ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ପାକିସ୍ତାନ ବିରୋଧରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ନେଇଛି। ଏଥିରେ ବିରାଟ କୋହଲୀ ଶତକୀୟ ଇନିଂସ ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେବା କ୍ରିକେଟ ପ୍ରେମୀଙ୍କ ମନ ମୁଗ୍ଧ କରିଛି। ଭାରତୀୟ ଦଳ ଏବେ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲର ଅତି ନିକଟତର ହୋଇଛି।
ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଦୁଇ ଓପନର ବାବର ଆଜମ୍ ଓ ଇମାମ ଉଲ୍ ହକ୍ ପାଳି ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୪୧ ହୋଇଥିବା ବେଳେ ବାବର ୨୩ ରନ୍ କରି ପାଭିଲିୟନ ଫେରିଯାଇଥିଲେ।
ଏହାପରେ ପାକିସ୍ତାନର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଧୀରେ ଧୀରେ ରନ୍ ସଂଗ୍ରହ କରିଥିଲେ। ମହମ୍ମଦ ରିଜୱାନ ଓ ସୌଦ ସାକିଲ୍ ୧୦୪ ରନର ପାର୍ଟନରସିପ କରିଥିଲେ ମଧ୍ଯ ଦଳର ରନ୍ ରେଟ୍ ବହୁତ କମି ଯାଇଥିଲା। ଶେଷରେ ଭାରତୀୟ ବୋଲରମାନଙ୍କ ଘାତକ ବୋଲିଂ ଆଗରେ ଦଳ ୨୪୧ ରନ୍ କରି ଅଲଆଉଟ ହୋଇଥିଲା।
ଭାରତ ୨୪୨ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ପାଳି ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୩୧ ହୋଇଥିବାବେଳେ ରୋହିତ ଶର୍ମାଙ୍କ ୱିକେଟ୍ ପଡ଼ିଥିଲା।
ଏହାପରେ ବିରାଟ କୋହଲୀ ଓ ଶୁଭମନ ଗିଲଙ୍କ ମଧ୍ୟରେ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା। ତେବେ ୪୬ ରନ୍ କରି ଶୁଭମନ ଗିଲ ଆଉଟ୍ ହେବାପରେ ଶ୍ରେୟସ୍ ଆୟର ଦଳୀୟ ସ୍କୋରକୁ ଆଗକୁ ବଢ଼ଇଥିଲେ। କୋହଲୀ ଓ ଶ୍ରେୟସଙ୍କ ଭାଗିଦାରୀ ଟିମ୍ ଇଣ୍ଡିଆକୁ ବିଜୟ ଅଭିମୁଖେ ନେଇଯାଇଥିଲା।
ଏଥିରେ ବିରାଟ କୋହଲୀଙ୍କ ୧୦୦ ରନର ଇନିଂସ କ୍ରିକେଟ୍ ପ୍ରେମୀଙ୍କୁ ବହୁତ ଉତ୍ସାହିତ କରିଛି। ବିରାଟ ଦିନିକିଆରେ ନିଜର ୫୧ତମ ଶତକ ହାସଲ କରିବା ସହ ଦ୍ରୁତତମ ଖେଳାଳି ଭାବେ ୧୪ ହଜାର ରନ୍ ମଧ୍ଯ ପୂରଣ କରିଛନ୍ତି।
ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତ ଏବେ ଗ୍ରୁପ୍ ଶୀର୍ଷରେ ରହିଛି। ଏହା ପୂର୍ବରୁ ଦଳ ବାଂଲାଦେଶ ବିପକ୍ଷରେ ବିଜୟୀ ହୋଇଥିଲା। ଅନ୍ୟପଟେ ପାକିସ୍ତାନ ନିଜ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବାବେଳେ ଏବେ ଭାରତଠାରୁ ହାରି ଯାଇଛି।
Tags: #ICCChampionsTrophy #IndiavsPakistan #Cricket #Sports #BCCI #Dubai