ଓଡ଼ିଶାଲାଇଭ୍ ବ୍ୟୁରୋ

arrested

ଗିରଫ ହେଲେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶାନ୍ତନୁ ମହାପାତ୍ରଙ୍କୁ ଶୁକ୍ରବାର ଦିନ ଗିରଫ କରିଛି ଭିଜିଲାନ୍ସ।

ଶାନ୍ତନୁ ମହାପାତ୍ରଙ୍କ ୭ଟି ଠିକଣା ଉପରେ ବୁଧବାର ଦିନଠାରୁ ଚଢ଼ଉ ଆରମ୍ଭ ହୋଇଥିଲା। ପ୍ରଥମ ଦିନର ଚଢ଼ଉ ସମୟରେ ମିଳିଥିବା ଶାନ୍ତନୁଙ୍କ ସମ୍ପତ୍ତିକୁ ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଟିମ।

ଦୁଇଦିନର ରେଡରେ ସରକାରୀ ବାବୁ ଶାନ୍ତନୁ ମହାପାତ୍ରଙ୍କ ଘରୁ ନଗଦ ୨ କୋଟି ୬୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ୪୨୦ ଗ୍ରାମର ସୁନା ଅଳଙ୍କାର, ୯୧ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, କୋରାପୁଟରେ ୬ ହଜାର ସ୍କୋୟାଫୁଟ ସ୍ଥାନରେ ତିନି ମହଲା ବିଶିଷ୍ଟ ଆଲିସାନ କୋଠା, ଜୟପୁର ଓ ଭୁବନେଶ୍ଵରର ବିଭିନ୍ନ ପ୍ରାଇମ ଲୋକେସନରେ ୪ଟି ଦାମୀ ପ୍ଲଟ, କାର, ଦୁଇଟି ବାଇକ୍ ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ।

ଜବତ ସମ୍ପତ୍ତି ସମ୍ପର୍କରେ ଶାନ୍ତନୁ ମହାପାତ୍ର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଛି।

ଶାନ୍ତନୁ ମହାପାତ୍ରଙ୍କ ସହ ତାଙ୍କର ଆଉ ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ ହେଲେ ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ଵଜିତ ମଣ୍ଡଳ, ଠିକା କର୍ମଚାରୀ ଅମୀୟକାନ୍ତ ସାହୁ ଓ ଗଞ୍ଜାମ ଜଗନ୍ନାଥ ପ୍ରସାଦର ଏକ ଜନସେବା କେନ୍ଦ୍ରର ମାଲିକ ଅଲେଖ ପ୍ରଧାନ। ଏମାନଙ୍କଠାରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି।

ଦୀର୍ଘ ଦିନ ହେଲା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ  କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ବୁଧବାର ଦିନ ଶାନ୍ତନୁ ମହାପାତ୍ରଙ୍କ ୭ଟି ଠିକଣା ସହ ମାଲକାନଗିରି ସ୍ଥିତ ଜଳ ବିଭାଜିକା ପ୍ରକଳ୍ପର ଅନ୍ୟ ୩ କର୍ମଚାରୀ ମୋହନ ମଣ୍ଡଳ, ବିସନ ମଣ୍ଡଳ ଓ ଅମୀୟ ସାହୁଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ପରେ ଗଞ୍ଜାମ ଜଗନ୍ନାଥ ପ୍ରସାଦର ଏକ ଜନସେବା କେନ୍ଦ୍ରର ମାଲିକ ଅଲେଖ ପ୍ରଧାନ ଭିଜିଲାନ୍ସ ସ୍କାନରକୁ ଆସିଥିଲେ।

ଏହି ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

 Tags: #VigilanceRaid #MalkangiriWatershedProjectOfficer #SantanuMohapatra #Malkangiri

LEAVE A REPLY

Please enter your comment!
Please enter your name here