ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଶେଷ ଲିଗ୍ ମ୍ୟାଚକୁ ଭାରତ ୪୪ ରନରେ ଜିତି ନେଇଛି। ଏବେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ଭାରତୀୟ ଦଳ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ପାଳି ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୨୨ ହୋଇଥିବା ସମୟରେ ଉଭୟ ଖେଳାଳି ପାଭିଲିୟନ ଫେରିଯାଇଥିଲେ। ଏହାର କିଛି ସମୟ ପରେ ବିରାଟ କୋହଲୀ ମଧ୍ଯ ଆଉଟ ହୋଇଥିଲେ।

ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଶ୍ରେୟସ୍ ଆୟର ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା। ଆୟରଙ୍କ ୭୯ ଓ ଅକ୍ଷରଙ୍କ ୪୨ ରନ୍ ଭାରତର ଇନିଂସକୁ ବଳ ଦେଇଥିଲା। ଏହାସହ ଶେଷ ସମୟରେ ହାର୍ଦିକ ପାଣ୍ଡ୍ୟାଙ୍କ ୪୫ ରନ୍ ସହାୟତାରେ ଭାରତୀୟ ଦଳ ୯ ୱିକେଟ୍ ବିନିମୟରେ ୨୪୯ ରନ୍ କରିବାରେ ସଫଳ ହୋଇଥିଲା।

ଏହାପରେ ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ଭାରତୀୟ ସ୍ପିନରଙ୍କ ଆଗରେ ଦଳର ବ୍ୟାଟିଂ ଧିମା ହେବାସହ ୱିକେଟ୍ ମଧ୍ଯ ପଡ଼ିବାକୁ ଲଗିଲା।

କେନ ୱିଲିୟମସନ ଓ ଅନ୍ୟ କିଛି ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡର ସ୍କୋର ବଢ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ଯ ଭାରତୀୟ ସ୍ପିନରଙ୍କ ଶିକାର ହୋଇଥିଲେ। ଶେଷରେ ୨୫୦ ରନର ଲକ୍ଷ୍ୟକୁ ପିଛା କରି ଦଳ ୨୦୫ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ।

ଏବେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଦୁବାଇରେ ମାର୍ଚ୍ଚ ୪ ତାରିଖରେ ଏହି ମ୍ୟାଚ ଖେଳାଯିବ। ଏହାପରେ ମାର୍ଚ୍ଚ ୫ ତାରିଖରେ ଲାହୋରରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

Tags: #ICCChampionsTrophy #IndiavsNewZealand #Cricket #Sports #BCCI #Dubai

Comment