ଭାସ୍କର ପରିଚ୍ଛା

ଓଡ଼ିଆ କଥା ସାହିତ୍ୟରେ ଜାନକୀ ବଲ୍ଲଭ ମହାପାତ୍ର ଏକ ଜଣାଶୁଣା ନାଁ। ଦୁଇଟି ଗଳ୍ପ ସଂକଳନ ରୂପାନ୍ତର ଓ ଯୁଗଳବନ୍ଦୀ ଏବଂ ଉପନ୍ୟାସ ସବୁଜ ବନାଗ୍ନି, ବିପୁଳ ପାଠକୀୟତା ଲାଭ କରିଥିଲା। ‘ଫରଚା ଆକାଶ’ ତାଙ୍କ କଥାକାରିତାର ଏକ ବଳିଷ୍ଠ ସାକ୍ଷର।

ପୁସ୍ତକ ସମ୍ପର୍କରେ ପ୍ରକାଶକ ଲେଖିଛନ୍ତି: ‘ଉଭୟ ଆଙ୍ଗିକ, ଆତ୍ମିକ ଓ ଚରିତ୍ର ଚିତ୍ରାୟନରେ ଏକ ନୂତନ ପରୀକ୍ଷା। ତାଙ୍କ ଗଳ୍ପର ଚରିତ୍ରଗୁଡ଼ିକ ନିଜ ଅସ୍ମିତା ଓ ଅସ୍ତିତ୍ୱକୁ ନେଇ ଆଶା, ଆଶଙ୍କା, ହତାଶା ଓ ବିଦ୍ରୋହର ବିରୋଧାଭାସ ଭିତରେ ସମୟ ଓ ଲୋକାଚାରକୁ ପଛରେ ରଖି ସକଳ ନକରାତ୍ମକତା ଓ ଅସହାୟତା ସତ୍ତ୍ଵେ ଛଳନାରୁ ସତ୍ୟକୁ, ରୁକ୍ଷ ବାସ୍ତବତାରୁ ନିଜର ଅନ୍ତର୍ବୋଧ ଓ ଭାବାଦର୍ଶକୁ, ଦେହ ଦାହର ଦ୍ଵନ୍ଦ୍ୱରୁ ମୁକୁଳେଇ ଅଦମ୍ୟ ଆହ୍ଵାନରେ ବି ନିଜକୁ ପୁଣି ଖୋଜିବା ନିଶାରେ ଆଗକୁ ମାଡ଼ିଚାଲିବାର ଦୁଃସାହସ କରିପାରନ୍ତି। ଆଧୁନିକ ଜୀବନଚର୍ଯ୍ୟାର ନୂଆ ନୂଆ ଘଟଣା ଦୁର୍ଘଟଣାର ବୈଚିତ୍ରମୟ ପୃଷ୍ଠଭୂମିରେ ବ୍ୟକ୍ତିର ଜଟିଳ ମନସ୍ତତ୍ତ୍ଵର ସୂକ୍ଷ୍ମ ବିଶ୍ଳେଷଣ, ବ୍ୟକ୍ତିର ସ୍ଵାଧୀନ ଅବବୋଧ ଓ ମୁକ୍ତି ଉପରେ ତାଙ୍କର ଅସ୍ତିତ୍ଵବାଦୀ ଦର୍ଶନ, ଉପସ୍ଥାପନାରେ କୁହୁକ ବାସ୍ତବତା, ପ୍ରତିଟି ଗଳ୍ପକୁ ନିଜତ୍ଵ ଗରିମାରେ କରିଛି ମହତ୍ତର। ପ୍ରତିଟି ଗଳ୍ପ ଜୀବନ ପରି ଅସମ୍ପୂର୍ଣ୍ଣ ଓ ରହସ୍ୟଘନ ଅଥଚ ଅର୍ଥପୂର୍ଣ୍ଣ। ଲାଗେ ଯେମିତି ଆହୁରି ଅନେକ କଥା କୁହାଯିବାର ଥିଲା। ଏହି ଅତୃପ୍ତି ପ୍ରତିଟି ସାର୍ଥକ କୃତିର ପ୍ରକୃତି ଓ ନିୟତି। ‘ଫରଚା ଆକାଶ’ ଓଡ଼ିଆ ଗଳ୍ପ ଜାତକରେ ଏକ ନୂଆ ଦ୍ୟୋତନା ଓ ସମ୍ଭାବନାର ସିନ୍ଦୂରା ଫିଟାଇବାର ଅବକାଶ ରଖେ।’

ନିଜ କଥାରେ ଗାଳ୍ପିକ ଲେଖିଛନ୍ତି: ‘ଜୀବନବୋଧର ଅନ୍ଵେଷଣରେ ସ୍ରୋତର ପ୍ରତିକୂଳତାରେ ପହଁରୁ ଥିବା ମଣିଷ ନିଜପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସରଂକ୍ଷିତ କରେ। ନୂତନ ସ୍ଵାଦ ପରଖିବାର ଅଭିଳାଷ, ବ୍ୟକ୍ତି ସ୍ଵାଧୀନତାକୁ ଉପଭୋଗ କରିବାର ଲାଳସା, ପୃଥିବୀକୁ ଭିନ୍ନ ଏକ କୋଣରୁ ଦେଖିବାର କାମନା ତାକୁ ରକ୍ଷଣଶୀଳ ସମାଜର ଶୃଙ୍ଖଳ ଛିଣ୍ଡାଇ ଏକ ଅନାବିଷ୍କୃତ ନୂତନ ପଥରେ ଚାଲିବାପାଇଁ ଆହ୍ଵାନ କରେ। ନିଜକୁ ଖୋଜିବାକୁ ନିଜେ ବାହାରି ପଡ଼େ ରାସ୍ତାକୁ। ଜୀଇଁବାର ମୋହରେ ପର୍ବତ ତିଖରେ ଛିଡ଼ାହୋଇ ମୃତ୍ୟୁକୁ ସାମନା କରିବାର ଅହଂକାର ଥାଏ ତା’ର। ପ୍ରେମ, ଆବେଗ କି ଭାବପ୍ରବଣତା ତା’ ପାଇଁ ବନ୍ଧନ ନୁହେଁ ବରଂ ଏକ ବାସ୍ତବ ବୁଝାମଣା ଓ ଜୀବନଶୈଳୀ। ଭାଗ୍ୟକୁ ସେ ଅବିଶ୍ଵସ କରେ, ନୈତିକତା ତା’ପାଇଁ ମୂଲ୍ୟହୀନ। ସେ ନିଜେ ଖୋଜେ ନିଜର ସ୍ଵାଧୀନ ରାସ୍ତା। ନିଜ ଜୀବନଦର୍ଶନ ତା’ ପାଇଁ ବଡ଼। କେତେବେଳେ ସେ ଜିତେ କେତେବେଳେ ସମାଜ ତାକୁ ହରେଇବାପାଇଁ ଚକ୍ରବ୍ୟୁହ ଖଞ୍ଜେ।ସେ ବିଜୟୀ ହେଉ ଅବା ପରାଜିତ, ଗୋଟେ ଛାପ ଛାଡ଼ିଯାଏ ସମାଜରେ। ଏମିତି କିଛି ଚରିତ୍ର ଯେଉଁମାନେ ମତେ ଆକର୍ଷିତ କରିଛନ୍ତି, ଅଭିଭୂତ କରିଛନ୍ତି, ମନ ଓ ହୃଦୟ ପଞ୍ଜୁରିରେ ଆବୋରି ବସିଛନ୍ତି।’

ତେରଟି ମନନଶୀଳ ଗଳ୍ପର ସମାହାର ଏହି ସଙ୍କଳନ। ଗପରେ ଯେଉଁମାନେ ପରୀକ୍ଷା ନିରୀକ୍ଷା କରନ୍ତି ସେମାନଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ଆବଶ୍ୟକତା।

ଫରଚା ଆକାଶ/ ଗଳ୍ପ ସଂକଳନ

ଜାନକୀବଲ୍ଲଭ ମହାପାତ୍ର

ପଶ୍ଚିମା ପବ୍ଲିକେଶନ୍ସ/ ଭୁବନେଶ୍ୱର

୧୫୨ ପୃଷ୍ଠା/୧୭୯ ଟଙ୍କା 

ସଦ୍ୟ ପ୍ରକାଶିତ

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #BookReview #FarachaAkasha #Literature #Odisha

LEAVE A REPLY

Please enter your comment!
Please enter your name here