୀଚ ଜାତିଙ୍କର। ଚରିତ୍ର ଅନୁସାରେ ହସର ମଧ୍ୟ ବିଭିନ୍ନ ବିଭାଗ କରାଯାଇ ନାଟକରେ କିଏ କିପରି ହସିବ ତା’ ନିମ୍ନମତେ ସ୍ଥିର କରାଯାଇଥିଲା: ଭଦ୍ର ଓ ସମ୍ଭ୍ରାନ୍ତ ଲୋକ -ସ୍ମିତ, ହସିତ; ମଧ୍ୟମ ବର୍ଗ ଓ ସାଧାରଣ ଚରିତ୍ର- ବିହସିତ, ଉପହସିତ; ନୀଚ ଅଭଦ୍ର ନିମ୍ନ ବର୍ଗ-ଅପହସିତ, ଅତିହସିତ। ଏ ଭଳି ଶ୍ରେଣୀ ବିଭାଗରେ ବୋଧହୁଏ ହସ ସାହିତ୍ୟରୁ ଉପେକ୍ଷିତ ହୋଇଗଲା।
ପାଶ୍ଚାତ୍ୟ ସାହିତ୍ୟରେ ମଧ୍ୟ ହାସ୍ୟ ରସର ଆରମ୍ଭ ହେଲା ଅନେକ ପରେ। ହୋମର ଓ ଭର୍ଜିଲଙ୍କ ଲେଖାରେ ହାସ୍ୟ ନଥିଲା। କୁହାଯାଇଛି ଯେ ଇଉରୋପୀୟ ସାହିତ୍ୟରେ ହସ ପ୍ରବେଶ କଲା ସର୍ଭାଣ୍ଟିଜଙ୍କର ଡନ୍ କିହୋଟେ(ସପ୍ତଦଶ ଶତାବ୍ଦୀ) ଉପନ୍ୟାସରୁ।
ଓଡ଼ିଆ ସାହିତ୍ୟର ଆରମ୍ଭ କାଳରୁ ହିଁ ହାସ୍ୟରସ ବ୍ୟବହାର କରାଯାଇଛି ବୋଲି ଦାବି କରାଯାଏ। ଆମର ପ୍ରଥମ ସାହିତ୍ୟିକ କୀର୍ତ୍ତି ବଛା ଦାସଙ୍କର କଳଶା ଚଉତିଶାରେ ଥିବା ବୁଢ଼ା ବରର ନିମ୍ନଲିଖିତ ବର୍ଣ୍ଣନାକୁ ଏଥିର ଉଦାହରଣ ଦିଆଯାଏ:
ଖୁଁ ଖୁଁ ଖାସ ସାହସେଣ ପେଲୁଅଛି ଧଇଁ
ଟାକୁଆ ଗାଲ ପାକୁଆ ଦାନ୍ତ ଆଦି ନାହିଁ। ଇତ୍ୟାଦି
ସାରଳା ମହାଭାରତରେ ମଧ୍ୟ ଏହି ଭଳି ବର୍ଣ୍ଣନା ଅଛି କୃଷ୍ଣଙ୍କୁ ଡାକି ଆଣିବାକୁ ରାଧା ପଠାଇଥିବା ବୃଦ୍ଧା ଦୂତୀର ବର୍ଣ୍ଣନାରେ :
ପାଚିଲା କେଶ ତା’ର ଅତି ଗଳିତ ଖଳିତ ପ୍ରାୟେ
ପରପଞ୍ଚ ଦିଶଇ ସେ କେନ୍ଦୁ କାଠ ପ୍ରାୟେ।
ଦୀନକୃଷ୍ଣ ଦାସଙ୍କ ନାବକେଳିରେ ବୃଦ୍ଧ କେଉଟରୂପୀ କୃଷ୍ଣଙ୍କ ବର୍ଣ୍ଣନା :
ବେନି ନୟନରୁ ପେଚଡ଼ା ବହେ, କଳା ଦେହ ତା’ର ବିସ୍ତର ମୋଟା, ଗୋଦଡ଼ ହୋଇଛି ଡାହାଣ ଗୋଡ଼, ଇତ୍ୟାଦି।
ବ୍ରଜନାଥ ବଡ଼ଜେନାଙ୍କ ସମୟକୁ(ଅଷ୍ଟାଦଶ ଶତାବ୍ଦୀ) ମଧ୍ୟ ଏହି ରୀତି ଚଳି ଆସିଥିଲା। ତାଙ୍କର ଚତୁର ବିନୋଦର ଗୋଟିଏ ଭାଗ ହେଉଛି ହାସ ବିନୋଦ ଏବଂ ତା’ର ଗୋଟିଏ ଅଂଶ ଅତିହାସ ବିନୋଦ। ତାଙ୍କ ବର୍ଣ୍ଣନାରେ ‘ଅତିହାସ ବିନୋଦ ଏ କଥାର ନାମ, ହସି ହସି ଅନ୍ତ ଛିଡ଼ଇ ପ୍ରାଣୀ ଯାଏ ଝାମ’। କିନ୍ତୁ ସେଥିରେ ମଧ୍ୟ ସେହି ଆଗ ଭଳି ଆଙ୍ଗିକ ବିକୃତି, ବୃଦ୍ଧାବସ୍ଥା, କୁରୂପତା, ବିକଳାଙ୍ଗକୁ ନେଇ ହସ ତିଆରି କରିବାର ଚେଷ୍ଟା, ଯେପରିକି ରାଣୀଙ୍କର ବର୍ଣ୍ଣନା: ତାଙ୍କର ତ ଲମ୍ବ ଲମ୍ବ କୁଚ, ଭାଲପଟ ଉଚ୍ଚ, ଆଗକୁ ବାହାରିଥାଏ ଥନ୍ତଲ ପେଟ ଗୋଟି, ଇତ୍ୟାଦି।
ଉପର ଉଦାହରଣମାନଙ୍କରେ ତଥାକଥିତ ହାସ୍ୟରସର ପ୍ରଚେଷ୍ଟା ଅରୁଚିକର, ଘୃଣା ବ୍ୟଂଜକ, ଅମାର୍ଜିତ, ଜୁଗୁପ୍ସା ସୃଷ୍ଟିକାରୀ ଓ ସଭ୍ୟ ସମାଜରେ ଅଗ୍ରାହ୍ୟ। ଏ ସବୁ ମଧ୍ୟ ଅଶ୍ଲୀଳତାର ଅନ୍ତର୍ଭୁକ୍ତ ଏବଂ ଏଥିରେ ଯଦି ରସ ଥାଏ ତା’ ହେଉଛି ବୀଭତ୍ସ, କଦାପି ହାସ୍ୟ ନୁହେଁ।
ଗୋପୀନାଥ ନନ୍ଦ ସାରଳା ମହାଭାରତରେ ହାସ୍ୟରସକୁ ‘ଅଶ୍ଲୀଳତାଶ୍ରୟୀ ହାସ୍ୟ’ ଆଖ୍ୟା ଦେଇଛନ୍ତି। ଆମ ସମୟର ଲେଖକ ଫତୁରାନନ୍ଦ ମଧ୍ୟ ତାଙ୍କର ‘ନିଲଠା କବିର ‘କ’ ଗୀତରେ ଏହି ଭଳି ନାରୀ ଶରୀରର ଯେଉଁ ନିମ୍ନ ବର୍ଣ୍ଣନା କରିଛନ୍ତି ତାହା ଅଶ୍ଲୀଳତା ଯୋଗୁ ଏଠାରେ ପ୍ରକାଶଯୋଗ୍ୟ ନୁହେଁ।
ମଧ୍ୟଯୁଗୀୟ ଓଡ଼ିଆ କବିତାରେ ଆଉ ଏକ ପ୍ରକାରର ହାସ୍ୟରସ ଲେଖାହେଲା, ତା’ ହେଉଛି ବାକ୍ ଓ ଶବ୍ଦ ଚାତୁରୀ, ଯଥା ଶ୍ଲେଷ, ଚିତ୍ରକାବ୍ୟ, ଲୋମବିଲୋମ ଇତ୍ୟାଦି ଯାହା ଏହି ଆଲୋଚନାରେ ଚର୍ଚ୍ଚା କରାଯାଉ ନାହିଁ।
ଉଚ୍ଚ ବା ଗମ୍ଭୀର ସାହିତ୍ୟରେ ନିରୋଳା ହାସ୍ୟରସ ପ୍ରଥମ ପ୍ରୟୋଗ କରିବାର ଶ୍ରେୟ ଯିବ ଫକୀରମୋହନ ସେନାପତିଙ୍କୁ। ତାଙ୍କର ଛମାଣ ଆଠଗୁଣ୍ଠ ଆରମ୍ଭରେ ରାମଚନ୍ଦ୍ର ମଙ୍ଗରାଜର ନକଲି ଧାର୍ମିକତାରୁ ଆରମ୍ଭ ହୋଇ ବିଭିନ୍ନ ପ୍ରକାରର ବାକ୍ ଓ ଶବ୍ଦ ଚାତୁରୀ ଦେଇ ଉପନ୍ୟାସର ଶେଷ ପର୍ଯ୍ୟନ୍ତ ଆମେ ହାସ୍ୟରସର ଏକ ପ୍ରଚ୍ଛନ୍ନ ଅନ୍ତର୍ଧାରା ଦେଖିବାକୁ ପାଉ। ପରବର୍ତ୍ତୀ ସମୟରେ କିନ୍ତୁ ଅତି ଅଳ୍ପ ଲେଖକ ଏ ଭଳି ଶୈଳୀ ଅନୁସରଣ କରିଛନ୍ତି।
ଓଡ଼ିଆ ସାହିତ୍ୟରେ ହାସ୍ୟରସକୁ ପ୍ରାଧାନ୍ୟ ଦେଇ ଲେଖିବାର ପ୍ରେରଣା ଯୋଗାଇଥିଲା ୧୯୩୬ରେ ନିତ୍ୟାନନ୍ଦ ମହାପାତ୍ରଙ୍କ ସଂପାଦନାରେ ପ୍ରକାଶିତ ଡଗର ପତ୍ରିକା। ଏହାର ପ୍ରଥମ ସଂଖ୍ୟାର ସଂପାଦକୀୟରେ କୁହାଯାଇଥିଲା, ‘‘ଡଗରର ଉଦ୍ଦେଶ୍ୟ ରସ ସୃଷ୍ଟି। ପ୍ରତ୍ୟେକ ବିଷୟକୁ ଲଘୁ ଦୃଷ୍ଟିରେ ଦେଖି ଦଳଗତ କିମ୍ବା ବ୍ୟକ୍ତିଗତ ଦ୍ୱେଷ ରହିତ ବିଦ୍ରୂପରେ ଆନନ୍ଦ ସଂଚାର କରିବା ତା’ର ଉଦ୍ଦେଶ୍ୟ’’। ଏହି ଉଦ୍ଦେଶ୍ୟରେ ଡଗର ନିଶ୍ଚୟ ସଫଳ ହୋଇଥିଲା ଏବଂ ଏହାର ଅଗ୍ରଣୀ ଲେଖକ ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଫତୁରାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ହାସ୍ୟରସ ଲେଖକ ବାହାରିଥିଲେ। ଏବଂ ଏହି ସମୟରେ ଓଡ଼ିଆ ସାହିତ୍ୟରେ ପ୍ରକୃତ ହାସ୍ୟ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କ୍ଷଣଜୀବୀ କୁଙ୍କୁମ ପତ୍ରିକା ମଧ୍ୟ ଏଥିରେ ସକ୍ରିୟ ସହଯୋଗ କରିଥିଲା। ଦୁଃଖର ବିଷୟ ଯେ ପତ୍ରିକା ବନ୍ଦ ହୋଇଯିବା ପରେ ଏ ଧାରାର ଶେଷ ହେଲା।
ତା’ ପରେ ଓଡ଼ିଆ ସାହିତ୍ୟରେ କିଛି ଲେଖକ କେବଳ ହାସ୍ୟରସର ଲେଖକ ଭାବରେ ଗଣା ହେଲେ ଏବଂ ତଥାକଥିତ ଗମ୍ଭୀର ଭାବଧାରାର ଲେଖକମାନେ ନିଜକୁ ହାସ୍ୟରସରୁ ଯେତେ ସମ୍ଭବ ଦୂରରେ ରଖିଲେ। ଏ ଭଳି ଗୋଟିଏ ଧାରଣା ସୃଷ୍ଟି ହେଲା ଯେ ହାସ୍ୟରସ କେବଳ ହସିବା, ଥଟ୍ଟା ତାମସା, ସୁଆଙ୍ଗ, ଉପହାସ, କୌତୁକ, ମଜା କଥା, ଶସ୍ତା କବିତା। ସେଥିପାଇଁ ଏହି ରସ ଆମର ଅଧିକାଂଶ ଲେଖକଙ୍କୁ ଆକର୍ଷିତ କରିପାରିଲା ନାହିଁ।
ହସାଇବା ବ୍ୟତୀତ ହାସ୍ୟ ସାହିତ୍ୟର ଏକ ସକ୍ରିୟ, ଶକ୍ତିଶାଳୀ ଓ ପ୍ରଭାବଶାଳୀ ବ୍ୟବହାର ମଧ୍ୟ ଅଛି। ତା’ ହେଲା କ୍ଷମତାସୀନ ଓ ପ୍ରତାପଶାଳୀ ଲୋକଙ୍କୁ ସମାଲୋଚନା କରିବା। ହାସ୍ୟରସ ଆଳରେ ଏ ଭଳି ପ୍ରତିବାଦ କରାଯାଇପାରେ ଯାହା ସିଧାସଳଖ ଭାବେ କରିବା ସମ୍ଭବ ନୁହେଁ। ଏହାକୁ ପ୍ରତିରୋଧ କରିବା ପାଇଁ ଏକଛତ୍ର ଶାସନରେ ହସ ଉପରେ ପ୍ରତିବନ୍ଧ ଲଗାଯାଇଥାଏ। ରବୀନ୍ଦ୍ର ନାଥ ଠାକୁରଙ୍କ ଗଳ୍ପ ‘ବିଦୂଷକ’ରେ ଖେଳୁଥିବା ଛୋଟ ପିଲାମାନେ ଖେଳରେ ଦେଖାଇଥିଲେ ଯେ କର୍ଣ୍ଣାଟ ରାଜା କାଞ୍ଚିକୁ ହରାଇ ଦେଇଛନ୍ତି, ସେଥିପାଇଁ କାଞ୍ଚି ରାଜା ପିଲାଙ୍କୁ ଦଣ୍ଡ ଦେଇଥିଲେ। ଏ କଥା ଦେଖି ରାଜାଙ୍କ ବିଦୂଷକ ଦରବାରରୁ ମେଲାଣି ମାଗିଲେ, କାରଣ ସେଠାରେ ରହିଲେ ସେ ହସିବା ଭୁଲିଯିବେ।
ହିଟଲରଙ୍କ ସମୟରେ ଜର୍ମାନୀରେ ସ୍ପେଶିଆଲ୍ ଜୋକ୍ କୋର୍ଟ ବସାଯାଇଥିଲା ଯେଉଁଥିରେ ଇନ୍ଆପ୍ରୋପ୍ରିଏଟ୍ ହ୍ୟୁମର ବା ଅସଙ୍ଗତ ପରିହାସ- ସିଧାସଳଖ କହିଲେ ନାଜିଙ୍କୁ ଥଟ୍ଟା କରିବା ଭଳି କଥା- ଦଣ୍ଡନୀୟ ଥିଲା। ସେ ସମୟରେ କୁକୁରକୁ ଆଡଲ୍ଫ, ଯାହା ହିଟଲରଙ୍କ ପ୍ରଥମ ନାଁ ଥିଲା, ବୋଲି ନାଁ ଦେବା ଅପରାଧ ଥିଲା।
ଏ ଭଳି ତାନାଶାହୀ ଶାସନ ବିରୁଦ୍ଧରେ ସିଧା ପ୍ରତିବାଦ ସମ୍ଭବ ନ ଥିବାରୁ ହାସ୍ୟ ବ୍ୟଙ୍ଗ ଆଢୁଆଳରେ ପ୍ରତିବାଦ କରୁଥିଲେ ହାସ୍ୟ ସ୍ରଷ୍ଟାମାନେ। ହାସ୍ୟରସ ପ୍ରତିବାଦର ଏକ ପଦ୍ଧତି ଭାବରେ ପ୍ରୟୋଗ କରାହେଉଥିଲା। ଆମର ଲୋକକଥାରେ ତେନାଲି ରାମ, ବୀରବଲ ପ୍ରମୁଖ ହସ କଥା ମାଧ୍ୟମରେ ରାଜା, ସମ୍ରାଟ ଓ ଦେବଦେବୀଙ୍କୁ ସମାଲୋଚନା କରୁଥିଲେ। ଆମର ଯଦୁମଣିଙ୍କ ବିଷୟରେ କଥା ଅଛି ଯେ ଥରେ ରଣପୁର ରାଜା ଗୋଟିଏ ଦେବମୂର୍ତ୍ତିକୁ ସମ୍ମାନ ଦେଇ ନ ଥିବାରୁ ସେ ତାଙ୍କୁ କହିଥିଲେ,
ଅନ୍ଧ ଦେଶକୁ ଗଲି ଦର୍ପଣ ବିକି
କନ୍ଧ ହାତରେ ଦେଲି ଗୋଦାନ ଟେକି
ଜଡ଼ା ମଧୁରେ କଲି ଖଡ଼ା ରନ୍ଧନ
କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ
ହେ ରାଜା କି କଲ
ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ।
ସ୍ୱାଧୀନତା ଆନ୍ଦୋଳନ ବେଳେ ଇଂରେଜ ବିରୋଧୀ ଏବଂ ଗାନ୍ଧୀ ପ୍ରଶଂସାର ଲେଖା ବାଜ୍ୟାପ୍ତ ହେଉଥିବା ବେଳେ ନିତ୍ୟାନନ୍ଦ ମହାପାତ୍ରଙ୍କର ‘ଗାନ୍ଧୀ ବୁଢ଼ା’ ପୁସ୍ତିକା ଏଥିରୁ ବର୍ତ୍ତି ଯାଇଥିଲା କାରଣ ଏହା ହସ ମଜା ଢଙ୍ଗରେ ଲେଖା ଯାଇଥିଲା:
ଗାନ୍ଧୀ କିସ ନ କଲା
ଯୁଗ ତ ଲେଉଟି ଗଲା ରେ
ସାପ ଲାଞ୍ଜ ଧରି ବେଙ୍ଗ ବୁଲାଉଛି
ସାପ ବିଷ ଓକାଳିଲା ରେ।
ଦଶା ଦିଆ ଭୁଆ ବିଲେଇ
ବସିଥିଲା ନିଶ ଫୁଲେଇ
ମୂଷା ଆଗେ ଶହେ ସଲାମ ବଜାଇ
ଲୁଚି ଲୁଚି ପଳାଇଲା ରେ।
ଏ କଥା ନୁହେଁ ଯେ ଓଡ଼ିଆ ସାହିତ୍ୟରେ ହାସ୍ୟ ରଚନା ଲେଖାଯାଉ ନାହିଁ। କିନ୍ତୁ ଏ ସବୁ ଲେଖାକୁ ସାହିତ୍ୟର ମୂଳ ସ୍ରୋତରୁ ବାହାରେ ରଖାଯାଉଛି। ବ୍ୟଙ୍ଗ କବିତାର ଲୋକପ୍ରିୟତା ହାସ୍ୟକବି ସମ୍ମିଳନୀରେ ସୀମିତ। ଏହାର କବିମାନେ ବିଭିନ୍ନ ଛଦ୍ମନାମ ଉହାଡ଼ରେ ରହି ଏ କବିତା ଲେଖନ୍ତି। ଏ ଭଳି କୌଣସି ନିୟମ ନାହିଁ ଯେ ପ୍ରତିଷ୍ଠିତ କବି, ଗାଳ୍ପିକ, ଔପନ୍ୟାସିକ ବା ନାଟ୍ୟକାର ହାସ୍ୟରସାତ୍ମକ ଲେଖା ଲେଖିବ ନାହିଁ। ରବୀନ୍ଦ୍ରନାଥ ଠାକୁର ବ୍ୟଙ୍ଗ କବିତାର ବହି ‘ଖାପଛଡ଼ା’ ଲେଖିଛନ୍ତି। ବର୍ଟରାଣ୍ଡ ରସେଲ ଓ ଇଲିଅଟ୍ଙ୍କ ଭଳି ନୋବେଲ ବିଜେତା ମଜାଳିଆ ଲିମେରିକ ଲେଖିଛନ୍ତି। ଆଶା କରାଯାଉ ଓଡ଼ିଆ ସାହିତ୍ୟିକମାନେ ମଧ୍ୟ ଏ ଆଦର୍ଶ ଗ୍ରହଣ କରିବେ। ଓଡ଼ିଶାରେ ଓ ଓଡ଼ିଆ ସାହିତ୍ୟରେ ହସିବା ବିରଳ ନହେଉ।
ଗୌତମ ବୁଦ୍ଧଙ୍କର ପ୍ରଶ୍ନ ଥିଲା, ବାର୍ଦ୍ଧକ୍ୟ ରୋଗ ଓ ମୃତ୍ୟୁ ବିଷୟରେ ଜାଣିବା ପରେ ଜଣେ ହସିବ କିପରି? ଏହାର ଓଲଟା ପ୍ରଶ୍ନ କରାଯାଇପାରେ, ନ ହସିଲେ ଜଣେ ବାର୍ଦ୍ଧକ୍ୟ ରୋଗ ଓ ମୃତ୍ୟୁକୁ ସହିବ କିପରି?
(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)