ଓଡ଼ିଶାଲାଇଭ୍ ବ୍ୟୁରୋ

ୱାକଫ୍ ସଂଶୋଧନ ବିଧେୟକକୁ ନେଇ ଗଠିତ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟକୁ ଗୁରୁବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାକୁ ସଂସଦର ଚଳିତ ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ଆଗତ କରାଯିବାର ସମ୍ଭବନା ରହିଛି। ୱାକଫ୍ ସଂଶୋଧନ ବିଧେୟକରେ ଜେପିସି ଦ୍ଵାରା ପ୍ରସ୍ତାବିତ ସମସ୍ତ ପରିବର୍ତ୍ତନ କରାଯିବ ବୋଲି ସମ୍ମତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।   

ୱାକଫ୍ ସଂଶୋଧନ ବିଧେୟକ ଉପରେ ବିଚାର କରିବା ପାଇଁ ୨୦୨୪ ଅଗଷ୍ଟ ମାସରେ ଯୁଗ୍ମ ସଂସଦୀୟ କମିଟି ଗଠିତ ହୋଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲ ଏହାର ଅଧ୍ୟକ୍ଷ ଥିଲେ। ଏଥିରେ ଲୋକସଭାରୁ ୨୧ ଜଣ ଏବଂ ରାଜ୍ୟସଭାରୁ ୧୦ ଜଣ ସାଂସଦ ସଦସ୍ୟ ରହିଥିଲେ।

ଏହି କମିଟି ୱାକଫ୍ ଆଇନରେ ହେବାକୁ ଥିବା ସଂଶୋଧନ ଉପରେ ବିଚାର କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହାକୁ ସଂସଦରେ ଆଗତ କରାଯାଇଥିଲା। ୱାକଫ୍ ବିଲକୁ ନେଇ ଜେସିପି ଦ୍ଵାରା ପ୍ରସ୍ତାବିତ ୨୦ରୁ ଅଧିକ ନିୟମକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର।

ଭାରତରେ ୱାକଫ୍ ବୋର୍ଡଗୁଡ଼ିକର ପରିଚାଳନା ନିମନ୍ତେ ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ​‌ ହେଉଥିବା ୱାକଫ୍ ଆଇନ ୧୯୯୫ରେ ଆବଶ୍ୟକ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଧେୟକ ୨୦୨୪କୁ ଆଗତ କରାଯାଇଥିଲା। ବିଧେୟକରେ ୱାକଫ୍ ଆଇନ ୧୯୯୫କୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍‌ ୱାକଫ୍ ମ୍ୟାନେଜମେଣ୍ଟ, ଏମ୍‌ପାୱାରମେଣ୍ଟ, ଏଫିସିଏନ୍ସି ଆଣ୍ଡ ଡେଭଲପ୍‌ମେଣ୍ଟ ଆଇନ ରଖାଯିବ। 

Tags: #WaqfamendmentBill #UnionCabinet #JPC #WaqfBoard #India

Comment