ଜଗନ୍ନାଥ ପ୍ରସାଦ ଦାସ

ରାଧାମୋହନ ଗଡ଼ନାୟକଙ୍କର ଗୋଟିଏ କବିତାର ଆରମ୍ଭ ହେଲା, କବି ହେବା ପାଇଁ ବାସନା ମୋର, ପ୍ରବଳ ଭାରିରେ ପ୍ରବଳ ଭାରି। କବି ହେବାର ଇଚ୍ଛା କେବଳ ସାଧାରଣ ଲୋକଙ୍କ ଭିତରେ ସୀମିତ ନୁହେଁ। ପୃଥିବୀର ଅନେକ ମହାନ ପୁରୁଷ ମଧ୍ୟ କବିତା ଲେଖାରେ ହାତ ଦେଇଛନ୍ତି। ଏଥିରୁ କେତୋଟି ଆମୋଦଦାୟକ ଉଦାହରଣ ତଳେ ଦିଆଗଲା :

ମହାତ୍ମା ଗାନ୍ଧୀ :

Rasiklal Harilal  Mohandas Karamchand Gandhi

Had a goat in his keeping

The goat would not be milked

And Gandhi would not stop his weeping.

ସ୍ୱାମୀ ବିବେକାନନ୍ଦ :

I look behind and after

And find that all is right

In my deepest sorrows

There is a soul of light.

ବର୍ଟରାଣ୍ଡ ରସେଲ :

Through the long years

I sought peace.

I found ecstacy, I found anguish,

I found madness…

(୧୭ ଧାଡ଼ି କବିତାର ପ୍ରଥମ ଚାରିଧାଡ଼ି)

ଇଂରେଜ କବି ଶେଲି କହିଥିଲେ, କବି ହେଉଛନ୍ତି ପୃଥିବୀର ଅସ୍ୱୀକୃତ ବିଧାୟକ। ଏହାର ଜବାବରେ ବିଧାୟକ ଓ ନେତାମାନେ କଲମ ବ୍ୟବହାର କରି ଜଣାଇ ଦେଇଛନ୍ତି ଯେ ସେମାନେ ମଧ୍ୟ କବି। ମାଓ ସେ ତୁଙ୍ଗ, ହୋ ଚି ମିନ ଓ ଚେ ଗୁଏଭାରାଙ୍କ କବିତା ଜଣାଶୁଣା। କାର୍ଲ ମାକ୍ର୍ସ ତାଙ୍କ ପ୍ରଥମ ଜୀବନରେ ଗୀତି କବିତା ଲେଖୁଥିଲେ। ଆମର ମଧୁବାବୁ ’ମାଆ ମାଆ ବୋଲି’ ଓ ’ତୁ ପରା ବୋଲାଉ’ ଭଳି କେତୋଟି ଦେଶାତ୍ମବୋଧ ଗୀତ ଲେଖିଥିଲେ। ଅଟଳ ବିହାରୀ ବାଜପେୟୀ, ବିଶ୍ୱନାଥ ପ୍ରତାପ ସିଂହ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନନ୍ଦିନୀ ଶତପଥୀଙ୍କର କବିତା ସଂକଳନ ଅଛି। ନିକଟ ଅତୀତରେ ପ୍ରକାଶ ପାଇଛି ନରେନ୍ଦ୍ର ମୋଦି ଓ ମମତା ବାନାର୍ଜୀଙ୍କର କବିତା ସଂକଳନ। ଏମାନଙ୍କ ମଧ୍ୟରୁ କେତେଜଣ ସାହିତ୍ୟ ଜଗତର ଅଧିବାସୀ ଏବଂ ଅନ୍ୟମାନେ ଅନୁପ୍ରବେଶକାରୀ।

ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ମଧ୍ୟ କବିତାରେ ହାତ ଦେଇଥିଲେ। ସେ ରାଷ୍ଟ୍ରପତି ହେବା ବେଳେ ଖୁସ୍ଓ୍ୱନ୍ତ ସିଂହ ଲେଖିଥିଲେ, ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ସଦୟ ହୋଇ କବିତା ଲେଖା ଛାଡ଼ି ଦେଇଥିବା ଭଳି ଆଶା କରାଯାଉ ଯେ କଲାମ ମଧ୍ୟ କବିତା ଲେଖିବାର ଲଘୁ ଉଦ୍ୟମକୁ ବନ୍ଦ କରିବେ।

ଏ ଭଳି ଲେଖାମାନଙ୍କୁ ଟାଣି ଓଟାରି ପଦ୍ୟ ସଂଜ୍ଞା ଦିଆଯାଇପାରେ, କଦାପି କବିତା ନୁହେଁ। କବିତା ଓ ପଦ୍ୟ ଯେ ଅଲଗା ଜିନିଷ ସେ କଥା ଆମର ଅନେକ ପୂର୍ବସୂରୀ ସୂଚାଇ ଯାଇଛନ୍ତି। ରାଧାନାଥ ରାୟ ଲେଖିଥିଲେ, ’ନବ୍ୟ ଉତ୍କଳୀୟ ସାହିତ୍ୟ କ୍ଷେତ୍ରରେ ୩/୪ଜଣ ଲେଖିକାଙ୍କ ଆବିର୍ଭାବ ଅବଶ୍ୟ ଶୁଭ ଲକ୍ଷଣ ବୋଲିବାକୁ ହେବ। ଏ ମାତ୍ର ଯେଉଁମାନେ ପଦ୍ୟ ଓ କବିତା ଏକ ପଦାର୍ଥ ବୋଲି ଭାବନ୍ତି, ସେମାନେ ଏହି ଲେଖିକାମାନଙ୍କୁ କବି ଆଖ୍ୟାରେ ଭୂଷିତ କରି ଏମାନଙ୍କର ପ୍ରଭୂତ ଅନିଷ୍ଟ ସାଧନ କରି ଅଛନ୍ତି।’ ସଦ୍ୟବାଦୀ ପତ୍ରିକାରେ ଗୋପବନ୍ଧୁ ପ୍ରଶ୍ନ କରିଥିଲେ, ’ପଦ୍ୟ ଲେଖିବା ନିମନ୍ତେ ଆମ ଦେଶରେ ସମସ୍ତେ ପ୍ରସ୍ତୁତ, କିନ୍ତୁ ସେ ପଦ୍ୟରାଶି ମଧ୍ୟରେ କବିତା ଥାଏ କେତେ?’

ପଦ୍ୟ ଓ କବିତା ଭିତରେ ଆକାଶ ପାତାଳ ପ୍ରଭେଦ। ପଦ୍ୟ ହେଉଛି ଛନ୍ଦବଦ୍ଧ ରଚନା। କବିତା ହେଉଛି ମନନଶୀଳ ଅବଧାରଣା ଯାହାର ମୌଳିକ ଆଧାର ସୂକ୍ଷ୍ମତା ଓ ବ୍ୟଂଜନା। ଅନେକ ଦିନ ତଳେ ପଣ୍ଡିତ କୃପାସିନ୍ଧୁ ମିଶ୍ର(୧୮୮୬-୧୯୨୬) ଏ ପ୍ରଭେଦକୁ ଅତି ସରଳ ଭାବେ ବୁଝାଇଥିଲେ :

’କବିତା ଓ ପଦ୍ୟ ଦୁହିଙ୍କ ମଧ୍ୟରେ ବହୁ ପ୍ରଭେଦ। ପଦ୍ୟ ଗଦ୍ୟର ବିପରୀତାର୍ଥକ ଶବ୍ଦ, କବିତା ତାହା ନୁହେଁ। କବିତା ପଦ୍ୟ ଓ ଗଦ୍ୟ ଉଭୟରେ ରହିପାରେ। ବିଶେଷତଃ ଉପନ୍ୟାସ ପାଠକମାତ୍ରେ ଏହାର ତଥ୍ୟ ହୃଦୟଙ୍ଗମ କରିଥିବେ। ଗଦ୍ୟରେ ସ୍ଥାନେ ସ୍ଥାନେ ଏପରି କବିତ୍ୱ ଥାଏ, କବିତାରେ ତାହା ଥାଏ କି ନାହିଁ ସନ୍ଦେହ। ଛନ୍ଦ, ଯତିପାତ ଇତ୍ୟାଦି କବିତାର ବାହ୍ୟାଭରଣ ମାତ୍ର। ଯେଉଁମାନେ କବିତ୍ୱ ଉପଲବ୍ଧି ନିମନ୍ତେ କବିତା ପାଠ କରନ୍ତି, ସେମାନଙ୍କ ନିକଟରେ ଏ ସବୁର ମୂଲ୍ୟ ଅତି ଅଳ୍ପ।’

ପାଶ୍ଚାତ୍ୟ ସାହିତ୍ୟରେ ମଧ୍ୟ Verse ଓ Poetryର ବିଭେଦ ବିଷୟରେ ଆଲୋଚନା ହୋଇଆସିଛି। କିପଲିଙ୍ଗଙ୍କ ବିଷୟରେ ଇଲିଅଟ କହିଥିଲେ, He is a good versifier, but not a poet। ଜେମ୍‌ସ ଜୟେସ୍‌ଙ୍କ ୟୁଲିସସ୍‌ର ଗଦ୍ୟକୁ କବିତା ବୋଲି କୁହାଯାଇଛି। ଜୟନ୍ତ ମହାପାତ୍ରଙ୍କର ଆତ୍ମଜୀବନୀ ପଢ଼ିବା ବେଳେ ତାଙ୍କର କବିତା ପଢ଼ିବା ଭଳି ମନେ ହୁଏ। ଆମର ଭକ୍ତି ସାହିତ୍ୟର ଅନେକ ଭଜନ ଓ ଜଣାଣ କବିତା ପଦବାଚ୍ୟ ନୁହନ୍ତି, କିନ୍ତୁ କବୀରଙ୍କର ଦୋହା ବିଶୁଦ୍ଧ କବିତା। ସାଲବେଗଙ୍କର ‘ହରିଣୀକି ଘୋର ବନେ ପଡ଼ିଥିଲା କଷଣ’ ହେଉଛି ପଦ୍ୟ ଏବଂ ‘ମୋ ଆରତ ନଳିନୀବନକୁ କର ଦଳନ’ ହେଉଛି କବିତା।

ଏସବୁର ନିଷ୍କର୍ଷ ହେଲା ଯେ ସବୁ ପଦ୍ୟ କବିତା ନୁହେଁ ଏବଂ ସବୁ କବିତା ପଦ୍ୟରେ ଲେଖା ହୁଏ ନାହିଁ। ବାଂଲାକବି ଶକ୍ତି ଚଟ୍ଟୋପାଧ୍ୟାୟ ନିଜର କବିତାକୁ କାହିଁକି ପଦ୍ୟ କହୁଥିଲେ ସେ କଥା ତାଙ୍କୁ ହିଁ ଜଣା।

ସେହିପରି କବି ହେବା ବା କବିତା ଲେଖିବା ଭିତରେ ମଧ୍ୟ ପ୍ରଭେଦ ଅଛି। କବିତା ଲେଖନ୍ତୁ ନ ଲେଖନ୍ତୁ ସମସ୍ତେ କବିର ଜୀବନ ଚାହାନ୍ତି, କାରଣ ଜନମାନସରେ କବିର ଏକ ରୋମାଣ୍ଟିକ ଭାବମୂର୍ତ୍ତି ଅଛି। କବି କହିଲେ ଆମ ମନକୁ ଆସନ୍ତି ଭାଙ୍ଗ ପିଇ ପୁରୀ ସମୁଦ୍ର ବାଲିରେ ଗଡୁଥିବା ଭକ୍ତ କବିଙ୍କଠାରୁ ଆରମ୍ଭ କରି ବାଇରନ୍, ଶେଲି, ଗିନ୍‌ସ୍‌ବର୍ଗ ଓ ପ୍ୟାସା ଫିଲ୍ମର ଗୁରୁଦତ୍ତଙ୍କ ପର୍ଯ୍ୟନ୍ତ। କବିତା ଲେଖିବା କଷ୍ଟସାଧ୍ୟ କାମ ହୋଇପାରେ, କିନ୍ତୁ ଫିଲ୍ମରେ କସ୍ଟ୍ୟୁମ୍ ଡିଜାଇନ୍‌ର କଳ୍ପନା କରିଥିବା ପୋଷାକ ପିନ୍ଧିବା ଓ ମଦ୍ୟପାନ କରିବା ଅତ୍ୟନ୍ତ ସହଜ। ସେଥିପାଇଁ ସଭା ସମିତି ଓ ଲୋକଙ୍କ ମେଳରେ କୁର୍ତା ପାଇଜାମା ପିନ୍ଧା, ନୁଖୁରା ବାଳ ଓ କାନ୍ଧରେ ଝୋଲା ଥିବା ଅଜଣା ଲୋକଙ୍କୁ ସମସ୍ତେ କବି ହୋଇଥିବ ପରା ବୋଲି ଭାବି ନିଅନ୍ତି।

ଏହିପରି କବି ବୋଲା ହେବାକୁ ଲକ୍ଷ୍ୟ ରଖିଥିବା ଯୁବକଙ୍କ ପାଇଁ ଇଲିଅଟ୍ କହିଥିଲେ : ‘ଏହା ଏକ ବିପଜ୍ଜନକ ଲକ୍ଷ୍ୟ, କାରଣ ଏହା କେବଳ ଅନ୍ୟମାନଙ୍କ ଦ୍ୱାରା ପ୍ରଶଂସା ପାଇବା ଓ ନିଜକୁ ପ୍ରଶଂସା କରିବାର ଇଚ୍ଛା। ଏହାଠାରୁ ଉତ୍ତମ ଲକ୍ଷ୍ୟ ହେବ ଗୋଟିଏ ଭଲ କବିତା ଲେଖି ପାରିବା।’

ଅବଶ୍ୟ ସେମାନଙ୍କ ଭିତରୁ କିଛି ଲୋକ କବିତା ଲେଖିବା ପାଇଁ ଚେଷ୍ଟା କରନ୍ତି; କିଛି ସେଥିପାଇଁ ପ୍ରଶିକ୍ଷଣ ନିଅନ୍ତି। ମତେ ସ୍ୱର୍ଗତ ଅନୁପ ସିଂହ ଦେଓ କହୁଥିଲେ ଯେ ତାଙ୍କ ବାପା ଖଡ଼ିଆଳ ରାଜା ତାଙ୍କୁ କବିତା ଲେଖା ଶିଖାଇବା ପାଇଁ ରାଧାମୋହନ ଗଡ଼ନାୟକଙ୍କୁ ଆଣି ନିଜର ଅତିଥି କରି ରଖିଥିଲେ ଏବଂ ଅନୁପ ତାଙ୍କ ମାର୍ଗ ଦର୍ଶନରେ ଦୁଇ ତିନିଟି କବିତା ବହି ଲେଖିଥିଲୋ ଅବଶ୍ୟ ଏ ଭଳି କବିତା ଲେଖାର ଶିକ୍ଷା ସବୁବେଳେ ସଫଳ ହୋଇନଥାଏ।

ଜଣେ ପଣ୍ଡିତ ଯାଇ କର୍ଣ୍ଣାଟକ ରାଜାଙ୍କ ରାଜକବି ବିଲ୍‌ହଣଙ୍କୁ କବିତା ଲେଖିବାର ପଦ୍ଧତି ଶିଖାଇବା ପାଇଁ କହିଲେ। ବିଲ୍‌ହଣ କହିଲେ, କବିତାରେ ଚାରିଟି ଚରଣ ଥାଏ, ରସ ଥାଏ, କ୍ରିୟାପଦ ଥାଏ। ପଣ୍ଡିତ କବିତା ଲେଖିଲେ ’ଦୁଗ୍ଧଂ ପିବତି ବିଡ଼ାଳଃ’ : ବିରାଡ଼ିର ଚାରିଟି ଚରଣ, ଦୁଗ୍ଧ ହେଉଛି ରସ ଏବଂ ପିଇବା ହେଉଛି କ୍ରିୟାପଦ !

କବିତା କିପରି ଲେଖିବ ସେ ବିଷୟରେ ଅନେକ ଲେଖକ ବିଭିନ୍ନ ପ୍ରକାରର ଉପଦେଶ ଦେଇଛନ୍ତି। ଏଜରା ପାଉଣ୍ଡଙ୍କ ଭଳି ବିଶିଷ୍ଟ କବିମାନଙ୍କର ମାଳ ମାଳ ଚିଠି ଅଛି ନୂଆ ନୂଆ କବିତା ଲେଖୁଥିବା କବିଙ୍କ ପାଇଁ। ବଙ୍ଗଳାରେ କବି ନୀରେନ୍ଦ୍ର ନାଥ ଚକ୍ରବର୍ତ୍ତୀଙ୍କର ବହି ଅଛି କବିତାର କ୍ଲାସ। ନୂଆ କବି ପାଇଁ କବିତା କର୍ମଶାଳା କରାଯାଇଥାଏ। ସେମାନେ ବରିଷ୍ଠ କବିଙ୍କ ପାଖକୁ ଲେଖା ପଠାଇଥାନ୍ତି ସଂଶୋଧନ ପାଇଁ। ଆମର ଉପେନ୍ଦ୍ର ଭଂଜ କବିଙ୍କ ପାଇଁ ଏକ ବିଶେଷ ଶବ୍ଦକୋଷ ତିଆରି କରିଥିଲେ, ଗୀତାଭିଧାନ। ଏଥିରେ ଶବ୍ଦର ପ୍ରାନ୍ତ ଅକ୍ଷର ମେଳ ଖାଉଥିଲା। ଯଥା, ଜାନ୍ତ ବା ଜ-ଅନ୍ତ ଶବ୍ଦ ତାଲିକାରେ ଥିଲା କଂଜ, ଖଂଜ, ପରଂଜ ଭଳି ଶବ୍ଦ ଯାହା କବିକୁ ଛନ୍ଦ ମିଳାଇବାରେ ସାହାଯ୍ୟ କରିବ।

ଆମର ପ୍ରାଚୀନ ସଂସ୍କୃତ ଶାସ୍ତ୍ରଜ୍ଞମାନେ କବିମାନଙ୍କ ପାଇଁ ବିଭିନ୍ନ ପ୍ରକାରର କଠିନ ନୀତି ନିୟମ ନିର୍ଦ୍ଧାରଣ କରି ଯାଇଛନ୍ତି। ଦଣ୍ଡୀନ୍(ଅଷ୍ଟମ ଶତାବ୍ଦୀ, କାବ୍ୟାଦର୍ଶ)ଙ୍କ ମତରେ କବି ହେବା ପାଇଁ ଲୋଡ଼ା ପ୍ରତିଭା, ବ୍ୟୁପତ୍ତି ଓ ଅଭ୍ୟାସ; ପ୍ରତିଭା ନଥିଲେ ମଧ୍ୟ ଅନ୍ୟ ଦୁଇଟି ଦ୍ୱାରା ଜଣେ କବି ହୋଇପାରିବ। ବାମନ(ନବମ ଶତାବ୍ଦୀ, କାବ୍ୟାଳଂକାର ସୂତ୍ରବୃତ୍ତି) କବି ହେବା ପାଇଁ କଣ କଣ ଦରକାର ତା’ର ଏକ ତାଲିକା ଦେଇଛନ୍ତି : ସାଂସାରିକ ଜ୍ଞାନ, ବ୍ୟାକରଣ, ଅଭିଧାନରୁ ଶବ୍ଦର ପ୍ରକୃତ ଅର୍ଥ, ଛନ୍ଦ ତତ୍ତ୍ୱ ଇତ୍ୟାଦି ଇତ୍ୟାଦି। ରାଜଶେଖର(ଦଶମ ଶତାବ୍ଦୀ) ତାଙ୍କର କାବ୍ୟମୀମାଂସା ଗ୍ରନ୍ଥରେ କବି-ଶିକ୍ଷା ନାମକ ଏକ ଅଧ୍ୟାୟ ରଖିଛନ୍ତି ଯେଉଁଥିରେ କବି ହେବା ପାଇଁ କି କି ପ୍ରସ୍ତୁତି ଦରକାର ସେ କଥା କହିଛନ୍ତି : କବି ଜଣେ ଉପାଧ୍ୟାୟଙ୍କ ପାଖରୁ ବ୍ୟାକରଣ, ନିରୁକ୍ତ, କୋଷ, ଅଳଂକାର, ଛାନ୍ଦ ଓ କାବ୍ୟଶାସ୍ତ୍ର ବିଷୟମାନ ଅଧ୍ୟୟନ କରିବ; କଳା, ସଂଗୀତ, କାମଶାସ୍ତ୍ର, ନ୍ୟାୟ, ଅର୍ଥଶାସ୍ତ୍ର ମଧ୍ୟ ତା’ର ପ୍ରଶିକ୍ଷଣର ଅଂଶ ହେବ। ଏ ସବୁ ବ୍ୟବସ୍ଥା ପତ୍ରରୁ ଜଣାଯିବ ଯେ କବି ହେବା କିଛି ସହଜ କଥା ନୁହେଁ।

ମୋ ମତରେ ଉଦୀୟମାନ କବିଙ୍କ ପାଇଁ ଏକମାତ୍ର ଉପଦେଶ ହେବା ଉଚିତ, କବିତା ପଢ଼। ଏ ଉପଦେଶ କିଛି ନୂଆ କଥା ନୁହେଁ। ଭାମହ(ଷଷ୍ଠ ଶତାବ୍ଦୀ) ତାଙ୍କର କାବ୍ୟାଳଂକାରରେ କହିଥିଲେ, ବିଲୋକ୍ୟ ଅନ୍ୟ ନିବନ୍ଧାଂଶ୍ଚ। କବିକଣ୍ଠାଭରଣରେ କ୍ଷେମେନ୍ଦ୍ର (ଏକାଦଶ ଶତାବ୍ଦୀ)ଙ୍କର ଉପଦେଶ ଥିଲା, ‘‘ପଠେତ୍ ସମସ୍ତାନ କାଳିଦାସକୃତ ପ୍ରବନ୍ଧାନ୍।

ଏ ଭଳି ପ୍ରସ୍ତୁତି ବିନା ଭଲ କବିତା ଲେଖିବା ସମ୍ଭବ ନୁହେଁ। ପ୍ରଥମରେ ଦିଆଯାଇଥିବା ଗଡ଼ନାୟକଙ୍କ କବିତାର ଶେଷଧାଡ଼ି ଥିଲା, କବି ହେବା ପାଇଁ ବାସନା ମୋର, କବିତା କରେ ମୁଁ କବିତା କରେ। ବିନା କଠୋର ପରିଶ୍ରମରେ ଜଣେ ହୁଏ ତ କବିତା ‘କରି ପାରିବ’, କିନ୍ତୁ ‘କବିତା’ ଲେଖିପାରିବ ନାହିଁ। ଅର୍ଥାତ୍ ସେ ପଦ୍ୟକାର ହେଲେ ହୋଇଯାଇପାରେ, କବି ନୁହେଁ। କବି ହେବା ପାଇଁ ବାସନା ରଖୁଥିବା ଲୋକଟି ପାଇଁ ଆଉ ଜଣେ ପ୍ରସିଦ୍ଧ କବିଙ୍କର ଭାଷାରେ କୁହାଯାଇପାରେ, ହାୟରେ ତରୁଣ କବିର ଆଶା!

ଜୁନ୍ ୨୦୧୬

(କବି ହେବାର ବାସନା ଓ ତହିଁରୁ ମୋହଭଙ୍ଗ ହେବାର ଗୋଟିଏ ରୋଚକ ଉଦାହରଣ ତଳେ ଦିଆଗଲା)

କବି ହେବା ନୋହିଲା

ହାଇସ୍କୁଲରେ ପଢ଼ିବାବେଳକୁ ଜଣେ କବି ହେବାର ଆଶା ଥିଲା। ସରସ୍ୱତୀ ପୂଜା ସମୟରେ କେତେକ ଥର ଗୋଟିଏ ଲେଖାଏଁ କବିତା ରଚନା କରିଥିଲି। ସେଗୁଡ଼ିକ ଛପା ଯାଇଥିଲା। ଏପରିକି ଥରେ ସଂସ୍କୃତରେ ଗୋଟିଏ କବିତା ଲେଖି ତାହାକୁ ପଣ୍ଡିତ ଜଗନ୍ନାଥ ରଥଙ୍କ ଦ୍ୱାରା ସଂଶୋଧିତ କରାଇଥିଲି ଓ ତାହା ଛପାଯାଇଥିଲା। ‘ସହକାର’ରେ ଏବଂ ଅନ୍ୟ ମାସିକ ପତ୍ରିକାରେ ମୋର କେତେକ କବିତା ପ୍ରକାଶ ପାଇଥିଲା। Scottଙ୍କ Lady of the Lake କାବ୍ୟକୁ  ଓଡ଼ିଆରେ ଅନୁବାଦ କରି ସହକାରର ତତ୍କାଳୀନ ସଂପାଦକ ଶ୍ରୀ ବାଳକୃଷ୍ଣ କରଙ୍କୁ ଦେଇଥିଲି। ସେ ଦୁଇଟି ସର୍ଗ ସହ ତାଙ୍କ ପତ୍ରିକାରେ ପ୍ରକାଶ କରିଥିଲେ। ପରେ ସେହି କାବ୍ୟର ଅନ୍ୟ ଏକ ପଦ୍ୟାନୁବାଦ ପ୍ରକାଶ ପାଉଥିବା ଜାଣି ପରବର୍ତ୍ତୀ ସର୍ଗଗୁଡ଼ିକ ସେ ପ୍ରକାଶ କରି ନଥିଲେ। ପରେ ଅପର ଅନୁବାଦଟି ‘ସରସସୁନ୍ଦରୀ’ ନାମରେ ପ୍ରକାଶିତ ହୋଇଥିଲା। ମୋର ଅନୁବାଦର ନାମ ଥିଲା ‘ସରସୀସୁନ୍ଦରୀ’। ବାସ୍ତବରେ ‘ସରସସୁନ୍ଦରୀ’ ଅନୁବାଦଟି ମୋ ଅନୁବାଦ ଅପେକ୍ଷା ଉଚ୍ଚକୋଟୀର ଥିଲା। ମୋର ପଦ୍ୟ ଲେଖାଗୁଡ଼ିକ ନିମ୍ନସ୍ତରର ବୋଲି ମୁଁ ଅନୁଭବ କରିଥିଲି। ଏହାପରେ କବିତାଲେଖା ଏକବାରେ ଛାଡ଼ିଦେଇଥିଲି। ବୌଦରେ ଥିବା ସମୟରେ ଅବସ୍ଥା ଚକ୍ରରେ ବାଧ୍ୟ ହୋଇ କେତେକ କବିତା ଲେଖିଥିଲି। ସେଗୁଡ଼ିକ ମଧ୍ୟରୁ କେତୋଟିର ନକଲ ନିମ୍ନରେ ଦିଆଯାଇଅଛି।

ଶ୍ରୀମାନ୍ ରାଜା ଶ୍ରୀ ନାରାୟଣପ୍ରସାଦ ଦେବଙ୍କ ସିଂହାସନ ପ୍ରାପ୍ତିର

ଅଷ୍ଟମ ବାର୍ଷିକ ଉତ୍ସବ ଉପଲକ୍ଷେ

ଉଦ୍‌ଘାଟନ ଗୀତିକା

ମଧୁର ମିଳନ-ଧନେ ଏ ଭୁବନ

ହସୁଛି ଆନନ୍ଦେ ଆଜି

ସରଗୁଁ ଆନନ୍ଦ ଧାରା ବହିଆସେ

ଜ୍ୟୋତ୍ସ୍ନାମୂରତି ସାଜି ।୧।

ବଉଧ ନଗରୀ ନବପୁଲକେ

ଅପୂର୍ବ ସୁଷମା ମୋଦେ ବିଲୋକେ… ଇତ୍ୟାଦି

ବୌଦ୍ଧଦୁର୍ଗ

ତା.୧୪/୩/୩୨

ଯେ କେହି ସମାଲୋଚକ ଏହାକୁ ପାଠକଲା ମାତ୍ରେ ଏହାର ନିରସତା ଓ କବିତ୍ୱହୀନତା ଉପଲବ୍ଧି କରିପାରିବେ।

ମାସିକ ପତ୍ରିକାରେ ପ୍ରକାଶିତ ଆଉ ଗୋଟିଏ କବିତା ନିମ୍ନରେ ଦିଆଗଲା।

ରେଣୁ

ରେଣୁ! ତୁ ମୋହର ବାଲ୍ୟ ପରିଚିତ

ବାଲ୍ୟକାଳୁ ମୋର ସାଧୁଅଛୁ ହିତ।

ତେଜିଲା ମାତ୍ରକେ ଜନନୀ ଜଠର

ଆନନ୍ଦେ ଧରିଲୁ ରେଣୁ ଏ ଶରୀର।… ଇତ୍ୟାଦି

୧୯୨୯ ମସିହା ସହକାରର ପଞ୍ଚମ ସଂଖ୍ୟାରେ ପ୍ରକାଶିତ। ମୋର କବିତା ଯେ ଏପରି କବିତ୍ୱହୀନ, ତାହା ଏଥିରୁ ପ୍ରମାଣିତ ହେବ।

(ଶ୍ରୀଧର ଦାସ, ସୁଅ ମୁହଁରେ ପତର)

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ଆମ ଭାଷାଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ଓଡ଼ିଶାଲାଇଭ୍କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment