ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟିଘୋଡ଼ା’ ଉନ୍ମୋଚିତ ହୋଇଯାଇଛି। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପୁସ୍ତକଟି ଉନ୍ମୋଚନ କରିଛନ୍ତି। ଏଥିସହ ଲେଖକଙ୍କ ଏ ପହିଲି ସାରସ୍ଵତ ପ୍ରୟାସର ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉନ୍ମୋଚନ ସମୟରେ ଲେଖକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

୨୦୦ ପୃଷ୍ଠା ସମ୍ବଳିତ ଏ ଗଳ୍ପ ସଂକଳନରେ ମୋଟ ୨୨ଟି ଗଳ୍ପ ରହିଛି। ପୂର୍ବରୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ବେଶ୍‌ ପାଠକୀୟ ଶ୍ରଦ୍ଧା ସାଉଁଟିଥିବା ଏ କାହାଣୀ ସବୁରେ ଗ୍ରାମ୍ୟ ଓ ସହରୀ ଜୀବନର ଦ୍ଵନ୍ଦ୍ଵ, ସାଧାରଣ ମଣିଷର ପୀଡ଼ା ଓ ପୁଲକ ସାଙ୍ଗକୁ ମାନବୀୟ ସମ୍ବେଦନାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳିଛି।

ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ଵତର ସନ୍ଧାନ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ‘ମାଟିଘୋଡା’ ସମେତ ‘ମାଟି ସିଲଟର ପୃଥିବୀ’, ‘ମାଟିଘଟର ଜୀବନ’ ଓ ‘ନିଜ ମାଟିର ଗନ୍ଧ’ ଆଦି ଗଳ୍ପ ସଂକଳନ କରିଛନ୍ତି ଲେଖକ ପ୍ରଦୀପ୍ତ ମହାପାତ୍ର।

Comment