ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ପଶ୍ଚିମ ଉପକୂଳରେ ଥିବା ପ୍ରମୁଖ ସହର ଲସ୍ ଆଞ୍ଜେଲସରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ଏବେ ବ୍ୟାପକ ହୋଇଛି। ଲଗାଣ ପବନ ଓ ଉଗ୍ର ଶୁଖିଲା ପରିସ୍ଥିତି ଯୋଗୁଁ ଜଙ୍ଗଲ ନିଆଁ ଉଗ୍ର ରୂପ ଧାରଣ କରିଛି। ଗତ ସପ୍ତାହରୁ ଲାଗିଥିବା ଏହି ନିଆଁ ସହରକୁ ବ୍ୟାପି ଏକ ବିଶାଳ ଅଞ୍ଚଳକୁ ଛାରଖାର କରିଦେଇଛି। ହଜାର ହଜାର ଘର ଜଳି ହୋଇଯାଇଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି।
ଏହି ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୨୫ ଜଣ ପ୍ରାଣ ହରାଇଛନ୍ତି। ତେବେ ଆମେରିକା ଇତିହାସର ଏହି ବଡ଼ ଧରଣର ଅଗ୍ନିକାଣ୍ଡ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଦିନରାତି ସଂଘର୍ଷ କରୁଛନ୍ତି। ଲାଗୁଛି ଯେପରି ନିଆଁ ଆଗରେ ହାର୍ ମାନି ଯାଇଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଦେଶ।
କ’ଣ ଥିଲା ଅଗ୍ନିକାଣ୍ଡର ଘଟଣାକ୍ରମ?
ପାଲିସାଡେସ୍ ଅଗ୍ନିକାଣ୍ଡ: ଜାନୁଆରି ୭ ତାରିଖରେ ଲସ୍ ଆଞ୍ଜେଲସର ପୂର୍ବରେ ଥିବା ପାସିଫିକ ପାଲିସାଡେସରେ ଥିବା ପାହାଡ଼ରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଛୋଟ ନିଆଁ ଲାଗିବା ପରେ ଏହା ବ୍ୟାପକ ରୂପ ନେଇଥିଲା। ରବିବାର ରାତି ସୁଦ୍ଧା ଏଥିରେ ୨୩,୭୧୩ ଏକର ଅଞ୍ଚଳ ନଷ୍ଟ ହୋଇଯାଇଥିଲା।
କାଲିଫର୍ଣ୍ଣିଆ ବନ ଓ ଅଗ୍ନି ସୁରକ୍ଷା ବିଭାଗ ଅନୁଯାୟୀ, ସେହି ସମୟରେ ନିଆଁକୁ ମାତ୍ର ୧୭ ପ୍ରତିଶତ ଆୟତ୍ତ କରାଯାଇଥିଲା। ପାଲିସାଡେସ୍ ଅଗ୍ନିକାଣ୍ଡରେ ୫ ହଜାରରୁ ଅଧିକ ଘର ଜଳି ଯାଇଥିଲା। କେବଳ ଏହି ଅଞ୍ଚଳରେ ହୋଇଥିବା ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଇଟନ୍ ଅଗ୍ନିକାଣ୍ଡ: ପାଲିସାଡେସ୍ ଅଗ୍ନିକାଣ୍ଡ ଆରମ୍ଭ ହେବାର କିଛି ଘଣ୍ଟା ପରେ ଲସ୍ ଆଞ୍ଜେଲସ ସହରର ଉତ୍ତରରେ ଜଙ୍ଗଲର ନିକଟରଏ ଥିବା ଇଟନ୍ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଦ୍ରୁତ ଗତିରେ ବ୍ୟାପି ମଙ୍ଗଳବାର ସୁଦ୍ଧା ୧୪ ହଜାର୧୧୭ ଏକର ଅଞ୍ଚଳକୁ କବଳିତ କରିଥିଲା। ଏହି ଅଗ୍ନିକାଣ୍ଡରେ ୭,୮୦୦ରୁ ଅଧିକ ଘର ଓ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଇଟନ୍ ଅଗ୍ନିକାଣ୍ଡ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ହୋଇଛି, ଯେଉଁଥିରେ ୧୬ ଜଣଙ୍କ ଜୀବନହାନୀ ଘଟିଛି।
ହର୍ଷ୍ଟ ଅଗ୍ନିକାଣ୍ଡ: ଲସ୍ ଆଞ୍ଜେଲସର ଉତ୍ତରରେ ଥିବା ଏକ ଉପାନ୍ତ ଅଞ୍ଚଳ ହର୍ଷ୍ଟରେ ଜାନୁଆରି ୭ ତାରିଖରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ଯଦିଓ ଏହା ଅନ୍ୟ ଅଗ୍ନିକାଣ୍ଡ ତୁଳନାରେ ଛୋଟ ଥିଲା, ତଥାପି ଏହା ୭୯୯ ଏକର ଅଞ୍ଚଳକୁ ନଷ୍ଟ କରିଛି। ମଙ୍ଗଳବାର ରାତି ସୁଦ୍ଧା ଏହାକୁ ପ୍ରାୟତଃ ନିୟନ୍ତ୍ରଣ କରାଯାଇଥିଲା।
ଏହାବ୍ୟତୀତ ଲସ୍ ଆଞ୍ଜେଲସ କାଉଣ୍ଟିର ଲିଡିଆ, ଆର୍ଚର, ଉଡ୍ଲି, ସନ୍ସେଟ୍ ଏବଂ କେନେଥ୍ ଭଳି ଛୋଟ ଛୋଟ ଅଞ୍ଚଳରଏ ଗତ ସପ୍ତାହରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ରବିବାର ସନ୍ଧ୍ୟା ସୁଦ୍ଧା ଏହି ନିଆଁକୁ ସଫଳତାର ସହ ଆୟତ୍ତ କରିବା ସହ ଅଧିକ କ୍ଷୟକ୍ଷତିକୁ ରୋକିଥିଲେ।
ଅଗ୍ନିକାଣ୍ଡରେ ବଢୁଛି ମୃତକ ଓ ବିସ୍ଥାପିତଙ୍କ ସଂଖ୍ୟା
ଏହି ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅଧିକାଂଶ ମୃତ୍ୟୁ ଇଟନ୍ ଏବଂ ପାଲିସାଡେସ୍ ଅଗ୍ନିକାଣ୍ଡରେ ଘଟିଛି। ଦୁଃଖର କଥା ହେଉଛି, ଅଗ୍ନିକାଣ୍ଡରୁ ନିଜ ଘରକୁ ରକ୍ଷା କରିବାକୁ ଯାଇ କିଛି ଲୋକ ପ୍ରାଣ ହରାଇଛନ୍ତି।
ଲସ୍ ଆଞ୍ଜେଲସ୍ କାଉଣ୍ଟି ଅଗ୍ନିଶମ ମୁଖ୍ୟ ଆନ୍ଥୋନି ମାରୋନ୍ କହିଛନ୍ତି ଯେ ବିଶେଷ କରି ପାଲିସାଡେସ୍ ଏବଂ ଇଟନ୍ ଅଗ୍ନିକାଣ୍ଡରେ ସ୍ଥାନାନ୍ତର ଆଦେଶକୁ ଅଣଦେଖା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଯଥେଷ୍ଟ ସଂଖ୍ୟକ ଆହତ ହୋଇଛନ୍ତି।
ଲସ୍ ଆଞ୍ଜେଲସ୍ କାଉଣ୍ଟି ମେଡିକାଲ ପରୀକ୍ଷକଙ୍କ କାର୍ଯ୍ୟାଳୟ ଏବେ ବି ଅନେକ ମୃତ୍ୟୁର ତଦନ୍ତ କରୁଛି। ମୃତକଙ୍କ ପରିଚୟ ନିଶ୍ଚିତ କରିବାକୁ ସପ୍ତାହାଧିକ ସମୟ ଲାଗିପାରେ ବୋଲି ସଙ୍କେତ ଦେଇଛି। ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି।
ଏଥିସହ ଏହି ଅଗ୍ନିକାଣ୍ଡରେ ଅନେକ ସଂଖ୍ୟାରେ ଲୋକେ ବିସ୍ଥାପିତ ହୋଇଛନ୍ତି। ସଙ୍କଟ ଚରମ ସୀମାରେ ଥିବା ବେଳେ ପାଖାପାଖି ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା।
ଅର୍ଥନୈତିକ ପ୍ରଭାବ
ହଲିଉଡ ନଗରୀ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁରେ ଟିଥିବା ଆର୍ଥିକ କ୍ଷତି ଅନେକଙ୍କୁ ଚକିତ କରିଛି। ଆର୍ଥିକ ସଂସ୍ଥା ଜେପି ମୋର୍ଗାନର ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ଅଞ୍ଚଳରେ ମୋଟ ଅର୍ଥନୈତିକ କ୍ଷତି ୫୦ ବିଲିୟନ ଡଲାରରେ ପହଞ୍ଚିପାରେ। ଏହି ସଂଖ୍ୟା ୨୦୧୮ କ୍ୟାମ୍ପ ଫାୟାରର ୧୨.୫ ବିଲିୟନ ଡଲାର କ୍ଷୟକ୍ଷତିକୁ ଅତିକ୍ରମ କରିଛି, ଯାହା ପୂର୍ବରୁ ଆମେରିକା ଇତିହାସରେ ସବୁଠାରୁ ମହଙ୍ଗା ଜଙ୍ଗଲ ନିଆଁ ଥିଲା।
ଅଗ୍ନିକାଣ୍ଡର କାରଣ
ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବାବେଳେ ବିଶେଷଜ୍ଞମାନେ ଏହି ବିପର୍ଯ୍ୟୟ ପାଇଁ ଦାୟୀ ଅନେକ ଦିଗ ଉପରେ ଆଲୋଚନା କରୁଛନ୍ତି। ୨୦୨୪ ଦକ୍ଷିଣ କାଲିଫର୍ଣ୍ଣିଆରେ ଅକ୍ଟୋବର ପହିଲାରୁ ହାରାହାରି ୧୦ ପ୍ରତିଶତରୁ କମ୍ ବର୍ଷା ହୋଇଛି, ଯାହା ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରିଛି। ଏହି ଶୁଖିଲା ପରିସ୍ଥିତିରେ ସମୁଦ୍ରରୁ ସହର ଆଡ଼କୁ ୭୦ କିଲୋମିଟର ବେଗରେ ପବନ ବହିବା ନିଆଁକୁ ଆହୁରି ବ୍ୟାପକ କରିଥିଲା ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି।
ନିଆଁର ମୁକାବିଲା ପାଇଁ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବାହିନୀ ବିଭିନ୍ନ ରଣନୀତି ଅବଲମ୍ବନ କରିଛନ୍ତି। ନିଆଁ ଲିଭାଇବା ପାଇଁ ଏୟାର ଟ୍ୟାଙ୍କରର ବ୍ୟବହାର ମଧ୍ୟ ରହିଛି। ତେବେ ଏଥିରେ ବିଶେଷ ସଫଳତା ମିଳିନଥିବାରୁ ସ୍ଥାନୀୟ ପ୍ରଶାସନ ଅନେକ ସମାଲୋଚନାର ଶିକାର ହୋଇଛି।
ଏହି ଦୁଃଖଦ ଘଟଣା ଜଳବାୟୁ ପରିବର୍ତ୍ତନ ଦ୍ୱାରା ବଢୁଥିବା ଜଙ୍ଗଲ ନିଆଁ ଯୋଗୁଁ ବଢୁଥିବା ବିପଦ ଉପରେ ଆଲୋକପାତ କରିଛି। ଉଷ୍ଣ ଜଳବାୟୁରେ ଜଙ୍ଗଲ ନିଆଁ ଯୋଗୁଁ ବଢୁଥିବା ଆର୍ଥିକ ବିପଦକୁ ଏହି ଧ୍ୱଂସର ମାତ୍ରା ଦର୍ଶାଉଛି। ଦୃଢ଼ ପ୍ରଶମନ ଏବଂ ପ୍ରତିକ୍ରିୟା ରଣନୀତିର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି।
Tags: #LosAngelsFire #WildFire #Deaths #GlobalWarming #USA