ଜଗନ୍ନାଥ ପ୍ରସାଦ ଦାସ

ହମଟି ଡମଟି ତାଚ୍ଛଲ୍ୟର ସହିତ କହିଲା, ମୁଁ ଯେତେବେଳେ ଗୋଟିଏ ଶବ୍ଦ ବ୍ୟବହାର କରେ ତା’ର ଅର୍ଥ ହେବ ମୁଁ ଯାହା ଠିକ କରେ କେବଳ ସେତିକି। ନା ବେଶି, ନା କମ।

ଆଲିସ କହିଲା, ପ୍ରଶ୍ନ ହେଉଛି, ତମେ କଣ ଶବ୍ଦରୁ ଭିନ୍ନ ଭିନ୍ନ ଅର୍ଥ ବାହାର କରି ପାରିବ?

(ଲୁଇସ୍ କାରଲ, ଥ୍ରୁ ଦ ଲୁକିଙ୍ଗ ଗ୍ଲାସ, ୧୮୭୨)

ଆଲିସ ଯଦି ସଂସ୍କୃତ ଜାଣିଥାନ୍ତା, ଏ ପ୍ରଶ୍ନ କରି ନ ଥାନ୍ତା। କାରଣ, ସଂସ୍କୃତରେ ଗୋଟିଏ ଶବ୍ଦର ଅନେକ ଅର୍ଥ ଥାଏ, ଯଥା କ ଅକ୍ଷର ବା ଶବ୍ଦର ୨୪ଟି ଅର୍ଥ ଅଛି: ବ୍ରହ୍ମା ବିଷ୍ଣୁ ଶିବ ବାୟୁ ଯମ ସୂର୍ଯ୍ୟ ଆତ୍ମା ଅଗ୍ନି ପକ୍ଷୀ ଦଶ-ପ୍ରଜାପତି ରୋଗ କାଳ କନ୍ଦର୍ପ ଦୀପ୍ତି କେଶ ମୟୂର ଶରୀର ରାଜା ଶବ୍ଦ ଧନ ମନ ମସ୍ତକ ସୁଖ ଜଳ।

(ମଜା କରି ଏ କଥା ମଧ୍ୟ କୁହାଯାଇଛି ଯେ ପ୍ରତ୍ୟେକ ସଂସ୍କୃତ ଶବ୍ଦ ନିଜକୁ ବୁଝାଏ, ତା’ର ବିପରୀତକୁ ବୁଝାଏ, ଗୋଟିଏ ଦେବଙ୍କର ନାଁ ଏବଂ କାମସୂତ୍ରର ଏକ ବନ୍ଧ।)

ଆଲିସର ପ୍ରଶ୍ନ ଶୁଣି ହମଟି ଡମଟି କହିଲା, ‘ପ୍ରଶ୍ନ ହେଉଛି, ମାଲିକ ହେବ କିଏ; ବାସ୍, ଏତିକି।’

ଆମ ପାଇଁ ସିଧା ପ୍ରଶ୍ନ ସଳଖ ପ୍ରଶ୍ନ ହେଉଛି, କେହି କ’ଣ କେବେ ଶବ୍ଦକୁ  ଆୟତ୍ତ କରି ପାରିବ? ଏ ଏକ ଜଟିଳ ପ୍ରଶ୍ନ। କାରଣ, ଶବ୍ଦ ହେଉଛି ବ୍ରହ୍ମ (ବେଦରେ କୁହାଯାଇଛି) ଏବଂ ଶବ୍ଦ ବି ଈଶ୍ୱର(ବାଇବଲରେ କୁହାଯାଇଛି)। ତେବେ ଆମର କବିସମ୍ରାଟଙ୍କର ଏ ବିଷୟରେ କୌଣସି ସଂଶୟ ଓ ସଙ୍କୋଚ ନଥିଲା। ସେ କୌଣସି ଅଳଙ୍କାରର ଆଶ୍ରୟ ନ ନେଇ ସିଧା କହିଲେ, କହେ ଉପଇନ୍ଦ୍ର ଭଂଜ ମୁଁ ଲଭିଛି ଶବ୍ଦ ସମୁଦ୍ରର ପାର। ଓ୍ୱିକିପିଡିଆ ଅନୁସାରେ ଉପେନ୍ଦ୍ର ଭଞ୍ଜ ବ୍ୟବହାର କରିଛନ୍ତି ୩୨,୩୦୦ ଶବ୍ଦ। ଅବଶ୍ୟ ଏଥିରେ ଉଲ୍ଲେଖ ନାହିଁ କିଏ କେବେ ଏ ଗଣନା କରିଥିଲା। ତାଙ୍କ ତୁଳନାରେ ଶେକ୍ସପିଅର ବ୍ୟବହାର କରିଛନ୍ତି ୩୧,୫୩୪ଟି ଶବ୍ଦ। ଆମେ ଏଥର ଛାତି ପିଟି କହି ପାରିବା ବାଃ ବାଃ ଭଂଜ।

ଶବ୍ଦକୁ ଅଧୀନ କରିବା କାହିଁକି ଅସମ୍ଭବ ତା’ର ବିଭିନ୍ନ କାରଣ ଅଛି, ଯଥା; ସେମାନେ ରୂପ ବଦଳାଇପାରନ୍ତି, ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଅର୍ଥ ଦିଅନ୍ତି, ନୂଆ ନୂଆ ରୂପରେ ଆସନ୍ତି, ଓଲଟା ଅର୍ଥ ଦିଅନ୍ତି ଓ ଘରେ ବାହାରେ ଚଳପ୍ରଚଳ ହେଉଥାନ୍ତି। ତଳେ ଦିଆଗଲା ସେମାନଙ୍କର କିଛି ଚରିତ୍ର ଲକ୍ଷଣ ଯାହା ଦ୍ୱାରା ତାଙ୍କୁ ଅନ୍ତତଃ ଚିହ୍ନଟ କରି ପାରିବା।

।। ଶବ୍ଦଙ୍କର କାୟାକଳ୍ପ ।। ଅନେକ ସମୟରେ ଶବ୍ଦମାନେ ରୂପ ବଦଳାଇ ପରିବର୍ତ୍ତିତ ଓ ବିକୃତ ହୋଇଯାନ୍ତି, ବା ଅନ୍ୟ ଭାବରେ କହିଲେ ସେମାନଙ୍କର ଘଟାନ୍ତର ବା କାୟାକଳ୍ପ ହୁଏ। ଏଥିରୁ ଗୋଟିଏ ଉଦାହରଣ ନିଆଯାଉ, ବାଇଶି ପାହାଚ। ଛାତ୍ରମାନଙ୍କର ପର୍ଯ୍ୟବେକ୍ଷଣ ଶକ୍ତିକୁ ପରୀକ୍ଷା କରିବା ପାଇଁ ରେଭେନ୍ସା କଲେଜର ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ (ଆମମାନଙ୍କ ପାଇଁ ପଠାଣି ସାମନ୍ତଙ୍କ ଆବିଷ୍କର୍ତ୍ତା) ପିଲାଙ୍କୁ ପଚାରୁଥିଲେ, କଲେଜ ଭିତରକୁ ପଶିବା ବେଳେ କେତୋଟି ପାହାଚ ଉଠିବାକୁ ପଡ଼େ? ଅଧିକାଂଶ ସମୟରେ ଏହାର ସଠିକ୍ ଉତ୍ତର ମିଳୁ ନ ଥିଲା।

କିନ୍ତୁ ଯଦି କାହାକୁ  ପଚରାଯାଏ ଜଗନ୍ନାଥ ମନ୍ଦିର ଭିତରକୁ  କେତୋଟି ପାହାଚ, ସେ ତୁରନ୍ତ ପ୍ରତ୍ୟୟର ସହିତ କହିବ ବାଇଶିଟି। ଉତ୍ତରଟି ଭୁଲ। ବିଭିନ୍ନ ଲୋକ ବିଭିନ୍ନ ଭାବରେ ଏହାକୁ ଗଣିଛନ୍ତି। ଗିରିଜା ଶଙ୍କର ରାୟ ତାଙ୍କର ’ଓଡ଼ିଆ ଗଦ୍ୟର ଅର୍ଥାନ୍ତର ତତ୍ତ୍ୱ, ୧୯୩୪’ ବହିରେ ୧୯ଟି  ପାହାଚ କଥା ଲେଖିଛନ୍ତି। ସୁରେନ୍ଦ୍ର ମହାନ୍ତି ତାଙ୍କର ’ଲର୍ଡ ଜଗନ୍ନାଥ’ (ଇଂରେଜୀ, ଓଡ଼ିଆ ସାହିତ୍ୟ ଏକାଡେମି ପ୍ରକାଶିତ, ୧୯୮୨) ରେ ଲେଖିଛନ୍ତି, ‘ପ୍ରକୃତରେ ପାହାଚ ସଂଖ୍ୟା ୧୭, ତାହାକୁ କାହିଁକି ୨୨ କୁହାଯାଏ,  ତା’ ଏକ ରହସ୍ୟ’। ପଚାଶ ବର୍ଷ ଭିତରେ ଦୁଇଟି ପାହାଚ କିପରି ଉଭାନ ହୋଇଗଲା, ତା’ ଗବେଷଣାର ବିଷୟ। ଏ ରହସ୍ୟ ଉଦ୍‌ଘାଟନ କରିଛନ୍ତି ଗିରିଜାଶଙ୍କର ତାଙ୍କର ଉପରଲିଖିତ ବହିରେ : ଯେତେବେଳେ ମନ୍ଦିର ତିଆରି ହେଲା… ସେହି ସମୟରୁ ମନ୍ଦିରରୁ ବାହାରକୁ ଯିବା ଆସିବା ସକାଶେ ଯେଉଁ ପାହାଚ ହୋଇଥିଲା ଏହା ବହିଶ୍ ପାବଚ୍ଛ ରୂପେ ବ୍ୟବହୃତ ଓ ଆଖ୍ୟାତ ହେଉଥିଲା। ଏହି ବହିଶ୍ ପାହାଚ ବର୍ତ୍ତମାନ ରୂପାନ୍ତରିତ ହୋଇ ସାଧାରଣ ଲୋକଙ୍କ ମୁହଁରେ ବାଇଶ ପାହାଚରେ ପରିଣତ ହୋଇଛି।

ଖୋଜିଲେ ଆମକୁ ଏପରି ଅନେକ ଉଦାହରଣ ମିଳିବ। ଓଡ଼ିଆର ତତ୍‌ସମ ଶବ୍ଦ ସବୁ ସଂସ୍କୃତରୁ ନିଆଯାଇଛି ଏବଂ କିଛି ଅଦଳବଦଳ ସତ୍ତ୍ୱେ ନୂଆ ଶବ୍ଦଟି ମୂଳ ଅର୍ଥରୁ ବିଚ୍ୟୁତ ହୁଏ ନାହିଁ। କିନ୍ତୁ ବହିଶ୍‌ରୁ ବାଇଶ ଏକ ଉଦ୍‌ଭଟ କାୟାକଳ୍ପ।

।। ସମୟ ସହିତ ଅର୍ଥ ପରିବର୍ତ୍ତନ ।। ନିଆଁରେ ଜଳିଯାଇଥିବା ସେଣ୍ଟ ପଲ୍’ସ୍ କାଥେଡ୍ରାଲ ୧୭୧୦ରେ ପୁନନିର୍ମିତ ହେବା ପରେ ତା’କୁ ଦେଖି ବିଲାତୀ ରାଣୀ କହିଥିଲେ ଯେ ନୂଆ କାମଟି awful, artificial and amusing। ଏ ତିନୋଟି ଶବ୍ଦ ବର୍ତ୍ତମାନ ନକାରାତ୍ମକ, କିନ୍ତୁ ସେତେବେଳେ ତା’ର ଅର୍ଥ ଥିଲା  awe-inspiring, artistic ଓ  amazing । ଆମ ଭାଷାରେ ମଧ୍ୟ ସେହିପରି ସମୟକ୍ରମେ କିଛି ଶବ୍ଦର ଅର୍ଥ ବଦଳି ଯାଇଛି। ବଜାରୀ ଶବ୍ଦ ବର୍ତ୍ତମାନ ଯେଉଁ ଅର୍ଥରେ ବ୍ୟବହାର କରାଯାଏ ତା’ ହେଲା ଅଭଦ୍ର, ଇତର, ନୀଚ ଓ ଅସଂଭ୍ରାନ୍ତ ଲୋକ। ଏକ ସମୟରେ କିନ୍ତୁ ବଜାରୀ କହିଲେ ବୁଝାଯାଉଥିଲା ସହରରେ ବାସ କରୁଥିବା ଭଦ୍ରଲୋକମାନଙ୍କୁ। ଉନବିଂଶ ଶତବ୍ଦୀର ଉତ୍କଳ ଦୀପିକାର ପୁରୁଣା ପୃଷ୍ଠା ଦେଖିଲେ ସହରବାସୀଙ୍କୁ ବଜାରୀ କୁହାଯାଉଥିବାର ଅନେକ ଉଦାହରଣ ମିଳିବ।

।। ସଶକ୍ତିକରଣ ପାଇଁ ଶବ୍ଦ ଓ ତା’ର ଶକ୍ତି ହ୍ରାସ ।।  ଅନେକ ସମୟରେ ସାମାଜିକ ବିଭେଦ ଓ ପୂର୍ବାଗ୍ରହ ଦୂର କରିବା ପାଇଁ ନୂଆ ଶବ୍ଦ ତିଆରି କରାଯାଇଥାଏ। ଆମ ଦେଶରେ ପୂରା କାଳରୁ କିଛି ଲୋକଙ୍କୁ ଅସ୍ପୃଶ୍ୟ ବୋଲି ଧରାଯାଉଥିଲା। ଗାନ୍ଧୀ ମଧ୍ୟ ପ୍ରଥମେ ଏହି ଶବ୍ଦ ବ୍ୟବହାର କରୁଥିଲେ। ଭାରତ ସରକାରଙ୍କ ୧୯୧୯ ଅଧିନିୟମରେ ସେମାନଙ୍କୁ  Depressed Class  ଆଖ୍ୟା ଦିଆଗଲା। ୧୯୩୩ରୁ ଗାନ୍ଧୀ ସେମାନଙ୍କ ପାଇଁ ସନ୍ଥ ନରସି ମେହଟା ପ୍ରୟୋଗ କରିଥିବା ହରିଜନ ଶବ୍ଦ ବ୍ୟବହାର କଲେ। ୧୯୩୫ର ଅଧିନିୟମରେ Scheduled Caste ଶବ୍ଦ ଆସିଲା। ଆମ୍ବେଦକର କିନ୍ତୁ ସବୁବେଳେ ଅସ୍ପୃଶ୍ୟ ବା untouchable ଶବ୍ଦ ବ୍ୟବହାର କରୁଥିଲେ। ଗତ ଶତାବ୍ଦୀର ସପ୍ତମ ଦଶକରୁ ନିଜେ ଅସ୍ପୃଶ୍ୟମାନେ ଗାନ୍ଧୀ ପ୍ରବର୍ତ୍ତିତ ହରିଜନ ଶବ୍ଦକୁ ପ୍ରତ୍ୟାଖ୍ୟାନ କରି ନିଜକୁ ଦଳିତ ବୋଲି କହିଲେ। ବର୍ତ୍ତମାନ ହରିଜନ ଶବ୍ଦ ଅପମାନ ସୂଚକ ବୋଲି ଧରାଯାଉଛି ଓ ଏହା ଆଉ ଗୃହୀତ ନୁହେଁ। କାହାକୁ ହରିଜନ କହିବା ଏବେ ଏକ ଅପରାଧ।

ଠିକ୍ ସେହିପରି ଆମେରିକାର କଳାଲୋକମାନେ Black, Darky,
Coloured, Negro, African-American ଶବ୍ଦମାନ ନେଇ ଯିବା ପରେ ବର୍ତ୍ତମାନ ନିଜକୁ Black କହିବା ପାଇଁ କୁଣ୍ଠିତ ନୁହନ୍ତି। ସେହିପରି ଆଗରୁ ଅପଙ୍ଗ, ବିକଳାଙ୍ଗ ଓ ଭିନ୍ନକ୍ଷମ କୁହାଯାଉଥିବା ଲୋକଙ୍କ ପାଇଁ ନରେନ୍ଦ୍ର ମୋଦୀ ଏକ ନୂଆ ଶବ୍ଦ ତିଆରି କରିଛନ୍ତି ଦିବ୍ୟାଙ୍ଗ ଯାହା ବର୍ତ୍ତମାନ ସରକାରୀ ସ୍ତରରେ ସ୍ୱୀକୃତ।

ଏଥିରୁ ଦେଖାଯିବ ଯେ କୌଣସି ଘୃଣିତ ଶବ୍ଦକୁ ଯେତେ ନୂଆ ରୂପ ଦେଲେ ମଧ୍ୟ ଯେ ପର୍ଯ୍ୟନ୍ତ ଘୃଣାର ଭାବ ଦୂର ନହୋଇଛି, ସେ ନୂଆ ଶବ୍ଦଟି ମଧ୍ୟ ଘୃଣିତ ଓ ଆପତ୍ତିଜନକ ହୋଇଯିବ। ଅର୍ଥାତ୍ ଶବ୍ଦର ଅର୍ଥ ମଧ୍ୟ ଆମ ସମାଜ ବ୍ୟବସ୍ଥା ଉପରେ ନିର୍ଭର।

।। ଭାଷା ଭିତ୍ତିରେ ଶବ୍ଦର ଅର୍ଥ ପରିବର୍ତ୍ତନ ।। ଆମେ ଭାବିବା ସ୍ୱାଭାବିକ ଯେ ଆମର ଭାଷାମାନଙ୍କର ଅନେକ ଶବ୍ଦ ସଂସ୍କୃତରୁ ଆସିଥିବାରୁ ସେ ସବୁ ଶବ୍ଦ ଆମ ପାଇଁ ସମାନ ଅର୍ଥ ବହନ କରିବ। କିନ୍ତୁ ତା’ର ମଧ୍ୟ ବ୍ୟତିକ୍ରମ ଅଛି। କେତେକ ସଂସ୍କୃତ ଶବ୍ଦକୁ ଆମ ଦେଶର ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ଭାବରେ ବୁଝାଯାଏ। ଆମେମାନେ କଲ୍ୟାଣ ଶବ୍ଦକୁ ମଙ୍ଗଳ ଅର୍ଥରେ ବୁଝୁଥିବା ବେଳେ ଅଧିକାଂଶ ଦକ୍ଷିଣ ଭାରତୀୟ ଭାଷାରେ ଏହାର ଅର୍ଥ ବିବାହ। ଆମେ ଶେଷକୁ ଅନ୍ତିମ ବୋଲି ଭାବୁଥିବା ବେଳେ ହିନ୍ଦୀରେ ଏହାର ବ୍ୟବହାର ବାକି ବା ଅବଶେଷ ପାଇଁ। ଅପର୍ଯ୍ୟାପ୍ତ ଶବ୍ଦ ସଂସ୍କୃତ, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ ଅପ୍ରଚୁର ବୁଝାଉଥିବା ବେଳେ ଓଡ଼ିଆରେ ଏହାର ଅର୍ଥ ପ୍ରଚୁର। ଆମ ଭାଷାରେ ପର୍ଯ୍ୟାପ୍ତ ଓ ଅପର୍ଯ୍ୟାପ୍ତର ଅର୍ଥ ସମାନ।

ଏହିପରି ସ୍ଥାନ ଓ ଦେଶ ଭେଦରେ ଶବ୍ଦର ଅର୍ଥ ବିଭ୍ରାଟ ଶବ୍ଦ ଉପରେ ଆମର କର୍ତ୍ତୃତ୍ୱର ଅଭାବ ଓ ଅସାମର୍ଥ୍ୟକୁ ସୂଚାଏ।

।। ଶବ୍ଦଙ୍କର ଜନ୍ମମୃତ୍ୟୁ ପୁନର୍ଜନ୍ମ ।। ସବୁ ଭାଷାରେ ସବୁବେଳେ ନୂଆ ନୂଆ ଶବ୍ଦଙ୍କର ଆବିର୍ଭାବ ହେଉଥାଏ। ସେଥିରୁ ଅନେକ ଶବ୍ଦ ଅନ୍ୟ ଭାଷାରୁ ଅନୁପ୍ରବେଶ କରିଥାନ୍ତି। କିଛି ଭାଷା ସେମାନଙ୍କୁ ଆଦରି ନିଅନ୍ତି। ଇଂରେଜୀ ଭାଷା ସବୁ ପ୍ରକାର ଶବ୍ଦକୁ ନିଜର କରିନିଏ, ତା’ ଯେଉଁ ଦେଶରୁ, ଯେଉଁ ଗୋଷ୍ଠୀରୁ ବା ଯେଉଁ ଜାତିରୁ ଆସିଥାଉ ପଛେ। ସେଥିପାଇଁ ଇଂରେଜୀର ଶବ୍ଦମାନ ଲାଟିନ, ଗ୍ରୀକ୍, ଫରାସୀ, ଜର୍ମାନ ଓ ଅନ୍ୟ ଭାଷାରୁ ଆସିଥିବା ସତ୍ତ୍ୱେ ଏହା ଏକ ଶକ୍ତିଶାଳୀ ଭାଷା।

ଓଡ଼ିଆ ଭାଷାକୁ ସବୁ ସମୟରେ ବାହାରୁ ଶବ୍ଦମାନ ଆସିଛି। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ତାଲିକା ଅନୁସାରେ ସେଥିରେ ଯେଉଁ ଭିନ୍ନ ଭିନ୍ନ ଭାଷାର କିଛି ଶବ୍ଦ ନିଆଯାଇଛି ସେଗୁଡ଼ିକ ହେଲା : ଆରବୀ ଇଂରାଜୀ ଇତାଲୀୟ ଉର୍ଦ୍ଦୁ କନ୍ଧ କୋହ୍ଲ ଗୁଜରାଟୀ ଗ୍ରୀକ ଜର୍ମାନ ତାମିଲ ତୁର୍କୀ ତେଲୁଗୁ ଦ୍ରାବିଡ଼ ପ୍ରତ୍ତୃଗୀଜ ପାଲୀ ପ୍ରାକୃତ ଫରାସୀ ଫ୍ରେଞ୍ଚ ବଙ୍ଗଳା ମରହଟୀ ଲରିଆ ସଂସ୍କୃତ ଶାନ୍ତାଳୀ ହିନ୍ଦୀ ହେବ୍ରୁ।

ଭାଷାକୋଷକାର ପ୍ରହରାଜଙ୍କ ଭାଷାରେ, ମୋ ମତରେ ଅଭିଧାନକାରଙ୍କର ‘କାନ୍ଦୁ ଥା, ଯାହା ପାଉଥିବୁ ବାନ୍ଧୁ ଥା’ ଏହି ନିୟମ ପୁରଶ୍ଚରଣ କରିବା କର୍ତ୍ତବ୍ୟ।(୧୯୩୦)

ନୂଆ ନୂଆ ଶବ୍ଦର ଆହରଣ ଭାଷାକୁ ଜୀବନ୍ତ ରଖେ ଓ ଶକ୍ତିସଂପନ୍ନ କରେ। ଇଂରେଜୀ ଭାଷା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଲେଖକମାନେ ମଧ୍ୟ ଭାଷାକୁ ନୂଆ ଶବ୍ଦ ଦେଇ ପାରନ୍ତି। ଶେକ୍ସପିଅର ତାଙ୍କ ଲେଖାରେ ଏପରି ୨୦୦୦ ଶବ୍ଦ ବ୍ୟବହାର କରିଛନ୍ତି ଯାହା ପୂର୍ବରୁ ଇଂରେଜୀରେ ପ୍ରଚଳିତ ନଥିଲା।

ସଭ୍ୟତା, ଜୀବନଯାପନ ଓ ବ୍ୟବହାର ପ୍ରଣାଳୀର ପରିବର୍ତ୍ତନ ସହିତ ନୂଆ ନୂଆ ଶବ୍ଦ ଭାଷାକୁ ଆସନ୍ତି, ଯଥା କାଳକ୍ରମେ ଆମ ଓଡ଼ିଆରେ ସାଇକେଲ, ଉଡାଜାହାଜ, କମ୍ପ୍ୟୁଟର ଇତ୍ୟାଦି। ସେହିପରି ବ୍ୟବହାର ଅଭାବରୁ କିଛି ଶବ୍ଦ ମରିଯାଆନ୍ତି ବା ଯିବେ ଯଥା ଢିଙ୍କି, ଡିବିରି, ରୁଖା, ମାଣ। ଭବିଷ୍ୟତରେ ବୋଧହୁଏ କାଗଜ କଲମ ଭଳି ଶବ୍ଦ ମରିଯିବେ ଯେମିତି ପରକଲମ ଓ କଲମତ୍ରାସ(ପରକଲମକୁ କାଟି ସଜ କରିବାର ଛୁରୀ) ଓ ବ୍ଲଟିଙ୍ଗ ପେପର ଆଉ ବ୍ୟବହାରରେ ନାହାନ୍ତି।

ନୂଆ ନୂଆ ଶବ୍ଦ ଭାଷା ଭିତରକୁ ଆସୁଥିବା ଭଳି ପୁରୁଣା ଶବ୍ଦରୁ କିଛି ଭାଷା ବାହରକୁ ଚାଲିଯାଇ ହଜି ଯାନ୍ତି। ଭିନ୍ନ ଭିନ୍ନ ସମୟର ଅଭିଧାନକୁ ଦେଖିଲେ ଜାଣିହେବ କିପରି ନୂଆ ଶବ୍ଦମାନ ଜନ୍ମ ନେଇଛନ୍ତି ଓ କାଳ କ୍ରମେ ମରିଯାଇଛନ୍ତି। ୨୦୦୯ରେ ପ୍ରକାଶିତ କ୍ରମ ବିକଶିତ ଓଡ଼ିଆ ଶବ୍ଦ ସମ୍ଭାର ଅଭିଧାନରେ ୧୦୫୦ ଓ ୧୬୦୦ ମଧ୍ୟରେ ବ୍ୟବହୃତ ଶବ୍ଦମାନ ଅଛି। ଏହି ସବୁ ଶବ୍ଦ ସେ ସମୟର ସାହିତ୍ୟରେ ବ୍ୟବହୃତ, କିନ୍ତୁ ବର୍ତ୍ତମାନ ସେଥିରୁ ଅଧିକାଂଶ ପ୍ରଚଳିତ ନାହାନ୍ତି।

।। ଶବ୍ଦର ଅର୍ଥ ଅନର୍ଥ ।। କେବେ କେବେ ଏପରି ମଧ୍ୟ ହୁଏ ଯେ ଗୋଟିଏ ଶବ୍ଦ କହିବା ବେଳେ ତା’ର ପ୍ରକୃତ ଅର୍ଥ ବଦଳରେ ତା’ର ଓଲଟା ଅର୍ଥ ଜଣାଇବାକୁ ଚେଷ୍ଟା କରାଯାଇଥାଏ ଏବଂ ଶୁଣିବା ଲୋକ ତା’କୁ ସେହି ଅନର୍ଥ ବା ଭୁଲ ଅର୍ଥରେ ବୁଝିଥାନ୍ତି ମଧ୍ୟ। ଏହାର ଦୁଇଟି ଉଦାହରଣ ନିମ୍ନ ମତେ :

ଗତ ଶତାବ୍ଦୀର ଷାଠିଏ ଦଶକରେ ଆମେରିକାରେ ଆସିଥିଲା ଭିଏଟନାମ ଯୁଦ୍ଧ ବିରୋଧୀ ଓ ଶାନ୍ତିକାମୀ ସଂସ୍କୃତିର ଲହରୀ ଏବଂ ଏହା ଜନ୍ମ ଦେଇଥିଲା ଫ୍ଲାଓ୍ୱର ଚିଲଡ୍ରେନ ଓ ବିଟନିକ ଯୁବ ସଂପ୍ରଦାୟକୁ। କାଲିଫର୍ନିଆର ବର୍କଲେ ବିଶ୍ୱବିଦ୍ୟାଳୟ ଥିଲା ଏହି ଆନ୍ଦୋଳନର ଏକ କେନ୍ଦ୍ର ସ୍ଥଳ। ସେଠାରେ ଗଣ୍ଡଗୋଳ କରୁଥିବା ଛାତ୍ରମାନଙ୍କୁ ସମ୍ମାନ ଦିଆଯାଉଥିଲା ଓ ସେମାନଙ୍କ ଦୁଷ୍ଟାମିକୁ ଆନନ୍ଦର ସହିତ ଗ୍ରହଣ କରାଯାଉଥିଲା। ସେତେବେଳେ ସେଠାରେ ଯଦି କାହାରିକୁ ‘ହି ଇଜ ବ୍ୟାଡ୍’ କୁହାଯାଉଥିଲା, ସେତେବେଳେ ସମସ୍ତେ ବୁଝୁଥିଲେ ତା’କୁ ପ୍ରକୃତରେ କୁହାଯାଉଛି ‘ହି ଇଜ୍ ଗୁଡ’।

ଏହାର ଏକ ଓଲଟା ଉଦାହରଣ ହେଉଛି ଆମ ଘର ପାଖର; ସତ୍ୟବାଦୀ ବନ ବିଦ୍ୟାଳୟକୁ ନେଇ। ଗୋପବନ୍ଧୁ ଏହାର ଛାତ୍ରାବାସରେ ପିଲାମାନଙ୍କ ପାଇଁ କଠୋର ନୀତି ନିୟମ ରଖିଥିଲେ ଏବଂ ଏହା ଯେପରି ସଂପୂର୍ଣ୍ଣ ଭାବରେ ପାଳିତ ହେବ, ସେଥିପାଇଁ ମନିଟର ନିଯୁକ୍ତ କରୁଥିଲେ। ମଜାର କଥା ଯେ କୌଣସି ଛାତ୍ର ଦୁଷ୍ଟ ବୋଲି ଧରା ହେଲେ ତା’କୁ ମନିଟର କରିଦିଆଯାଉଥିଲା ଯାହା ଦ୍ୱାରା ସେ ଅନ୍ୟ ପିଲାଙ୍କ ଉପରେ ଦୃଷ୍ଟି ରଖିବା ସହିତ ନିଜେ ମଧ୍ୟ ସୁଧୁରି ଯିବ। ପିଲାମାନେ କିନ୍ତୁ ଏ ଭଳି ମନିଟରଙ୍କୁ ଥଟ୍ଟା କରି ‘ଆଦର୍ଶ’ ବୋଲି ଡାକୁଥିଲେ ଏବଂ ସେ ସମୟରେ ସେଠାରେ ଆଦର୍ଶ ଗୋଟିଏ ଘୃଣାବ୍ୟଂଜକ ଶବ୍ଦ ହୋଇଯାଇଥିଲା।

।। ବଜାର ମିଡିଆ ଓ ସାହିତ୍ୟ ।। ବଜାରକୁ ନୂଆ ଶବ୍ଦ ଆସିବା ବେଳେ ସେମାନେ କାହାରିକୁ ପଚାରି ନଥାନ୍ତି ବା କୌଣସି ଅନୁମତି ନେଇ ନଥାନ୍ତି। ସ୍କୁଲ କଲେଜ ହାଟ ଖଟି ରାସ୍ତାଘାଟରୁ ବାହାରି ସେମାନେ ଆସ୍ତେ ଆସ୍ତେ ସବୁ ଆଡ଼କୁ ବ୍ୟାପି ଯାନ୍ତି।

ବର୍ତ୍ତମାନ ସମାଲୋଚନା ହେଉଛି ଯେ ଓଡ଼ିଆ ମିଡିଆରେ, ବିଶେଷରେ ଟେଲିଭିଜନ ଚ୍ୟାନେଲମାନଙ୍କରେ ଓଡ଼ିଆ ଭାଷାକୁ ବିକୃତ ଭାବରେ ପରିବେଷଣ କରାଯାଉଛି। ଆମର ବୁଝିବା  ଉଚିତ ଯେ ଟେଲିଭିଜନ ହେଉଛି ଏକ ବ୍ୟବସାୟ; ଏହାର ଗରାଖ ହେଉଛନ୍ତି ଦର୍ଶକ। ଗରାଖର ଚାହିଦାକୁ ଚାହିଁ ସଉଦା ଯୋଗାଇବା ସବୁ ବେପାରର କାମ। ସଂସ୍କୃତି ସାହିତ୍ୟ ସଦାଚାର ଟେଲିଭିଜନର ଲକ୍ଷ୍ୟ ନୁହେଁ; ତା’ର ଲକ୍ଷ୍ୟ ଟିଆରପି। ଟେଲିଭିଜନ ଚ୍ୟାନେଲରେ ବା ମେଳା ମଉଚ୍ଛବରେ ସଂଯୋଜକ ଓ ଉଦ୍‌ଘୋଷକ ଯେଉଁ ବାରମିଶା ସଙ୍କର ଭାଷା ବ୍ୟବହାର କରୁଛନ୍ତି, ତା’କୁ ସେମାନେ ତିଆରି କରୁନାହାନ୍ତି। ବଜାରର ଭାଷାକୁ ନେଇ ସେମାନେ ତା’କୁ ସେଇ ବଜାରକୁ ଫେରାଇ ଦେଉଛନ୍ତି।

ଆମର ଛପା ମିଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା ଏ ପର୍ଯ୍ୟନ୍ତ ଏ ଭଳି ଭାଷାକୁ ଗ୍ରହଣ କରିନାହାନ୍ତି। ବଜାରର ସବୁ ନୂଆ ଶବ୍ଦ ଓ ପ୍ରୟୋଗ ଅବିଳମ୍ବେ ଟେଲିଭିଜନ ପର୍ଦାକୁ ଆସି ଯାଉଥିବା ବେଳେ ସେଥିରୁ ମାତ୍ର ଅଳ୍ପ କିଛି ଖବରକାଗଜ ପୃଷ୍ଠାକୁ ଆସୁଛନ୍ତି। ଆମର ସଂସ୍କୃତି ଓ ଭାଷାର ସଜଗ ପ୍ରହରୀମାନେ ଏହି ସାମାନ୍ୟ ଅନୁପ୍ରବେଶକୁ ମଧ୍ୟ ବିରୋଧ କରି ଆସୁଛନ୍ତି। ତେବେ ପୀଢୀ, ନାରା, କେଳେଙ୍କାରି, ଠୋସ ଭଳି ଶବ୍ଦ ଏ ଭିତରେ ଆମର ଦେହସୁହା ହୋଇଗଲାଣି।

ନୂଆ ଶବ୍ଦରୁ କିଛି ସାହିତ୍ୟ ଭିତରକୁ ମଧ୍ୟ ପଶିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏ ଦୁର୍ଗଟି ଆହୁରି ଦୁର୍ଜେୟ ଓ ଶୁଦ୍ଧ ଭାଷାର ଦ୍ୱାରପାଳଙ୍କ ଦ୍ୱାରା ପରିବେଷ୍ଟିତ। ତେଣୁ ଭାଷା ସେଠାରେ ସୁରକ୍ଷିତ ରହିଛି ବୋଲି କୁହାଯାଇପାରେ।

ଶବ୍ଦର କିନ୍ତୁ ଶେଷ ଗନ୍ତବ୍ୟସ୍ଥଳ ହେଉଛି ଅଭିଧାନ। ପ୍ରତିଟି ଶବ୍ଦ ସେଠାରେ ପହଞ୍ଚିବାକୁ ଚାହେଁ ଏବଂ ତା’ର ପୃଷ୍ଠାରେ ମୁଣ୍ଡ ଗୁଞ୍ଜି ପାରିଲେ ଆଶ୍ୱସ୍ତ ରହେ ଯେ ସେ ଚିରଂଜୀବୀ ହେବାର ବର ପାଇସାରିଛି। କିନ୍ତୁ ଯେପରି ପୂର୍ବରୁ କୁହାଯାଇଛି ଅଭିଧାନରେ ଆସନ ଜମାଇ ବସିଥିବା ଶବ୍ଦ ମଧ୍ୟ କେତେବେଳେ କାଳର କବଳରେ ପଡ଼ିପାରେ।

।। ଶବ୍ଦ ପୁଂଜର ଜୀବନ ଓ ମୃତ୍ୟୁ ।। ଅନେକ ସମୟରେ ନୂଆ ଶବ୍ଦ ଯେତିକି ଜାକଜମକ ଆଡ଼ମ୍ବରରେ ଆସିଥାଏ, ପୁଣି ସେତିକି ଅଳ୍ପ ସମୟରେ କାହାକୁ ନ ଜଣାଇ କୁଆଡ଼େ ଉଭେଇଯାଏ। ଏ ସମ୍ବନ୍ଧରେ ବିଭିନ୍ନ ସମୟରେ ପ୍ରଚଳିତ କିଛି ଶବ୍ଦ ପୁଞ୍ଜର ଉଦାହରଣ ନିଆଯାଇପାରେ।

ଗତ ଶତାବ୍ଦୀର ପଚାଶ ଦଶକ ବେଳକୁ ଓଡ଼ିଆରେ ଗୋଟିଏ ଅତି ଜଣାଶୁଣା  ଓ ବହୁ ବ୍ୟବହୃତ ଉକ୍ତି ଥିଲା ‘ବାବାରେ ଆଲୁଅ’ ଯାହା ବର୍ତ୍ତମାନ ଶୁଣାଯାଏ ନାହିଁ। ଏହା କୁଆଡ଼େ ଆରମ୍ଭ ହୋଇଥିଲା ସେ ସମୟରେ ହାରମୋନିଅମ ଧରି ଗୀତ ଗାଇ କଟକର ଗଳିରେ ଚଟି ବହି ବିକ୍ରି କରୁଥିବା ହମିଦ ମିଆଁଙ୍କ ଲେଖାରୁ। ସତୁରୀ ଦଶକରେ ଏହା ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଓ ଗୀତରେ ପ୍ରବେଶ କଲା ଏବଂ କିଛି ବର୍ଷ ପରେ ଆସ୍ତେ ଆସ୍ତେ ଲୋକେ ତା’କୁ ପାଶୋରି ଗଲେ।

ସତୁରୀ ଦଶକରେ ଆସିଲା ‘କୋଉଠି ଥୋଇବି’ ପ୍ରଥମେ ଗୀତରେ ଓ ପରେ ହାସ୍ୟ ଅଭିନେତାଙ୍କ ମୁହଁରେ ଓ ଅଳ୍ପ ସମୟରେ ବ୍ୟାପିଗଲା। ସେ ଉକ୍ତିଟି ମଧ୍ୟ କାଳକ୍ରମେ ମରି ହଜି ଗଲା। ଏବେ ବଜାରରେ ସଜ ମିଳୁଛି ‘କ’ଣ କଲା ସେ’। ଗୁଗ୍‌ଲରେ ଖୋଜିଲେ ଏଥିପାଇଁ  ପାଞ୍ଚ ଲକ୍ଷରୁ ବେଶି ହିଟ୍।

ଏଥିରୁ ଜଣାଯିବ ଯେ ଲୋକଙ୍କ ବଜାରବୋଲି, ଗାୟକଙ୍କ କଣ୍ଠରେ ଗୀତ ଓ ଚଳଚ୍ଚିତ୍ରର ସଂଳାପ ଆଗପଛ ହୋଇ ବିଭିନ୍ନ କ୍ରମ ଦେଇ ସଂକ୍ରାମକ ହୋଇଯାନ୍ତି। ସେମାନଙ୍କର ଶକ୍ତି ସକ୍ରିୟ ରହେ ଆଉ କିଛି ଶବ୍ଦ ଆସି ସେମାନଙ୍କୁ ବିସ୍ଥାପିତ କରିବା ପର୍ଯ୍ୟନ୍ତ।

ଉପରେ ଅବୋଲକରା ଶବ୍ଦମାନଙ୍କର ବିଭିନ୍ନ ପ୍ରକାରର ଔଦ୍ଧତ୍ୟ, ଚପଳତା ଓ ଦୌରାତ୍ମ୍ୟର କେତୋଟି ମାତ୍ର ଉଦାହରଣ ଦିଆଗଲା। ଆମେ ସେମାନଙ୍କୁ ବଶ କରିବାକୁ ଚେଷ୍ଟା କରୁ, କିନ୍ତୁ ସେମାନେ ଓଲଟା ଛଳ, କୌତୁକ, ଘଟ ପରିବର୍ତ୍ତନ, ସମ୍ମୋହନ ଓ ଇନ୍ଦ୍ରଜାଲ ଦେଇ ଆମ କବଳରୁ ବାହାରି ଯାନ୍ତି। ଲେଖକ ବିଚରା  ହାର ମାନେ ଓ ହମ୍‌ଟି ଡମ୍‌ଟିକୁ କହେ, ମୁଁ କିଛି ନୁହେଁ; ଶବ୍ଦ ହିଁ ମୋର ମାଲିକ।

(ଏହି ଲେଖାଟି ଲେଖିବା ବେଳେ ମୁଁ ଏହାର ଶିରୋନାମା ରଖିଥିଲି ‘ଶବ୍ଦଙ୍କର ସ୍ୱାୟତ୍ତ ସଂସାର’। ତା’ ପରେ ମୋର ମନେ ପଡ଼ିଗଲା ଯେ ଅନେକ ଦିନ ତଳେ ଉପେନ୍ଦ୍ର ଭଂଜଙ୍କ ଉପରେ ଲେଖିଥିବା ଗୋଟିଏ କବିତାରେ ମୁଁ ‘ସାର୍ବଭୌମ ଶବ୍ଦର ସାମ୍ରାଜ୍ୟ’ ବ୍ୟବହାର କରିଥିଲି। ତାଙ୍କ ସମ୍ମାନରେ ମୁଁ ଶିରୋନାମା ବଦଳାଇ ଦେଲି। ଏ ଲେଖାଟି ସେହି କବିସମ୍ରାଟ୍‌ଙ୍କୁ ନିବେଦିତ।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ଆମ ଭାଷାଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ଓଡ଼ିଶାଲାଇଭ୍କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment