ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଦ୍ୟାଧର ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଙ୍ଗଳବାର ଦିନ ବିଦ୍ୟାଧର ପତିଙ୍କ ୭ଟି ଠିକଣା ଉପରେ ଚଢ଼ଉ କରାଯାଇଥିଲା।
ଚଢ଼ଉ ବେଳେ ତହସିଲଦାର ବିଦ୍ୟାଧର ପତିଙ୍କ ନାଁରେ ବାଲେଶ୍ଵର ସହର କୁରୁଡ଼ାସ୍ଥିତ ସୁପ୍ରତୀକ ଆପାର୍ଟମେଣ୍ଟରେ ୧,୫୫୪ ବର୍ଗଫୁଟର ଏକ ଫ୍ଲାଟ, ଭୁବନେଶ୍ଵର ଶୈଳଶ୍ରୀ ବିହାରରେ ୧,୪୬୦ ବର୍ଗଫୁଟର ୩ ବିଏଚକେ ଫ୍ଲାଟ, ରୁଦ୍ରପୁର ଅଞ୍ଚଳରେ ୧,୪୨୨ ବର୍ଗଫୁଟର ୩ ବିଏଚକେ ଫ୍ଲାଟ, ବାଲେଶ୍ଵର ଓ ଭୁବନେଶ୍ଵରରେ ଦୁଇଟି ଫ୍ଲାଟ ଠାବ କରାଯାଇଛି।
ଭୁବନେଶ୍ଵରରେ ଥିବା ଦୁଇଟି ଫ୍ଲାଟର ମୂଲ୍ୟ ୨ କୋଟି ୫୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ୯୭୩ ଗ୍ରାମର ସୁନା ଅଳଙ୍କାର, ୧ କୋଟି ୧୨ ଲକ୍ଷ ଟଙ୍କାର ଡିପୋଜିଟ ଠାବ କରାଯାଇଛି। ଆୟଠାରୁ ତାଙ୍କର ୨୦୪ ପ୍ରତିଶତ ଅଧିକ ସମ୍ପତ୍ତି ରହିଛି।
ଏହା ସହ ଗୋଟିଏ କାର, ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କ ଜମା ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରାଯାଇଛି। ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ବିଦ୍ୟାଧର ପତିଙ୍କୁ ଗିରଫ କରାଯାଇଛି।
ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ନେଇ ଦୀର୍ଘଦିନ ହେଲା ବିଦ୍ୟାଧର ପତିଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ଥିଲେ।
Tags: #VigilanceRaid #BalasoreTahasildar #BidyadharPati #Odisha