ଜଗନ୍ନାଥ ପ୍ରସାଦ ଦାସ

ବହି କହିଲେ ଆମେ ବର୍ତ୍ତମାନ ବୁଝୁ କାଗଜରେ ଛପା ହୋଇ ବନ୍ଧା ଯାଇଥିବା ଗୋଟିଏ ଜିନିଷକୁ। ଏହା ଅଳ୍ପ କିଛି ପୃଷ୍ଠାର ଛୋଟ ଆକାରର ଚଟି ବହି(ଇଂରାଜୀରେ ଚ୍ୟାପ୍ ବୁକ୍) କିମ୍ବା ଶହ ଶହ ପୃଷ୍ଠାର ବିରାଟ ଗ୍ରନ୍ଥ ହୋଇପାରେ। ୟୁନେସ୍କୋ ଠିକ କରିଥିବା ସଂଜ୍ଞା ଅନୁସାରେ ୪୮ରୁ କମ୍ ପୃଷ୍ଠାର ବନ୍ଧା ହୋଇଥିବା ଜିନିଷଟି ପୁସ୍ତକ ପଦବାଚ୍ୟ ନୁହେଁ।

ବହିକୁ ବୁଝାଇବାକୁ ଓଡ଼ିଆରେ ଆଉ ଗୋଟିଏ ଶବ୍ଦ ହେଉଛି ପୋଥି। ଏ ଗୋଟିଏ ଅତି ପୁରୁଣା ଶବ୍ଦ। ଚର୍ଯ୍ୟାପଦରେ ଅଛି, ଆଗମ ପୋଥି ଇଷ୍ଟମାଳ। ଆମେମାନେ ବର୍ତ୍ତମାନ ପୋଥି କହିଲେ ବୁଝୁ ତାଳପତ୍ରରେ ଲେଖା ବହି, ଯାହା ତାଳପତ୍ର ଖେଦାରେ ଲେଖନୀରେ ଲେଖା ହୋଇ ଦି ପାଖରେ କାଠ ପଟାରେ ବନ୍ଧା ହୋଇଥାଏ। ଏବଂ ଯାହା ଓଡ଼ିଶାରେ ବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ପ୍ରଚଳିତ ଥିଲା।

ଏଥିରୁ ଗୋଟିଏ ଧାରଣା ହୋଇପାରେ ଯେ ଏପରି ହାତଲେଖା ତାଳପତ୍ର ପୋଥିର ସଂଖ୍ୟା ଅତି ଅଳ୍ପ ହୋଇଥିବ। ବାସ୍ତବରେ କିନ୍ତୁ ସେତେବେଳେ ମଧ୍ୟ ଜଣାଶୁଣା କବିଙ୍କର ଲେଖା ନିଶ୍ଚିତ ଭାବେ ଓଡ଼ିଶାର ସବୁଆଡ଼େ ବହୁ ଆଗ୍ରହୀ ପାଠକଙ୍କ ପାଖରେ ପହଞ୍ଚି ଯାଉଥିଲା। ସେ ସମୟର କବିମାନେ ସେମାନଙ୍କ ପୂର୍ବସୂରୀ କବିମାନଙ୍କର ଲେଖା ବିଷୟରେ ଅବଗତ ଥିଲେ। ସାରଳା ଦାସ ତାଙ୍କ ସମୟ ପୂର୍ବରୁ ଲେଖା ହୋଇଥିବା କଳଶା ଚଉତିଶା କଥା ଉଲ୍ଲେଖ କରିଛନ୍ତି। ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି, ଉପଇନ୍ଦ୍ର ପଦ ଅଭିମନ୍ୟୁ ମନୁ, କେବେ ହେଁ ପାଶୋର ନ ଯିବ ଦିନୁ ଦିନୁ। ଆମର ଭାଗବତ ହଜାର ହଜାର ସଂଖ୍ୟାରେ ନକଲ ହୋଇ ସାରା ଓଡ଼ିଶାରେ ଘରେ ଘରେ ପଢ଼ା ହେଉଥିଲା ଏହା ଯୋଗୁ ଆମ ଗାଁ ଗହଳର ଝିଅମାନେ ମଧ୍ୟ ପଢ଼ିବା ଶିଖୁଥିଲେ ଏବଂ ଆମର ସ୍ତ୍ରୀ ଲୋକ ପଡ଼ୋଶୀ ବଙ୍ଗାଳୀ ସ୍ତ୍ରୀମାନଙ୍କ ଅପେକ୍ଷା ଅଧିକ ସାକ୍ଷର ଥିଲେ।

ବହି ବା ପୋଥିରେ ବିଭିନ୍ନ ବିଷୟ ଉପରେ ଲେଖା ହୋଇଥାଏ, ଯଥା କବିତା ଗଳ୍ପ ପ୍ରବନ୍ଧ ଭଳି ସାହିତ୍ୟ ତଥା ବିଜ୍ଞାନ ଶାସ୍ତ୍ର ଇତ୍ୟାଦି। ଏହାହିଁ ବହିର ମୂଳ ଆଧେୟ, ଯେଉଁଥିପାଇଁ ପାଠକ ବହିଟି ପଢ଼ିଥାଏ। କିନ୍ତୁ ଏହା ସହିତ ବହିଟିରେ ଅନ୍ୟାନ୍ୟ ଅନେକ ଆନୁଷଙ୍ଗିକ ବିଷୟ ମଧ୍ୟ ସଂଲଗ୍ନ ଥାଏ, ଯଥା, ପ୍ରଚ୍ଛଦପଟ, ମୁଖପୃଷ୍ଠ, ଭୂମିକା, ପାଦଟୀକା ଇତ୍ୟାଦି ଇତ୍ୟାଦି। ଅନେକ ସମୟରେ ଆମେ ତା’କୁ ଆଡେଇ ଦେଇ ମୂଳ ପାଠକୁ ଯାଇଥାଉ। କିନ୍ତୁ ବହିଟି ଗୋଟିଏ ସଂପୂର୍ଣ୍ଣ ଜିନିଷ ହୋଇଥିବାରୁ ସଜାଗ ଓ ସତର୍କ ପାଠକ ଏ ସବୁକୁ ମଧ୍ୟ ଯତ୍ନର ସହିତ ଦେଖେ ଓ ପଢ଼େ, କାରଣ ଏଗୁଡ଼ିକ ମଧ୍ୟ ବହିର ଅଙ୍ଗପ୍ରତ୍ୟଙ୍ଗ।

ଆମେ ଯଦି ଆଜିର ଛପା ବହିରୁ ପଛକୁ ଫେରି ତାଳପତ୍ର ପୋଥି ପାଖକୁ ଯିବା, ଦେଖିବା ଯେ ସେଥିରେ ମଧ୍ୟ ମୂଳ ପାଠ ସହିତ ଅଲଗା ଜିନିଷ ରହୁଥିଲା। ତାଳପତ୍ର ଖେଦା ଉପରେ ଲିଖିତ ପୁସ୍ତକର ଉପରେ ତଳେ ରହୁଥିଲା କାଠର ଘୋଡ଼ଣୀ ବା ମଲାଟ, ଯାହା ଉପରେ ଅନେକ ସମୟରେ, ବିଶେଷରେ ଚିତ୍ର ସମ୍ବଳିତ ପୋଥିରେ, ଚିତ୍ରକାର(ବର୍ତ୍ତମାନର କଭର ଡିଜାଇନର)ଙ୍କ ତିଆରି ରଙ୍ଗୀନ ଡିଜାଇନ୍ ରହୁଥିଲା। ଚିତ୍ର ପୋଥିର ଆରମ୍ଭରେ ଗଣେଶଙ୍କର ଚିତ୍ର ରହୁଥିଲା। ପୋଥିର ପାଠ ଶେଷରେ ଲେଖନକାର ବିଭିନ୍ନ ତଥ୍ୟ ଦେଉଥିଲେ, ଯଥା, ପୋଥିଟି କାହା ବରାଦରେ ଲେଖା ହୋଇଥିଲା, କେଉଁ ଜାଗାରେ ବସି ସେ ପୋଥିଟିକୁ ନକଲ କରିଥିଲେ, ତାଙ୍କୁ ଏଥିପାଇଁ କେତେ ପାରିଶ୍ରମିକ ମିଳିଥିଲା, ଇତ୍ୟାଦି। ଗ୍ରନ୍ଥ ଶେଷରେ ଥିବା ଏହି କଲୋଫୋନ୍ ବା ପୁଷ୍ପିକାରୁ ଆମେ ସେ ସମୟର ଅନେକ କଥା ଜାଣିପାରୁ। ଆମ ଭୁବନେଶ୍ୱର ମିଉଜିୟମରେ ଥିବା ପୋଥିମାନଙ୍କରୁ ନିମ୍ନଲିଖିତ ରୋଚକ ବିବରଣୀମାନ ମିଳେ :

ବୈଷ୍ଣବ ଦାସଙ୍କ ବରାଦରେ କେଳୁପଡ଼ାର ଅପର୍ତ୍ତି ମହାନ୍ତି ୧୨୩୮ ସାଲ(୧୮୩୧ଖ୍ରୀ) ଶ୍ରାବଣ ଦ୍ୱିତୀୟା ଦିନ ପୋଥି ଲେଖା ଶେଷ କରି ବୈଷ୍ଣବଙ୍କୁ ଦେବାରେ ସେ ଖୁସି ହେଲେ। ଆଉ ଜଣେ ଲେଖନକାର ତନ୍ଦରା ଗାଁର କେଳିକୃଷ୍ଣ ଦାସ ଶ୍ରୀ ଲକ୍ଷ୍ମୀନାରାୟଣ କାନୁନ୍‌ଗୋଙ୍କ ବାରଣ୍ଡାରେ ବସି ନବରତ୍ନ ଗୀତା ନକଲ କରି ପୋଥିଟିକୁ ତାଙ୍କ କରକମଳରେ ଅର୍ପଣ କଲେ।

ମିଉଜିଅମରେ ଥିବା ଚାଳିଶ ହଜାର ପୋଥିରୁ ଅନ୍ତତଃ ଗୋଟିଏ ପୋଥି ଲେଖା ହୋଇଥିଲା ଜଣେ ସ୍ତ୍ରୀ ଲୋକ ଲକ୍ଷ୍ମୀପ୍ରିୟା ଜେମାଦେଇଙ୍କ ଦ୍ୱାରା। ୧୯୩୮ରେ ମଥୁରାମଙ୍ଗଳ କାବ୍ୟ ନକଲ କରିଥିଲେ ଖୋର୍ଦ୍ଧାର ଧନି ଖାଁଙ୍କ ପୁଅ ନସୀବ ଖାଁ। ୧୮୪୬ ମସିହାରେ ବ୍ରାହ୍ମଣ ବନମାଳୀ ଓ କରଣ ରାମକୃଷ୍ଣ କଟକ ଜେଲରେ ଥିବାବେଳେ କାଠଯୋଡ଼ି ନଈକୂଳକୁ କଏଦୀ କାମ କରିବାକୁ ଯାଉଥିଲେ। ସେତେବେଳେ ସେମାନେ ସାଙ୍ଗରେ ତାଳପତ୍ର ଖେଦା ନେଇ ଯାଉଥିଲେ ଏବଂ ମୁସଲମାନ ଗାର୍ଡ ନୁର ମହମ୍ମଦଙ୍କ ସଦୟ ଅନୁମତି କ୍ରମେ ବାଙ୍କିର ପିଣ୍ଡିକ କରଣଙ୍କ ପାଇଁ ଗୋଟିଏ ପୋଥି ଉତାରିଥିଲେ।

ଏହି ଲେଖନକାରମାନେ ବିଶେଷ ଭାବେ ନକଲ ନବୀସ ଥିଲେ ଏବଂ ଗୋଟିଏ ପୋଥିର ଲେଖାକୁ ଅନ୍ୟ ପୋଥିକୁ ଉତାରୁଥିଲେ ମାତ୍ର। ତାଙ୍କୁ ଉତାରିବାରେ ଭୁଲଭଟକା ହୋଇ ଯାଇଥାଇ ପାରେ ସେଥିପାଇଁ ସେମାନେ ପୁଷ୍ପିକାରେ ପାଠକଙ୍କୁ ନିମ୍ନମତେ ସତର୍କ କରିଦେଉଥିଲେ :

ଭୀମସ୍ୟାପି ରଣେ ଭଙ୍ଗୋ ମୁନିନାଞ୍ଚ ମତିଭ୍ରମ

ଯଦି ଶୁଦ୍ଧମଶୁଦ୍ଧଂବା ମମ ଦୋଷ ନ ବିଦ୍ୟତେ।

ଶୁଦ୍ଧାଶୁଦ୍ଧ ନ ଜାନାମି ଆଦୃଶ୍ୟଂ ଲିଖିତ ମୟା

ଶୁଦ୍ଧାଶୁଦ୍ଧ ଜନୈଃ କୃତ୍ୟମ ଲେଖକୋ ନୈବଦୋଷକଃ।

ଗ୍ରନ୍ଥକର୍ତ୍ତା ସ୍ୱୟଂ ବ୍ୟାସୋ ଲେଖକସ୍ତୁ ବିନାୟକାଃ

ତୟୋର୍ବିଚଳିତା ବୁଦ୍ଧିର୍ମନୁଷ୍ୟାଣାଂ ଚ କା କଥା।

ଏ ଭଳି ଭୁଲ ଭ୍ରାନ୍ତି ପାଇଁ କ୍ଷମା ପ୍ରାର୍ଥନା କରି ନେବା ପରେ ସେମାନେ କିପରି ପୋଥିଟିର ଯତ୍ନ ନେବାକୁ ହେବ ସେ କଥା କହିବାକୁ ଭୁଲୁ ନଥିଲେ।

ଜଳାଦ୍ରକ୍ଷ ତୈଳାଦ୍ରକ୍ଷ ରକ୍ଷ ମାଂ ଶ୍ଲଥ ବନ୍ଧନାତ୍

ଆଖୁଭ୍ୟ ପରହସ୍ତେଭ୍ୟଃ ଏଶଃ ବଦତି ପୁସ୍ତକଂ।

ପୁସ୍ତକଂ ହରତେ ଯସ୍ତୁ କାଣୋ ଦୁଃଖୀ ଭବେନ୍ନରଃ

ମୃତା ସ୍ୱର୍ଗଂ ନ ଗଚ୍ଛନ୍ତି ପିତରୋ ନରକଂ ବ୍ରଜେତ।

ପୁସ୍ତକ କଠିନୀ ବାମା ପରହସ୍ତଂ ଗତା ଗତାଃ

ଯଦି ଦୈବାତ୍ ସମାୟତି ନଷ୍ଟଂ ଭ୍ରଷ୍ଟ ଚ ଖଣ୍ଡିତା।

ବହି ନେଇ ନ ଫେରାଇବା ଲୋକଙ୍କ ପାଇଁ ଏ ଭଳି କଥାମାନ ଥିଲା : ସେ ଭଳି ଲୋକ ଶ୍ରୀ ଶ୍ରୀ ହରିଙ୍କର କୋପଭାଜନ ହେବ। ତା’ର ଦୁଃଖ ପୂର୍ଣ୍ଣ ସହସ୍ର ପୁନର୍ଜନ୍ମ ହେବ। ତା’ର ପାପ ପିତୃ ଓ ମାତୃ ହନ୍ତାର ପାପ ସହିତ ସମାନ। ତା’ର ସାତପୁରୁଷ ବହିମାଲିକର ସାତ ପୁରୁଷଙ୍କ ଗୋତି ଖଟିବେ। ତା’କୁ କୁଷ୍ଠରୋଗ ହେବ। ସେ ଅନ୍ଧ ହେଇଯିବ। ଇତ୍ୟାଦି।

ଏଭଳି ସତର୍କ ବାଣୀ ବର୍ତ୍ତମାନର ଛପା ବହିରେ ଦେଲେ ମଧ୍ୟ ଉପଯୁକ୍ତ ଓ ଲାଭଦାୟକ ହେବ।

ଏଥର ଆସିବା ଆଜିକାଲିର ଛପା ବହିକୁ। ବହିର ଆଗ ପଛ ଯେଉଁଠାରେ ଯାହା କିଛି ଥାଏ, ସବୁ ସେଇ ବହିର ଅନିବାର୍ଯ୍ୟ ଅଙ୍ଗ ହୋଇଯାଏ ଏବଂ ସେ ସବୁ ବିନା ବହିଟିକୁ ଆକଳନ କରିବା ସମ୍ଭବ ନୁହେଁ। Alice’s Adventure in Wonderland (୧୯୬୫) ବହିର ପ୍ରଥମ ପରିଚ୍ଛେଦ ପୂର୍ବରୁ ଏକ ପ୍ରସ୍ତାବନା ଅଛି All in the golden afternoon, Full leisurely we glide ଇତ୍ୟାଦି।

ଏହି କବିତାଟି ଲୁଇସ କାରଲ ଲେଖିଥିଲେ ଆଲିସ ଓ ତା’ର ଦୁଇ ଭଉଣୀଙ୍କୁ ଡଙ୍ଗାରେ ବୁଲାଇ ନେଇ ଯାଉଥିବା ବେଳେ କାହାଣୀ ଶୁଣାଇବା କଥା ମନେ ପକାଇ। (ବର୍ତ୍ତମାନ ଅବଶ୍ୟ ପାଣିପାଗବାଲା କହୁଛନ୍ତି ଯେ ସେ ଅପରାହ୍ଣଟି ଆଦୌ ସ୍ୱର୍ଣ୍ଣିମ ନଥିଲା, ବରଂ ଥିଲା ବର୍ଷଣ ମୁଖର)। ଏହି ଉପକ୍ରମଣିକା ପୂରା କାହାଣୀଟିକୁ ଏକ ସଂପୂର୍ଣ୍ଣ ରୂପ ଦେଇଛି ଏବଂ ଏହା ବିନା ବର୍ତ୍ତମାନ ବହିଟି ପଢ଼ିବା ସମ୍ଭବ ନୁହେଁ। ଠିକ ସେହିପରି ଫକୀରମୋହନଙ୍କ ରେବତୀ ଗଳ୍ପର ଆରମ୍ଭରେ ଥିବା ଇଂରେଜୀ କବିତାର ଚାରିଧାଡ଼ିକୁ ଛାଡ଼ି ଦେଇ ଗଳ୍ପର ଆଲୋଚନା କରାଯାଇପାରେ ନା।

ସାଧାରଣତଃ ବନ୍ଧେଇ ବହିର ଉପର ମଲାଟ ଓ ଡଷ୍ଟ ଜ୍ୟାକେଟରେ ଥାଏ ଚିତ୍ର ଓ ଲେଖକର ନାଁ; ମଲାଟ ଭିତର ଭାଙ୍ଗରେ ଥାଏ ବହି ବିଷୟରେ ଓ ଲେଖକଙ୍କ ଫଟୋ ସହିତ ତାଙ୍କ ବିଷୟରେ ବର୍ଣ୍ଣନା। ସାଧାରଣ ପାଠକ ମଲାଟ ଲେଖନ ଉପରେ ଆଖି ବୁଲାଇ ନେଇ ବହିର ଉଚ୍ଚ ମାନ ଓ ଲେଖକଙ୍କର ପ୍ରସିଦ୍ଧି ବିଷୟରେ ପ୍ରଭାବିତ ହୋଇଯାନ୍ତି। ଚତୁର ପାଠକ ଜାଣେ ଯେ ବହି ବିଷୟରେ ପ୍ରଶଂସାର ଲେଖାଟି ସଂପୂର୍ଣ୍ଣ କପୋଳକଳ୍ପିତ ଅତିଶୟୋକ୍ତି ଏବଂ ଲେଖକଙ୍କର ଫଟୋଟି ପଚିଶ ବର୍ଷ ପୁରୁଣା ଏବଂ ତାଙ୍କ ବିଷୟରେ କୁହାଯାଇଥିବା କୃତିତ୍ୱମାନ ଅତିମାତ୍ରାରେ ଅତିରଂଜିତ। ଏ ସବୁ ଲେଖାର ଗୋଟିଏ ସରସ ଦିଗ ହେଲା ଯେ ଆମର କିଛି ସମୀକ୍ଷକ କେବଳ ଏତିକି ପଢ଼ି ବହିଟି ବିଷୟରେ ପୃଷ୍ଠା ପୃଷ୍ଠାର ଆଲୋଚନା ଲେଖିପାରିନ୍ତି।

ମଲାଟ ପରେ ଆସେ ଶୀର୍ଷକ ପୃଷ୍ଠା ଏବଂ ପୋଥିର ବିବରଣୀ ଭଳି ପ୍ରକାଶକ, ଛାପାଖାନା, ପ୍ରକାଶକାଳ। ଏହା ପରେ ଆରମ୍ଭ ହୁଏ ଲେଖକୀୟ ଇଲାକାର ବିଭିନ୍ନ ପ୍ରସ୍ଥ ଯଥା ଉତ୍ସର୍ଗ ପତ୍ର, କୃତଜ୍ଞତା ଜ୍ଞାପନ ଇତ୍ୟାଦି।

।। ଉତ୍ସର୍ଗ ପତ୍ର ।। କେତେକ ଲେଖକ ନିଜର ସ୍ନେହ ବା ସମ୍ମାନର ଚିହ୍ନ ସ୍ୱରୂପ ବହିଟି କାହାରିକୁ ସମର୍ପଣ କରିଥାନ୍ତି। ଛିଦ୍ରାନ୍ୱେଷୀ ପାଠକ କିନ୍ତୁ ସେଥିରୁ ଅର୍ଥ ଖୋଜେ। ବହିଟି ଲେଖକଙ୍କର ପତ୍ନୀଙ୍କୁ ଉତ୍ସର୍ଗୀକୃତ ହୋଇଥିଲେ ସେ ନିଷ୍କର୍ଷ ବାହାର କରେ ଯେ ସ୍ୱାମୀ ସ୍ତ୍ରୀଙ୍କର ସଂପର୍କ ଭଲ ନୁହେଁ ଏବଂ ଉତ୍ସର୍ଗଟି ନିଶ୍ଚିତ ଭାବେ ଲୋକ ଦେଖାଣିଆ। ଯଦି ବହିର ନାଁରେ ମଧ୍ୟ ସ୍ତ୍ରୀଙ୍କର ନାଁ ଥାଏ ତେବେ ସେ ଏ ବିଷୟରେ ନିଃସନ୍ଦେହ ହୋଇଯାଏ।

ବହିଟିକୁ ଯେତେବେଳେ ପୃଥିବୀର ସମସ୍ତ ପ୍ରେମିକ, ସମସ୍ତ ସର୍ବହରା, ମୋର ଅଗଣିତ ମୁଗ୍ଧ ପାଠକପାଠିକା ବା (ଅତ୍ୟନ୍ତ ଚତୁରତାର ସହିତ) କେବଳ ତମକୁ ଉତ୍ସର୍ଗ କରାଯାଇଥାଏ ତାହା ସାଧାରଣ ପାଠକକୁ ହସର ଖୋରାକ ଯୋଗାଏ।

ଉତ୍ସର୍ଗ ପତ୍ରରୁ ଲେଖକର ଚରିତ୍ର ବିଷୟରେ ମଧ୍ୟ ଅନୁଧ୍ୟାନ କରାଯାଇପାରେ। ଊନବିଂଶ ଶତାବ୍ଦୀର ଲୋକପ୍ରିୟ ଲେଖକ ରାଇଡର ହାଗାର୍ଡ ତାଙ୍କର ୧୮୮୭ର ଗୋଟିଏ ଉପନ୍ୟାସରେ ଆଫ୍ରିକାର ଜଣେ ଗୋରା ଲୋକର ବୀରତ୍ୱର କାହାଣୀ ଲେଖିଛନ୍ତି ଯେଉଁଥିରେ କଳାଲୋକଙ୍କ ଦମନ ଓ ମୁଖପାତ୍ରର ସଫଳତାର ବର୍ଣ୍ଣନା ଅଛି। ହାଗାର୍ଡ ବହିଟିକୁ ନିଜର ପୁଅକୁ ଉତ୍ସର୍ଗ କରି ତା’କୁ ସେହି ଗୋରାଲୋକଙ୍କ ଦ୍ୱାରା ଅନୁପ୍ରାଣିତ ହେବାକୁ କହିଛନ୍ତି। ଏହି ଉତ୍ସର୍ଗରୁ ସମୀକ୍ଷକମାନେ ସହଜରେ ହାଗାର୍ଡଙ୍କ ନିଜର କଳା ଲୋକ ବିରୋଧୀ ମନୋଭାବ ବିଷୟରେ ନିଶ୍ଚିତ ହୋଇଛନ୍ତି।

ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ସମୟରେ ଲେଖକମାନେ ସେମାନଙ୍କର ଲେଖାକୁ ଉତ୍ସର୍ଗ କରୁଥିଲେ ଗୋରା ଅମଲା ଓ ଟଙ୍କା ଦେଇଥିବା ରାଜାଙ୍କୁ। ରାଧାନାଥଙ୍କ ଉତ୍ସର୍ଗର ପ୍ରାପକ ଥିଲେ ଜନ ବୀମ୍‌ସ ତଥା ବାମଣ୍ଡା ତାଳଚେର ମୟୂରଭଞ୍ଜ ଆଠମଲ୍ଲିକ ଓ ଖଡ଼ିଆଳର ରାଜା। ଏହି ଉତ୍ସର୍ଗପତ୍ରମାନଙ୍କରେ ରାଜାମାନଙ୍କର ଉଚ୍ଛ୍ୱସିତ ପ୍ରଶଂସା କରାଯାଉଥିଲା। ମହାଯାତ୍ରାକୁ ସାହାଯ୍ୟ ଦେଇଥିବା କନିକା ରାଣୀ ତାଙ୍କ ପକ୍ଷରୁ ବହିଟିକୁ କମିଶନର ରମେଶ ଚନ୍ଦ୍ର ଦତ୍ତଙ୍କୁ ଉତ୍ସର୍ଗ କରିଦେଇଥିଲେ। ମଧୁସୂଦନ ରାଓ ତାଙ୍କର ବସନ୍ତଗାଥା ବହି  ବାମଣ୍ଡା ଯୁବରାଜଙ୍କୁ ଉତ୍ସର୍ଗ କରି ତାଙ୍କୁ ନିମ୍ନଲିଖିତ ଉପାଧିମାନଙ୍କରେ ଭୂଷିତ କରିଥିଲେ: ଯୁବୋତ୍ତମ, ରାଜଶ୍ରୀ ମଣ୍ଡିତ, ରାଜଧର୍ମେ ବ୍ରତୀ, ରାଜନୀତି ସୁପଣ୍ଡିତ, ଦେବସ୍ପୃହଣୀୟ, ଶ୍ରେୟଃ ପଥର ପଥିକ, ସାହିତ୍ୟ-ନନ୍ଦନ-ବନ-ବିହାର ରସିକ, ଅସ୍ତ୍ରଶସ୍ତ୍ର ବିଶାରଦ, ବିଜ୍ଞାନ ବିଳାସୀ, କ୍ଷେତ୍ର ତେଜେ ଶୂରବୀର, କଲ୍ୟାଣ ପ୍ରୟାସୀ, ସଦଗୁଣ ଆକର, ଉତ୍କଳ-ଉତ୍କର୍ଷ ହିତ ସାଧନ ତତ୍ପର। ଆମର ସେ ସମୟର ରାଜାମାନେ ଏତେ ପ୍ରଶଂସାର ଭାରରେ ଅବନତ ହୋଇଥିବାର ଜଣା ନାହିଁ।

ଫକୀରମୋହନ ତାଙ୍କର ବହି କାହାରିକୁ ଉତ୍ସର୍ଗ କରି ନଥିଲେ। କେବଳ ‘ଅବସର ବାସରେ’ର  ଭୂମିକାରେ ସେ ଲେଖିଛନ୍ତି ଯେ ଧରାକୋଟ ଅଧୀଶ୍ୱର ତାଙ୍କୁ ଏକ ଶତ ଟଙ୍କା ଦାନ କରିଥିବାରୁ ସେ ତାଙ୍କ ପାଖରେ ଚିରଦିନ କୃତଜ୍ଞତା ପାଶରେ ଆବଦ୍ଧ ରହିଲେ।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଥମ ଖଣ୍ଡ(୧୯୩୧) ଉତ୍ସର୍ଗ କରାଯାଇଥିଲା ଆଗରୁ ଓଡ଼ିଶା ଡିଭିଜନର କମିଶନର ଥିବା ହବାକ୍ ସାହେବଙ୍କୁ ଓ ଏଥିରେ ପ୍ରଥମ ଫଟୋ ଥିଲା ବିହାର-ଓଡ଼ିଶା ଗଭର୍ନର ଷ୍ଟିଫେନ୍‌ସନ୍‌ଙ୍କର। ଏଥିରେ ଇଂରେଜୀରେ ୧୨ ପୃଷ୍ଠାର ଓ ଓଡ଼ିଆରେ ୧୭ପୃଷ୍ଠାର ଉପକ୍ରମଣିକା ଥିଲା ଏବଂ ତା’ର ମଝିରେ ମଝିରେ ରାଜା ମହାରାଜା, ମହନ୍ତ, ସହକର୍ମୀ ଓ ଗୋରା ଅମଲାଙ୍କର ଫଟୋ ଥିଲା।

ପ୍ରିୟ ଲୋକଙ୍କୁ ବା ସାହାଯ୍ୟ କରିଥିବା ଲୋକକୁ ବହି ଉତ୍ସର୍ଗ କରିବା ସଙ୍ଗତ ନିଶ୍ଚୟ। କିନ୍ତୁ ଉତ୍ସର୍ଗପତ୍ରଟି ଲେଖକର ମାନସିକତା ମଧ୍ୟ ସୂଚାଏ। ଏଥିରୁ ମନେ ପଡ଼ିଲା ଯେ ଆମର ଜଣେ ସାହିତ୍ୟିକ ତାଙ୍କ ଲେଖାର ଇଂରେଜୀ ଅନୁବାଦ ଇନ୍ଦିରା ଗାନ୍ଧୀଙ୍କୁ ଉତ୍ସର୍ଗ କରିଥିଲେ। ସେ ଏଥିପାଇଁ  ଅନୁମତି ନେଇଥିଲେ ବା କୌଣସି ଭାବରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉପକୃତ ହୋଇଥିଲେ ବା  ଉପକାର ପାଇବାର ଆଶା ରଖିଥିଲେ ସେ ବିଷୟ ଜଣା ନାହିଁ। ଓଡ଼ିଶାର କଂଗ୍ରେସୀ ତାଙ୍କ ପାଇଁ ସଦୟ ହୋଇପାରିଥାନ୍ତି ହୁଏତ, କିନ୍ତୁ ଉତ୍ସର୍ଗପତ୍ରଟି ଅନେକଙ୍କ ମନରେ ନକାରାତ୍ମକ ମନୋଭାବ ଉଦ୍ରେକ କରିଥିଲା।

ଏକ ସମୟରେ ଲେଖକଙ୍କର ଉତ୍ସର୍ଗପତ୍ର ବ୍ୟତୀତ ଆଉ ଏକ ଖାଲି ଉତ୍ସର୍ଗ ପୃଷ୍ଠା ରଖାଯାଉଥିଲା। ସେତେବେଳେ ବାହା ବ୍ରତ ଘରେ ବହି ଉପହାର ଦିଆଯାଉଥିଲା ଏବଂ ଏହି କମକୂଟ କରା ଖାଲି ପୃଷ୍ଠାରେ ଉପହାର ଦାତା ନିଜର ସନ୍ଦେଶ ଲେଖିପାରୁଥିଲା। ପଚାଶ ଷାଠିଏ ବର୍ଷ ତଳେ ଏ ଭଳି ଉପହାରର ବହି ଥିଲା ଗୋପାଳ କାନୁନ୍‌ଗୋଙ୍କର ସଚିତ୍ର ଓମର ଖୈୟାମ ବା ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ଭଳି ଲୋକପ୍ରିୟ ବହି। ଆଜିକାଲି ଆଉ ଓଡ଼ିଆ ବହିରେ ଏ ଭଳି ପୃଷ୍ଠା ଦିଆ ଯାଉ ନାହିଁ, କାରଣ ଓଡ଼ିଶାରେ ବହି ଉପହାର ଦେବାର ପ୍ରଥା ହିଁ ଉଠିଗଲାଣି।

।। କୃତଜ୍ଞତା ଜ୍ଞାପନ ।। ଏଇଟି ଲେଖିବା ଲେଖକଙ୍କ ପାଇଁ ସବୁଠାରୁ ବେଶି କାଠିକର ପାଠ। କାହା ନାଁ ଦେବ, କାହାକୁ ଛାଡ଼ିଦେବ? ଲେଖକ ଯଦି ନିଜର ଗବେଷଣାତ୍ମକ ବହିରେ ସେହି ବିଷୟରେ ଗବେଷଣା କରୁଥିବା କାହାରି ନାଁ ଦିଏ, ଛିଦ୍ରାନ୍ୱେଷୀ ପାଠକ ସ୍ଥିର କରି ନେବ ଯେ ଲେଖକ ତାଙ୍କର ଲେଖା ଚୋରି କରି ତାଙ୍କ ପାଖରୁ କ୍ଷମା ମାଗୁଛନ୍ତି। ଯଦି ପୃଷ୍ଠା ପୃଷ୍ଠା ବ୍ୟାପୀ କୃତଜ୍ଞତାର ତାଲିକା ରହିଲା, ଚତୁର ପାଠକ ଜାଣିବ ଯେ ଲେଖକ କାହାରି ପ୍ରତି କୃତଜ୍ଞ ହେବାକୁ ଚାହୁଁ ନାହାନ୍ତି ଏବଂ ତାଙ୍କ ଲେଖାଟି ଅନେକ ପୁରୁଣା ଲେଖାର ଚର୍ବିତ ଚର୍ବଣ ମାତ୍ର।

କିଛି ଲେଖକ ଏ ବିଷୟରେ କୌଣସି କାର୍ପଣ୍ୟ ନ କରି କୃତଜ୍ଞତାର ଦୀର୍ଘ ସାରଣୀ ଦିଅନ୍ତି। ଏଥିରେ ଥାନ୍ତି ନିଜର ପରିବାରର ଲୋକ, ବନ୍ଧୁବାନ୍ଧବ, ଲାଇବ୍ରେରୀ, ଡିଟିପି କରିବା ଲୋକ, ପ୍ରୁଫ୍ ରିଡର, ପ୍ରକାଶକ ଇତ୍ୟାଦି। ବହିଟି ଲେଖୁଥିବା ବେଳେ ତାଙ୍କର ଯେଉଁ ବନ୍ଧୁ ରାସ୍ତାରେ ’ଲେଖା ଲେଖି କେମିତି ଚାଲିଛି’ ବୋଲି ପଚାରିଥିଲା, ସେ ମଧ୍ୟ ଏହି ତାଲିକାରେ ନିଜର ନାଁ  ନ ଦେଖି ହତାଶ ହୁଏ।

।। ଚିତ୍ର ଓ ଅଳଙ୍କରଣ ।। ବହି ଭିତରେ ଯଦି ଚିତ୍ର ଥାଏ ତା’ ମଧ୍ୟ ପାଠକୁ ପ୍ରଭାବିତ କରେ। ଗୋଟିଏ ଉପନ୍ୟାସରେ ଯଦି ଲେଖକ ଝିଅଟିକୁ ସୁନ୍ଦର ବୋଲି ଲେଖନ୍ତି ତେବେ ପ୍ରତିଟି ପାଠକ ତା’କୁ ମନମୁତାବକ ଚିହ୍ନା ଅଚିହ୍ନା ମୁହଁ ମିଶାଇ ଗୋଟିଏ ସ୍ୱତନ୍ତ୍ର ସୁନ୍ଦରୀ ତିଆରି କରେ। କିନ୍ତୁ ବହିରେ ଚରିତ୍ରର ଚିତ୍ର ଦିଆଯାଇଥିଲେ ପାଠକର ଏ ସ୍ୱାଧୀନତା ରହେ ନାହିଁ। ଲୁଇସ କାରଲଙ୍କ ବହିରେ ଟେନିଏଲ କରିଥିବା ଚିତ୍ର ହିଁ ବର୍ତ୍ତମାନ ଆଲିସ୍‌ର ପ୍ରାମାଣିକ ଚେହେରା; ପାଠକ ନିଜେ ତା’ ପାଇଁ ଆଉ କୌଣସି ଚେହେରା କଳ୍ପନା କରିପାରିବ ନାହିଁ। ସେହିପରି ହେଉଛି ଚାର୍ଲସ ଡିକେନ୍ସଙ୍କ ବହିରେ କ୍ରୁଶାଙ୍କ ଆଙ୍କିଥିବା ଚିତ୍ର ବା ମାଟିର ମଣିଷରେ ଗୋପାଳ କାନୁନ୍‌ଗୋଙ୍କର ଅଙ୍କନ।

ଗବେଷଣାତ୍ମକ ବହିରେ ଆହୁରି ଅନେକ ଜିନିଷ ଦେବାକୁ ହୁଏ, ଯଥା ପାଦଟୀକା, ଗ୍ରନ୍ଥସୂଚୀ, ବର୍ଣ୍ଣାନୁକ୍ରମିକ ବିଷୟ ସୂଚନାର ଇଣ୍ଡେକ୍ସ ଇତ୍ୟାଦି। ଏ ସବୁ ନଥିଲେ ବହିଟି ବିଦ୍ୱଜ୍ଜନସମ୍ମତ ବୋଲି ଗଣା ହେବ ନାହିଁ ଏବଂ ପ୍ରକାଶକ ତା’ର ପାଣ୍ଡୁଲିପିକୁ ଛୁଇଁବେ ନାହିଁ।

।। ପାଦଟୀକା ।। ସୃଜନାତ୍ମକ ସାହିତ୍ୟ ବହିରେ ଏହାର ଆବଶ୍ୟକତା ହୁଏ ଯେତେବେଳେ ପାଠରେ କୌଣସି ବିଦେଶୀ ଶବ୍ଦ ବା ବହିର ଭାଷା ବହିର୍ଭୂତ କୌଣସି ବୁଝି ହେଉ ନ ଥିବା ଶବ୍ଦ ପ୍ରୟୋଗ କରାଯାଏ। ଭାରତୀୟ ଜୀବନକୁ ନେଇ ଇଂରେଜୀ ଭାଷାରେ ଉପନ୍ୟାସ ଲେଖିବା ବେଳେ ଭାରତୀୟ ଶବ୍ଦ ବ୍ୟବହାର କରିବାକୁ ପଡ଼ିଥାଏ, ଯଥା, ପାନ ରୁଟି ମଣ୍ଡପ ଜହ୍ନିଫୁଲ ଖୁଆଡ଼ ଭଳି ଶବ୍ଦ। ଏହି ଶବ୍ଦମାନଙ୍କୁ ପ୍ରତି ପୃଷ୍ଠାରେ ତଳେ ଟୀକା ଦେଇ ବା ବହି ଶେଷରେ ଏକ ଶବ୍ଦାର୍ଥ ତାଲିକା ବା ଗ୍ଲସାରି ଦେଇ ବୁଝାଇବାକୁ ପଡ଼େ। ଭାରତୀୟ ଉପନ୍ୟାସକୁ ଇଂରେଜୀରେ ଅନୁବାଦ କଲାବେଳେ ମଧ୍ୟ ଏକା ଭଳି ସମସ୍ୟା ଉପୁଜେ ଏବଂ ପାଦଟୀକା ବା ଗ୍ଲସାରି ଦିଆଯାଏ। ଏହା ଦ୍ୱାରା ପାଠକ ଝୁଣ୍ଟେ ଓ ପଢ଼ିବା ସାବଲୀଳ ହୁଏ ନାହିଁ।

ଭାରତୀୟ ଓ ଆଫ୍ରିକୀୟ ଲେଖକମାନେ ପ୍ରଥମେ ଏ ଭଳି ପାଦଟୀକା ବ୍ୟବହାର କରୁଥିଲେ। ପରବର୍ତ୍ତୀ ସମୟରେ ଦୁର୍ବୋଧ୍ୟ ଶବ୍ଦକୁ ସେହି ଲେଖା ଭିତରେ ବୁଝାଇବାକୁ ଚେଷ୍ଟା କରାଗଲା। ଆଫ୍ରିକାର ଶବ୍ଦ ଓବି ଇଂରେଜୀରେ ବୁଝି ହେବ ନାହିଁ। କିନ୍ତୁ ଯଦି କୁହାଯାଏ ଯେ ଲୋକଟିର ଓବି ତାଙ୍କ ଗାଁର ସବୁଠାରୁ ଛୋଟ କୁଡ଼ିଆ ଥିଲା, ପାଠକ ତାର ଅର୍ଥ ଜାଣି ପାରିବ। ଇଂରେଜୀରେ ରଥଯାତ୍ରାର ବର୍ଣ୍ଣନା କଲାବେଳେ ‘ଦ ଗ୍ରାଣ୍ଡ ବଡ଼ଦାଣ୍ଡ ଷ୍ଟ୍ରୀଟ୍’ ଲେଖିଲେ ପାଦଟୀକା ଦେଇ ରାସ୍ତାଟିକୁ ବୁଝାଇବାର ଆବଶ୍ୟକତା ରହିବ ନାହିଁ।

ତା’ ପରେ ଆସିଲେ ରଶ୍‌ଦି (ମିଡ୍‌ନାଇଟ୍‌ସ୍‌ ଚିଲ୍‌ଡ୍ରେନ, ୧୯୮୧)ଙ୍କ ଭଳି ଲେଖକ ଯେଉଁମାନେ ଭାରତୀୟ ଶବ୍ଦର ଅର୍ଥ ବୁଝାଇବାକୁ ଚାହିଁଲେ ନାହିଁ। ସେମାନେ କହିଲେ, ଆମେ ଆମର ଶବ୍ଦ ବ୍ୟବହାର କରିବୁ, ତମେ ବୁଝ ନ ବୁଝ।

।। ଶୁଦ୍ଧି ପତ୍ର ।। ଏଇଟି ହେଉଛି ବହିର ଏକ ଅତ୍ୟନ୍ତ ଅପ୍ରୀତିକର ଅଂଗ। ପୂର୍ବ ସମୟରେ ଯେତେବେଳେ ସଂପୂର୍ଣ୍ଣ ବହିଟି ଅଳ୍ପ ଅଳ୍ପ କରି ଅକ୍ଷର ସଂଯୋଜନାରେ ଫର୍ଦ୍ଦ ଫର୍ଦ୍ଦ ହୋଇ ଛାପା ହେଉଥିଲା, ଶେଷ ବେଳକୁ ଆଉ ଥରେ ପ୍ରୁଫ୍ ଦେଖି ସେଥିରେ ଥିବା ଭୁଲ ଭ୍ରାନ୍ତି ପାଇଁ ବହି ଶେଷରେ ଏକ ଶୁଦ୍ଧିପତ୍ର ଦିଆଯାଉଥିଲା। (କେତେକ ଶ୍ୟେନ ଦୃଷ୍ଟି ପାଠକ ସେହି ଶୁଦ୍ଧିପତ୍ରମାନଙ୍କରୁ ମଧ୍ୟ ଭୁଲ ବାହାର କରୁଥିଲେ।) ସୁଖର ବିଷୟ ଯେ ବର୍ତ୍ତମାନ ମୁଦ୍ରଣ ପ୍ରଣାଳୀର ଆଧୁନିକୀକରଣ ପରେ ପୂରା ବହିଟି ଏକା ଥରକେ ଛପା ହେଉଥିବାରୁ ଏହି ଦୃଷ୍ଟିକଟୁ ପତ୍ରଟି ଆଉ ଯୋଡ଼ା ଯାଉନାହିଁ। ତେବେ ମୁଦ୍ରାରାକ୍ଷସ ବା ମୁଦ୍ରଣ ତ୍ରୁଟି ଯେ କମି ଯାଉଛି ତା’  କହି ହେବ ନାହିଁ।

ଛାପା କାମରେ ପ୍ରୁଫ୍ ରିଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ଇଂରେଜୀ ଲେଖା କମ୍ପ୍ୟୁଟରରେ ଲେଖିବା ବେଳେ ବନାନ ଭୁଲ ହେଲେ ସ୍ପେଲ ଚେକ ତା’କୁ ଦେଖାଇ ଦିଏ। ଆମେ ଓଡ଼ିଆ ଲେଖକମାନେ ଆମର ବନାନ ଅଜ୍ଞତା ସଂଶୋଧନ କରିବା କାମ କମ୍ପୋଜିଟର(ବର୍ତ୍ତମାନ ଡିଟିପି ଅପରେଟର) ଓ ପ୍ରୁଫ୍ ରିଡର ଉପରେ ଛାଡ଼ି ଦେଉ। ଓଡ଼ିଆରେ ସ୍ପେଲଚେକ ଆମର ବିଶେଷ ସହାୟକ ହେବ।

ଏ ବିଷୟରେ ଶେଷ କଥା ହେଲା ଯେ ବହିର ମୂଳ ପାଠ ହିଁ ସବୁ କିଛି। ବହିର ମଲାଟ, ଉତ୍ସର୍ଗପତ୍ର, ଅଳଂକରଣ, ଆମୁଖ, ପ୍ରସ୍ତାବନା ଏ ସବୁ ସହାୟକ ବା ବିଭ୍ରାନ୍ତକାରୀ ହୋଇପାରନ୍ତି। ଏହି ସତର୍କ ବାଣୀକୁ ମନେ ରଖି ପାଠକ ବହିଟି ପଢ଼ିବା ଉଚିତ।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ଆମ ଭାଷାଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ଓଡ଼ିଶାଲାଇଭ୍କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment