ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା। ଏନେଇ ଆମେରିକା ସୁପ୍ରିମକୋର୍ଟ ମଞ୍ଜୁରି ଦେଇଛନ୍ତି। ତହବ୍ବୁର ରାଣା ଏବେ କାଲିଫର୍ଣ୍ଣିଆର ଏକ ଜେଲରେ ଥିବାବେଳେ ଆଗକୁ ଭାରତ ଆସିବାର ସମ୍ଭାବନ ରହିଛି।   

ତହବ୍ବୁର ରାଣା ୧୬ ବର୍ଷ ପୂର୍ବେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଡେଭିଡ କୋଲମେନ ହେଡଲିକୁ ଆର୍ଥିକ ସହାୟତା ଯୋଗାଇଥିବାର ଅଭିଯୋଗ ରହିଛି। ତହବ୍ବୁର ରାଣାକୁ ଆମେରିକା ଫେଡରଲ ପୋଲିସ ୨୦୦୯ରେ ଗିରଫ କରିଥିଲା। ଆମେରିକା କୋର୍ଟ ରାଣାକୁ ଡେନମାର୍କର ଏକ ଆତଙ୍କବାଦୀ ସଂଗଠନକୁ ସମର୍ଥନ ଦେବା ଅଭିଯୋଗରେ ୧୪ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ।

ଦୀର୍ଘ ବର୍ଷ ଧରି ଭାରତ ତହବ୍ବୁର ରାଣାକୁ ପ୍ରତ୍ୟର୍ପଣ କରିବା ଲାଗି ଦାବି କରି ଆସୁଥିଲା। ଆମେରିକା କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ରାଣା ଅନେକ କୋର୍ଟରେ ଆଇନ ଲଢେଇରେ ହାରି ସାରିଥିଲା। ଏହା ତା ପାଇଁ ଶେଷ ସୁଯୋଗ ଥିଲା। ହେଲେ ଆମେରିକା ସୁପ୍ରିମ କୋର୍ଟ ରାଣାର ସମୀକ୍ଷା ଆବେଦକୁ ଖାରଜ କରି ତାକୁ ଭାରତକୁ ପ୍ରତ୍ୟର୍ପଣ କରିବା ସପକ୍ଷରେ ରାୟ ଶୁଣାଇଛନ୍ତି।

କିଏ ଏହି ତହବ୍ବୁର ରାଣା?

ତହବ୍ବୁର ରାଣା ଜଣେ କାନାଡାର ନାଗରିକ। ତାଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା। ପେଷାରେ ସେ ଜଣେ ଡାକ୍ତର। ପାକିସ୍ତାନୀ ସେନାରେ ସେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କୁ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଡେଭିଡ ହେଡଲିଙ୍କ ନିକଟତର ବୋଲି କୁହାଯାଏ। ଏକଥା ବି କୁହାଯାଏ ଯେ, ରାଣା ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲା।

 ମୁମ୍ବାଇରେ ତିନି ଦିନ ଚାଲିଥିଲା ମୃତ୍ୟୁର ତାଣ୍ଡବ

୨୦୦୮ରେ ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିଥିଲେ।  କୁବେର ନାମକ ଏକ ଜାହାଜର କ୍ରୁଙ୍କୁ ହତ୍ୟା କରି ଆତଙ୍କବାଦୀମାନେ ମୁମ୍ବାଇରେ ପ୍ରବେଶ କରିଥିଲେ। ନଭେମ୍ବର ୨୬ ରାତି ୯ଟାରେ ମୁମ୍ବାଇରେ ଖେଳି ଯାଇଥିଲା ମୃତ୍ୟୁର ବିଭୀଷିକା। ଏହି ଆକ୍ରମଣରେ ପ୍ରାୟ୍ ୧୭୫ ଜଣଙ୍କର ମୃତ୍ୟୁ ଘଟିଥିଲା। ସିକ୍ୟୁରିଟି ଫୋର୍ସ ୯ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଅଜମଲ କସାବ ଏକମାତ୍ର ଆତଙ୍କବାଦୀ ଥିଲା ଯାହାକୁ ଜୀବନ୍ତ ଗିରଫ କରାଯାଇଥିଲା।

ମୁମ୍ବାଇ ଆକ୍ରମଣ ଘଟଣାରେ କେମିତି ସଂପୃକ୍ତ ଥିଲା ରାଣା

ଆମେରିକାର ଏଫବିଆଇ (ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ) ୨୦୦୯ରେ ରାଣାକୁ ଗିରଫ କରିଥିଲା। ତେବେ ମୁମ୍ବାଇ ମାମଲାରେ ତାକୁ ମୁକ୍ତ କରି ଦିଆ ଯାଇଥିଲା।  ଭାରତ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଡେଭିଡ ହେଡଲିଙ୍କୁ ସରକାରୀ ସାକ୍ଷୀ ରଖି ଭାରତ ତହବ୍ବୁର ରାଣାଙ୍କ ଅପରାଧର ପ୍ରମାଣ ଦେଇଥିଲା। ଯାହା ଫଳରେ ୨୦୨୦ରେ ଏଫବିଆଇ ତା’ ଉପରେ ମୁମ୍ବାଇ ଆକ୍ରମଣ ମାମଲା ଚାଲିଥିଲା। ଭାରତର କୂଟନୈତିକ ପ୍ରଭାବ ଯୋଗୁଁ ଏହା ସଫଳ ହୋଇପାରିଥିଲା।  

Tags: #TahawwurRana #Extradition #Mumbai26/11Attack #USA

LEAVE A REPLY

Please enter your comment!
Please enter your name here