ଜଗନ୍ନାଥ ପ୍ରସାଦ ଦାସ
ସବୁ ପ୍ରକାରର ପୁରସ୍କାର ସବୁବେଳେ ବିବାଦାସ୍ପଦ, ତେବେ ସାହିତ୍ୟ ପାଇଁ ପୁରସ୍କାର ଏ ଦିଗରେ ସବୁଠାରୁ ଆଗରେ। ଜଣେ କେହି ପୁରସ୍କାର ପାଇଲେ ସେ ଯଦି ଗୋଟିଏ ପାଖରେ ଅଭିନନ୍ଦନର ଜୁଆରରେ ଭାସୁଥାଏ, ଅନ୍ୟ ପାଖରେ ସମାଲୋଚନା ଓ କୁତ୍ସାର ବନ୍ୟାରେ ତା’ର ବୁଡ଼ିଯିବାର ଅବସ୍ଥା।
ପୁରସ୍କାର କିଏ ପାଇବ, ଘୋଷଣା ତାରିଖ ଆଗରୁ ତା’ ନେଇ କଳ୍ପନା ଜଳ୍ପନା ହୋଇଥାଏ। ପ୍ରତିଟି ପୁରସ୍କାରର ଏକ ନିର୍ବାଚନ ପ୍ରକ୍ରିୟା ଥାଏ, ତେବେ ଏ ବିଷୟରେ ଜନସାଧାରଣ ଆଗରୁ ବିଚାରବିମର୍ଶ ଆରମ୍ଭ କରିଦିଅନ୍ତି। ବୁକର ଭଳି ପୁରସ୍କାର କ୍ଷେତ୍ରରେ କେଉଁ କେଉଁ ବହି ଛୋଟ ତାଲିକାରେ ରହିବ ଓ ଶେଷରେ କିଏ ଜିତିବ ସେ ବିଷୟରେ କ୍ରିକେଟରେ ବାଜି ଭଳି ବାଜି ମଧ୍ୟ ଲଗାଯାଏ।
ସାହିତ୍ୟରେ ପୃଥିବୀର ସବୁଠାରୁ ଶ୍ରେଷ୍ଠ ପୁରସ୍କାର ନୋବେଲ ସେ ବର୍ଷ କିଏ ପାଇବ ତା’କୁ ନେଇ ଲୋକଙ୍କର ସବୁଠାରୁ ବେଶି ଉତ୍କଣ୍ଠା ରହିଥାଏ। ଏତେ ବର୍ଷ ପରେ ମଧ୍ୟ ଆଲୋଚନା ଜାରି ରହିଛି କାହିଁକି କିଛି ଅନାମଧେୟ ଲେଖକ ଏହା ପାଇଲେ ଏବଂ କାହିଁକି ଟଲଷ୍ଟୟ, ପ୍ରୁସ୍ତ ଏବଂ କନରାଡ୍ଙ୍କୁ ଏ ପୁରସ୍କାର ମିଳିଲା ନାହିଁ।
ରବୀନ୍ଦ୍ରନାଥ ଠାକୁରଙ୍କ ୧୯୧୩ର ନୋବେଲ ପୁରସ୍କାର ବିଷୟରେ ଆଲୋଚନା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଏହାର ଶତବାର୍ଷିକୀ ଅବସରରେ ପୁଣି ଥରେ ଏ କଥାର ବିଶ୍ଳେଷଣ ହୋଇଥିଲା। ରବୀନ୍ଦ୍ରନାଥ ଏ ପୁରସ୍କାର ପାଇବା ବେଳେ ତାଙ୍କର କେବଳ ଗୋଟିଏ ବହି- ୧୦୩ଟି କବିତା ଥିବା ଗୀତାଜଂଳି- ଇଂରେଜୀରେ ଉପଲବ୍ଧ ଥିଲା ଏବଂ ଏହାରି ଭିତ୍ତିରେ ସେ ପୁରସ୍କାରଟି ପାଇଥିଲେ। ଏହାକୁ ସମାଲୋଚକମାନେ ସଂପୂର୍ଣ୍ଣ ଅସଂଗତ ଓ ଅଯୌକ୍ତିକ ବୋଲି କହୁଛନ୍ତି, ବିଶେଷରେ ଯେତେବେଳେ ସେ ବର୍ଷ ପୁରସ୍କାରଟି ପାଇଁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଟମାସ ହାର୍ଡି ଓ ଆନାତୋଲ ଫ୍ରାନ୍ସ ଭଳି ପ୍ରଖ୍ୟାତ ଲେଖକ।
ବଙ୍ଗାଳୀ ବିଦ୍ୱାନ୍ ନିତ୍ୟପ୍ରିୟ ଘୋଷଙ୍କ ମତରେ ନୋବେଲ ପୃଷ୍ଠପୋଷକ ସ୍ୱିଡେନର କ୍ରାଉନ ପ୍ରିନ୍ସ ୧୯୧୨ ମସିହାରେ କଲିକତା ଆସି ଜୋଡାସାଁକୋରେ ଠାକୁର ପରିବାର ଦ୍ୱାରା ଆପ୍ୟାୟିତ ହୋଇଥିଲେ ଏବଂ ସେ ହିଁ ଫେରିଯାଇ ରବୀନ୍ଦ୍ରନାଥଙ୍କ ପାଇଁ ଲବି କରିଥିଲେ। ୧୯୦୫ରେ ନରେଓ୍ୱ ସ୍ୱିଡେନରୁ ବାହାରି ଯାଇ ଇଂଲାଣ୍ଡ ରାଜାଙ୍କ ଜାମାତାଙ୍କୁ ରାଜଗାଦିରେ ବସାଇଥିଲା ଏବଂ ସେଥିପାଇଁ ସ୍ୱିଡେନର ରାଗ ଥିଲା ଇଂଲଣ୍ଡ ଉପରେ। ଏହି ରାଗ ସୁଝାଇବାକୁ ଇଂଲାଣ୍ଡ ରାଜାଙ୍କର ଜଣେ ପ୍ରଜାଙ୍କୁ (ଯେ କି ବଙ୍ଗ ଭଙ୍ଗ ସମୟରେ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିଲେ) ଏହି ପୁରସ୍କାରଟି ଦିଆଯାଇଥିଲା।
ଏ ପୁରସ୍କାର ପାଇବା ବେଳକୁ ରବୀନ୍ଦ୍ରନାଥ ଯଦିଓ ବଙ୍ଗଳାରେ ଲେଖକ ଭାବରେ ସୁପ୍ରତିଷ୍ଠ ଥିଲେ, ତାଙ୍କୁ ଅତି ରୁକ୍ଷ ଭାବରେ ସମାଲୋଚନା କରା ହେଉଥିଲା ଏବଂ ଏଥିପାଇଁ ସେ ବ୍ୟଥିତ ଥିଲେ। ୧୯୧୩ ନଭେମ୍ବର ୧୩ ତାରିଖରେ ନୋବେଲ ପୁରସ୍କାର ଘୋଷଣା ପରେ କିନ୍ତୁ ସମସ୍ତେ ତାଙ୍କର ସ୍ତୁତିଗାନ କରିବାକୁ ଆରମ୍ଭ କଲେ। ନଭେମ୍ବର ୨୩ ତାରିଖ ଦିନ ତାଙ୍କର ପାଞ୍ଚ ଶହ ସ୍ତାବକଙ୍କୁ ନେଇ ଗୋଟିଏ ସ୍ପେଶାଲ ଟ୍ରେନ୍ କଲିକତାରୁ ବୋଲପୁର ଗଲା। ଟ୍ରେନଟି ସେହିଦିନ ଫେରିବାକୁ ଥିବାରୁ ଖରାବେଳେ ଶାନ୍ତିନିକେତନରେ ଏକ ଉଚ୍ଛ୍ୱସିତ ସଂବର୍ଦ୍ଧନା ସଭା କରାଗଲା। ଏହି ସଭାରେ ରବୀନ୍ଦ୍ରନାଥ କ୍ଷୋଭର ସହିତ କହିଲେ, ଆଜି ଆପଣମାନେ ଆଦର କରି ଯେଉଁ ସୁରାପାତ୍ର ମୋ ଆଗରେ ଧରିଛନ୍ତି, ତା’ ମୁଁ ମୋର ଓଠ ପର୍ଯ୍ୟନ୍ତ ନେବି, କିନ୍ତୁ ଏ ମଦିରା ମୁଁ ଅନ୍ତରରେ ଗ୍ରହଣ କରି ପାରିବି ନାହିଁ। ଠିକ୍ ସେହିପରି ୧୯୧୪ ଫେବ୍ରୁଆରିରେ ଆଉ ଗୋଟିଏ ଅଭିନନ୍ଦନର ପ୍ରତ୍ୟୁତ୍ତରରେ ସେ କହିଲେ, କୁକୁର ଲାଞ୍ଜରେ ଝୁମୁକା ବାନ୍ଧିଲେ ତା’ ପଛରେ ଭିଡ଼ ଜମେ; ସେହି ଭଳି ତାଙ୍କ ନାଁ ପଛରେ ଏକ ଝୁମୁକା ବନ୍ଧା ଯାଇଛି, କିନ୍ତୁ ସେ କୌତୁକରେ ଯୋଗ ଦେବା ପାଇଁ ତାଙ୍କର ଆଦୌ ଉତ୍ସାହ ନାହିଁ।
ନୋବେଲ ପୁରସ୍କାର ଇତିହାସରେ ଗୋଟିଏ ରୋଚକ ଘଟଣା ହେଉଛି ଗୋଟିଏ ଚାପୁଡ଼ା ଯାହାର ଶବ୍ଦ ସାରା ପୃଥିବୀକୁ ଶୁଭିଥିଲା ବୋଲି କୁହାଯାଇଥାଏ। ୧୯୩୦ର ପୁରସ୍କାର ପାଇଁ ଦୁଇଜଣ ଆମେରିକା ଲୋକଙ୍କ ନାଁ ଶେଷ ପର୍ଯ୍ୟାୟରେ ଥିଲା, ସିନ୍କ୍ଲେୟାର ଲୁଇସ ଓ ଥିଓଡର ଡ୍ରାଇଜର। ଶେଷକୁ ଲୁଇସ ପୁରସ୍କାର ପାଇଲେ ଏବଂ ନିଜର ନୋବେଲ ଅଭିଭାଷଣରେ ଡ୍ରାଇଜରଙ୍କୁ ପ୍ରଶଂସା ମଧ୍ୟ କଲେ। ତଥାପି ଗୋଟିଏ ବନ୍ଧୁମିଳନରେ ଡ୍ରାଇଜର ତାଙ୍କୁ ଗୋଟିଏ ଚାପୁଡ଼ା ପକାଇଲେ, ଯଦିଓ ପରେ ସେ କହିଥିଲେ ଏଇଟି ଥିଲା ଲୁଇସ୍ ତାଙ୍କୁ ଲେଖା ଚୋରି କରିଥିବାର ଆକ୍ଷେପ କରିଥିବାରୁ।
ଆମ ଓଡ଼ିଆରେ ମଧ୍ୟ ପୁରସ୍କାର ନେଇ ବାଦବିବାଦର ଅନେକ ଉଦାହରଣ ଅଛି। ସେଥିରୁ କେତୋଟି ହେଲା : ଗୋପୀନାଥ ମହାନ୍ତି କହିଥିଲେ ମୋର ଧାରଣା ବିର୍ଲା ଫାଉଣ୍ଡେସନର ତିନି ଲକ୍ଷ ଟଙ୍କାର ସରସ୍ୱତୀ ସମ୍ମାନ ମୋତେ ମିଳିବ ନାହିଁ, କାରଣ ସୁପାରିଶ କରିବା କ୍ରିଟିକକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ, ସେ ଏତେ କାହିଁକି ଖଟିବେ ?(ସୁବର୍ଣ୍ଣଶ୍ରୀ ଦଶମ ବର୍ଷ, ଦଶମ ସଂଖ୍ୟା, ୨୦୧୦)। ସଚ୍ଚି ରାଉତରାୟ କହିଲେ, ମୁଁ ଭାବେ ମାଟିମଟାଳ(ଗୋପୀନାଥ ମହାନ୍ତିଙ୍କ ଜ୍ଞାନପୀଠ ସମ୍ମାନପ୍ରାପ୍ତି ବହି) ଏକ ମିଡିଓକର୍ କୃତୀ। (ସୁବର୍ଣ୍ଣଶ୍ରୀ ସେହି ସଂଖ୍ୟା) ନିତ୍ୟାନନ୍ଦ ମହାପାତ୍ର କହିଥିଲେ, ଜଣେ ପଦସ୍ଥ ଓଡ଼ିଆ ମୋ ବିରୁଦ୍ଧରେ ଚକ୍ରାନ୍ତ କରି ମୋତେ ଏଥିରୁ(ଜ୍ଞାନପୀଠ ପୁରସ୍କାରରୁ) ବଞ୍ଚିତ କରିଛନ୍ତି।(କାଦମ୍ବିନୀ ଅଗଷ୍ଟ ୨୦୧୧)
ଅନେକ ଲେଖକ- ଉଭୟ ପୁରସ୍କାର ପ୍ରାପ୍ତ ଓ ପୁରସ୍କାର ଆଶାୟୀ- କହିଥାନ୍ତି, ପୁରସ୍କାରରେ କିଛି ଯାଏ ଆସେ ନାହିଁ, ଲେଖା ହିଁ ସବୁ କିଛି। ଏହା ନିଶ୍ଚୟ ଉପରଠାଉରିଆ କଥା କାରଣ ପୁରସ୍କାର ପାଇଁ କେତେ ପରିମାଣରେ ଏବଂ କି ପ୍ରକାରର ଲବି ଓ ପ୍ରଚେଷ୍ଟା ହୋଇଥାଏ ତା’ ସମସ୍ତଙ୍କୁ ଜଣା। ଏପରିକି ଏଥିଯୋଗୁ ସାହିତ୍ୟ ଏକାଡେମି ନିୟମ କରିଛନ୍ତି ଯେ ଲେଖକ ଯଦି କାନ୍ଭାସ୍ କରେ ତା’ର ବହି ପୁରସ୍କାର ପାଇଁ ଅଯୋଗ୍ୟ ବିବେଚିତ ହେବ। ତେବେ ଏ ବିଷୟରେ ଓଡ଼ିଆ ଲେଖକମାନେ ସଚ୍ଚୋଟ ଓ ସ୍ପଷ୍ଟବାଦୀ କାରଣ ସେମାନେ ପୁରସ୍କାରର ଉପଯୋଗିତା ବିଷୟରେ କହିବାକୁ କୁଣ୍ଠିତ ନୁହନ୍ତି। ପୁରସ୍କାର ପ୍ରାପ୍ତି ଅବସରରେ ଆମର କିଛି ଲେଖକ ନିମ୍ନମତେ ମତ ରଖିଛନ୍ତି :
ରାମପ୍ରସାଦ ମହାନ୍ତି- ଯଦି ୭୦ କି ୭୫ ବର୍ଷ ତଳେ ଏହା ମିଳିଥାନ୍ତା, ମୋତେ ସାହିତ୍ୟ ସାଧନାରେ ଅଗ୍ରସର ହେବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇଥାନ୍ତା।(ଚନ୍ଦନ ନବବର୍ଷ ସଂଖ୍ୟା ୨୦୧୩)
ଚନ୍ଦ୍ରଶେଖର ରଥ- ମୋ ଲେଖକ ଜୀବନରେ ଯଦି ’ଯନ୍ତ୍ରାରୂଢ଼’ ଉପନ୍ୟାସ ଓଡ଼ିଶା ସାହିତ୍ୟ ଏକାଡେମି ଦ୍ୱାରା ପୁରସ୍କୃତ ହୋଇଥାନ୍ତା, ତେବେ ତେଣିକି ହୁଏ ତ ମୁଁ ଉପରକୁ ଉପରକୁ ଆକାଶମାର୍ଗେ କୁଆଡ଼େ କୁଆଡ଼େ ପହଞ୍ଚି ପାରିଥାନ୍ତି।(ଆମ ସମୟର ସୃଜନୀ, ପ୍ରଥମ ସଂଖ୍ୟା ୨୦୦୭)
ବ୍ରଜନାଥ ରଥ – ବହୁ ପୁରସ୍କାର ମୁଁ ପାଇଛି ଯାହା ମୋ ଲେଖନୀକୁ ଗତିଶୀଳ କରିବା ପାଇଁ ମୋତେ ପ୍ରେରଣା ଯୋଗାଇଛି।(ସମ୍ବାଦ ୨୧.୭.୨୦୧୩)
ବିଜୟ ମିଶ୍ର- ପୁରସ୍କାର ଲେଖକକୁ ଉତ୍ସାହିତ କରେ। କିନ୍ତୁ ଏ ପୁରସ୍କାର ଯଦି ଦଶ ପନ୍ଦର ବର୍ଷ ପୂର୍ବରୁ ମିଳିଥାନ୍ତା, ତେବେ କାମ କରିବା ପାଇଁ ବୋଧହୁଏ ଆହୁରି ଉତ୍ସାହ ଓ ଶକ୍ତି ମିଳିଥାନ୍ତା।(ଧରିତ୍ରୀ ୨୨.୧୨. ୨୦୧୩)
ଗୌରହରି ଦାସ- ସାହିତ୍ୟିକ ପାଇଁ ପୁରସ୍କାର ଏକ ବଡ଼ ପ୍ରୋତ୍ସାହନ। ଏହା ତା’କୁ ସାମାଜିକ ପ୍ରତିଷ୍ଠା ସହ ଆତ୍ମବିଶ୍ୱାସ ଦେଇଥାଏ। (କାଦମ୍ବିନୀ ଡିସେମ୍ବର ୨୦୧୫)
ସୁଜିତ କୁମାର ପଣ୍ଡା – ଆଗକୁ ଏହି ପୁରସ୍କାର ମୋର ସାହିତ୍ୟ ସାଧନା ଓ ଲେଖନୀ ପାଇଁ ଉତ୍ସାହିତ କରିବ।(ସମ୍ବାଦ ୧୯.୧୧.୨୦୧୫)
ଏ ସବୁରୁ ଜଣାପଡ଼ିବ ଯେ ପୁରସ୍କାରର ଏକ ଗଠନାତ୍ମକ ଦିଗ ଅଛି ଏବଂ ଏହା ଠିକ ସମୟରେ ଦିଆଗଲେ ସାହିତ୍ୟିକକୁ ଅନୁପ୍ରାଣିତ ଓ ଉଦ୍ଦୀପିତ କରିଥାଏ। ଏ ପ୍ରସଙ୍ଗରେ ବର୍ତ୍ତମାନ ଓଡ଼ିଶାରେ ଦିଆଯାଉଥିବା ହଜାର ସଂଖ୍ୟାରେ ନ ହେଲେ ମଧ୍ୟ ଶହ ଶହ ସାହିତ୍ୟ ପୁରସ୍କାର ବିଷୟରେ ଉଲ୍ଲେଖ କରାଯାଇପାରେ। ଏ ପୁରସ୍କାରମାନ କି ପରିମାଣରେ ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କୁ ଉତ୍ସାହିତ ଓ ପରିପୁଷ୍ଟ କରୁଛି, ତା’ ଗବେଷଣା ସାପେକ୍ଷ।
ପୁରସ୍କାର ପାଇଲେ ଲେଖକ ଖୁସି ହେବା ହେବା ସ୍ୱାଭାବିକ, କିନ୍ତୁ ମୁଁ ଭାବୁନାହିଁ ଯେ ପୁରସ୍କାର ଆଗରୁ ପାଇଥିଲେ ସେ ଲେଖକ ଆହୁରି ଅଧିକ ବା ଉତ୍ତମ ଲେଖିଥାନ୍ତେ ବା ପୁରସ୍କାର ନ ପାଇବାରେ ଲେଖା ବନ୍ଦ କରିଦେଇଥିଲେ ବା କରିଦେଇଥାନ୍ତେ। ଓଲଟା, ଅନେକ କ୍ଷେତ୍ରରେ ପୁରସ୍କାର ପାଇବା ପରେ ଲେଖକ ସେହି ସମ୍ମାନ ଉପରେ ଭରା ଦେଇ ନିଷ୍କ୍ରିୟ ହୋଇଯାନ୍ତି। ୧୯୪୮ରେ ନୋବେଲ ପୁରସ୍କାର ପାଇବା ପରେ ଇଲିଅଟ କହିଥିଲେ, ଏ ପୁରସ୍କାର ନିଜର ଶବଯାତ୍ରା ପାଇଁ ଟିକେଟ, ଏହା ପାଇବା ପରେ କେହି କିଛି କରିନାହାନ୍ତି। ସେହିପରି ବିଳମ୍ବରେ ପୁରସ୍କାର ପାଇବା ବିଷୟରେ ମଧ୍ୟ ଲେଖକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୬୯ ବର୍ଷ ବୟସରେ ନୋବେଲ ପୁରସ୍କାର ପାଇବା ପରେ ବର୍ଣ୍ଣାର୍ଡ ଶ’ କହିଥିଲେ, ଏହା ପହଁରାଳୀ କୂଳରେ ପହଞ୍ଚିବା ପରେ ତା’ ପାଖକୁ ଲାଇଫବେଲ୍ଟ୍ ଫିଙ୍ଗିବା ଭଳି କଥା!
ପୁରସ୍କାର ନିନ୍ଦିତ ହେଉଥିବାର ଗୋଟିଏ କାରଣ ହେଉଛି ଯେ ଅନେକ ପୁରସ୍କାରର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥାଏ। ପୁରସ୍କାର ପାଇଁ ଲବି ହେଉଥିବା ମଧ୍ୟ ଜଣାଶୁଣା କଥା। ପୁରସ୍କାର ଚୟନ କର୍ତ୍ତାମାନେ ଅନେକ ସମୟରେ ବିଭିନ୍ନ କାରଣରୁ ନିରପେକ୍ଷତା ଅବଲମ୍ବନ କରନ୍ତି ନାହିଁ ଓ ପ୍ରିୟାପ୍ରୀତି ତୋଷଣ କରନ୍ତି। ଅନେକ ସମୟରେ ସାହିତ୍ୟର ମହନ୍ତ ଏବଂ ସେମାନଙ୍କର ଚେଲା ଚାମୁଣ୍ଡା ଏ ଭଳି ଚୟନ ମଣ୍ଡଳୀରେ ବର୍ଷ ବର୍ଷ ଧରି ରହି କିଏ କିଏ କେଉଁ କେଉଁ ବର୍ଷ ପୁରସ୍କାର ପାଇବେ ସେ କଥା ଆଗରୁ ନିର୍ଣ୍ଣୟ କରିଦିଅନ୍ତି। ସେଥିପାଇଁ କୌଣସି ଲେଖକ ବା ବହି ପୁରସ୍କାର ପାଇବା ସଙ୍ଗେ ସଙ୍ଗେ ତା’ର ଶବ ବ୍ୟବଚ୍ଛେଦ ଆରମ୍ଭ ହୋଇଯାଏ। ଏ ସବୁ ସମାଲୋଚନା ବିଭିନ୍ନ ପ୍ରକାରର, ଯଥା :
ବହି ବା ଲେଖକ ପୁରସ୍କାର ପାଇବାର ଯୋଗ୍ୟ ନୁହନ୍ତି। ନିୟମ ଅନୁସାରେ ଏ କୃତୀକୁ ବିଚାରକୁ ଦିଆଯିବାର ନ ଥିଲା। ପୁରସ୍କାରଟି ଅମୁକଙ୍କର ଉଚିତ ପ୍ରାପ୍ୟ ଥିଲା। ସମୁକ ଆଉ ବେଶି ଦିନ ବଞ୍ଚିବେ ନାହିଁ, ତେଣୁ ତାଙ୍କୁ ଦେଇଥିଲେ ଭଲ ହୋଇଥାନ୍ତା। ବହିଟି ସାହିତ୍ୟ ନୁହେଁ, ଏହା ସମାଜତତ୍ତ୍ୱ ଧର୍ମଗ୍ରନ୍ଥ ଇତିହାସ। ବହିଟି ଅନ୍ୟ ଏକ ଭାଷାର ବହିର ଅନୁକରଣରେ ଲେଖା। ଏଥିରେ ଅଶ୍ଳୀଳତା, ଦେଶଦ୍ରୋହର କଥା ଅଛି ଇତ୍ୟାଦି। ଏପରି ଉପରଠାଉରିଆ ସମାଲୋଚକ କିନ୍ତୁ କୌଣସି ବହି ବା ଲେଖକକୁ ଅନ୍ୟ ବହି ଓ ଲେଖକ ସହିତ ତୁଳନାତ୍ମକ ଆଲୋଚନା କରି କହନ୍ତି ନାହିଁ ଗୋଟିଏ ଅନ୍ୟଠାରୁ ଉତ୍କୃଷ୍ଟ ବା ନିକୃଷ୍ଟ। କଥା କୋର୍ଟ କଚେରୀକୁ ଯାଏ, କିନ୍ତୁ ତା’ର ବିଚାର ପାଇଁ କୌଣସି ସାହିତ୍ୟିକ ଆଲୋଚନା ହୁଏ ନାହିଁ।
ଅନ୍ୟାନ୍ୟ ଭାଷାମାନଙ୍କରେ କୌଣସି ବହି ପୁରସ୍କୃତ ହେଲେ ତା’ର ବିକ୍ରି ସଂଖ୍ୟା ବଢ଼ିଯାଏ, କିନ୍ତୁ ଆମ ଓଡ଼ିଆରେ ଏପରି ହୁଏ ନାହିଁ। ପୁରସ୍କାର ପାଇଲେ ଆମର ଲେଖକଙ୍କ ପାଇଁ ସମ୍ବର୍ଦ୍ଧନା ସଭା ହୁଏ, ଖବରକାଗଜରେ ଫଟୋ ବିବରଣୀ ସାକ୍ଷାତ୍କାର ବାହାରେ, କିନ୍ତୁ ପୁରସ୍କୃତ ବହିକୁ ଅଧିକ ଲୋକ ପଢ଼ନ୍ତି ନାହିଁ; ଅନେକ ସମୟରେ ବହିର ଆଲୋଚନା ମଧ୍ୟ ହୁଏ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁରସ୍କାରର ଆର୍ଥିକ ଓ ସାମାଜିକ ପ୍ରଭାବ ବ୍ୟତୀତ ଆଉ ଗୋଟିଏ କ୍ଷମତା ମଧ୍ୟ ଅଛି; ସେଇଟି ହେଲା ତା’କୁ ଫେରାଇ ଦେଇ ପ୍ରତିବାଦ କରିବାର ଶକ୍ତି। ୧୯୧୯ରେ ଇଂରେଜମାନଙ୍କ ଦ୍ୱାରା ଜାଲିଆଁବାଲା ବାଗ୍ ଗଣହତ୍ୟାର ପ୍ରତିବାଦରେ ରବୀନ୍ଦ୍ରନାଥ ତାଙ୍କର ନାଇଟ୍ ଉପାଧି ଫେରାଇ ଦେଇଥିଲେ। ନିକଟରେ କିଛି ସାହିତ୍ୟିକ ସମାଜରେ ଅସହିଷ୍ଣୁତାର ପ୍ରତିବାଦରେ ସେମାନଙ୍କର ପୁରସ୍କାର ଫେରସ୍ତ କରିଦେଇଥିଲେ। ପୁରସ୍କାରର କାଗଜ ଟୁକୁଡ଼ା ଫେରାଇ ଦେଇ ପୁରସ୍କାର ଟଙ୍କା ନ ଫେରାଇବାର ଉଦାହରଣ ମଧ୍ୟ ବିରଳ ନୁହେଁ।
ଏ ସବୁରୁ ଜଣାପଡ଼ିବ ଯେ ସାହିତ୍ୟ ପୁରସ୍କାରର ନିଶ୍ଚୟ ଅନେକ ଉପକାରୀ ପ୍ରଭାବ ଅଛି, କିନ୍ତୁ ପୁରସ୍କାର ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ, ପ୍ରିୟାପ୍ରୀତି ତୋଷଣ, ପ୍ରଚାର ପ୍ରଚେଷ୍ଟା ସୁପାରିଶର ପ୍ରଭାବ ଇତ୍ୟାଦି ଯୋଗୁ ଏହା ଅନେକ ସମୟରେ ବିବଦମାନ ହୋଇ ନିଜର ସମ୍ମାନ ହରାଏ। ପୁରସ୍କାର ଚୟନ ପ୍ରକ୍ରିୟା ବିଷୟରେ ଲୋକଙ୍କର ଧାରଣା କଣ, ତା’ର ଏକ ହାସ୍ୟାସ୍ପଦ କରୁଣ ଏବଂ ଚୂଡ଼ାନ୍ତ ଉଦାହରଣ ହେଉଛି ନିମ୍ନଲିଖିତ ଘଟଣା।
ମହାନଦୀ ବିହାରରେ ରେଭେନ୍ଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ତଥା ଲେଖକ ଡ. ସୁଦର୍ଶନ ପଟ୍ଟନାୟକଙ୍କ ସହିତ ରମେଶଙ୍କ ଜଣାଶୁଣା ହୋଇଥିଲା। ଏହି ଜଣାଶୁଣା ହେବା ପରେ ସୁଦର୍ଶନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର କରାଇଦେବେ ବୋଲି କହି ରମେଶ ବିଭିନ୍ନ ସମୟରେ ୨୦୧୨ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ତାଙ୍କଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ନେଇଥିଲେ। ଏପରିକି ତାଙ୍କୁ ଜ୍ଞାନପୀଠ ପୁରସ୍କାର କରାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।… ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ କରିବା ପରେ ପୁରସ୍କାର ନ ମିଳିବାରୁ… ସୁଦର୍ଶନ ଲାଲବାଗ ଥାନାରେ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ।(ଧରିତ୍ରୀ ୨୧.୫.୨୦୧୩)
ଶେଷରେ ଏ ବିଷୟରେ ଏକ ସହଜ ନିଷ୍କର୍ଷ କରାଯାଇପାରେ ଯେ ପୁରସ୍କାରର ଥିବା ନଥିବା ସହିତ ସାହିତ୍ୟ ସୃଷ୍ଟିର କୌଣସି ସଂପର୍କ ନାହିଁ।
(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)