ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ସୋନମର୍ଗରେ ଉଦଘାଟିତ ହୋଇଛି ଜେଡ୍-ମୋର୍ ଟନେଲ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଯୋଗ ଦେଇଥିଲେ।      

ଜେଡ୍-ମୋର୍ ସୁଡ଼ଙ୍ଗର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନୀରିକ୍ଷଣ କରିଥିଲେ। ହିମାଳୟର କଠିନ ଭୌଗଳିକ ପରିସ୍ଥିତିରେ ଏହାର ନିର୍ମାଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ତେବେ କ’ଣ ଏହି ଜେଡ୍-ମୋର୍ ଟନେଲର କ’ଣ ବିଶେଷତ୍ୱ? ଏହାର ଭାରତର ସୁରକ୍ଷା ପାଇଁ କିଭଳି ମହତ୍ଵପୂର୍ଣ୍ଣ ଆସନ୍ତୁ ଜାଣିବା।

କେଉଁଠି ରହିଛି ଜେଡ୍-ମୋର୍ ଟନେଲ?

ଶ୍ରୀନଗରରୁ ଲେହକୁ ସଂଯୋଗ କରୁଥିବା ୧ ନମ୍ବର ଜାତୀୟ ରାଜପଥର ସୋନମାର୍ଗ ଏବଂ ଗଗନଗୀର ମଧ୍ୟରେ ଜେଡ୍-ମୋର୍ ଟନେଲ ନିର୍ମାଣ କରାଯାଇଛି। ଏହି ୬.୫ କିଲୋମିଟର ଲମ୍ବର ଟନେଲ ସମୁଦ୍ରପତ୍ତନଠାରୁ ୮,୬୫୨ ଫୁଟ ଉପରେ ରହିଛି। ଏଥିରେ ୭.୫ ମିଟର ଚଉଡ଼ାର ରାସ୍ତା ରହିଛି। ଇଂରାଜୀ ଅକ୍ଷର ଜେଡ୍ ଆକୃତିର ରାସ୍ତାରେ ନିର୍ମାଣ ହୋଇଥିବାରୁ ଏହାର ନାଁ ଜେଡ୍-ମୋର୍ ଟନେଲ ରଖାଯାଇଛି।

୨୪ ଶହ କୋଟି ଟଙ୍କା ବ୍ୟୟରେ ଏହି ଟନେଲକୁ ନିର୍ମାଣ କରାଯାଇଛି। ଏହି ଟନେଲ ଦ୍ୱାରା ଲଦାଖକୁ ବର୍ଷସାରା ସଡ଼କପଥରେ ଯାତାୟାତ କରିହେବ। ଏଥିସହିତ ଦେଶର ପ୍ରତିରକ୍ଷା ଆବଶ୍ୟକତା ଏବଂ ଆଞ୍ଚଳିକ ବିକାଶରେ ମଧ୍ୟ ଏହାର ଯୋଗଦାନ ରହିବ।

ଖର୍ଚ୍ଚ ହୋଇଛି କେତେ ଅର୍ଥ?

ଲଦାଖ ଭାରତର ପଡ଼ୋଶୀ ଦେଶ ଚୀନ ଓ ପାକିସ୍ତାନ ସିମାରେ ରହିଛି। ଏହି ସୀମାକୁ ନେଇ ଅନେକ ଦିନରୁ ବିବାଦ ଲାଗି ରହିଛି। ୨୦୨୦ରେ ପୂର୍ବ ଲଦାଖରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ମୁହାମୁହିଁ ହୋଇଥିଲେ। ଏହାପରଠାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଏପରି ସ୍ଥିତିରେ ଏହି ସୁଡଙ୍ଗ ଦେଇ ଭାରତୀୟ ସେନାର ଗମନାଗମନ ସୁବିଧାଜନକ ହେବ।

ଟନେଲରୁ କ’ଣ ମିଳିବ ସୁବିଧା?

ଜେଡ୍-ମୋର୍ ଟନେଲ ଦ୍ଵାରା ସୋନମର୍ଗରୁ ଗଗନଗିର ପର୍ଯ୍ୟନ୍ତ ନିର୍ବିଘ୍ନରେ ଯାତାୟତ କରିହେବ। ଏଥିରେ ୧ ନମ୍ବର ଜାତୀୟ ରାଜପଥରେ ଏହାର ଯାତ୍ରା ୪୯ କିଲୋମିଟରରୁ ୪୩ କିଲୋମିଟରକୁ ହ୍ରାସ ପାଇବ। ଯାନବାହନର ଘଣ୍ଟାପ୍ରତି ବେଗ ୩୦ରୁ ଏବେ ୭୦ କିଲୋମିଟରକୁ ବୃଦ୍ଧି ପାଇବ। ଏହି ଟନେଲ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ ଏବଂ ବ୍ୟାବସାୟିକ କ୍ଷେତ୍ରର ବିକାଶ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ଜେଡ୍-ମୋର୍ ଟନେଲ ପରେ ୧ ନମ୍ବର ଜାତୀୟ ରାଜପଥରେ ଜୋଜିଲା ଟନେଲର କାର୍ଯ୍ୟ ମଧ୍ୟ ଜାରି ରହିଛି। ୨୦୨୮ ମଧ୍ୟରେ ଏହା ଶେଷ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଲଦାଖ ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ଯୋଗାଯୋଗ ଆହୁରି ସୁଦୃଢ଼ ହେବ।

Tags: #Z-MorhTunnel #NationalHighway1 #Sonamarg #PMNarendraModi #JammuKashmir

LEAVE A REPLY

Please enter your comment!
Please enter your name here